କାର୍ତ୍ତିକ ୩
କାର୍ତ୍ତିକ ୩
କାଲି ସୁନୟନା କହିଲେ, ଅଁଳା ନବମୀ ନାମକରଣ ର ଯଥାର୍ଥତା କଣ ଜାଣିଛ କି ? ମୁଁ କହିଲି ,ବାପା .... ମୋ ବିଦ୍ଯାର ଖଣି ଙ୍କୁ ପଚରାଯାଉ .....ବାପା ମୋର ଅସରନ୍ତି ପ୍ରଶ୍ନ ର ଉତ୍ତର ସବୁବେଳେ ଗୋଟିଏ ଗପରେ ଦିଅନ୍ତି ..... ଆଜି ବି ଦେଲେ । ଗପଟି ନିମ୍ନରେ ଦେଲି ।ଯାହା ଶୁଣିଲି ଲେଖୁଛି ।
ଏକଦିନେ ..... ସେ ଦିନ ଥାଏ କାର୍ତ୍ତିକ ମାସ ନବମୀ ତିଥି......ଶ୍ରୀଦେବୀ ମହାଲକ୍ଷ୍ମୀ ମର୍ତ୍ତ୍ଯ ଭ୍ରମଣେ ବାହାରିଲେ, ଆନନ୍ଦେ ବୁଲୁ ବୁଲୁ ଏକ ଅଁଳା ଫଳରେ ଲଦା ଅଁଳା ଗଛଟିଏ ମା' ଙ୍କ ଶୁଭଦୃଷ୍ଟି ରେ ପଡିଲା ।ଅଁଳା ଫଳଟି ଶ୍ରୀରାମାବତାରରେ ଆରାଧ୍ଧ୍ଯ ଶ୍ରୀରାମଙ୍କର ପ୍ରିୟଫଳ ଥିଲା ବୋଲି ସ୍ମରଣ ହୁଅନ୍ତେ ସେ ବୃକ୍ଷଟି ପ୍ରତି ମା ସଦୟ ହୋଇଉଠିଲେ ।ଶ୍ରୀରାମଙ୍କର ଆରାଧ୍ଧ୍ଯ ଭଗବାନ ଶିବଶମ୍ଭୁ ଭୋଲେନାଥଙ୍କର ମଧ୍ୟ ଏହି ଫଳଟି ପ୍ରିୟ କାରଣ ଶ୍ରୀରାମଙ୍କର ଏହା ପ୍ରିୟ ।ଏହାକୁ କୁହନ୍ତି ଭଲପାଇବା, ତୁମ ପ୍ରିୟ ର ସବୁ ପ୍ରିୟ ତୁମକୁ ପ୍ରିୟ ।
ମା' ଉତ୍ପଳିକା ସାଗରଦୁଲାରୀଙ୍କ ମନରେ ଇଛ୍ଛା ପ୍ରକଟ ହେଲେ ଯେ ସେ ଏହି ଅଁଳା ଗଛ ମୂଳେ ହରିହର ଦୁହିଁଙ୍କୁ ପୂଜାଅର୍ଚ୍ଚନା ପୂର୍ବକ ହବିଷାନ୍ନ ରାନ୍ଧି ନୈବେଦ୍ଯ ବାଢିବେ ।ଏବଂ ତାହା ହିଁ ହେଲା ।ମା'ଙ୍କର ନିଷ୍ଠା, ଭକ୍ତି ରେ ତୃପ୍ତ, ସନ୍ତୁଷ୍ଟ ହୋଇ ହର ହରି ଦୁହେଁ ଦର୍ଶନ ଦେଇ କହିଲେ ଆଜିଠାରୁ ଏହି ବୃକ୍ଷ ର ଅମୃତ ଫଳ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ହୋଇ ଅସାଧ୍ୟ ସାଧନ କରିବ ....ଯିଏ ଆଜି ଦିନେ ଏହି ବୃକ୍ଷ ମୂଳେ ପୂଜା କରି ତୁମ ପରି ନୈବେଦ୍ଯ ବାଢିବ ସେ ଉଭୟ ଶିବଲୋକ ଓ ବୈକୁଣ୍ଠ ର ସ୍ଥାନ ପାଇବ ଓ ମୋକ୍ଷ ପ୍ରାପ୍ତି କରିବ . ।ତଥାସ୍ତୁ ।
ଆୟୁର୍ବେଦ ଅନୁଯାୟୀ ଅଁଳା ଏକ ଏପରି ମହୋଷଧି ଯାହା ଅନେକ ରୋଗର ଉପଶମ ଓ ନାଶକାରୀ ଅଟେ ।ଶରୀର ପାଇଁ ଅମୃତ ତୁଲ୍ୟ ।ଏହି କାର୍ତ୍ତିକ ମାସରେ ଲଗାତାର ଏକ ମାସ ଯାଏ ନିତ୍ଯ ଗୋଟିଏ ଲେଖାଁ କରି ଅଁଳା ସେବନ କଲେ ବର୍ଷ ସାରା ପାଇଁ ପ୍ରତିରୋଧକ ଶକ୍ତି ସବଳ ହୁଏ ଓ କୌଣସି ସଂକ୍ରମଣ ଜନିତ ବ୍ଯାଧି ଗ୍ରସ୍ଥ ହେବା ହୁଏନାହିଁ ।
ଆମର ଧର୍ମ କୁ ଆମର ପୂର୍ବ ପୁରୁଷ ମାନେ ଆମର ସ୍ବାସ୍ଥ୍ୟ, ବିଜ୍ଞାନ ସହ ଅଙ୍ଗାଙ୍ଗୀ ଭାବେ ଗୁନ୍ଥି ଦେବାର କାରଣ ବୋଧେ ଏଇୟା ହୋଇଥାଇ ପାରେ କି ସେମାନେ ବୁଝିଥିଲେ ଯେ ଆଗାମୀ ପିଢି କୁ ଶୃଙ୍ଖଳିତ କରିବାକୁ, ସୁରକ୍ଷିତ କରିବାର ଏହା ହିଁ ସରଳ ଉପାୟ ।ନଚେତ୍ ଆମେ ସବୁ ଗାଲୁଆମୀ କରିଥାନ୍ତେ, ହଅ କରିବା ତଉ, ଖାଇବା ତଉ ।ଏବେ କିନ୍ତୁ ଈଶ୍ବର ଙ୍କ ସହ ଯୋଡି ହୋଇଥିବା କଥା କୁ ଅମାନ୍ଯ କରିବା ଆଗରୁ ଦି ଥର ଅନୁନ୍ଯ ଭାବିବା, କାରଣ ଏକ ଅଦୃଶ୍ୟ ଡର ରହିଛି ।
ପ୍ରତିଦିନ ପ୍ରାତ ରୁ ଖାଲିପାଦରେ ,ଖାଲିପେଟରେ ହରମନ୍ଦିର ଦର୍ଶନ ଦ୍ବାରା ବେଲପତ୍ର ସେବନ ହୁଏ ଯାହା ସମସ୍ତ ଉଦର ରୋଗ ପାଇଁ ଅମୃତ, ଏବଂ ହରିମନ୍ଦିର ଦର୍ଶନ ଦ୍ବାରା ତୁଳସୀ ପତ୍ର ସେବନ ହୁଏ ଯାହା ମନ,ଚିନ୍ତା, ଚେତନା ସ୍ତର କୁ ସୁନ୍ଦର କରେ ।ବିଭିନ୍ନ ଶାରୀରିକ ଓ ମାନସିକ ରୋଗ ରୁ ମୁକ୍ତ ହୋଇ ମଣିଷ ସୁଖି ହୁଏ ।
ସତ୍ଯ ବଦ,
ଧର୍ମଂ ଚର ।।
ଅର୍ଥାତ୍ ସତ୍ଯ କୁହ ଓ ଧର୍ମ ଆଚରଣ କର ।
ଯେ ଧର୍ମ କୁ ରକ୍ଷା କରେ ,ଧର୍ମ ବି ତାକୁ ରକ୍ଷା କରୁଥାଏ ..... ଧର୍ମ କୁ ଧାରଣ କରିବାକୁ ହୁଏ ।ଧର୍ମ ପଥରେ ଚାଲିବା ଖଣ୍ଡା ଧାରରେ ଚାଲିବା ପରି ।ତେଣୁ ଏହି ପଥରେ ତିଷ୍ଠିବା ଏକ କଷ୍ଟସାଧ୍ୟ ଆହ୍ବାନ ।ପ୍ରକୃତରେ ଦେଖିବାକୁ ଗଲେ ଧର୍ମ କଣ ,କାହାକୁ କହିବା? ତାହା ବି ଭିଷଣ କଷ୍ଟକର ପ୍ରଶ୍ନ ଆମପରି ଆଜିକାଲିକା କଳିଯୁଗିଆ ଲୋକଙ୍କ ପାଇଁ ।
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ ମାତ୍ରେ ଚତୁବର୍ଗ ଫଳ ପ୍ରାପ୍ତି ହୁଏ ବୋଲି ପୁରାଣ କହେ ,ଯାହାର ପ୍ରଥମ ପାଦ ହିଁ ଧର୍ମ ।ସେ ବି ଗୀତାରେ କହିଲେ,
ସର୍ବ ଧର୍ମ ପରିତେଜ୍ଯ, ମାମେକଂ ଶରଣଂ ବ୍ରଜ ।
ଆଉ ଠି ଭରସା ଦେଲେ,
ଧର୍ମ ସଂସ୍ଥାପନାର୍ଥାୟେ ସମ୍ଭବାମି ଯୁଗେ ଯୁଗେ ।
ଆମେ କିନ୍ତୁ ପ୍ରକୃତ ରେ ଧର୍ମ ର ପରିଭାଷା ଠି ହିଁ ଝୁଣ୍ଟିକି ଅଛୁ ।ସେତକ ଯାଣିଲେ ତ ପାଳିବୁ ।
ଧରମ ମାସ କାର୍ତ୍ତିକ ।କୁମାର ପୂର୍ଣ୍ଣିମା ପର ଦିନଠୁ ଈଶ୍ବରୀପୁତ୍ର କାର୍ତ୍ତିକେୟ ଙ୍କର ଜନ୍ମ ଦିନ କାର୍ତ୍ତିକ ପୁନେଇଁ ପର୍ଯ୍ଯନ୍ତ ଏଇ ୩୧ ଟି ଦିନ ଆମର ଧାର୍ମିକ ଭାବଧାରା ବହନ କରୁଥିବା ଭାରତୀୟ ମାନଙ୍କ ପାଇଁ ବହୁତ ଗୁରୁତ୍ବ ବହନ କରେ । କାର୍ତ୍ତିକ ପୁରା ମାସ ପାଳିବା ବଦଳେ ଅଧିକାଂଶ କିନ୍ତୁ ଶେଷ ପାଞ୍ଚ ଦିନ କୁ ନିଶ୍ଚିତ ପାଳନ୍ତି ।
କଥାରେ କୁହନ୍ତି ନା ' ବଗ ଯିଏ କି ସଂପୂର୍ଣ୍ଣ ଆମିଷ ଭୋଜୀ ସେ ବି କାଳେ ପଞ୍ଚୁକ ପାଞ୍ଚ ଦିନ ମାଛ ଛୁଏଁନି ।ସେଥିପାଇଁ କାଳେ ଏଇ ପାଞ୍ଚ ଦିନକୁ କିଏ କିଏ "ବଗପଞ୍ଚୁକ" ବି କୁହନ୍ତି ।
ଧର୍ମ ଏକ ଆପେକ୍ଷିକ ଶବ୍ଦ ।ଏହାର ପରିଭାଷା ବଦଳୁ ଥାଏ ପରିସ୍ଥିତି, ଓ ବ୍ଯକ୍ତି ଚେତନା କୁ ନେଇ ।କିନ୍ତୁ ମାନବଜାତି ର ଏକ ମାତ୍ର ଧର୍ମ ମାନବିକତା ବୋଲି ଲାଗେ, ଯାହାକୁ ଆମେ ଧରି ରଖିବା ସର୍ବଥା ଉଚିତ୍ ।
କ୍ରମଶଃ .........
