ଜୟନ୍ତୀ ଦିଦି
ଜୟନ୍ତୀ ଦିଦି


ଆଜି ଜୟନ୍ତୀ ଦିଦିଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷୟତ୍ରୀ ପୁରସ୍କାର ଦ୍ଵାରା ସମ୍ମାନିତା କରାଯାଇଛି । ସମ୍ପୂର୍ଣ୍ଣ ବିଦ୍ୟାଳୟ ଓ ତାଙ୍କର ସହରର ସମସ୍ତଙ୍କ ମୁହଁରେ ତାଙ୍କର ଭୂରି ଭୂରି ପ୍ରଶଂସା । ବିଦ୍ୟାଳୟ ପ୍ରସିଦ୍ଧି ଲାଭ କରିଛି ତାଙ୍କରି ସକାଶେ । ବିଦ୍ୟାଳୟ ପ୍ରାଙ୍ଗଣରେ ପତ୍ରକାରଙ୍କ ଗହଳି । ସମସ୍ତେ ତାଙ୍କର ସାକ୍ଷାତକାର ନେବାପାଇଁ ଉଦ୍ଗ୍ରୀବ , ଯତ୍ନଶୀଳ ।
ମଞ୍ଚରୁ ତଳକୁ ଓହ୍ଲାଇଲେ ଜୟନ୍ତୀ ଦିଦି । ପ୍ରଶାନ୍ତ ମୂଖମଣ୍ଡଳ , ଚେହେରାରେ ନାହିଁ ଲେଶମାତ୍ର ଅଭିମାନ । ଜଣେ ପତ୍ରକାର ହାବୁଡି଼ଗଲା ତାଙ୍କୁ ।
- ପ୍ରଣାମ , ବେଶି ପ୍ରଶ୍ନ ପଚାରି ଆପଣଙ୍କୁ ଅଯଥା କଷ୍ଟ ଦେବିନାହିଁ । କେବଳ ଗୋଟିଏ ପ୍ରଶ୍ନ । ଆପଣଙ୍କର ଏ ଅସାମାନ୍ୟ କୃତିତ୍ବର ପ୍ରେରଣା କିଏ , ଆପଣ ଏହାର ଶ୍ରେୟ କାହାକୁ ଦେବାକୁ ଚାହାନ୍ତି ?
- ମୋର ସ୍ବାମୀ ସୁଧାଂଶୁ ଶେଖର । ଅନାୟାସରେ ତାଙ୍କ ମୁହଁରୁ ବାହାରି ଗଲା ।
ଆଶ୍ଚର୍ଯ୍ୟ ହୋଇଗଲା ଦିଦିଙ୍କର ପୂର୍ବତନ ଛାତ୍ର ତଥା ତାଙ୍କର ଏକମାତ୍ର ପୁତ୍ର ସମ୍ବିତ ଶେଖର । ମୁହଁ ତଳକୁ କରି ବାହାରି ଆସିଲା ।
*****
- ମାଆ , ତୁମେ ବାପାଙ୍କ ନାମ କିପରି ନେଇ ପାରିଲ ? ତୁମକୁ ଏହି ସ୍ଥାନରେ ପହଞ୍ଚାଇବାର ସମସ୍ତ ଶ୍ରେୟ ତ ଯାଉଛି ଅଜାଙ୍କୁ । ଅଥଚ ବାପା , ଯିଏ ତୁମକୁ ଅଯୋଗ୍ୟା , ଗାଉଁଲି ବୋଲି କହି ଆଉ ଜଣକ ସାଥିରେ ସମ୍ବନ୍ଧ ରଖି ତୂମକୁ ଦୁଇଟା ଛୋଟ ଛୁଆ ସହିତ ପରିତ୍ୟକ୍ତା କରି ବେସାହାରା ଛାଡ଼ିଦେଲେ ତାଙ୍କୁ ପୁଣି ନିଜର ପ୍ରେରଣାର ଉତ୍ସ ବୋଲି କହୁଛ ? ଆଇ ସିମ୍ପଲି ହେଟ ଦେଟ ପର୍ସନ । କ୍ରୋଧ ଓ ଅଭିମନରେ ଗୁମୁରି ଉଠୁଥିଲା ସମ୍ବିତର ମନ ।
- ତୋତେ କିଏ କହିଲା କେବଳ ସକାରାତ୍ମକ ପ୍ରେରଣାରୁ ଜଣେ ଆଗକୁ ବଢ଼ିପାରେ ବୋଲି , ନକାରାତ୍ମକ ପ୍ରେରଣାର ପ୍ରଭାବ ମଧ୍ୟ ଥାଏ ବାପା , ଯାହାକି ମୁଁ ତୋର ବାପାଙ୍କ ଠାରୁ ପାଇଥିଲି ।
- ତୁମେ ତାଙ୍କୁ ବାରମ୍ବାର ମୋର ବାପା ବୋଲି କହିବା ବନ୍ଦ କର ପ୍ଲିଜ ।
ମଝିରୁ କଥା କାଟିଲା ସିଏ ।
ମଉଳି ଯାଉଥିବା ହସଟିଏ ଯୋର ଜବରଦସ୍ତି ଓଠକୁ ଟାଣି ଆଣି କହିଲେ ଜୟନ୍ତୀ ଦିଦି ।
- ତୁ ମନା କଲେ କଣ ତୋର ଜିନ୍ ବଦଳି ଯିବ ? ତୋର ବାପା ଭୁଲ କହିନଥିଲେ ତ । ମୁଁ କଣ ଅପାଠୋଇ , ଗାଉଁଲି ନଥିଲି ? ନଥିଲି ସତରେ ତ ତୋ ବାପାଙ୍କ ସହଧର୍ମିଣୀ ହେବାପାଇଁ ଯୋଗ୍ୟ । ତୋର ବାପାଙ୍କ ଏଇଆ ଭୁଲ ଥିଲା ଯେ ବିବାହ ପୂର୍ବରୁ ମୋର ସାର୍ଟିଫିକେଟ ଦେଖିନଥିଲେ । ସେଥିରେ ଅଜାଙ୍କର ମଧ୍ୟ କମ୍ ଭୁଲ ନଥିଲା । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇ ଥିଲେ । ମୋର ପାଠ ବିଷୟରେ ମିଥ୍ୟା ସୂଚନା ଦେଇଥିଲେ । ଏହା ଅବଶ୍ୟ ଠିକ ଯେ ମୋର ରୂପ ଲାବଣ୍ୟ ଆଗରେ ଯୋଗ୍ୟତା ହାର ମାନିଥିଲା ତୋର ବାପା ଓ ତାଙ୍କର ମାତାପିତାଙ୍କ ଆଗରେ ।
ମୁଣ୍ଡ ତଳକୁ କରି ଶୁଣୁଥିଲା ସମ୍ବିତ ।
- ବାପା , ଭାବିଦେଖ ଯଦି ତୋର ବାପା ମୋତେ ପରିତ୍ୟାଗ କରି ନଥାନ୍ତେ ତେବେ କଣ ମୁଁ ଏ ସ୍ଥାନରେ ଥାଆନ୍ତି କି ? କଦାପି ନୁହେଁ । ମୋ ପାଇଁ ପଦ ,ପ୍ରତିଷ୍ଠା ,ସମ୍ମାନ ସବୁ ଆକାଶ କୁସୁମ ହୋଇରହିଥାନ୍ତା । ତୁ ଜାଣିଥିବୁ ଆବିଷ୍କାରର ଜନନୀ ହେଉଛି ଆବଶ୍ୟକତା । ଆଉ ମୁଁ ଯଦି ବାଧ୍ୟ ବାଧକତାରେ ପଡ଼ି ନଥାନ୍ତି ତେବେ ମୁଁ ନା ଆଗକୁ ପଢି଼ଥାନ୍ତି ନା ଆଗକୁ ବଢ଼ି ଥାଆନ୍ତି ।
ତାଙ୍କର ସମକକ୍ଷ ହେବାର ନିଶାରେ ହିଁ ତ ମୁଁ ଅସମ୍ଭବକୁ ସମ୍ଭବ କରି ପାରିଛି । ନିଜର ଏକ ସ୍ଵତନ୍ତ୍ର ପରିଚୟ ଦେଇଛି ଦୁନିଆକୁ । ଯାହା ପାଇଁ ତୁମେମାନେ ଆଜି ଗର୍ବ କରୁଛ । ଅଦୃଷ୍ଟ ନିର୍ଧାରିତ କରିସାରିଥିଲା ମୋର ଲକ୍ଷ୍ୟ । ସେଥିରେ କେବଳ ନିମିତ୍ତ ଥିଲେ ତୋର ବାପା । ତେଣୁ ତାଙ୍କର ଅମଙ୍ଗଳ କେବେହେଲେ ମୋର କାମ୍ୟ ନୁହେଁ । ତୁ ମଧ୍ଯ କୁମତ ପୋଷଣ କରିବା ଠିକ କଥା ନୁହେଁ । ବରଂ କୃତଜ୍ଞ ହେବା ଉଚିତ ।
ହଠାତ ମୋବାଇଲରେ ଅଜଣା ନମ୍ବରରୁ କଲ୍ ଆସିଲା ।
ସମ୍ବିତ କହୁଥିଲା ,
- କିଏ ? ବାପା ? ଥେନ୍କ୍ୟୁ । ହଁ ହଁ , ମାଆଙ୍କୁ ଦେଉଛି ।