କାଶତଣ୍ଡୀର ପ୍ରେମ କାହାଣୀ
କାଶତଣ୍ଡୀର ପ୍ରେମ କାହାଣୀ
ବହୁ ପୁରାତନ ଯୁଗର କଥା। ସବୁଜ ଗଛ, ଲତା, ଘଞ୍ଚ ଅରଣ୍ୟ, ପର୍ବତ, ନଦୀ ଘେରା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଏକ ଛୋଟିଆ ରାଜ୍ୟର ଗୋଟିଏ ଗରିବ ଘରର ଝିଅଟିଏ ନାଆ ତା'ର କାଶତଣ୍ଡୀ। ଗରିବ ଘରେ ସିନା ତାର ଜନ୍ମ କିନ୍ତୁ ଦେଖିବାକୁ ପୁରାପୁରି ସ୍ଵର୍ଗର ପରି ସଦୃଶ। ସେ ବାହାରୁ ଦେଖିବାକୁ ଯେତିକି ସୁନ୍ଦର୍ ଭିତରୁ ମଧ୍ୟ ତା ହୃଦୟଟି ସେତିକି ସୁନ୍ଦର୍। ତା ମନଟା ଭାରି ସଫା, ଛଳ କପଟ ଭଳି ଜିନିଷ ତା ପାଖରେ କିଛି ନଥାଏ। ପ୍ରତ୍ୟେକ ଲୋକଙ୍କ ମୁହଁରେ ହସ ଫୁଟେଇବା ପାଇଁ ସବୁ ବେଳେ ସିଏ ବୁଲବଲ୍ ପକ୍ଷୀ ପରି ନିଜର ଅବିରତ ପ୍ରୟାସ କରିଥାଏ।
କାଶତଣ୍ଡୀର ଘର ଦେଇ ବୋହି ଯାଇ ଥାଏ ଗୋଟିଏ ଛୋଟିଆ ନଦୀ। ନଦୀର କୁଳୁକୁଳୁ ନାଦ, ଚଢ଼େଇ ମାନଙ୍କ କିଚିରୀ ମିଚିରୀ ଶବ୍ଦ ଓ ତା ସାଙ୍ଗକୁ ପ୍ରାକୃତିକ ପରିବେଶ ବେଶ୍ ମନଲୋଭା ଲାଗେ। କାଶତଣ୍ଡୀ ସେଇ ନଦୀ ପଠାକୁ ନିଇତି ବୁଲିବାକୁ ଯାଏ। ଆଉ ସେ ରାଜ୍ୟର ରାଜକୁମାର ମଧ୍ୟ ନିଇତି ସେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ନଦୀ ପଠାକୁ ଆସିଥାନ୍ତି। କାଶତଣ୍ଡୀ ପ୍ରାୟ ସବୁ ଦିନ ରାଜକୁମାରଙ୍କୁ ଦେଖେ। ଆଉ ମାନେ ମାନେ ବହୁତ୍ ଖୁସି ହୋଇ ଯାଏ। ପ୍ରତୀ ଝିଅର ଇଚ୍ଛା ଥାଏ ଗୋଟିଏ ରାଜକୁମାର ଭଳି ପୁଅକୁ ବାହା ହେବା ପାଇଁ। ଆଉ ଇଏ ତ ସତରେ ଗୋଟିଏ ରାଜକୁମାର। କାଶତଣ୍ଡୀ ରାଜକୁମାରଙ୍କୁ ମନ ଦେଇ ବସିଲା ଆଉ ଭଲ ପାଇଲା।
ଭଲ ପାଇବା ସଙ୍ଗେ ସଙ୍ଗେ ମନରେ ଗୋଟିଏ ଭୟ ମଧ୍ଯ ଥାଏ ଯେ ଏଇ ଗରୀବ ଘରର ଝିଅଟିକୁ କଣ ଏଇ ରାଜ୍ୟର ରାଜକୁମାର ଗ୍ରହଣ କରିବେ। ସେ ଚାଇଁହିଲେ ତାଙ୍କ ପାଇଁ ଏଇ ରାଜ୍ୟର ଅପରୂପ ରମଣୀ ମାନେ ଧାଡ଼ି ଦେଇ ଠିଆ ହେବେ। ହେଲେ କାହିଁ କେଜାଣି କାଶତାଣ୍ଡି ପ୍ରେମରେ ବନ୍ଧା ହୋଇ ଯାଇ ଥିଲେ ରାଜକୁମାର। କାଶତଣ୍ଡୀର ଧୋବ ଫର ଫର ଗୋରା ଚେହେରା ଓ ମହୁ ଭଳି ମିଠା ହୃଦୟ ଦେଖି ମନ ଦେଇ ବସିଲେ ରାଜକୁମାର। ଧିରେ ଧିରେ ଦୁହିଙ୍କ ପ୍ରେମ ନିବିଡ଼ ହେବାକୁ ଲାଗିଲା। ସବୁ ଦିନ ନଦୀ ପଠାରେ ଦେଖା କରନ୍ତି କାଶତଣ୍ଡୀ ଓ ରାଜକୁମାର। ଆଉ ସେ ମୁକ୍ତ ଆକାଶରେ ଆନନ୍ଦରେ ଡେଣା ମେଲାଇ ଉଡ଼ି ବୁଲନ୍ତି ଶୁଆ ସାରି ଭଳି ଆଉ ସାଉଁଟି ଥାନ୍ତି ମିଳନର ମଧୁର ସ୍ମୃତି ସବୁକୁ।
ହେଲେ ବିଧିର ବିଧାନ ଥିଲା ଭିନ୍ନ। କେଜାଣି କାହାର ନଜର ଲାଗିଗଲା ଦୁହିଁଙ୍କ ସମ୍ପର୍କରେ। ତାଙ୍କ ପ୍ରେମର ଚନ୍ଦ୍ରମାରେ ସତେ ଯେମିତି ଗ୍ରହଣ ଲାଗିଗଲା। ଉଁଚ ନିଚ ବାଛ ବିଚାର ରେ ଦୁଇଟି ମନ ରହିଗଲା। ମହାରାଜ ଯେତେ ବେଳେ ରାଜକୁମାର ଓ କାଶତଣ୍ଡୀର ପ୍ରେମ ବିଷୟରେ ଶୁଣିଲେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ। ଗୋଟେ ଗରିବ ଝିଅ ଏଇ ରାଜ୍ୟର ଭାବିରାଣୀ ହେବ, ତାହା ଭାବି ସହ୍ୟ କରି ପାରିଲେନି ମହାରାଜ। ତୁରନ୍ତ ମନ୍ତ୍ରୀଙ୍କୁ ଡାକି ଆଦେଶ ଦେଲେ ରାଜକୁମାରଙ୍କୁ କାଶତଣ୍ଡୀ ଠାରୁ ଅଲଗା କରି ରାଜକୁମାରଙ୍କୁ ନଦୀ ପଠାରୁ ରାଜମହଲକୁ ଉଠାଇ ଆଣିବାକୁ। ମନ୍ତ୍ରୀ ରାଜାଙ୍କ ଆଦେଶ ପାଇ, ସୈନ୍ୟ ସାମନ୍ତଙ୍କୁ ସାଙ୍ଗରେ ନେଇ ବାହାରି ପଡ଼ିଲେ ନଦୀ ପଠା ଅଭିମୁଖେ।
ଠିକ୍ ସେଇ ସମୟରେ ପ୍ରେମର ମୁହୂର୍ତ୍ତକୁ ଉପଭୋଗ କରୁଥିଲେ ଦୁଇ ଜଣ। ରାଜକୁମାରଙ୍କ ମୁଣ୍ଡକୁ କାଶତଣ୍ଡୀ ନିଜ କୋଳରେ ରଖି, ନିଜ ଧଳା ଓଢ଼ଣୀରେ ଢାଙ୍କି ରଖି ଥାଏ ରାଜକୁମାରଙ୍କ ମୁହଁକୁ। ସେଇ ସମୟ ରେ ପହଞ୍ଚି ଗଲେ ମନ୍ତ୍ରୀ ସୈନ୍ୟ ସାମନ୍ତଙ୍କ ସହ। ମନ୍ତ୍ରୀ ଦେଖି ପ୍ରଶ୍ନ କଲେ “ ଇଏ କଣ ହେଉଛି ରାଜକୁମାର ? ” ଗୋଟେ ସାମାନ୍ୟ ଗରିବ ଘରର ଝିଅ ପାଇଁ ଆପଣ ରାଜଉଆସ ଛାଡ଼ି ଏଇ ନଦୀ ପଠାରେ ବସିଛନ୍ତି ! ମହାରାଜଙ୍କ ଆଦେଶ ଆପଣ ଫେରି ଚାଲନ୍ତୁ ରାଜମହଲକୁ। ରାଜକୁମାର ଜିଦ୍ ଧରି ବସିଲେ ରାଜ ମହଲକୁ ଗଲେ କାଶତଣ୍ଡୀକୁ ସାଙ୍ଗରେ ନେଇକି ଏକା ଯିବି। ତାଙ୍କ ଜିଦ୍ ଆଗରେ ହାରି ଯାଇଥିଲେ ମନ୍ତ୍ରୀ।
ଆଉ ଫେରି ଆସି ମହାରାଜଙ୍କ ଆଗରେ ରାଜକୁମାରଙ୍କ ସର୍ଥ ରଖି ଥିଲେ, ମହାରାଜ ଏହା ଶୁଣିଲା ପରେ ରାଗିକି ଉତପ୍ତ ହୋଇ ପଡ଼ିଲେ। ଓ ପୁନର୍ବାର ଆଦେଶ ଦେଲେ ତୁରନ୍ତ ଯାଇ ବଳପୂର୍ବକ ରାଜକୁମାରଙ୍କୁ କାଶତଣ୍ଡୀଠାରୁ ଅଲଗା କରି କାସତାଣ୍ଡିକୁ ଜୀବନରୁ ମାରି ଦେବା ପାଇଁ। ରାଜାଙ୍କ ଆଦେଶ ପାଳନ କରିବା ନିମନ୍ତେ ମନ୍ତ୍ରୀ ସୈନ୍ୟ ସାମନ୍ତଙ୍କ ସମେତ ପୁଣି ଯାଇ ପହଞ୍ଚିଲେ ନଦୀ ପାଠରେ। ଆଦେଶ ମୁତାବକ ରାଜକୁମାରଙ୍କୁ କାଶତଣ୍ଡୀଠାରୁ ଅଲଗା କରି ଜୀବନ୍ତ ମାରି ପୋତି ଦେଲେ କାଶତଣ୍ଡୀକୁ। ରାଜକୁମାର କାନ୍ଦି କହିଲେ “ମୋତେ ମଧ୍ଯ ମାରି ପୋତି ଦିଅ କାଶତଣ୍ଡୀ ସହ। କାଶତଣ୍ଡୀ ବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚିବା ମୋ ପାଇଁ ଅସମ୍ଭବ।”
ପୋତି ହୋଇ ମରିବା ପୂର୍ବୁରୁ କାଶତଣ୍ଡୀ କହି ଉଠିଲା “ ସେଇ ରାଜ୍ୟର ସେବା ପାଇଁ ତୁମ ଜନ୍ମ ହୋଇଛି, ମୋତେ ଝୁରି ଝୁରି ଏଇ ରାଜ୍ୟ ବାସୀଙ୍କ ସହ କେବେ କିଛି ଅନ୍ୟା କରିବ ନାହିଁ। ମହାରାଜ ଯାହା କରୁଛନ୍ତି ତୁମ ମଙ୍ଗଳା ପାଇଁ କରୁଛନ୍ତି। ତାଙ୍କ ମନରେ ଦୁଃଖ ଦେଇ ଆମେ କେବେ ହେଲେ ଖୁସି ରେ ରହି ପାରିବାନି।” ରାଜକୁମାର କହିଲେ “ ତୁମ ବିନା ମୋ ଜୀବନ ତୁଚ୍ଛ କାଶତଣ୍ଡୀ। ତୁମ ବିନା ମୋ ଜୀବନ ଶୁଖିଲା ଓ ଏକାନ୍ତ ମରୁଭୂମି ସହ ସମାନ। ତୁମ ପଛେ ପଛେ ମୁଁ ମଧ୍ଯ ଆତ୍ମହତ୍ୟା କରିଦେବି।” ରାଜକୁମାରଙ୍କ ମୁଖରୁ ଏହି କଥା ପଦକ ଶୁଣିଲା ପରେ, ରାଜକୁମାରଙ୍କ ହାତ ନିଜ ମୁଣ୍ଡ ଉପରେ ରଖି କହିଲା “ତୁମକୁ ତୁମ ପ୍ରେମର ରାଣ ରାଜକୁମାର... ଯଦି ତୁମେ ସତର ମୋତେ ଭଲ ପାଉଥିବ ତେବେ କେବେ ହେଲେ ତୁମେ ଆତ୍ମହତ୍ୟା କରିବା ନାହିଁ। ପ୍ରତି ବର୍ଷ ତୁମେ ଏଇ ଶରତ ଋତୁକୁ ଅପେକ୍ଷା କରିବ, ଏଇ ଶରତ ଋତୁରେ ନଦୀ ପଠାରେ ଆମ ମିଳନ ହେବ। ମାଆ ଦୁର୍ଗାଙ୍କୁ ଆଗମନ ରେ ମୁଁ ଆସିବି ଏଇ ଧରାପୃଷ୍ଟକୁ ତୁମ ସହିତ ଦେଖା କରିବା ପାଇଁ। ” ଆଉ ଏତିକି କହି ପ୍ରାଣ ତ୍ୟାଗ କଲା କାଶତଣ୍ଡୀ।
ରାଜକୁମାର ଆଖିରେ ଲୁହ ଓ ମନରେ କୋହ ଧରି ଫେରି ଆସିଲେ ରାଜମହଲକୁ। ରାଜକୁମାର ମହାରାଜଙ୍କୁ ଯାଇ କହିଲେ “ ବାପା ମୁଁ ତୁମରି ସନ୍ତାନ ତୁମ ଜିଦ୍ ଠାରୁ ମୋ ଜିଦ୍ କିଛି କମ ନୁହେଁ। ତୁମ ଜିଦ୍ ଯୋଗୁ ମୋ କାଶତଣ୍ଡୀ ସବୁ ଦିନ ପାଇଁ ମୋଠାରୁ ଦୁରେଇଗଲା ଆଉ ବଞ୍ଚିଥିବା ଯାଏଁ ମୁଁ କେବେ ବିବାହ କରିବି ନାହିଁ।” ସେବେ ଠାରୁ ପ୍ରତି ବର୍ଷ ରାଜକୁମାର ଅପେକ୍ଷା କରି ବସିଥାନ୍ତି ସେଇ ଶରତ ଋତୁକୁ। କାଶତଣ୍ଡୀ ଫୁଲ ଫୁଟିଲା ମାତ୍ରେ ଧାଇଁ ଯାଆନ୍ତି ସେ ଫୁଲ ପାଖକୁ ଆଉ କହି ଯାଆନ୍ତି ନିଜର ସବୁ ଅନ୍ତର କଥା। କାଶତଣ୍ଡୀ ପ୍ରତି ବର୍ଷ ମାଆଙ୍କ ଆଗମନରେ ଓହ୍ଲେଇ ଆସେ ଧାରାପୃଷ୍ଟକୁ ଆଉ ମାଆଙ୍କ ମେଲାଣି ପରେ ମଉଳି ଯାଏ। ସେଇଥି ପାଇଁ ଶରତ ଋତୁକୁ କୁହା ଯାଏ ପ୍ରେମର ଋତୁ। ଦୁଇ ମନର ମିଳନ ତଥା ଗୋଟିଏ ନୂଆ ସମ୍ପର୍କ ଗଢ଼ି ଦେଇ ଥାଏ ଏଇ ଋତୁ। ମନର କଥା କାଶତଣ୍ଡୀ ଫୁଲ ପାଖରେ କହିଲେ କୁଆଡେ ମନ ମୁତାବକ ରାଜକୁମାର ବା ରାଜକୁମାରୀ ମିଳି ଯାଇ ଥାଏ।

