ଜନ୍ମଦିନର ଚିଠି
ଜନ୍ମଦିନର ଚିଠି


ନଭିମୁମ୍ବାଇ
୯-୮-୨୦୨୦
ମୋର ଆଦରର ମାମଲୁ,
ଗେଲହି ଟା ତୁ ମୋର । ତୋତେ ଟିକେ ଗେହ୍ଲେଇ କି କଥା ହେଲେ ଏଠି ତୋ ଦିଦି ମାନେ କୁହନ୍ତି କଣ ମମି ସବୁ ଗେହ୍ଲ ମାମଲୁକୁ । ଆମ ପାଇଁ କିଛି ରଖ । ତୁ ତ ସେମାନଙ୍କ କଥା ଜାଣିଛୁ, ପୁଣି କେତେବେଳେ ଫୋନରେ ତୋତେ ଏଇ ଦୁଷ୍ଟ କହି କନ୍ଦେଇବେ ।
ଆଜି ତୋତେ ଚାରି ବର୍ଷ ପୁରିଲା । ଦେଖୁ ଦେଖୁ ଦିନ କୁଆଡେ ଚାଲିଯାଉଛି । କାଲି ପରି ଲାଗୁଛି ତୁ ଜନ୍ମ ହେଲୁ, ସଙ୍ଗେ ସଙ୍ଗେ ମୋ ପାଖକୁ ଫୋଟୋ ପଠେଇଲେ । ମୁଁ ଖୁସିରେ ମଜ୍ଜିଗଲି ଯେ ବଡ଼ ପିଉସୀ ହୋଇଗଲି । ପ୍ରଥମ ଥର ଫେସବୁକରେ ଫଟୋ ପୋଷ୍ଟ କଲି । ସେଦିନ ଆଜି ମଧ୍ୟ ମନେ ଅଛି ତୁ ଦୁଇ ବର୍ଷର ହୋଇଥାଉ, ତୋ ଦିଦି ସହ ମୁଁ ଯାଇଥିଲି । ତୁ ବ୍ୟସ୍ତ ହୋଇ କହିଲୁ ମୋ ଜିନିଷ କୋଉ ବେଗରେ ଅଛି କୁହ, ନହେଲେ ମୁଁ ନିଜେ ଖୋଲିଦେବି । ସମସ୍ତେ ଜୋର ଜୋରରେ ହସିଲେ ।
ତୋ ଚାରି ବର୍ଷର ଜନ୍ମଦିନରେ ସମସ୍ତେ ନିଜ ନିଜ ଘରେ ଗୃହ ବନ୍ଦୀ ଥିଲା ବେଳେ ତୁ ନିଜେ ସବୁ ପିଉସୀ ଅଜା ଆଈ ମାମୁ ମାଇଁଙ୍କୁ ଫୋନ କରି ଡାକିଲୁ । ଘରେ ମାଆର ହାତ ତିଆରି କେକ କାଟି ଜନ୍ମଦିନ ପାଳିଲୁ । ମୁ ତତେ ଫୋନରେ କହିଲି ହାପିପି ବାର୍ଥ ଡେ ଆରାଧ୍ୟ, ତୁ ଚଟାପଟ କହିଲୁ ନାନୀ ଆରାଧ୍ୟ କଣ ମାମଲୁ କୁହ । ତୁ ଜାଣିଛୁ ଘରେ ତୋତେ କେହି ମାମଲୁ ଡାକନ୍ତିନି ଖାଲି ମୁଁ ଆଉ ତୋ ଦିଦିମାନଙ୍କ ଛଡା । ମୁଁ ତୋ କଥା ଶୁଣି ଆଶ୍ଚର୍ଯ୍ୟ ହେଲି ଯେ ତୁ ସେଇ ନାଁ ଟା ଏତେ ଭଲ ପାଉ । ମୋତେ ତୋ ଜନ୍ମଦିନର ପୁରା ଖୁସି ସେଇ କଥା ପଦକରେ ମିଳିଗଲା ଏତେ ଦୂରରୁ ।
ସବୁବେଳେ ଖୁସିରେ ରହିଥା । ବଡ଼ମାନଙ୍କ କଥା ମାନି ଚଳିବୁ । ତୋର ମଙ୍ଗଳ ପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରି ରହୁଛି ।
ଇତି ତୋର ବଡ଼ ନାନୀ