କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
ଆଜି ଅନେକ ଦିନ ପରେ ଗାଁକୁ ଫେରିଛନ୍ତି ଦେବଦତ୍ତ। ହଁ ପୁଅ ଚାକିରୀ କଲା ପରେ ଅନେକ ଥର ଡାକିଥିଲା ତା ପାଖେ ସହରରେ ରହିବାକୁ ,ହେଲେ କିଛିନା କିଛି ବାହାନା କରି ଆଡେଇ ଯାଆନ୍ତି ସେ। କାହିଁକି ନା ଗାଁର ନିର୍ମଳ ପରିବେଶ ଓ ସ୍ବଚ୍ଛ ମନ ବାଲା ମଣିଷ ସେ ସହରରେ କେବେ ବି ପାଇପାରିବେ ନାହିଁ। ତାଛଡା ପୁଅବୋହୁଙ୍କୁ ତାଙ୍କ ସ୍ବାଧୀନତାରେ ବଞ୍ଚିବାକୁ ଦେବା ବି ତାଙ୍କର ଇଚ୍ଛା ଥିଲା। ସେଥିଲାଗିଯେ ପର୍ଯ୍ଯନ୍ତ ତାଙ୍କ ସ୍ତ୍ରୀ ପାଖରେ ଥିଲେ ସେ ସହର ଯିବା କଥା ଚିନ୍ତା ବି କରି ନଥିଲେ।
ଗତ ବର୍ଷ ସ୍ତ୍ରୀ ଚାଲିଯିବାରୁ ସେ ବାଧ୍ଯ ହୋଇ ପୁଅ ପାଖେ ରହିବାକୁ ଗଲେ। ଏବର୍ଷ ସ୍ତ୍ରୀଙ୍କ ବର୍ଷିକୀୟା ଶ୍ରାଦ୍ଧ କରିବା ଲାଗି ସେମାନେ ଗାଁ କୁ ଆସିଥାଆନ୍ତି। ରାସ୍ତାରେ ଫେରିଯିବା ବେଳେ ରାସ୍ତା କଡର କାଶତଣ୍ତୀ ଫୁଲକୁ ଦେଖି ଜେଜେ ଟିକିଏ ଭାବୁକ ହେଇ ଯିବାର ଲକ୍ଷ୍ଯ କରି ନାତୀ ପଚାରିଲା-
-ଜେଜେ କଣ ଭାବୁଛ?
-କିଛି ନାଇଁରେ ,ଏଇ କାଶତଣ୍ଡୀ ଫୁଲ ଗୁଡିକୁ ଦେଖି ତୋ ଜେଜୀ କଥା ମନେ ପଡିଗଲା।
-କାଶତଣ୍ଡୀ ଫୁଲ ଆଉ ଜେଜୀ....କଥାଟା ବୁଝିହେଲାନି।
-ହଁ.....ରେ।ମୋର ଠିକ ମନେ ଅଛି ସେଇବର୍ଷ ଏମିତି ଆଶ୍ବିନ ମାସ ଦଶହରା ଛୁଟିରେ ତୋ ଜେଜୀ ତା ମାମୁଁ ଘରକୁ ବୁଲିବାକୁ ଆସିଥାଏ।ତୋ ଜେଜୀକୁ ମୁଁ ପ୍ରଥମ ଦେଖାରେ ହିଁ ଭଲ ପାଇ ବସିଥିଲି।ତା ମାମୁଁଘର ଆମ ଘର ସହିତ ଭଲ ସମ୍ପର୍କ ଥିବାରୁ ସେ ଆମ ଘରକୁ ବୁଲି ଆସେ।ମୁଁ ଅନେକ ଥର ଭାବିଚି ତାକୁ ମୋ ମନ କଥା କହିଦେବି ହେଲେ କେବେ ସୁଯୋଗ ପାଏନି।
-ଆଚ୍ଛା....ତେବେ ପୁଣି କେମିତି କେବେ କହିଲ ଯେ?
-ଥରେ ମୁଁ ସହରକୁ ଯାଇଥିଲି କିଛି କାମରେ ଫେରିବା ବାଟରେ ଦେଖିଲି ତୋ ଜେଜୀ ସାଇକେଲଟାକୁ ରାସ୍ତାରେ ରଖି ଏକୁଟିଆ ଠିଆ ହେଇଛି।ସେ କିଛି ଭାବିବା ଆଗରୁ ମୁଁ ତା ପାଖେ ପହଞ୍ଚି ଯାଇ ତାକୁ ପଚାରିଲି କ'ଣ ହେଇଛି?ସେ ଅତି ଲାଜେଇ କହିଲା-ସାଇକେଲ ର ଚେନଟା ଖସିଯାଇଛି।
-ତାପରେ ତୁମେ ତାଙ୍କ ସାଇକେଲ ଠିକ କଲ କି ନାହିଁ?
-ହଁ ସାଇକେଲଟା ତ ଠିକ କରିଦେଲି।ତାପରେ ତାକୁ କହିଲି ମୁଁ ତୁମକୁ କିଛି କହିବାକୁ ଚାହେଁ।ସେ କିଛି କହିଲାନି....ମତେ ବକ ବକ ହେଇ ଚାହିଁଲା
-ତା ପରେ....
-ତାପରେ ମୁଁ ଦୌଡି ଯାଇ ଦି ଚାରିଟା କାଶତଣ୍ଡୀ ଫୁଲ ଛିଣ୍ଡାଇ ଆଣି ପୁରା ଫିଲିମ ଷ୍ଟାଇଲରେ ତାକୁ I Love you କହିଦେଲି।
-ତାପରେ ଜେଜୀ କଣ କହିଲା?
-ସେ କହିଲା ସବୁ ବର୍ଷ ଏମିତି କାଶତଣ୍ଡୀ ଫୁଲ ଦବ ତ?ଏତିକି କହି ମୋ ହାତରୁ ଫୁଲ ତକ ନେଇ ଚୁପଚାପ ସାଇକେଲରେ ଚଢି ପଳେଇଲା।
-ଆଉ ତା ପରେ.....
-ତା ପରେ ଆଉ କଣ..... ସେ ତୋ ଜେଜୀ ହେଇଗଲା।ମୁଁ ସବୁବର୍ଷ ଏଇ କାଶତଣ୍ଡୀ ଫୁଲ ଫୁଟିଲେ ତାକୁ ନେଇ ଦିଏ ଓ ଆମ ପୁରୁଣା ସ୍ମୃତିକୁ ମନେ ପକାଏ।
ଏତିକି ବେଳେ ନାତି ଟୋକା ତା ବାପାଙ୍କୁ ଗାଡି ରଖିବାକୁ କହିଲା।ତା ପରେ ସେ ଦୌଡି ଯାଇ ରାସ୍ତାକଡକୁ ରୁ ପୁଳାଏ କାଶତଣ୍ଡୀ ଫୁଲ ଛିଣ୍ଡାଇ ଆଣି ଦେବଦତ୍ତ ଙ୍କ ହାତରେ ଦେଇ କହିଲା।ଚାଲ ଜେଜେ ଜେଜୀକୁ ବି ଏଥର ସାଙ୍ଗରେ ନେଇକି ଯିବା।
ଦେବଦତ୍ତ ହାତରେ ଫୁଲ ତକ ଧରି ପୁରୁଣା ସ୍ମୃତିରେ ହଜିବାକୁ ଲାଗିଲେ।ଆଖିରୁ ଝରିପଡୁ ଥିବା କେଇ ବୁନ୍ଦା ଲୁହକୁ ଚଷମା ଖୋଲି ପୋଛିଲା ବେଳକୁ।

