STORYMIRROR

Dr Rashmita Panigrahi

Drama Crime

3  

Dr Rashmita Panigrahi

Drama Crime

କାଠଗଡ଼ା

କାଠଗଡ଼ା

4 mins
521

 

   ରୂପାର ପାଦ ଆଜି ଭୂଇଁରେ ଲାଗୁନି l ତା' ଖୁସିର ସୀମା ନାହିଁ l ତା'ଠାରୁ ଅଧିକ ଖୁସି ଅଛନ୍ତି ତା'ର ଜେଜେମା', କାରଣ ପରୀକ୍ଷାକୁ ଏତେ ଡରୁଥିବା ଝିଅଟି 80% ମାର୍କରଖିଛି l ମା'ଛେଉଣ୍ଡ ଝିଅଟିକୁ କେତେ ଯତ୍ନରେ ସେ ବଡ଼ କରିଛନ୍ତି l ତାଙ୍କ ଶ୍ରମକୁ ଈଶ୍ୱର ସାର୍ଥକ କରିଛନ୍ତି l ନିଜେ ସ୍କୁଲର ଦ୍ୱାର ମୁହଁ ଦେଖି ନ ଥିବାର ଦୁଃଖକୁ ଏଇ ରୂପାର ସ୍କୁଲ ଯିବା ଦେଖି ସେ ଭୁଲି ଯାଇଛନ୍ତି l ରୂପାକୁ ନେଇ ସେ ଅନେକ ସ୍ବପ୍ନ ଦେଖିଛନ୍ତି l ଦିନେ ତା' ମା'ସହ ହେଇଥିବା ଅନ୍ୟାୟର ପ୍ରତିବାଦ କରିବାର ସାହସ ତାଙ୍କର ନ ଥିଲା ସତ୍ୟ, ହେଲେ ତା'ର ସନ୍ତକ ଏଇ ରୂପାକୁ ଶକ୍ତ, ସୁସ୍ଥ, ଆଉ ଯୋଗ୍ୟ କରି ଗଢି ପାରିଲେ ହୁଏତ ତା'ର ଆତ୍ମାକୁ ଶାନ୍ତି ମିଳି ଯିବ l ଈଶ୍ୱରଙ୍କ ନିକଟରେ ଦିନ ରାତି ଏଇ ପ୍ରାର୍ଥନା କରିବା ସହ ରୂପାର ଯତ୍ନ ନେବାରେ ଲାଗି ଛନ୍ତି ଅହଲ୍ୟା ଦେବୀ l

   କ୍ଷଣିକ ପାଇଁ ଆଖି କୋଣ ରେ ତାଙ୍କର ଲୁହ ଜକେଇ ଆସିଲା l କେଡେ ହତଭାଗିନୀଟା ଥିଲା ସତେ ଏଇ ରୂପା ର ମା'l ଗରିବ ଘରେ ଜନ୍ମ ହେଇ ଥିଲା ସେଥିରେ ପୁଣି ବାପା ତା'ର ମଦ୍ୟପ l ରୂପା ତଳକୁ ଆହୁରି ଦୁଇ ଭଉଣୀ, ବାପ ତା'ର ଆଖି ବୁଜି ଝିଅକୁ ବାହା ଦେଇ ଦେଲା ଆମ ଘରେ l ମଝିଆ ପୁଅ ଯିଏ କି ଏକ ନମ୍ବର କୁଳାଙ୍ଗାର, ତାହାରି ସହିତ l ପାଠ ର ପ' ବି ତାକୁ ଆସେନି l ମା' ବାପାଙ୍କର କିଛି ବି କଥା ଶୁଣେନି ନିଜ ଇଚ୍ଛାର ମାଲିକ l ବାସ l ବିଚାରି ରୂପା ର ମା' ଭାରି ସରଳ, ସୁନ୍ଦର, ନିଷ୍କପଟ, ସ୍ନେହୀ, ଦରଦୀ ମଣିଷଟେ ଥିଲା l ଭାଗ୍ୟକୁ ଆଦରି ସାନ ଭଉଣୀ ମାନଙ୍କ ମୁହଁକୁ ଚାହିଁ ବାପା କଥାରେ ରାଜି ହେଇ ବାହା ହେଇ ଗଲା ଏଇ ଅପଦାର୍ଥ କୁଳମଣିକୁ ଆମର l 

    ବିବାହର ଦିନ କେଇଟା ଯାଇନି ଆରମ୍ଭ ହୁଏ ଅତ୍ୟାଚାର ମଦ୍ୟପ ସ୍ୱାମୀର l ପ୍ରତିଟି ରାତ୍ରୀ ଦେଇ ଯାଏ ତାକୁ ନର୍କର ଅସହ୍ୟ ଯନ୍ତ୍ରଣା l ମାଛି କୁ ମ କହୁ ନ ଥିବା ଝିଅଟି ଦାନ୍ତ ଚିପି ସେ ସବୁକୁ ସହି ନିଏ, ପରିବାରର ଅନ୍ୟମାନେ ଜାଣିବା ଆଗରୁ ଆଖିଲୁହ ସବୁ ନିଜେ ପିଇ ଦିଏ l 

    ସ୍ୱାମୀ ତା'ର ଯାହା ରୋଜଗାର କରେ ସବୁ ମଦ୍ୟ ପାନରେ ସାରି ଦିଏ । ତା'ପରେ ବି ରୂପା ର ମା'ପାଖରେ ଯାହା କିଛି ଗହଣା ପତ୍ର ବାହାଘରରେ ବନ୍ଧୁମାନେ ଉପହାର ସୂତ୍ରରେ ଦେଇ ଥିଲେ ସେ ସବୁ କୁ ଗୋଟି ଗୋଟି କରି ନେଇ ଖାଇସାରିଲାଣି ।       

‌    ମୋ ଶାଶୂ ମୋତେ ଯେଉଁ ହାର ଦେଇ ଥିଲେ ମୁଁ ବୋହୂ  ହିସାବରେ ତାକୁ ଦେଇଥିଲି ସେଇ ଗୋଟିକୁ ପୁତ୍ର ମଣି ମୋର ନେବାକୁ ଚାହିଁଲେ l 

‌     ରାତ୍ରୀ ପାଖାପାଖି ଏଗାରଟା ହେବ l ଆମେ ଘର ସାରା ଲୋକ ଖାଇ ଶୋଇଲୁଣି ପୁତ୍ରମଣି ମୋର ବିଳମ୍ବରେ ଘରକୁ ଫେରିବାଟା ତାଙ୍କର ସଉକ l ରୂପା ର ମା' ସବୁଦିନ ପରି ସେଦିନ ବି ଜଗି ଥାଏ ଆଉ ଟିଭି ଆଗରେ ବସି ଥାଏ ତାକୁ ଅପେକ୍ଷା କରି l ବାବୁ ଆମର ଆସିଲେ ଏବଂ ସିଧା ତାକୁ ଘର ଭିତରକୁ ଭିଡି ନେଇଗଲେ,ସେ କହୁ ଥାଏ ଆରେ ଏ କଣ କରୁଛ ! ଖାଇବ ଆସ l ବେହୋସ ପୁତ୍ର ମଣି ମୋର ତାକୁ ସେଇ ହାର ଖଣ୍ଡିକ ଦେବାକୁ କହିଲେ l "ଖାଇବି ଦେଉନୁ, ସେଇ ଚନ୍ଦ୍ରହାରଟା ଦେ l" ଏତକ କହି ଜବରଦସ୍ତ ଆଲମିରାରୁ ବାହାର କରି ନିଏ, ଆଉ ରୂପାର ମା' ତାକୁ ବିରୋଧ କରୁ ଥାଏ l ଇତ୍ୟବସରରେ ତାକୁ ଏମିତି ଜୋରରେ ଠେଲି ଦେଲା ଯେ ସେ ପଲଙ୍କ ଧାରରେ ବାଡେଇ ହେଇ ପଡିଗଲା l ବାସ ମୁଣ୍ଡଟା ବୋଧ ହୁଏ ପଛପଟୁ ବାଡେଇ ଗଲା, କ୍ଷଣିକ ଭିତରେ ତା'ର ସ୍ୱର ସବୁ ଦିନ ପାଇଁ ବନ୍ଦ ହେଇ ଗଲା l ପୁତ୍ର ମଣି ମୋର ଆଲମିରାରୁ ହାର କାଢି ପଛକୁ ବୁଲି ପଡେ ତ ଦେଖେ ରୂପାର ମା' ତଳେ ପଡିଛି, ତା'ର ପ୍ରାଣ ବାୟୁ ଉଡି ଯାଇଛି l ହାରଟା ତା'ହାତ ରୁ ସେଇଠି ଖସି ପଡିଛି ଆଉ ସେ ଭୟରେ କବାଟ ଆଉଜେଇ ଦେଇ ଏକା ଥରେ ଫେରାର l 

‌    ସମସ୍ତେ ଶୋଇଛନ୍ତି l ସବୁଦିନ ପରି ଭୋର ଚାରିଟାରୁ ରୂପାର ଜେଜେ ଉଠିଲେ ମର୍ନିଙ୍ଗ ୱାକରେ ଯିବେ ବୋଲି l

‌ସେ ବାହାରି ଯିବା ବେଳେ ରୂପାର ମା'କୁ ଡାକି ଉଠେଇ ଦିଅନ୍ତି ଏଇଟା ସେ ଆଗରୁ କହିଥାଏ l ସେଦିନ ବି ସେ ଡାକ ଛାଡନ୍ତି କବାଟ ବାହାରୁ ହେଲେ କିଛି ଉତ୍ତର ଆସେନି, ଏମିତି ତ କେବେ ହେଇନି l ଆଠ /ଦଶ ଥର ଡାକିବା ପରେ ନ ଶୁଣିବାରୁ କବାଟ ବାଡେଇଲେ ଯେ, କବାଟ ଫିଟି ଗଲା ଆଉ ଯାହା ଦେଖିଲେ କିଛି ବୁଝି ପାରିଲେନି l ସେଇଠୁ ମୋତେ ଡାକ ଛାଡିଲେ ଘରର ଅନ୍ୟ ମାନେ କହିଲେ ଦୁଇ ପୁଅ ବଡ଼ ଜଣେ ବ୍ୟବସାୟୀ, ସାନ କଲେଜରେ ପଢେ, ଆଉ ମୁଁ ସମସ୍ତେ ଦୌଡ଼ି ଗଲୁ l ଏ କଣ ! ବୋହୂର ହାତ ପାଦ କାଲୁଆ ଶୀତରେ କାଠ ହେଇ ଆସିଲାଣି l ପ୍ରାଣହୀନ ପିଣ୍ଡଟା ଆଉ କେତେ ବା ସତେଜ ରହି ଥାନ୍ତା l ସ୍ୱାମୀ ମୋର କ୍ଲାସ ଟୁ ଅଫିସର, ତାଙ୍କ ସମ୍ମାନ ର କଥା l କଣ କରିବେ କିଛି ମୁଣ୍ଡରେ ପଶୁ ନ ଥାଏ l ବଡ଼ ପୁଅ ବାପାଙ୍କର ହତବାକ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଦଉଡି ଗୋଟିଏ ଆଣି, ଆମକୁ ବାହାରକୁ ବାହାର କରି ଦେଇ ସେଇ ମଲା ଦେହଟାକୁ ଫ୍ୟାନରେ ଝୁଲାଇ ଦେଲା l କବାଟ ପୂର୍ବ ପରି ଆଉଜାଇ ଦେଇ ଜୋରରେ ପାଟି କରିବା ଆରମ୍ଭ କଲା ଯେମିତି କି ପାଖ ପଡୋଶୀ ଆସି ରୁଣ୍ଡ ହେଇଗଲେ କାନ ରୁ କାନ ହେଇ କଥା ଥାନାରେ ପହଞ୍ଚି ଗଲା l  ପୋଲିସ ଗାଡି ବି ଲାଗି ଗଲା । ବାପଘର ଲୋକେ ଆସି ଗଲେ ସନ୍ଧ୍ୟା ସୁଦ୍ଧା ପୋଷ୍ଟମର୍ଟମ ସରିଗଲା । କେଜାଣି କେମିତି ରିପୋର୍ଟ ବି ଆସିଗଲା ଯେଉଁ ଥିରୁ ପ୍ରମାଣ ହେଇଗଲା ବୋହୂ ନିଜେ ନିଜେ ଆତ୍ମହତ୍ୟା କରିଛି l ଗାଁ ଲୋକ କିଛି ଦିନ ଟୁପୁର ଟାପୁର ହେଇ ଚୁପ ମାରିଗଲେ l 

      ସେଇ ଦିନ ଠୁ ଆଜି ଯାଏ ଆଖିରୁ ଲୁହ ଶୁଖିନି ଅହଲ୍ୟା ଦେବୀଙ୍କର l ଏକ ଅପରାଧ ବୋଧର ଯନ୍ତ୍ରଣା ରେ କେବେ କେବେ ମୁଣ୍ଡଟା ଫାଟି ପଡେ l ମାତ୍ର ଦିନ କେଇଟାରେ ପୁତ୍ରମଣି  ମୋର ଆଉ ଗୋଟିଏ ବୋହୂ ଆଣି ଠିଆ କରେଇ ଦେଲେ l ପରିବାରର ଅନ୍ୟ ମାନେ ବୋହୂକୁ ସ୍ୱାଗତ କଲେ l ସେମାନେ ଏବେ ଖୁସିରେ ବି ଅଛନ୍ତି l ବୋଧ ହୁଏ ସେଇ ଘଟଣା ପରେ ପୁତ୍ର ମଣି ନିଜକୁ ବଦଳାଇବାର ଚେଷ୍ଟା କରୁଛନ୍ତି l ଘରର ଅନ୍ୟମାନେ ମଧ୍ୟ ଏ ଘଟଣାକୁ ଭୁଲି ବାକୁ ବସିଲେଣି l

   ସେତେବେଳେକୁ ମାତ୍ର ଛଅ ମାସର ହେଇ ଥାଏ ରୂପା l ରୂପା ପରି ଚିକ ଚିକ ଦେହ, ଦୁଇ ଯୋଡ଼ା ନିଜ ଆଡକୁ ଟାଣି ନେଉ ଥିବା ଆଖି, ମା' ବୋଲି ଜାଣିଛି ତା'ଜେଜେମାକୁ l ତା'ର ସବୁ ଖୁସି କୁ ବେଶ ଜଗନ୍ତି ୟେ, ରୂପା ଦେହରେ କଣ୍ଟା ଫୁଟି ଗଲେ ୟାଙ୍କୁ କଷ୍ଟ ହୁଏ l କେବେ କେବେ ସେ ନିଜକୁ କାଠଗଡାରେ ଛିଡା କରାଇ ପ୍ରଶ୍ନ କରନ୍ତି, ସତରେ କଣ ସେ ରୂପାର ମା'ର ଆତ୍ମାକୁ ନ୍ୟାୟ ଦେଇ ପାରିବେ ନା ନିଜ ପୁତ୍ର ମୋହ ପରିବାରର ଆସକ୍ତିର ବୋଝ ତଳେ ଚାପି ହେଇ ସବୁଦିନ ପାଇଁ ସନ୍ତୁଳି ମରୁଥିବେ !

  


Rate this content
Log in

Similar oriya story from Drama