Satyabati Swain

Inspirational

2  

Satyabati Swain

Inspirational

କୌଶିକ୍ ପରିବାର

କୌଶିକ୍ ପରିବାର

6 mins
500



ଗୋଟିଏ ପ୍ରସଙ୍ଗ ଉପରେ ନିତି କଥା କଟା କଟି, ମୁହଁ ଫୁଲା ଫୁଲି ଆମେ ହେଉ।ଆମେ ମାନେ ମୋ ଜେଜେ ,ଜେଜେ ମା,ଓ ମୋ ମା।ମୋ ମା ତ ଆଦୌ ଶୁଣେନି ମୋ କଥା।ଜେଜେ,ଜେଜେ ମାଙ୍କ କଥା ତଦ୍ରୁପ।ସେମାନେ ତାଙ୍କ ନିଷ୍ପତ୍ତିରେ ଅଟଳ,ମୁଁ ମୋ ନିଷ୍ପତ୍ତିରେ ଖୁଣ୍ଟ।

     ଜେଜେ କୁହନ୍ତି "ତୁ ଭିକ ମାଗିବୁ ପଛେ ସେ କଥା ତୁଣ୍ଡରେ ଧଅନା।ହଇରେ! ମୋର ଜମି ପଡିଛି ଚାଷ କର ଖାଆ।ଇଆଡ଼େ ସିଆଡେ ନାକ ଗଳାନା।ଜେଜେ ମା କହିବ ମୋ ଧନ ଟା ଅବୁଝା ହଅନା ରାଜା।ତୋ ବିନା ଆମର କିଏ ଅଛି କହିଲୁ।ସବୁବେଳେ କାଳ ତୁଣ୍ଡା କଥା ଗୁଡା କହୁଛୁ।ଖାଲି ହକ ହକ ଗୋଟିଏ କଥା ପାଇଁ।ଏତେ ବଡ଼ ଦୁନିଆଁରେ ତୋତେ ଗୋଟିଏ କଥା ଦିଶୁଛି।କାଇଁକି ସେମିତି ପାଗଳା ହେଉଛୁ କହିଲୁ।"

       ଦେଖ ଜେଜେ ମା ମୁଁ କଣ ଖରାପ କଥା କହୁଛି।ନିଜ ଗୋଡ଼ରେ ଠିଆ ହେବା କଥା କଣ ଖରାପ!କେତେ ଥର ପରୀକ୍ଷା ଦେଇ ପାସ୍ କଲେଣି ଯେ ମୋତେ ଛାଡୁନ।ଦେଖିବୁ ଜେଜେମା ଦିନେ ଲୁଚିକି ଘର ଛାଡି ପଳେଇବି।ମୋତେ ଜମା ବାନ୍ଧି ରଖି ପାରିବୁ ନାହିଁ।ମୋତେ ବା କୋଦିଏ ବର୍ଷ ହେଲାଣି।ମନ ଯୁଆଡେ ଚାହିଁବ ପଳେଇବି,ବୁଝିଲୁ।କେତେ ବୁଝେଇଲି କେହି ବୁଝିଲନି।ଶେଷରେ ଲୁଚିକି ପଳେଇବି କହୁଛି,ଦେଖିବୁ।ସେତେବେଳେ ପସ୍ତେଇବ।

       ଆରେ ହେ ଟୋକା!ମୁଣ୍ଡକୁ ହାତ ପାଇଗଲା ବୋଲି ଆଜି ଏମିତି କହୁଛୁ?ଆମେ କଣ ତୋ ଶତ୍ରୁ!ଯେଉଁ କଥାରେ ତୋର ମଙ୍ଗଳ ସେ କଥାରେ ଆମେ ବାଧା ଦିଅନ୍ତୁ କି!!ସେଇ ଗୋଟିଏ କଥା ହେବା ଛାଡି ଆଉ ଯାହା ହେଉନୁ ଆମେ କଣ ମନା କରୁଛୁ!

       କାଇଁ ମୁଁ ଯେଉଁଟା ହେବାକୁ ଚାହୁଁଛି ସେଥିରେ ଖରାପ କଣ?କେତେ ଗର୍ବର କଥା ଜାଣିଛୁ ଜେଜେମା!

       ସେ ଅଲଣା ଗର୍ବରେ ବଞ୍ଚି ହୁଏନି ରେ ସତ୍ୟ । ସେ ଗର୍ବକୁ ଧୋଇ ପିଇଲେ ପେଟ ପୁରେନି କିବା ଉଜୁଡା ସଂସାର,ସଜାଡି ହୋଇ ଯାଏନି।ଶୁନ୍ୟ କୋଳ ପୂର୍ଣ୍ଣ ହୁଏନି।ଆଖିରୁ ଲୁହ ପୋଛି ଦିଏନି ଏ ଗର୍ବ।ଲଂଗଳା ମଥା,ଫୁଙ୍ଗୁଳା ହାତରେ ସିନ୍ଦୁର ଶଙ୍ଖା ଝଲସେ ନାଇଁ ରେ ସତ୍ୟ।ଖାଲି ଗୋଟେ ମିଛ ଆବାଜ।ମିଛ ସମବେଦନା,ମିଛ ବାହୁନା ମିଳେ ଯାହା।ଯିଏ ହରାଏ ସେ ସାରା ଜୀବନ କାନ୍ଦେ।ପ୍ରତି ମୁହୂର୍ତ୍ତରେ ମରେ।ଗୁଣ ସୁମରି ଦିନ କାଟେ।

       ଜେଜେମା ଆଖିରୁ ଗଲି ପଡିଲା ଟପ୍ ଟାପ୍ ଲୁହ କେଇବୁନ୍ଦା।ସୁଉଁ ସୁଉଁ ହୋଇ କାନିରେ ପୋଛି ପକାଇଲା ଲୁହ ଗୁଡା।

       ଜେଜେମା! କାନ୍ଦେନା କହୁଛି।ଏଇ କାନ୍ଦ ମୁଁ ଦେଖି ପାରେ ନାହିଁ ବୋଲି ତୁମେ ସମସ୍ତେ ମୋତେ କାନ୍ଦ ଦେଖେଇ ବ୍ଲାକ ମେଲ୍ କରୁଛ,ନୁହେଁ?

       ମୁଁ ବୁଝି ପାରୁନାହିଁ ତୁମର ଏ ଚାକିରୀ ପ୍ରତି ଏତେ ବୀତସ୍ପୃହ କାହିଁକି?କାହିଁକି ତୁମ ସମସ୍ତଙ୍କର ଗୋଟିଏ ଜିଦ୍ "ସେଣିକି ମନ ବଳାନା"।ମୋ ବାବା ତ ପୁଣି..

       ସତ୍ୟରେ କୋର ନା ଆଉ ହୃଦୟ ଧନ।କିଛି ମନେ ପକାନା ବାବୁ।ଜେଜେ ଓ ତୋ ମାକୁ ସମ୍ଭାଳି ପାରିବୁ ନାହିଁ।

       କାହିଁକି ଜେଜେମା?ଏ କେତେ ବଡ଼ କଥା କହିଲୁ;ମୋ ବାବା ଜଣେ...

       ଆରେ ବାଇଆ!ସେଇଠି ତ ଅସୁବିଧା।ତୋ ମା କାନରେ ଏ କଥା ପଡିଲେ ଭାଙ୍ଗି ପଡ଼ିବ।ବହୁତ କଷ୍ଟରେ ସେ ସବୁ କିଛି ଭୁଲିବାକୁ ଚେଷ୍ଟା କରୁଛି।ତୋ ମୁହଁକୁ ଚାହିଁ ଭୁଲିବାର ଅଭିନୟ କରୁଛି ମୁଁ ଜାଣେ ରେ ସତ୍ୟ।ମୋ ବୋହୁ ଯେଉଁ ଦୁଃଖ ଦୁର୍ଦ୍ଦଶା ଦେଇ ଗତି କରିଛି ତାର ସାକ୍ଷୀ କେବଳ ଆମେ ତା ଶାଶୁ ଶଶୁର ଦିଇଟା।ତୁ ଯଦି ଏମିତି ଜିଦ୍ କରୁ ତୋ ମା ଆତ୍ମହତ୍ୟା କରିଦେବ ରେ ସତ୍ୟ।

 ଜେଜେମା!!

      ହଁରେ ସତ୍ୟ।ତା ଆଖି ଲୁହ ସାଇତି ରଖିଥିଲେ ଗୋଟିଏ ସମୁଦ୍ର ହୋଇଥାନ୍ତା।ତୁ ଯେଉଁ ଅଳିତା ନାଇଁ ବସୁଛୁ ଯିବି ,ହେବି, ସେ କଣ ଏପରି ସୁନ୍ଦର ଚିନ୍ତାକୁ ବିରୋଧ କରିଥାନ୍ତା ନିରବେ!!ଚୋଟ ଖାଇଛି ପରା।ଘାଇଲା ହୋଇଛି।ତୁ କି ଜାଣିଛୁ ତୋତେ ମାତ୍ର ଦେଢ଼ ବର୍ଷ।ଆଉ ତୋ ମାକୁ ତେଇଶି ବର୍ଷ ହୋଇଥାଏ।ଆକାଶ ଛିଣ୍ଡି ପଡିଲା ରେ ଧନ।ତୋ ବାବା ବି ତୋ ପରି ଏମିତି ଜିଦ୍ ଧରି ଆମକୁ ବୋଧ ଦେଇ ଯାଇଥିଲା।ସେବାର ମହତ୍ତ୍ୱ ବୁଝେଇ ଥିଲା।ମଣିଷ ଜନ୍ମ ନେଲେ ମରେ;ଏଥିକି ଏତେ ଡର!!!କିଛି କରିକି ମଲେ ବହାଦୁରୀ।ସେ ଚାହେଁ ଆମର ହେବାକୁ।ଏମିତି କେତେ ବୁଝା ସୁଝା କରି ଯାଇଥିଲା ତା ଇଛା ବି ପୂର୍ଣ୍ଣ ହେଲା।

      ସମସ୍ତଙ୍କୁ ଶାନ୍ତିରେ ଶୁଆଇ ତୋ ବାବା ପରି କେତେ ଲୋକ ଚାହୁଁଥିଲେ।ଆମ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ବିପଦର ହାଣ ମୁହଁକୁ ଯାଉଥିଲେ।ଏଥିରେ ତାଙ୍କର କୁଆଡେ ବିପୁଳ ଖୁସି ଥିଲା।ମରିବାକୁ ସେମାନେ ଗୋୖରବ ବୋଲି ଭାବୁଥିଲେ।ବ୍ୟକ୍ତିଗତ ସୁଖ ଛାଡି ସେମାନେ ବୃହତ୍ତର ସ୍ୱାର୍ଥ ପାଇଁ ଅହରହ ସଜାଗ ଥିଲେ।ନିଦ,ଭୋକ,ଶୋଷ ସେମାନଙ୍କ ପାଖରେ ପରାଜିତ ହୋଇଥିଲା।ତୋ ବାବା ସେଇ ମାନଙ୍କ ଦେଶ ମାତୃକା ପାଇଁ ସବୁବେଳେ ପ୍ରସ୍ତୁତ ଥିବା ପଚିଶି ବର୍ଷର ହଟାକଟା ଯୁବକ।ସୀମା ରକ୍ଷକ।ୱାଦା ସୀମାରେ ତାର ଡିୟୁଟି ।ଆଖିରେ ପଲକ ନ ପକାଇ ଜଗି ଥାଆନ୍ତି ଆତଙ୍କ ବାଦୀଙ୍କୁ।ପାକିସ୍ଥାନ ହିନ ଚକ୍ରାନ୍ତ ଫଳରେ ଭାରତରେ ଆତଙ୍କ ବାଦ ଆତଙ୍କ ଖେଳାଇଥାଏ।ଆରମ୍ଭ ହୋଇଗଲା ଭାରତ ପାକିସ୍ଥାନ ସର୍ଜିକାଲ ଷ୍ଟ୍ରାଇକ୍।ତୋ ବାବା ଥିଲା ଅତି ଦୁଃସାହସି।ଚାକିରୀ ମାତ୍ର ପାଞ୍ଚ ବର୍ଷ ଭିତରେ ସେ ସୀମା ସୁରକ୍ଷା ବାହିନୀର ଚିପ ହୋଇଯାଇଥିଲା।ତୋ ବାବା ଆଖିରେ କେବଳ ସବୁବେଳେ କେବଳ ଗୋଟିଏ ସ୍ବପ୍ନ ଭାରତ ସୁରକ୍ଷା ଓ ଭାରତୀୟଙ୍କ ନିରାପତ୍ତା।

      ପାକିସ୍ଥାନର ଆତ୍ମଘାତୀ ଚଢ଼ାଉର ଜବାବ ଦେବାକୁ ଯାଇ ତୋ ବାବା ପାକିସ୍ଥାନୀର କେତୋଟି ଗୁରୁତ୍ୱପୂର୍ଣ୍ଣ ଘାଟି ବମ୍ ବ୍ଲାଷ୍ଟ୍ କରି ଉଡେଇ ଦେଲା।ତାପରେ ଭାରତ ସରକାର ଖୁସି ହୋଇ ପରମ ବୀର ଚକ୍ର ଉପାଧିରେ ଭୁଷିତ କଲେ ତୋ ବାବାଙ୍କୁ।

      ଏହା ଭିତରେ ଆମେ ତୋ ବାବାଙ୍କୁ ବିବାହ କରିଦେଲୁ।ତୁ ଜନ୍ମ ହେଲୁ।ତୋ ବାବା ଖୁସି ହୋଇ ତୋ ନାଁ ରଖିଲା "ସତ୍ୟ କୌଶିକ ପରମବୀର"।

      ଆରମ୍ଭ ହୋଇଗଲା ଭାରତ ପାକିସ୍ଥାନ ଯୁଦ୍ଧ।ଅନେକ ପାକୁସ୍ଥାନୀ ଷୈନିକଙ୍କ ତୋ ବାବା ନିହତ କଲା।ପାକିସ୍ଥାନୀଙ୍କ ତୋ ବାବା ଉପରେ ରାଗ ଥିଲା।କୁକୁର ପରି ଖୋଜୁଥିଲା ପ୍ରତିଶୋଧ ନେବାକୁ।କାରଣ ତାଙ୍କର କୋତୋଟି ପ୍ରମୁଖ ଘାଟି ଉଡେଇ ଦେଇଥିଲା ତୋ ବାବା ବୋଲି।ପିଲା ଦିନୁ ଭୟଶୂନ୍ୟ ତୋ ବାବା।ସାତ ଜଣ ପାକିସ୍ଥାନୀ ସୈନ୍ୟଙ୍କୁ ଏକା ଏକା ମାରି ଦେଲା ପରେ ଗୋଟେ ଗୁଳି ତୋ ବାବାର ଗୋଡ଼ରେ ବାଜିଲା।ତଥାପି ସେ ଘୁଷୁରି ଘୁଷୁରି ଆଗାଉଥାଏ।କୁଆଡୁ ଉଡ଼ି ଆସିଲା ଗୋଟେ ବମ୍ ।ଛିନ୍ନଛତ୍ର ହୋଇଗଲା ତୋ ବାବା।

      ଗାର୍ଡ ଅଫ୍ ଅନର୍ ତୋପ ସଲାମୀ ଭିତରେ ଜାତୀୟ ପତାକା ଗୁଡେଇ ଭାରତ ମା ର ଦୁର୍ଦଶ ଯବାନ ଆସୁଥିଲା ଜନ ସମୁଦ୍ର ପଟୁଆର ମଧ୍ୟରେ।ସୌଭାଗ୍ୟ କୌଶିକ୍ ଆମର ରହେ ଧ୍ୱନିରେ ଗଗନ ପବନ ପ୍ରତିଦଧ୍ବନିତ ହେଉଥାଏ।ଲୋକାରଣ୍ୟ ମଧ୍ୟରେ ବୀର ସହୀଦଙ୍କୁ ସସମ୍ମମାନେ ରାଜ୍ୟ ପାଳ ଜିଲ୍ଲାପାଳ ଏସପି ଙ୍କ ଗହଣରେ ତୋ ବାବା ଚିର ନିଦ୍ରା ଶୋଇଗଲା।ଦିନାଗାଁ,ବ୍ଳକ,ଜିଲ୍ଲା ଓ ରାଜ୍ୟ ଗର୍ବ କଲା ଏପରି ଜଣେ ଲଢୁଆ ବୀର ପୁତ୍ର ପାଇଁ। ସ୍କୁଲ,କଲେଜ,ରାସ୍ତାର ନାଁ ବି ସୌଭାଗ୍ୟ କୌଶିକ୍ ତୋ ବାବା ନାମରେ ଖୋଲା ହେଲା।

      ଝଡ଼ ଆସି ଝଡ଼ ବାଟରେ ଚାଲିଗଲା।ଆସ୍ତେ ଆସ୍ତେ ଲୋକେ ଭୁଲି ଗଲେ ସବୁ।କିନ୍ତୁ ଭୁଲିଲୁ କି ଆମେ!!ଆମର ଏକମାତ୍ର ପୁଅ ଥିଲା ସେ।ଭୁଲିଲା କି ତୋ ମା!!!ପାଗେଳି ପ୍ରାୟ ତୋ ବାବାଙ୍କ ଫୋଟୋ ଆଗରେ ଅଖିଆ ଅପିଆ ବସି ରହିଲା।କେହି ଦେଲା କି ଆଣି ତା ସ୍ୱାମୀକୁ!!!ସ୍ୱାମୀ ସୁଖକୁ!!କି ଛଟ୍ ପଟ ହୋଇ ଦୀର୍ଘଶ୍ଵାସ ଛାଡି ରାତିଅଧରେ ସେ କର ଲେଉଟାଏ ଆମେ ଦୁଃଖିନୀ ଶାଶୁ ଶଶୁର ଦିଟା ଦେଖିଛୁ।ଶୀତ ଦିନେ ବି ଝାଳରେ ସେ କାଇଁକି ଗାଧାଏ,ସେ କଥା କେବଳ ବୁଝୁ ଆମେ।ଛୁଆ ଟା।କଞ୍ଚା ବୟସ।କେମିତି ପାରନ୍ତା ଦେହ ଦାହର କ୍ଷୁଧାକୁ ଏଡେଇ।ତାକୁ ଅନ୍ୟତ୍ର ବିବାହ କରିଦେବାକୁ ସ୍ଥିର କଲୁ ଆମେ।ହେଲେ ସେ କଣ କହିଲା ଜାଣୁ"ଆଉ କଣ ଅଛି ଏ ଜୀବନରେ।ଶୁଖିଲା କାଠ ତ ହୋଇସାରିଛି।ସୌଭାଗ୍ୟଙ୍କ ବିଧବା ହେବାର ସୁଖ ଟିକକ ବି ମୋଠୁ ଛଡେଇ ନେବେ!!!ମୁଁ ଚାଲିଗଲେ ଆପଣ ମାନଙ୍କ ଦେଖା ରଖା କିଏ କରିବ!!ସତ୍ୟ ଟା ଅନାଥ ହୋଇଯିବନି ମୁଁ ଅନ୍ୟତ୍ର ବିବାହ କଲେ।ମୋତେ ମୋ ହିସାବରେ ବଞ୍ଚିବାକୁ ଛାଡି ଦିଅନ୍ତୁ"।

      ଏଇ ସେଇ ତୋ ମା।ସୌଭାଗ୍ୟ ସହୀଦ ହେବାରେ ଗର୍ବ ଲାଗିଲା କିଛି ସମୟ ସାଇ ଭାଇ ଅଞ୍ଚଳକୁ ଏବଂ ଆମକୁ ବି।ସେଇ ଖୁସି କ୍ଷଣସ୍ଥାୟୀ ଥିଲା।ଚିରସ୍ଥାୟୀ ଥିଲା କିନ୍ତୁ ଅସହ୍ୟ ଯନ୍ତ୍ରଣା ହା ହୁତାଶ ମୟ ଜୀବନ।ତୁ କଣ ବାବା ସୁଖ ପାଇଲୁ ସତ୍ୟ!! ଶବ୍ଦ କାହିଁ ଆମ ମାନଙ୍କ ଦୁଃଖ ବଖାଣିବାକୁ।ସରକାର ଚାକିରିଟିଏ ତୋ ମା କୁ ଦେଇ ଥିବାରୁ ପେଟ ଚାଖଣ୍ଡକ ପୁରିଯାଏ।ପୁରେନି କିନ୍ତୁ ପୁତ୍ର ବିୟୋଗର ଦୁଃଖ।

      ତୋ ମା ଚାବି ଦିଆ କଣ୍ଢେଇ ପରି ଜୀବନ ଟିଏ ବଞ୍ଚୁଛି ଯାହା।ଏବେ ତୁ କହୁଛୁ ସୈନିକ ହେବୁ।ତୁ କହ ସତ୍ୟ ଆମେ କେମିତି ରାଜି ହୁଅନ୍ତୁ ତୋର ଏ ପ୍ରସ୍ତାବରେ।ଭିତରେ ଆମ ଘା ଦଲ ଦଲ।ତୁ ପୁଣି ଉଖାରିବାକୁ ଚାହୁଁଛୁ!!

      କିନ୍ତୁ ଜେଜେମା ସମସ୍ତେ ଯଦି ଏପରି ଭାଵ ନେଇ ବଞ୍ଚିବେ;କିଏ ସୁରକ୍ଷା ଦେବ ଦେଶକୁ,ଦେଶ ଜନତାଙ୍କୁ।ଜେଜେ ମା! ମୋ ବାବା, ମୁଁ ,ମୋ ପରେ ଆମ ଉତ୍ତର ଦାୟାଦ ଯଦି ସୈନିକ ହୋଇ ମାଟି ମା ପାଇଁ ପୁରୁଷ ପରେ ପୁରୁଷ ଆତ୍ମବଳୀ ଦିଅନ୍ତି ତୁ କଣ ଖୁସି ହେବୁ ନାହିଁ।ତୋ ବଂଶ ପରେ ବଂଶ ଦେଶ ପାଇଁ ଜୀବନ ଦେଲେ ତୋର ଗୌରବ ହେବ ନାହିଁ! ସଂକୀର୍ଣ୍ଣ ସ୍ୱାର୍ଥରେ ବୁଡୁ ନା ଜେଜେମା।ମା କୁ କହ ମୁଁ ସୈନିକ ହେବି।ମୋ ବାବା ଅଧୁରା ସ୍ବପ୍ନ ପୂରଣ କରିବି।କେହି ପୁଅ ତ ମୋ ପରି ସୈନିକ ହେବେ ଜେଜେମା।ମୁଁ କାହିଁକି ନୁହେଁ।ବନ୍ଧୁକ ଧରି ଶତ୍ରୁ ଛାତି କିଏ କଣା କରିବ!!ଟିକେ ନିଜକୁ ନିଜ ଭିତରୁ କାଢ଼ ଜେଜେମା।ମୋତେ ସୀମାନ୍ତ ରାକ୍ଷୀ ପୋଷାକ ପିନ୍ଧିବାର ସୁଯୋଗ ଦେ...ମାକୁ ବୁଝା।ତା ପୁଅ ସୀମାନ୍ତ ସିପାହୀ ହେବ।ଗୋଟିଏ ବି ଶତ୍ରୁ ଦେଶ ଭିତରକୁ ପୁରାଇଦେଵ ନାହିଁ।ମୋର ଭାରି ଇଛା ମୋ ମା ବୀର ଶହୀଦର ପତ୍ନୀ ହୋଇଥିଲା;ପୁଣି ବୀର ଶହୀଦର ମା,ଜେଜେମା ହେଉ।

      ଶୁଣୁଥିଲା ସୁଲଗ୍ନା ପୁଅ ସତ୍ୟର କଥା ଚୁପ୍ ଚାପ୍ ।ଲୁହକୁ ଲୁଚେଇ କହିଲା "ମୁଁ କିଏ ମନା କରିବାକୁ।ତୁ ଯା ଧନ ତୋ ଇଛାର ଜୀବନ ଜୀଇଁ।ଦେଶର ସେବା କର।ତୋ ଭିତରେ ନିଅଁ ଲାଗି ସାରିଛି।ତାକୁ କିଏ ରୋକିବ!ସେ ଜଳିବା ନିଶ୍ଚିନ୍ତ।ଯା ସତ୍ୟ।ପରୀକ୍ଷାରେ ତ ପାସ୍ କରି ସାରିଛୁ।ଜଏନିଂ ଲେଟର ତ ପାଇ ସାରିଛୁ,ଆଉ କାହିଁକି ଅପେକ୍ଷା।ମୁଁ ଏତେ ସ୍ୱାର୍ଥପର କେମିତି ହେବି;କେବଳ ନିଜ କଥା ଚିନ୍ତା କରିବି!!!ଯା ମୁଣ୍ଡ ଉଚ୍ଚା କରି ଦେଶ ସମ୍ମାନ ରଖ।ମୁଁ ସ୍ୱାମୀଙ୍କୁ ଛାଡି ବଂଚିଗଲି।ପୁଅକୁ ଛାଡି ବଞ୍ଚିବା ଶିଖି ଯିବି,ଧନ।

      ମା ତୁ ଅଭିମାନରେ ଏମିତି କହୁନୁ ତ....ସତ୍ୟ ମା କୋଳେ ମୁଣ୍ଡ ଗୁଞ୍ଜି କହିଲା।

      ନାଇଁରେ ଧନ।ତୁ ଆମ ଆଖି ଫିଟାଇ ଦେଇଛୁ।ବୃହତ୍ତର ସ୍ୱାର୍ଥ ପାଇଁ ନିଜ ସ୍ୱାର୍ଥ ଆହୂତି ଦେବାକୁ ହେବ।ନଚେତ ଦେଶ ସୁରକ୍ଷିତ ରହିବ କିପରି।

      ସତ୍ୟକୁ ବସ୍ ଷ୍ଟପେଜରେ ବିଦାୟ ଦେଉଥିଲେ କୌଶିକ୍ ପରିବାର ଆଶା ଆଶଙ୍କାକୁ ଛାତି ଭିତରେ ଚାପି ଧରି।ସତ୍ୟର ମା ଗର୍ବ ନୁହେଁ ଗୌରବରେ କହୁଥିଲେ ''ତୁ ଠିକ୍ ବାପାର ଠିକ୍ ପୁଅ''।ଯେ ଦେଶ ମା କୋଳ ପାଇଁ ଜନ୍ମ ତାକୁ କଣ ମା କୋଳ ନିଅଁଣ୍ଟ ହେବ!!ଯା ଧନ ଦେଶ ଦଶର ସେବା କର।ତୋ ବାପା ପରି ଜାତୀୟ ପତାକା ତୋତେ ଭଲ ପାଉ।ସହୀଦ ତାଲିକାରେ ଆଉ ଜଣେ ସତ୍ୟ କୌଶିକ୍ ନାମ ଯୋଡି ହୋଇ ଯାଉ"।

      ମା ମୁହଁକୁ ଜଳ ଜଳ ଅନେଇ ସତ୍ୟ ଖୁସିର କୋହରେ ଫାଟି ପଡୁଥିଲା।ମାର ପାଦ ଛୁଇଁ ସତ୍ୟ ମାକୁ ଟିକେ କୋଳେଇ ନେଲା।କିଏ ଜାଣେ ଏ ମା ଛାତି ଛୁଇଁବା ସୌଭାଗ୍ୟ ଆଉ ହେବ କି ନାହିଁ।

      ବସ୍ ଝରକା ବାହାରକୁ ହାତ ହଲାଇ ବିଦାୟ ନେଉଥିଲା ସତ୍ୟ ସୀମାନ୍ତ ରକ୍ଷୀ ଚାକିରୀରେ ଜଏନ୍ କରିବାକୁ।ତା ମା ଆଖି ଆକାଶରେ ଢଳ ଢଳ ଆଷାଢ଼ ପୁଅକୁ ଦେଶ ଜଗିବାକୁ ପଠାଇ।

    


Rate this content
Log in

Similar oriya story from Inspirational