ଉତ୍ତର ମେରୁରେ ଅବସ୍ଥିତ ଆଦିବାସୀ ବସ୍ତି ରେ ସେଦିନ ହଇଚଇ ସୃଷ୍ଟି ହୋଇଥିଲା. ବାବୁ ଫୁଲକୁ ଗର୍ଭବତୀ କରି କହୁଛି ଏହା ଏକ ସାଧାରଣ କଥା!ହେଇପାରିବ ନାହିଁ. ବାବୁ ଫୁଲକୁ ବିହା ହେବା ଜରୁରୀ. ନିକା କରି ସହରକୁ ନେଇଯିବା ମଧ୍ୟ ଉଚିତ. ବାବୁ ଆଦିତ୍ୟ ଏତେକଥା ଜାଣିନଥିଲା. ଫୁଲର ଚକମକ ରଙ୍ଗ ନଥିଲେ କଣ ହେଲା ନିଖୁଣ ଛଳ ଛଳ ବଣ ହରିଣୀ ପରି ଚେହେରା ସାଙ୍ଗକୁ ଢଳ ଢଳ ଚାହାଣୀ ହାଣି ସେଇ ନିରୀହ ଆଖି ଦୁଇ ଦେଖି ଆଦି ସମ୍ଭାଳି ପାରିନଥିଲା ନିଜକୁ ଯଦିଓ ତାର ରିଙ୍ଗ ସେରିମନି ସରିଥିଲା ସ୍ନିଗ୍ଧା ସାଙ୍ଗରେ. ସେକଥା ମଧ୍ୟ ସେ ଫୁଲକୁ ଲୁଚେଇ ନଥିଲା କହିଥିଲା ଆରେ ତାକୁ ବିବାହ କରିବି କିନ୍ତୁ ତୋ ସହ ଲିଭ -ଇନ -ରିଲେସନରେ ଏଠି ରହିବି. କଣ ବୁଝିଲା କେଜାଣି ଫୁଲ ସମର୍ପି ଦେଲା ନିଜକୁ ବାବୁ ବାହୁଫାଶରେ. ପଦିଆ ତାକୁ ଚାହେଁ ସତ ହେଲେ ବାବୁ ପରି ବାସ ନାହିଁ ତା ଛାତିରେ.ବାବୁର ବାହୁରେ ପଦିଆ ପରି ଦମ ନଥିଲେ କଣ ହେଲା ଭାରି ମୁଲାୟମ ଦେହ ହାତରେ ବାବୁର.ନିଜକୁ ଆବଦ୍ଧ କରି ଫୁଲ କହେ ମୁଁ ତୋର. ଭଅଁର ପରି ମଧୁ ଶୋଷୁ ଶୋଷୁ ବାବୁ କହେ ହଁ ମୁଁ ବି ଏଠି ଥିବାଯାଏଁ ତୋର. ବାବୁର ଚାଲାକି ବୁଝିପାରିନଥିବା ସରଳ ଆଦିବାସୀ ଝିଅ ଫୁଲ ସେଦିନ ନିଜକୁ ଗୁରେଇ ଫୁଲରେ ସଜେଇ ଖୁବ ସୁନ୍ଦର ଦେଖାଯାଉଥିଲା ତ ବାବୁଟା ବାଘ ପରି ତାକୁ ଝିଙ୍କି ନେଲା ବେଳେ ସେ ବାରଣ କଲା.କହିଲା ତୋର ପିଲା ମୋ ପେଟରେ. ଏବେ ଏସବୁ ବନ୍ଦ. ବାବୁ ମୁଣ୍ଡରେ ଚଡକ. ସେପଟେ ଛୁଟି ନେଇ ସ୍ନିଗ୍ଧାର ହାତ ଧରିବାକୁ ଯିବାକୁ ପଡିବ. ବାବୁ ସବୁ ସତ କହି ଯେତେ ନେହୁରା ହେଲେ ବି ଫୁଲ ଶୁଣୁନଥିଲା. ପାହାଡି ବଣ ଝରଣା ପରି ନାଚି ଯାଉଥିଲା.ପୁଣି ଦୋହରାଇଲା କଥା ବାବୁ ପିଲାଟାକୁ ନଷ୍ଟ କରିବାକୁ. ଫୁଲକୁ ଯେତେ ନେହୁରା ହେଲେ ମଧ୍ୟ ସେ କଥାଟା ରାଷ୍ଟ୍ର କରିଦେଲା. ସମସ୍ତ ବାପ ଭାଇ, ସାହି ପଡୋଶୀ ଓ ଦଳପତି ତଥା ଦଳପତିଙ୍କ ପୁଅ ପଦିଆ ପହଁଞ୍ଚି ନ୍ୟାୟ ନିଶାପ ପରେ ଫୁଲ ମୁଣ୍ଡରେ ସିନ୍ଦୂର ଦେବାକୁ ବାଧ୍ୟ କଲେ ତ ବାଧ୍ୟ ବାଧ୍ୟକତାରେ ଆଦି ଆଦିବାସୀ କୂଳ ଦେବୀଙ୍କ ନିକଟରେ ଫୁଲ ମୁଣ୍ଡରେ ସିନ୍ଦୁର ଦେଲା ଓ ଫୁଲ ଓଢଣା ଟାଣି ବାବୁ ଆଦିତ୍ୟଙ୍କୁ ମୁଣ୍ଡିଆ ମାରିବା ସଙ୍ଗେ ସମସ୍ତଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ଆଦି ବଦଳି ଅର୍ଡର ପାଇ ଖୁସିରେ ନାଚୁଥିଲା ତ ସମସ୍ତେ ଭାବୁଥିଲେ ଆଦି ଫୁଲକୁ ପାଇ ଖୁବ ଖୁସି. ସହରକୁ ଗଲା ପରେ ଫୁଲ ଚାହିଁଥିଲା ତା ଫେରିବା ବାଟକୁ କିନ୍ତୁ ନିସ୍ତାର ପାଇ ଆଦିର ହାତଗଣ୍ଠି ପଡୁଥିଲା ସ୍ନିଗ୍ଧା ସହ ସହର କେଉଁ ଏକ ବର୍ଣ୍ଣାଢ୍ୟ ହୋଟେଲରେ. ଭାବୁଥିଲା ଆଦି ଫୁଲ ପରି ଝିଅ ମାନେ କାହିଁକି ଯେ ଆତ୍ମହତ୍ୟା କରନ୍ତି ନାହିଁ!ସେପଟେ ଫୁଲ ପେଟର ଛୁଆ ବାହାର ଦୁନିଆଁକୁ ଆସି କୁଆଁ କୁଆଁ କହି ନିଜ ଅସ୍ତିତ୍ୱ ସାବ୍ୟସ୍ତ କଲାବେଳେ ଏପଟେ ଆଦି ସ୍ନିଗ୍ଧା ସହ ବାସର ରାତି ମାନାଉଥିଲା ବେଳେ ସ୍ନିଗ୍ଧା କହୁଥିଲା ଶୁଣିବାକୁ ମିଳୁଥିଲା ତୁମର କାଳେ ସେ ଉତ୍ତରମେରୁ ଅଞ୍ଚଳର କୋଉ ଆଦିବାସୀ ଝିଅ ସହ ଚକ୍କର ଚାଲିଛି. ଶେଷକୁ ମତେ ଆତ୍ମହତ୍ୟାର ପଥ ବାଛିନେବାକୁ ପଡିଥାଆନ୍ତା.
ଆତ୍ମହତ୍ୟା ଏକ ଜଘନ୍ୟ ଅପରାଧ. ଯେଉଁଠି ଅପରାଧି ମୃତ ସେଠି ଆଇନ ସିନା କିଛି କରିପାରେନା କିନ୍ତୁ ସ୍ରଷ୍ଟାଙ୍କ ଦରବାରରେ ତାହାର ବିଚାର ହୁଏ. ବିହି ଲେଖିଥିବା ବହିକୁ ମିଛ ସାବ୍ୟସ୍ତ କରି ମୃତ୍ୟୁ ବୟସ ପୂର୍ବରୁ ମୃତ୍ୟୁ ବରଣ କରିଥିବାରୁ ବହି ପୃଷ୍ଠା ସବୁକୁ ଓଲଟ ପାଲଟ କରି ଅସନ୍ତୁଷ୍ଟ ଭଗବାନ ତାକୁ ମଣିଷ ଯୋନି ବଦଳରେ ପଶୁ ଯୋନିରେ ଜନ୍ମ ହେବାକୁ ଦିଅନ୍ତି ଥରକୁ ଥର, ଅନେକ ଥର. ସ୍ନିଗ୍ଧା କହୁଥିଲା ମରିବା ପରେ କିଏ କଣ ଜାଣିବ ଯେ!ଆଦି ପାଟିରୁ ଖସିଗଲା ଶବ୍ଦ କେଇଟି.କାଶ! ଫୁଲ ଏକଥା ବୁଝିଥାଆନ୍ତା! ଫୁଲ କିଏ ପ୍ରଶ୍ନରେ ଆଦି କହୁଥିଲା ଫୁଲ ଦେଖିନ!ଆମର ଏପଟେ ଟଗର, ଯାଇ, ଜୁଇ, ମଲ୍ଲୀ, ହେନା, ଗୋଲାପ, କଇଁ ପରି ଅନେକ ସୁନ୍ଦର ଫୁଲ କିନ୍ତୁ ଉତ୍ତର ମେରୁର ସେଇ ଆଦିବାସୀ ପରିବେଷ୍ଟିତ ଅଞ୍ଚଳରେ ଖାଲି କାକଟସ. ତଥାପି ସ୍ନିଗ୍ଧା କହୁଥିଲା କାହିଁକି ଗୁରେଇ ଓ ଅଳସୀ ଫୁଲ ସବୁ ତ ଖୁବ ସୁନ୍ଦର. ତୁମେ ଜାଣ ଆଦି. ମୋର ସେଇପଟ ଅଞ୍ଚଳକୁ ବଦଳି ହୋଇଯାଇଛି. ଚମକି ପଡିଲା ଆଦି. ଅଫିସରୁ ସେକ୍ରେଟାରୀ ପର୍ଯ୍ୟନ୍ତ ଧାଇଁଲା କିନ୍ତୁ ସବୁ ବୃଥା. ଆଦି ଭାବୁଥିଲା ସରଳ ଆଦିବାସୀ ଝିଅଙ୍କୁ ଗରଳ ପିଆଇଲେ ଅବସ୍ଥା ବୋଧେ ଏମିତି!