STORYMIRROR

Shreeman Anshuman Priyadarshee

Abstract Tragedy Inspirational

5.0  

Shreeman Anshuman Priyadarshee

Abstract Tragedy Inspirational

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

11 mins
5

ଅଧୁରା ସ୍ୱପ୍ନ


ଅଣ୍ଟା ନଇଁଗଲାଣି। ଚୁଟି ନିଶ ସବୁ ପାଚିକି ଝୋଟ ହେଲାଣି। ଚମ ଧୁଡ଼ୁ ଧୁଡ଼ୁ ଶରୀର। ବୟସଟା ତାଙ୍କୁ ଟେକି ପୁରା କଚାଡ଼ି ଦେଲାଣି। ହେଲେ ମୋ ଜେଜେ ନିଜକୁ ପୁରା ଯବାନ ମନେ କରନ୍ତି। ଆଗ ପରି ଆଉ ଶରୀର ସହଯୋଗ ନ କରୁଥିଲେ ମଧ୍ଯ ତାଙ୍କ ମନୋବଳ ଆଦୌ ଭାଙ୍ଗି ନଥାଏ। ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଟାଣି ନିଏ ତାଙ୍କୁ ତାଙ୍କ ପସନ୍ଦର କାମ ସବୁକୁ କରିବା ପାଇଁ। ହେଲେ ଏଇ କିଛି ଦିନ ହେଲା ଦେହ ଟା ଟିକିଏ ବେଶୀ ଖରାପ ହେଇ ଯାଇଛି। ଟିକିଏ ଚାଲିଲା ମାନେ ଧଇଁସଇଁ ହେଉଛନ୍ତି। ଆଗୁରୁ ଟିକିଏ ଶ୍ୱାସ ରୋଗ ଥିଲା ଆଉ ଏବେ ସେଇଟା ବେଶୀ ବଢ଼ି ଯାଇଛି। ଅଧିକାଂଶ ସମୟ ସେମିତି ବିଛଣାରେ ପଡ଼ି ରହୁଛନ୍ତି ନହେଲେ ଇଚ୍ଛା ହେଇ ଥିଲେ ଟିକିଏ କାନ୍ଥକୁ ଆଉଜି ବସୁଛନ୍ତି। ଚଲା ବୁଲା ଆଉ ମୋଟେ ନାହିଁ କହିଲେ ଚଳେ। ଯାହା ପଚାରିଲେ ଟିକିଏ ହସି କରି କଥା ହେଉଛନ୍ତି ନହେଲେ ନାଇଁ ସେମିତି ଚୁପଚାପ୍ ରହୁଛନ୍ତି।

ମୋ ଜେଜେ ଥିଲେ ଜଣେ ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ। ଯେଉଁ ସମୟରେ ଗାଁରେ କେହି କଲେଜ ଦେଖି ନଥିଲେ ଜେଜେ ସେହି ସମୟର ଏମ୍.ଏ.। କାହିଁ କେତେଙ୍କୁ ପାଠ ପଢ଼େଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଇଛନ୍ତି ସିଏ। ବଡ଼ ରୁ ବଡ଼ ମୂର୍ଖ, ବଦମାସ୍ ଓ ବାଳୁଙ୍ଗା ମାନଙ୍କୁ ଭଦ୍ର, ନମ୍ର ଓ ଦାୟିତ୍ୱବାନ ମଣିଷ ଭାବେ ଗଢ଼ି ତୋଳିବାର ଅନନ୍ୟ କଳା ଥିଲା ତାଙ୍କ ପାଖରେ। କଲେଜରେ ବଡ଼ ପିଲାଙ୍କୁ ପାଠ ପଢ଼ାନ୍ତି ବୋଲି ଗାଁରେ ତାଙ୍କୁ ସମସ୍ତେ ବଡ଼ ମାଷ୍ଟ୍ରେ ବୋଲି ଡାକନ୍ତି। ଗମାତରେ ମୁଁ ମଧ୍ଯ କେବେ କେମିତି ବଡ଼ ମାଷ୍ଟ୍ରେ ବୋଲି ଡାକି ଦିଏ ତାଙ୍କୁ। ଆଉ ମୋର ଏମିତି ଡାକିବାର ଶୁଣିଲେ ଜେଜେ ପ୍ରଥମେ ଚଷମା କାଢ଼ି ମୋତେ ଟିକିଏ ଅନେଇବେ ଆଉ ପରେ ହସି ଗେଲ କରି ଦେବେ। 

ନିଜ ଗାଁ ଠାରୁ ନେଇ ଆଖପାଖର ସବୁ ଗାଁରେ ଜେଜେଙ୍କର ଭାରି ନାଆଁ। ସମସ୍ତେ ବହୁତ୍ ମାନନ୍ତି ମୋ ଜେଜେଙ୍କୁ। ଚୁମ୍ବକ୍ ପରି ଆକର୍ଷଣୀୟ ବ୍ୟକ୍ତିତ୍ୱ ଜେଜେଙ୍କର। ଦୟା, କରୁଣା, ମାନବିକତା ଓ ପର ଉପକାରିତା ଭରି ରହିଥାଏ ତାଙ୍କ ଭିତରେ। ଛୋଟରୁ ନେଇ ବଡ଼ ଯାଏଁ ସମସ୍ତଙ୍କ ଭାରି ପ୍ରିୟ ସିଏ। ଜଟିଳରୁ ଜଟିଳ ସମସ୍ୟାର ସରଳ ସମାଧାନ ଥାଏ ଜେଜେଙ୍କ ପାଖରେ। କାହାର କଣ ସୁବିଧା ଅସୁବିଧା ହେଲେ ଆଗରେ ଯାଇ ଛିଡ଼ା ହୁଅନ୍ତି ଜେଜେ। 

ଅଧ୍ୟାପନା ସିନା ତାଙ୍କର ବୃତ୍ତି ଥିଲା, କିନ୍ତୁ ନିଶା ଥିଲା ସମାଜ ସେବା। ମୋ ଜାଣିଲା ଦିନରୁ ଦେଖିଆସିଛି ଜେଜେ ବିଭିନ୍ନ ସଭା ସମିତିରେ ଯୋଗ ଦେଇ ନାରୀ ସଶକ୍ତିକରଣ, କନ୍ୟା ଭୃଣ ହତ୍ୟା, ଶିଶୁ ଶିକ୍ଷା ଓ ବିକାଶ, ବୃକ୍ଷ ରୋପଣ, ମାନବ ଅଧିକାର ଏବଂ ସମାଜରେ ପ୍ରଚଳିତ କୁପ୍ରଥା ଉପରେ ଲୋକଙ୍କୁ ସଚେତନ କରନ୍ତି। ଛୁଟି ଦିନ ମାନଙ୍କରେ ମୋ ଜେଜେ ଘରେ କମ୍ ଆଉ ବାହାରେ ବେଶୀ ରୁହନ୍ତି। ଛୁଟି ଦିନରେ ଗାଁର ଗରିବ ଓ ପଛୁଆ ବର୍ଗର ପିଲାମାନଙ୍କୁ ମାଗଣାରେ ଗାଁର କ୍ଲବ ଘର ଠାରେ ପାଠ ପଢ଼ାନ୍ତି। କେବେ କେମିତି ମୋତେ ମଧ୍ଯ ତାଙ୍କ ସାଙ୍ଗରେ ନେଇ ଯାଆନ୍ତି। ମୋ ଜନ୍ମ ଦିନରେ ଜେଜେ ସେମାନଙ୍କୁ ବହି, ଖାତା, ପେନ୍, ଖାଇବା ପ୍ୟାକେଟ୍ ସବୁ ବାଣ୍ଟନ୍ତି। ଅନେକ ସମୟରେ ମୋ ପୁରୁଣା ଅବା ଛୋଟ ହେଇ ଯାଇଥିବା ଡ୍ରେସ୍ ମଧ୍ୟ ନେଇ ସେମାନଙ୍କୁ ବାଣ୍ଟି ଦିଅନ୍ତି। ଗାଁର ଯୁବପିଢ଼ିଙ୍କୁ ନେଇ ଜେଜେ ଅନେକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାନ୍ତି। ଯେଉଁଠି ସିଏ ଯୁବ ପିଢ଼ିଙ୍କୁ ସମାଜ ପ୍ରତି ଥିବା ତାଙ୍କ ଦାୟିତ୍ୱ ବିଷୟରେ ତାଙ୍କୁ ଅବଗତ କରାନ୍ତି ଓ ଆହ୍ୱାନ କରନ୍ତି ଏକ ସୁନ୍ଦର ସମାଜ ପ୍ରତିଷ୍ଠା କରିବା ପାଇଁ। ଆଉ ତାଙ୍କର ଏଇ ସମାଜ ସେବା ପାଇଁ ତାଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ଏବଂ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରା ଯାଏ। ଆଉ ତାଙ୍କ ସେବାର ଫଳ ସ୍ୱରୂପ ତାଙ୍କ ପାଇ ଥିବା ଅଜସ୍ର ମାନପତ୍ର ସବୁ ଘରର କାନ୍ଥରେ ଶୋଭା ମଣ୍ଡନ କରନ୍ତି। ଆଉ ସତରେ ନିଜ ଜେଜେଙ୍କୁ ମଞ୍ଚ ଉପରେ ଅବା ସମାଜରେ ଏତେ ସମ୍ମାନ ପାଇବାର ଦେଖିଲେ ମନେ ମନେ ବହୁତ୍ ଗର୍ବ ଅନୁଭବ ହୁଏ।

ସମାଜର ଧନୀ, ସବଳ, ଉଚ୍ଚପଦାଧିକାରୀ ଓ ପ୍ରାଚୂର୍ଯ୍ୟ ରେ କାଳାତିପାତ କରୁଥିବା ଲୋକଙ୍କର ପିଲାଙ୍କ ପରି କେମିତି ଗରିବ, ଅସହାୟ, ଅବହେଳିତ, ଘୃଣ୍ୟ ଓ ପଛୁଆ ବର୍ଗର ପିଲାମାନେ ମଧ୍ଯ ବିନା କୌଣସି ଅସୁବିଧାର ସମ୍ମୁଖୀନ ହୋଇ ପାଠ ପଢ଼ିବେ ଆଉ ସମାଜରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ସେଥି ପାଇଁ ତାଙ୍କର ସବୁ ବେଳେ ଚିନ୍ତା। ଜେଜେ କୁହନ୍ତି ସମ୍ମାନର ସହିତ ଜୀବନ ବଞ୍ଚିବା ଓ ଶିକ୍ଷା ଲାଭ କରିବାର ଅଧିକାର ପ୍ରତିଟି ମଣିଷ ପାଖରେ ରହିଛି। ଶିକ୍ଷା କେବଳ ମଣିଷକୁ ସମାଜରେ ସ୍ୱାବଲମ୍ବୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି କରାଏ ନାହିଁ। ଶିକ୍ଷା ମଣିଷ ଭିତରେ ନୀତିବାଦିତା ଓ ମାନବୀୟ ଚିନ୍ତା ଧାରାର ବିକାଶ କରେଇ ଥାଏ। ଆଉ ସଂସାରର ପ୍ରତିଟି ଜୀବନର ମୂଲ୍ୟ କରିବା ବୁଝାଇ ଥାଏ। ମୋତେ ଥରେ ଥରେ ଅନୁଭବ ହୁଏ ସତେ ଯେମିତି ସମାଜରେ ଗରୀବ, ଅସହାୟ ଓ ପଛୁଆ ବର୍ଗଙ୍କ ଉଦ୍ଧାର କରିବା ପାଇଁ ମୋ ଜେଜେ ସର୍ବଦା ବଦ୍ଧପରିକର।

ମୋ ଜେଜେଙ୍କର ମୁଁ ଭାରି ଗେଲ୍ହା। ଯେତେ ଯୁଆଡ଼େ ଯାଆନ୍ତୁ, ଯେତେ ଯାହା କରନ୍ତୁ ମୋତେ ଟିକିଏ ନ ଦେଖିଲେ ତାଙ୍କ ମନ ପୁରେ ନାହିଁ। ସବୁ ଦିନ ସନ୍ଧ୍ୟାରେ ଜେଜେ ମୋତେ ତାଙ୍କ ପାଖରେ ଧରି ବସନ୍ତି। ଆଉ ମେଲେଇ ଦିଅନ୍ତି ମୋ ଆଗରେ ତାଙ୍କ ଅସୁମାରୀ ଗପର ପସରା। ଆମେ ଜେଜେ ନାତି ବସିଲେ କେତେ କଣ ଆଲୋଚନା କରୁ। ଗାଁରୁ ନେଇ ସହର ଯାଏଁ, ସହରରୁ ନେଇ ଦେଶ ଯାଏଁ ଆଉ ଦେଶରୁ ନେଇ ବିଦେଶ ଯାଏଁ। ନିତି ଶିକ୍ଷା, ସାହିତ୍ୟ, ଇତିହାସ, ପୁରାଣ, ଶାସ୍ତ୍ର, ବିଜ୍ଞାନ, ରାଜନୀତି ଓ ଆହୁରି ଅନେକ କିଛି। ମୋର ଯେତେ ବେଳେ ଯାହା ଜାଣିବାର କି ବୁଝିବାର ଥାଏ ମୁଁ ଜେଜେଙ୍କୁ ଯାଇ ପଚାରେ। ତାଙ୍କୁ ଗୋଟିଏ ପ୍ରଶ୍ନ କଲେ କୋଟିଏ ଉତ୍ତର ଦେଇ ସିଏ ମୋର ସନ୍ଦେହ ମୋଚନ କରନ୍ତି। ମୋ ସବୁ ପ୍ରଶ୍ନର ଉତ୍ତର ସାଇତା ହୋଇ ରହି ଥାଏ ତାଙ୍କ ପାଖରେ। 

ସବୁଦିନ ପରି ସେଇ ଦିନ ମଧ୍ୟ ସନ୍ଧ୍ୟାରେ ଚାଲିଲି ଜେଜେଙ୍କ ରୁମକୁ। ମନରେ କେତେ ଗୁଡ଼ାଏ ପ୍ରଶ୍ନ ନେଇକି। ଜେଜେ କାନ୍ଥକୁ ଆଉଜି ବିଛଣା ଉପରେ ବସି ଥାନ୍ତି। ହେଲେ ସେଇ ଦିନ କାହିଁ ଜେଜେ ଟିକିଏ ଅଲଗା ଅଲଗା ମନେ ହଉ ଥାନ୍ତି। ଜେଜେଙ୍କ ହସ ହସ ମୁହଁରେ ଯେମିତି ସେଇ ଦିନ ଗ୍ରହଣ ଲାଗି ଯାଇଥାଏ। ବହୁତ୍ କଷ୍ଟରେ ଥିଲା ପରି ଜଣା ପଡ଼ୁଥାନ୍ତି। କୌଣସି ଗୋଟିଏ ଅବ୍ୟକ୍ତ ଭାବନାରେ ଘାଣ୍ଟି ଚକଟି ହଉଥାନ୍ତି ସିଏ।

"କଣ ହେଲା ଜେଜେ? ଆଜି ତମ ମନ ବହୁତ ଦୁଃଖ ଥିଲା ଭଳି ଲାଗୁଛି!" ଜେଜେଙ୍କ କୋଳରେ ମୁଣ୍ଡ ଦେଇ ଶୋଇ ପଡ଼ି ପଚାରିଲି।

"ନାଇ ରେ ବାୟା କିଛି ନାଇଁ" ମୋ ମୁଣ୍ଡକୁ ଗେଲ ରେ ଆଉଁଶି ଦେଇ ଉତ୍ତର ଦେଲେ ଜେଜେ।

"ନାଇ ଜେଜେ ତମେ ମିଛ କହୁଛ, ସବୁ ଦିନ ପରି ତମେ କାହିଁ ଆଜି ମୋତେ ଦେଖିକି ହସିଲନି ତ! କଣ ହେଇଛି ଯେ ଆଜି ତମର? ତମେ ଏମିତି ଜମା ଭଲ ଦେଖା ଯାଉନ। ଜେଜେ ମାଆ ସହିତ କଳି ହେଇଛି କି? ସେଥି ପାଇଁ ତମେ ମନ ଦୁଃଖ କରି ବସିଛ! ଆରେ ତମେ ଆଉ ଚଲା ବୁଲା ଟିକିଏ କରୁନ, ଖାଲି ଏମିତି ବସି ରହୁଛ ନହେଲେ ଶୋଇ ରହୁଛ, ସେଥି ପାଇଁ ମାଆ ତମକୁ ଟିକିଏ ବିରକ୍ତ ହେଇ ଗାଳି କରି ଦେଇ ଥିବ। ଆଉ ତମେ ତା କଥାକୁ ଧରିକି ବସିଛ? ନା କଣ ହେଇଛି ଯେ ଜେଜେ? ପ୍ଲିଜ୍ କୁହ.." ଜିଦ୍ କରି ପଚାରିଲି ଜେଜେଙ୍କୁ।

ହଠାତ୍ ମୋ ମୁହଁରେ କିଛି ପାଣି ଠୋପା ପଡ଼ିଲା ଭଳି ଅନୁଭବ ହେଲା। କଣ ପଡ଼ିଲା ବୋଲି ଉପରକୁ ଅନେଇଲା ବେଳକୁ ଦେଖେ ଜେଜେଙ୍କ ଆଖିରେ ଲୁହ। ଏ କଣ! କଣ ଦେଖୁଛି ମୁଁ ଏଇ ସବୁ?
କିଛି ବୁଝି ପାରୁ ନଥାଏ ହଠାତ୍ କୁ। ସବୁ ବେଳେ ହସୁ ଥିବା ଆଉ ଅନ୍ୟଙ୍କ ମୁଁହରେ ହସ ଭରୁ ଥିବା ଲୋକ ଆଖିରେ ଲୁହ! ପୂରାପୂରି ସ୍ତବ୍ଧ ହୋଇ ଗଲି ମୁଁ। ଅଜଣା ଭୟରେ ଥରି ଉଠିଲା ମୋ ସର୍ବାଙ୍ଗୀନ ଶରୀର। ଝଟ୍ କରି ଉଠି ପଡ଼ି ଜେଜେଙ୍କ ଆଖୁରୁ ଲୁହ ପୋଛି ଦେଲି। 

"କାନ୍ଦନି ଜେଜେ, ପ୍ଲିଜ ତମେ କାନ୍ଦନି। କଣ ହେଲା ତମର? ଏମିତି କାନ୍ଦୁଛ କଣ ପାଇଁ ଯେ?" ଦୁଇ ହାତରେ ଜେଜେଙ୍କୁ ଜାବୁଡ଼ି ଧରି ପଚାରିଲି।

ମୋ ପିଠିକୁ ଆଉଁସି ଜେଜେ କୁହନ୍ତି "ମୋ ଦୁଃଖ କଣ ଜାଣୁ ବାପା?"

ଅଠା ଅଠା ପାଟି ଆଉ ଥରିଲା ଓଠକୁ ଖୋଲି ପଚାରିଲି "କଣ ଜେଜେ?"

ତୁ ସବୁ ବେଳେ ମୋତେ ପଚାରୁ ନା ଯେ ଜେଜେ ଦୁର୍ବଳ, ଗରୀବ, ଅସହାୟ ଓ ପଛୁଆ ବର୍ଗର ପିଲାମାନଙ୍କ ପାଠ ପଢ଼ାକୁ ନେଇ ତମେ ସବୁ ବେଳେ କାହିଁ ଏତେ ଚିନ୍ତା କରୁଛ? ଜାଣିଛୁ ଗୋଟିଏ ନୀଚ ଜାତି ଓ ଗରିବ ପରିବାର ରେ ତୋ ଜେଜେର ଜନ୍ମ। ମୁଁ କେବେ ମୋ ବାପାକୁ ଦେଖି ନାହିଁ। ମୋ ବୋଉ କୁହେ ମୁଁ ପେଟରେ ଥିଲା ବେଳେ ବାପା ଆର ପାରିକୁ ଚାଲି ଯାଇ ଥିଲେ। ଦୁଃଖେ ସୁଖେ ଯାହା ଯେମିତି ତେଲ ଲୁଣର ସଂସାର ଚାଲି ଥାଏ। କିନ୍ତୁ ବାପାଙ୍କ ନିଧନ ପରେ ଆମ ଆର୍ଥିକ ଅବସ୍ଥା ଆହୁରି ଶୋଚନୀୟ ହୋଇଗଲା। ମାଆ ମୋତେ ନେଇ ଅଜା ଘରକୁ ଚାଲି ଆସିଲା। ଅଜା ଘରେ ରହି ମୁଁ ବଡ଼ ହେଲି, ପାଠ ପଢ଼ିଲି ଆଉ ନିଜ ଗୋଡ଼ରେ ଛିଡ଼ା ହେଲି। ହେଲେ ଏଇ ଯାତ୍ରା ଏତେ ସହଜ ନଥିଲା। ସ୍କୁଲରେ ପଢ଼ିଲା ଯାଏଁ ନୀଚ ଜାତିର ବୋଲି ସବୁ ପିଲାଙ୍କ ଠାରୁ ମୋତେ ଅଲଗା କରି ବସାନ୍ତି। ଅଜାଣତରେ କାହାକୁ ଛୁଇଁ ଦେଲେ ଭାରି କଟୁ କଥା କହି ଗାଳି ଦିଅନ୍ତି। ଆଉ କେହି କେହି ମାଡ଼ ମଧ୍ୟ ମାରନ୍ତି। କିନ୍ତୁ ମୋର ପାଠ ପଢ଼ାରେ ମନ ଥାଏ ସେଥି ପାଇଁ ଏଇ ସବୁକୁ ଖାତିର ନ କରି ସ୍କୁଲ ଯାଏ। ବେଶୀ କଷ୍ଟ ଲାଗିଲେ କାନ୍ଦିବା ଛଡ଼ା ମୋ ପାଖରେ ଆଉ କୌଣସି ଉପାୟ ନଥାଏ। ନିଜେ ପେଟେ ଖାଏ କି ନ ଖାଏ କିନ୍ତୁ ଡେରି ରାତି ଯାଏଁ ପାଠ ପଢ଼େ ବୋଲି ମୋ ଲଣ୍ଠନ ର ପେଟ କିନ୍ତୁ ସବୁ ବେଳେ ଫୁଲ୍ ରଖେ। ଆଉ ଦଶମରେ ବହୁତ୍ ଭଲ ଅଙ୍କ ରଖି ଉତ୍ତୀର୍ଣ୍ଣ ହେଲା ପରେ ପାଠ ପଢ଼ା ପ୍ରତି ମୋ ଆଗ୍ରହ ଦେଖି ମୋ ଅଜା ତାଙ୍କ ଗାଈ ଦୁଇଟିକୁ ବିକି ଦେଇ କିଛି ପଇସା ଆଣି କଲେଜ ପଢ଼ିବା ପାଇଁ ମୋତେ ସହରକୁ ପଠେଇଲେ। ଭଲ ପଢୁଥିବାରୁ ମୋତେ କଲେଜରେ ଛାତ୍ର ବୃତ୍ତି ମିଳୁ ଥାଏ। ସେଥିରୁ କିଛିଟା ସାହାଯ୍ୟ ହେଇ ଯାଏ। ଆଉ ଯେମିତି ସେମିତି ଅଭାବ ଅନାଟନରେ ପ୍ରଥମେ +୨, ତାପରେ ଗ୍ରାଜୁଏସନ୍ ଆଉ ଶେଷରେ ଏମ୍.ଏ. ପାସ୍ କଲି। ଆଉ ତାପରେ ଚାକିରି। ମୁଁ ଅଧ୍ୟାପକ ଭାବେ ଚାକିରି ପାଇବାର ଶୁଣି ଘରେ ସମସ୍ତେ ବହୁତ୍ ଖୁସି ଥାନ୍ତି। କିନ୍ତୁ ସମସ୍ତଙ୍କ ଅପେକ୍ଷା ମୋ ଅଜାଙ୍କ ଖୁସି ଟିକିଏ ବେଶି ଅଧିକ ଜଣା ପଡ଼ୁଥାଏ। ଆଉ ସେବଠାରୁ ଦେଖିଲି ଲୋକଙ୍କର ମୋ ପ୍ରତି ବ୍ୟବହାର ବହୁତ୍ ବଦଳି ଗଲା। ଯେଉଁ ମାନେ ଦିନେ ମୋତେ ଛୁଇଁ ଦେଲେ ବାର କଥା କହି ଗାଳି ଦେଉଥିଲେ। ଏବେ ସେମାନେ ମୋତେ ପାଖରେ ବସେଇ କଥା ହୁଅନ୍ତି, ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରନ୍ତି ଓ ମୋ ମତାମତ ମଧ୍ୟ ନିଅନ୍ତି। ସେତେବେଳେ ମୁଁ ବୁଝି ପାରିଥିଲି ଯେ ଆମ ଭଳି ଗରିବ, ଅସହାୟ ଓ ପଛୁଆ ବର୍ଗର ପିଲା ଏଇ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ହେଲେ ଶିକ୍ଷା ହେଉଛି ଆମ ପାଇଁ ଏକ ମାତ୍ର ସାଧନ। ଆଉ ସେବେଠାରୁ ମୁଁ ଲାଗି ପଡ଼ିଲି ମୋ ପରି ଏମିତି ଅନେକଙ୍କ ନିରାସମୟ ଜୀବନରେ ଟିକିଏ ଖୁସି ଭରିବା ପାଇଁକି। 

ମୁଁ ବଲବଲ ହୋଇ ଚାହିଁ ରହି ଥାଏ ଜେଜେଙ୍କ ମୁହଁକୁ। ନୀରବ ହୋଇ ଶୁଣୁ ଥାଏ ଜେଜେଙ୍କ ପ୍ରତିଟି କଥା। କଣ ପ୍ରତିକ୍ରିୟା ଦେବି କିଛି ବୁଝି ପାରୁ ନଥାଏ। ସର୍ବଦା ହସୁ ଥିବା ଆଉ ଅନ୍ୟଙ୍କ ଜୀବନରେ ହସ ଭରୁ ଥିବା ଲୋକଟିର ହୃଦୟ ଭିତରେ ଯେ ଏତେ ସବୁ ଯନ୍ତ୍ରଣା ଭରି ହୋଇ ରହିଥିବ! ମୁଁ କେବେ ଭାବି ନଥିଲି। ଜେଜେ କିଛି ସମୟ ଚୁପ୍ ରହିବାର ଦେଖି ଭାବିଲି ବୋଧେ ଜେଜେ ଆଉ କିଛି କହିବେନି। କିନ୍ତୁ ପାଖରେ ଥିବା ପାଣି ବୋତଲରୁ ପାଣି ଦୁଇ ଢୋକ ପିଇ ଦେଇ ଗୋଟିଏ ଲମ୍ବା ନିଶ୍ୱାସ ମାରି ଜେଜେ ପୁଣି କହିବା ଆରମ୍ଭ କଲେ 

ପୃଥିବୀରେ ବାସ କରୁଥିବା କୀଟ ପତଙ୍ଗ ଠାରୁ ନେଇ ବିଶାଳ ଜୀବ ଯାଏଁ ସମସ୍ତେ ଈଶ୍ୱରଙ୍କର ସୃଷ୍ଟି। ପ୍ରତିଟି ମଣିଷ ଦେଖିବାକୁ ଅଲଗା ହୋଇ ଥିଲେ ମଧ୍ଯ ପ୍ରତିଟି ମଣିଷକୁ ବିଧାତା ସେଇ ରକ୍ତ, ମାଂସ ଓ ହାଡ଼କୁ ନେଇ ଗଢ଼ିଥାନ୍ତି। ଆମେ ସମସ୍ତେ ଈଶ୍ୱରଙ୍କ ଅମୃତ ସନ୍ତାନ ଆଉ ସେଇ ହିସାବ ରେ ଦେଖିବାକୁ ଗଲେ ଆମେ ସମସ୍ତେ ଭାତୃତ୍ୱର ଅମୃତ ବନ୍ଧନରେ ବନ୍ଧା। ମଣିଷ ଗୋଟିଏ ସାମାଜିକ ପ୍ରାଣୀ। ସମାଜ ବିନା ମଣିଷ ବଞ୍ଚି ପାରିବ ନାହିଁ ଆଉ ମଣିଷ ବିନା ସମାଜର କଳ୍ପନା ଅସମ୍ଭବ। ହେଲେ ସମାଜରେ ପ୍ରତିଟି ମଣିଷ ସମାନ ନୁହେଁ। ଆମ ସମାଜ ଧନି ଗରିବ, ସବଳ ଦୁର୍ବଳ, ଛୁଆଁ ଅଛୁଆଁ, ଜାତି ଅଜାତି, ଛୋଟ ବଡ଼ ଭଳି ଅନେକ ଶ୍ରେଣୀର ଲୋକେଙ୍କୁ ନେଇ ଗଠିତ। ସମାଜରେ ସମ୍ମାନିତ ତଥା ଉଚ୍ଚପଦାଧିକାରୀ ବ୍ୟକ୍ତି ବିଳାସବ୍ୟସନ ଓ ପ୍ରଚୂର୍ଯ୍ୟ ଭିତରେ ଜୀବନ ଅତିବାହିତ କରିବା ବେଳେ ଅନ୍ୟ ପଟେ ଦରିଦ୍ର, ଘୃଣ୍ୟ, ଅବହେଳିତ ଓ ରାସ୍ତା କଡ଼ର ମଣିଷ ଭଲରେ ମୁଠେ ଖାଇବାକୁ ପାଏନା। ଧନୀ ଗରିବ,ସବର୍ଣ୍ଣ ଅସବର୍ଣ୍ଣ ଙ୍କ ସମାନତା କୁ ନେଇ ଟେଲିଭିଜନ, ଖବର କାଗଜ ଆଦି ରେ ଅନେକ ଡିବେଟ୍, ବିତର୍କ ହୁଏ। କିନ୍ତୁ କଥା ଆଉ ଯୁକ୍ତି ଛଳ ରେ ସମାନ କରି ଦେଲେ ବି ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଆଜି ବି ଆମମାନଙ୍କର ମାନସିକତା ରେ ବିଶେଷ କିଛି ଖାସ୍ ପରିବର୍ତ୍ତନ ହୋଇନାହିଁ। 

ଗରିବ ପରିବାରେ ଅବା ଛୋଟ ଜାତିରେ ଜନ୍ମ ନେଇ ଥିବା ପିଲାଙ୍କ ପ୍ରତି ସମାଜ ଏତେ ନିଷ୍ଠୁରତା ଦେଖାଏ ସତେ ଯେମିତି ସିଏ ଏଇ ସମାଜର ଅଂଶ ନୁହେଁ। ଦେଖି କହିଲୁ ବାପା ସେଇ ପିଲାଙ୍କର କଣ ଅନ୍ୟଙ୍କ ପରି ଖୁସି ଓ ସ୍ୱାଧୀନତାର ସହିତ ବଞ୍ଚିବାର ଇଚ୍ଛା ନଥିବ?ସେମାନେ କଣ ଅନ୍ୟଙ୍କ ପରି ପ୍ରତିଟି ପୂଜା ପାର୍ବଣ ସମସ୍ତଙ୍କ ମେଳରେ ଏକାଠି ମିଶି ପାଳିବାକୁ ମନେ କରୁ ନଥିବେ? ସେମାନେ କଣ ଅନ୍ୟଙ୍କ ପରି ଉପଯୁକ୍ତ ଶିକ୍ଷା ପାଇ ବଡ଼ ଚାକିରି କରିବାର ସ୍ୱପ୍ନ ଦେଖୁ ନଥିବେ? ହେଲେ କଣ ହେବ, ଆମ ଏଇ ସମାଜରେ ସେମାନେ ଅନେକ ଭାବେ ନିର୍ଯାତିତ ଆଉ ସାଧାରଣ ଅଧିକାରରୁ ବଞ୍ଚିତ। ଆଉ ସେମାନଙ୍କ ଉଦ୍ଧାର ଆଉ ସଶକ୍ତିକରଣ ପାଇଁ ଦରକାର କେବଳ ଆମ ଭଳି କିଛି ଲୋକଙ୍କର ସାହାଯ୍ୟ ଆଉ ସେମାନଙ୍କ ପ୍ରତୀ ଅଳ୍ପ ଟିକିଏ ଦୟା, କରୁଣା ଆଉ ଭଲପାଇବା। ମନେ ରଖିଥା ବାପା ପୃଥିବୀରେ ଭଗବାନ୍ ମାନବ ରୂପରେ ଭୂମିଷ୍ଠ ହୁଅନ୍ତି। ଆଉ "ମାନବ ସେବା ହିଁ ପ୍ରକୃତରେ ମାଧବ ସେବା!"

"ତମ ଜେଜେ ନାତିଙ୍କ ଗପ ଆଜି ସରିବନି କି? ନଅଟା ହେଲାଣି ପରା ଆସିକି, ଚାଲ ଖାଇବ। ଖାଇ ସାରିଲେ ପୁଣି ମେଞ୍ଚେ ଔଷଧ ଅଛି ଖାଇବକୁ।" ଡାକ ପକାନ୍ତି ଜେଜେ ମାଆ।

"ଆରେ ଆରେ ନଅଟା ବାଜି ସାରିଲାଣି ଏତିକି ଭିତରେ। ମୁଁ ସେତିକି ବେଳୁ କହୁଛି ଯେ କହୁଛି। ଛାଡ଼ ସେଇରା, କିନ୍ତୁ ତୋ ସହ କଥା ହେଇକି ମନଟା ଭାରି ହାଲୁକା ଲଗିଲାରେ ବାପା। ଯାଆ ତୁ ଖାଇବୁ ମାଆ ଡାକିଲାଣି।" ମୁଁହରେ ଗୋଟିଏ ସ୍ମିତ ହସର ସହିତ ସ୍ନେହରେ ମୋ ମୁଣ୍ଡକୁ ଆଉଁସି ଦେଇ କୁହନ୍ତି ଜେଜେ।

"ଆଉ କାନ୍ଦିବନି! କାନ୍ଦିଲେ ତମେ ଜମା ଭଲ ଲାଗୁ ନାହଁ।" ଜାବୁଡ଼ି ଧରି ଜେଜେଙ୍କୁ ଟିକିଏ ଗେଲ କରି କହି ଦେଇକି ଚାଲି ଆସିଲି।

ସେଇ ଦିନର ଆଲୋଚନା ମୋତେ କାହିଁ କୌଣସି ଆଲୋଚନା କି ଶିକ୍ଷା ପରି ଲାଗୁ ନଥିଲା, ସେଇଟା ମୋତେ ଜେଜେଙ୍କ ଅଭିଯୋଗ ପରି ଲାଗୁ ଥିଲା। ସେଇ ଦିନ ରାତିରେ କାହିଁ ଆଉ ଭଲରେ ନିଦ ହେଲାନି। ଅନେକ ଗୁଡ଼ିଏ ପ୍ରଶ୍ନ ମୋ ମନକୁ ବିଚଳିତ କରୁ ଥାଏ। 

ତା ପରଦିନକୁ ଜେଜେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକିଏ ବେଶି ବିଗିଡ଼ି ଗଲା। ଧଇଁସଇଁ ଆହୁରି ବଢ଼ି ଯାଇ ଥାଏ। ପୂର୍ବ ଦିନ ଅପେକ୍ଷା ଜେଜେ ଆହୁରି ଅଧିକ ଉଦାସ ଜଣା ପଡ଼ୁଥାନ୍ତି। ବହୁତ୍ କଷ୍ଟ ହେଉଥାଏ ବୋଧେ। ବିଛଣାରେ ଚୁପଚାପ୍ ଆଖି ବୁଜି ପଡ଼ି ରହିଥାନ୍ତି। ଡାକିଲେ ଆଖି ଖୋଲି ଅନାଉ ଥାନ୍ତି। କିନ୍ତୁ ବେଶି କିଛି କହୁ ନଥାନ୍ତି। ସେଇ ଦିନ ଜେଜେଙ୍କୁ ଛାଡ଼ି କଲେଜ ଯିବାକୁ ଟିକିଏ ହେଲେ ଇଚ୍ଛା ନଥାଏ। କିନ୍ତୁ କଲେଜରେ ସେଇ ଦିନ ପ୍ରୋଜେକ୍ଟ ଦାଖଲ କରିବାର ଶେଷ ଦିନ ଥାଏ ଯେହେତୁ ଇଚ୍ଛା ନଥିଲେ ବି ମୋତେ କଲେଜ ଯିବାକୁ ପଡ଼ିଲା।

"ବଡ଼ ମାଷ୍ଟ୍ରେ ମୁଁ କଲେଜ ଯାଉଛି ଆସିଲେ ସନ୍ଧ୍ୟାରେ ଦେଖା ହେବା।" କଲେଜ ପାଇଁ ବାହାରିବା ପୂର୍ବରୁ ଜେଜେଙ୍କ ରୁମକୁ ଯାଇ ଜେଜେଙ୍କୁ କହି ଦେଇ ଆସିଲି।
 
ସେଇ ଦିନ କଲେଜରେ ଜମା ମନ ଲାଗୁ ନଥାଏ। ମନଟା ସେଇ ଜେଜେଙ୍କ ପାଖରେ ଏକା ଅଟକି ଯାଇଥିଲା। କଲେଜ ସମୟ ତିକ ଭାରି କଷ୍ଟରେ ଅତିବାହିତ କଲି। ଆଉ କଲେଜ ସରିଲା ମାତ୍ରେ ସବୁ ସାଙ୍ଗ ସାଥିଙ୍କୁ ପଛ କରି ଛୁଟି ଆସିଲି ଘର ଅଭିମୁଖେ। ଘରକୁ ଫେରିଲା ବାଟରେ ଦେଖେ ଗୋଟିଏ ଜାଗାରେ ଗରମ ଗରମ ଜିଲାପି ଛଣା ହଉ ଥାଏ। ମୋ ଜେଜେଙ୍କର ଜିଲାପି ଭାରି ପସନ୍ଦ। ପିଲା ଦିନୁ ଜେଜେଙ୍କ ସାଙ୍ଗରେ ଯେବେ ବଜାର ଆସେ ଜେଜେ କଣ କିଣାକିଣି କରନ୍ତୁ କି ନ କରନ୍ତୁ ଆଗ ଆମେ ଜେଜେ ନାତି ମିଶି ଗରମ ଗରମ ଜିଲାପି ଖାଇବୁ ତା ପରେ ଯୋଉ କଥା। ସେଥି ପାଇଁ ଗରମ ଗରମ ଜିଲାପି କିଛି କିଣି ନେଲି ଜେଜେଙ୍କ ପାଇଁ। 

ଅଳ୍ପ ଦୂରରୁ ଦେଖେ ଘର ବାହାରେ ଗାଁଟା ଯାକର ଲୋକ ରୁଣ୍ଡ ହୋଇଛନ୍ତି। ଆଗରୁ ବହୁତ୍ ଗହଳି ଦେଖି ଥିଲେ ମଧ୍ଯ ସେଇ ଦିନର ଗହଳି କାହିଁ ମୋତେ ଭାରି ବ୍ୟସ୍ତ ବିବ୍ରତ କରେଇ ଦେଲା। ବଡ଼ ବଡ଼ ପାଦ ପକେଇ ଆଗେଇ ଚାଲିଲି ଘର ଆଡ଼କୁ। କାନ୍ଦ ବୋବାଳି ରେ ଫାଟି ପଡ଼ୁ ଥାଏ ଦାଣ୍ଡ। ଗହଳିକୁ କାଟି ଘର ଭିତରକୁ ପ୍ରବେଶ କଲି। ଲୋକେ ମୋତେ ଦେଖି କୁହା କୁହି ହଉ ଥାନ୍ତି ଏଇଟି ଆସିଲାଣି ମାଷ୍ଟ୍ରେଙ୍କ ଜୀବନ ଧନ। 

ଦେଖିଲି ଜେଜେ ଶୋଇଛନ୍ତି। ପାଖରେ ଜେଜେ ମାଆ ମୁଣ୍ଡ ପିଟି ପିଟି କାନ୍ଦୁଛି। ପରିବାରର ଲୋକଙ୍କ ଆଖିରୁ ମଧ୍ୟ ଛୁଟି ଚାଲି ଥାଏ ଲୁହର ବନ୍ୟା। ହାତରେ ଧରି ଥିବା ଜେଜେଙ୍କ ପାଇଁ ଜିଲାପି ଜରିଟା ଆପେ ଖସି ପଡ଼ିଲା। ଧାଇଁ ଯାଇ ଜେଜେଙ୍କ ପାଖରେ ବସି ପଡ଼ି ଜେଜେଙ୍କ ମୁଁହରେ ହାତ ବୁଲେଇ ଆଣିଲି। ଜେଜେଙ୍କ ମୁହଁଟା ମୋ ହାତରୁ ଖସି ଆର ପଟକୁ ବୁଲି ପଡ଼ିଲା। ଅନୁଭବ ହେଲା ତାଙ୍କୁ ଏକୁଟିଆ ଛାଡ଼ି କଲେଜ ପଳେଇ ଗଲି ବୋଲି ମୋ ଉପରେ ଅଭିମାନ କରିଛନ୍ତି। ଜେଜେ ପ୍ଲିଜ ରାଗନି, ପ୍ଲିଜ... ଆଉ କେବେ ତମକୁ ଏମିତି ଏକୁଟିଆ ଛାଡ଼ି କୁଆଡ଼େ ଯିବି ନାହିଁ, ଜେଜେ, ଜେଜେ..., ବଡ଼ ମାଷ୍ଟ୍ରେ ଓ ବଡ଼ ମାଷ୍ଟ୍ରେ... ବଡ଼ ମାଷ୍ଟ୍ରେ...... ବହୁତ୍ ଡାକିଲି, କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉ ଥାଏ। ଜେଜେଙ୍କ ପ୍ରତି ଥିବା ମୋ ଅନାବିଳ ସ୍ନେହ ଓ ଭଲପାଇବା ଲୁହ ହେଇ ବୋହି ପଡୁଥାଏ ଜେଜେଙ୍କ ହାତ ଉପରେ। ସେ ଲୁହ ଯେମିତି ଜେଜେଙ୍କୁ ଆକୁଳ ନିବେଦନ କରୁଥାନ୍ତି ଥରୁଟିଏ ପାଇଁ ଆଖି ଖୋଲି ଅନେଇ ଦେବାକୁ। ହେଲେ ଜେଜେ ଜମା ଶୁଣୁ ନଥାନ୍ତି। ସତେ ଯେମିତି ମୋ ଉପରେ ଅଭିମାନ କରି ଚିର ନିଦ୍ରାରେ ଶୋଇ ଯାଇଚ୍ଛନ୍ତି ଜେଜେ। 

ଧିରେ ଧିରେ ଜନ ସମାଗମ ବଢ଼ିବାକୁ ଲାଗିଲା। ବନ୍ଧୁ ବାନ୍ଧବଙ୍କ ସମେତ ଅନେକ ବଡ଼ ଆଉ ଜଣାଶୁଣା ବ୍ୟକ୍ତି ବିଶେଷ, ସମାଜ ସେବୀ ଓ ଜେଜେଙ୍କର ଛାତ୍ର ଛାତ୍ରୀ ଆସି ଥାନ୍ତି। ତାଙ୍କ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ। ଜେଜେଙ୍କୁ ହରାଇବାର ଦୁଃଖ ସମସ୍ତଙ୍କ ମୁହଁରେ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଥିଲା। ଆଉ କିଛି ସମୟ ପରେ ଜେଜେ ଚାଲିଗଲେ ଆତ୍ମୀୟ ଓ ଗାଁର କିଛି ଲୋକଙ୍କ ସାଙ୍ଗରେ ଗାଁର ଶେଷ ମୁଣ୍ଡରେ ଥିବା ପବିତ୍ର ସ୍ଥାନକୁ। 

ସେ ଦିନ ରାତିଟା ଭାରି ନିଶବ୍ଦ ଲାଗୁଥାଏ। ଏକୁଟିଆ ରୁମରେ ଜେଜେଙ୍କୁ ମନେ ପକେଇ ଗୁମୁରି ଗୁମୁରି କାନ୍ଦୁ ଥାଏ। ବେଶୀ ସମୟ ବସି ପାରିଲିନି ନିଜ ରୁମରେ। ଧାଇଁ ଗଲି ଜେଜେଙ୍କ ରୁମକୁ। ଜେଜେ ତ ନଥାନ୍ତି ହେଲେ ଜେଜେଙ୍କ ସାଙ୍ଗରେ କାଟି ଥିବା ପ୍ରତିଟି ମୁହୂର୍ତ୍ତ ସ୍ମୃତି ହୋଇ ରହିଥାଏ ସେଇ ଚାରି କାନ୍ଥ ଭିତରେ। ଚାରି ଆଡ଼ୁ ଆଖି ବୁଲେଇ ଆଣିଲା ବେଳକୁ ନଜର ପଡ଼େ ଜେଜେଙ୍କ ଆଲମାରୀ ଉପରେ, ଯେଉଁଥିରେ ମୋ ବ୍ୟତୀତ ଅନ୍ୟ କାହାରିକୁ ଜେଜେ ହାତ ମାରିବାକୁ ଦିଅନ୍ତି ନାହିଁ। ସେ ଆଲମାରୀ ରେ କୌଣସି ଟଙ୍କା ଅବା ଗହଣା ସାଇତା ହୋଇ ରହି ନଥାଏ। କେବଳ ଜେଜେଙ୍କ ହୃଦୟର ଅତି ନିକଟତର ବହି, ଡାଏରୀ ଓ ଫଟୋ ଗୁଡ଼ିକରେ ଭର୍ତ୍ତି ହୋଇ ରହି ଥାଏ। ମନରେ ଅନେକ କୋହ ଧରି ଖୋଲିଲି ସେଇ ଆଲମାରୀ। ଖୋଲୁ ଖୋଲୁ ହାତରେ ପଡ଼ିଲା ଜେଜେଙ୍କ ଗୋଟିଏ ଡାଏରୀ। ଜେଜେଙ୍କ ଚଉକିରେ ଯାଇ ବସି ପଡ଼ି ଖୋଲିଲି ସେଇ ଡାଏରୀକୁ, ଡାଏରୀର ପ୍ରଥମ ପୃଷ୍ଠା ରେ ଲେଖା ହେଇ ଥାଏ 

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ 
ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ 
ଜଗତ ଉଦ୍ଧାର ହେଉ ॥”

ହଠାତ ସେ ଡାଏରୀ ଭିତରୁ ଭାସି ଆସିଲା ମୋ ଜେଜେଙ୍କ ହସ ହସ ମୁହଁ ଆଉ କାନରେ ଗୁଞ୍ଜରି ଉଠିଲା ଗଲା ରାତିରେ କହିଥିବା ଜେଜେଙ୍କ କଥା ପଦକ "ମାନବ ସେବା ହିଁ ପ୍ରକୃତରେ ମାଧବ ସେବା।" ଜେଜେଙ୍କ ପ୍ରତି ଥିବା ମୋର ସବୁ ସ୍ନେହା, ଆନ୍ତରିକତା, ରାଗ, ଅଭିମାନ ଲୁହ ହେଇ ଝରି ପଡ଼ିଲା ସେଇ ଡାଏରୀ ଉପରେ। ଜେଜେ ବୋଲି ଭାବି ଆନେକ ସମୟ ଯାଏଁ ନିଜ ବୁକୁରେ ଜାବୁଡ଼ି ଧରିଲି ସେଇ ଡାଏରୀକୁ। ଆହୁରି ଏମିତି ଅନେକ ଜିନିଷ ଲେଖା ହୋଇ ଥାଏ ସେ ଡାଏରୀ ସାରା। ହେଲେ ପଢ଼ି ପାରିଲିନି ମୁଁ ସବୁକୁ।

ଡାଏରୀର ପ୍ରତ୍ୟକଟି ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥାଏ ଜେଜେଙ୍କ ଜୀବନ ଦର୍ଶନ ଆଉ ଅସମ୍ପୂର୍ଣ୍ଣ ସ୍ୱପ୍ନ ର ବାଖ୍ୟା। ଜେଜେ ତ ଚାଲିଗଲେ ଅଫେରା ରାଇଜର ବାଟୋଇ ହେଇ। ହେଲେ ଏଠି ଛାଡ଼ିଗେଲେ ତାଙ୍କ ପାଣ୍ଡୁଲିପି ଆଉ ଅସମ୍ପୂର୍ଣ୍ଣ ସ୍ୱପ୍ନକୁ।

ମନେ ହେଉ ଥିଲା ସତେ ଯେମିତି ଜେଜେ ତାଙ୍କର ଅସଂପୂର୍ଣ୍ଣ କାର୍ଯ୍ୟ କୁ ମୋରି କାନ୍ଧ ରେ ରଖି ଦେଇ ଯାଇଛନ୍ତି। ମୁଁ ନିଜକୁ ମାନସିକ ସ୍ତର ରେ ପ୍ରସ୍ତୁତ କରୁଥିଲି ଆଉ ମନେ ମନେ ସଙ୍କଳ୍ପବଦ୍ଧ୍ ହେଉଥିଲି ଜେଜେ ଙ୍କ ଅସମ୍ପୂର୍ଣ୍ଣ ସ୍ୱପ୍ନ କୁ ସାକାର କରିବା କୁ....


~ଶ୍ରୀମାନ ଅଂଶୁମାନ ପ୍ରିୟଦର୍ଶୀ


Rate this content
Log in

Similar oriya story from Abstract