STORYMIRROR

MADHU MITA

Inspirational

3  

MADHU MITA

Inspirational

କାଳୀ

କାଳୀ

2 mins
193

ତାକୁ ଦେଖିବାକୁ ଲୋକେ ଆସୁଥାନ୍ତି।ମାଇଁ ଆଗରୁ କହି ଦେଇଥିଲେ ସଜବାଜ ହୋଇ ସେ ଯେମିତି ସେମାନଙ୍କର ପସନ୍ଦ ହୋଇଯାଏ।ଯଦି ପୁଅଘର ଫେରିଯାଆନ୍ତି ତେବେ କିନ୍ତୁ ସେ ଆଉ ତାକୁ କ୍ଷମା କରିବେନି।ଜାଣିଥିଲା କାଳୀ ଏଥର ବି ତା ରଙ୍ଗ ଦେଖି ପୁଅଘର ଫେରି ଯିବେ। ଯେତିକି ଚା ଜଳଖିଆ ଖର୍ଚ୍ଚ ହେବ ସେତିକି ପାଇଁ ମାଇଁ ତାକୁ କେତେ କଥା କହିବେ କେଜାଣି।ଏଇ ପ୍ରସ୍ତାବକୁ ମିଶେଇ ପୁରା ଆଠଜଣ ଆସିଲେଣି।ହେଲେ ସେଇ ଗୋଟିଏ କଥା।ଆସିବେ ଖାଇବେ ପିଇବେ ଆଉ ଗଲା ପରେ ଖବର ପଠାଇବ"ଝିଅର ରଙ୍ଗ ଟିକେ କମ ଅଛି।ଆମେ ଟିକେ ଭାବିକି ଉତ୍ତର ଦେବୁ"!


ଆଉ ଉତ୍ତର କେବେ ଆସେନି।


କାଳୀ କଣ କରିବ? ଯେତେ ଭଲ ଗଢଣ ଥିଲେ ମଧ୍ୟ ଯେ ତା ରଙ୍ଗ ଯୋଗୁଁ ସବୁ ବେକାର ହୋଇଯାଏ ସେକଥା ସେ ଜାଣି ସାରିଛି।ସବୁ କାମଧାମ ଜାଣିଥିଲେ ମଧ୍ୟ କିଛି ଫାଇଦା ହୁଏନି।ସବୁ ତା ଭାଗ୍ୟ।ସିଏ ଜନ୍ମ ହେଲା ଆଗରୁ କୁଆଡେ ତା ମା ଜଗନ୍ନାଥଙ୍କୁ ଦର୍ଶନ କରି ଆସିଥିଲା।ତେଣୁ ତା ରଙ୍ଗ ଏମିତି ବୋଲି ମାଇଁ କୁହନ୍ତି।ତାକୁ ଜନ୍ମ ଦେଇ ତା ମା ମରି ଯାଇଥିଲା ଆଉ ତା ବାପା ମଧ୍ୟ ଏହି ଦୁଃଖ ଖବର ପାଇ ଚାଲି ଯାଇଥିଲେ।ଲୋକେ କହିବାରୁ ମାମୁଁ ମାଇଁ ତାକୁ ନେଇ ଆସିଗଲେ ତାଙ୍କ ଘରକୁ।ଅବଶ୍ୟ ସେମାନଙ୍କର କେହି ପିଲାପିଲି ହେଲେନି।କିନ୍ତୁ ତା ବୋଲି କଣ ଏଇ କାଳୀ ଝିଅକୁ ନିଜ ଝିଅ ପରି ସ୍ନେହ ଦିଅନ୍ତେ?ନିଜ ଝିଅଠାରୁ ଅଧିକ ଯତ୍ନ ନିଏ କାଳୀ ସେମାନଙ୍କର।ଦିନରାତି ମାମୁଁ ମାଇଁ ସେବାରେ ଲାଗିଥାଏ।ଘରଟା ସାରାର କାମ କରି ମଧ୍ୟ ହସୁଥାଏ। ଯେତିକି ପାଠ ପଢ଼େଇଲେ ସେମାନେ ସେ ସେତିକିରେ ସବୁଠୁ ଭଲ ନମ୍ବର ରଖି ବିଦ୍ୟାଳୟରେ ଟପର ହେଇଥିଲା।ଯାହା ହେଲେ କଣ ହେବ? ସ୍ନେହ କଣ ତା ଭାଗ୍ୟରେ ସେ ଲେଖେଇ ଦେଇ ପାରିବ ?


ମାମୁଁ କୁଆଡେ ବାହାରକୁ ଯାଇଥିଲେ କିଛି କାମରେ।ରାତିର ଖାଇବା ରୋଷେଇ କରିଦେଇ କାଳୀ ମାଇଁଙ୍କୁ ଡାକିବାକୁ ଗଲା ବେଳେ ଦେଖିଲା ସେ ଖଟ ପାଖରେ ତଳେ ଶୋଇ ରହିଛନ୍ତି।ବ୍ୟସ୍ତ ହୋଇ କାଳୀ ତାଙ୍କୁ ହଲେଇ ଦେଇ ଆଶ୍ଚର୍ୟ୍ଯ ହୋଇଗଲା।ତାଙ୍କ ମୁଣ୍ଡରୁ ଧାର ଧାର ରକ୍ତ ବାହାରୁଥାଏ।ନିଜ ଓଢଣୀ ଖୋଲି ସେ ମାଇଁଙ୍କ ମୁଣ୍ଡରେ ବନ୍ଧିଦେଇ ସେ ତାଙ୍କୁ ଏକ ରକମ ଉଠେଇ ନେଇ ବାହାରକୁ ଗଲା।ଅଟୋ ଖୋଜିଲା।ହେଲେ ମିଳିଲାନି।ତେଣୁ ସେ ଗୋଟିଏ କାର୍ ଅଟକେଇ ତାଙ୍କୁ ଲିଫ୍ଟ ମାଗି ହସପିଟାଲ ଗଲା। ଅନ୍ୟ କେହି ଝିଅ ହୋଇଥିଲେ ହୁଏତ ଏତେ ରାତିରେ ଅସୁବିଧା ହୁଅନ୍ତା।ହେଲେ ସେ ତ କାଳୀ।ତାକୁ କିଏ ଅନେଇବ ଯେ? ମାଇଁଙ୍କ ଚିକିତ୍ସା ହେଲା। ସେ ସୁସ୍ଥ ହୋଇ ଫେରିଲେ।ଆଉ ସବୁକଥା ଜାଣିବା ପରେ କେଜାଣି ସେ ଆଉ କେବେ କାଳୀ ଉପରେ ରାଗି ଲେନି।ବରଂ ମାମୁଁଙ୍କୁ କହିଲେ କାଳୀ ବାହାଘର ନ ହେଲେବି ଚିନ୍ତା ନାହିଁ ।ସେ ସାରା ଜୀବନ ତାକୁ ନିଜ ଝିଅ ପରି ପୋଷିବେ।


କାଳୀ ଭାବୁଥିଲା ବହୁତ୍ ଆଗରୁ ମାଇଁଙ୍କ ମୁଣ୍ଡ ଫାଟି ଥିଲେ ଆହୁରି ଭଲ ହୋଇଥାନ୍ତା ବୋଧେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational