ଜଙ୍ଗଲ ନିଆଁ
ଜଙ୍ଗଲ ନିଆଁ
ଝିଲିମିଲି ଜଙ୍ଗଲ, ନାଆଁଟା ଯେପରି ଦେଖିବାକୁ ଠିକୀ ସେପରି l ଜଙ୍ଗଲର ସବୁଜ ରଙ୍ଗର ଗଛଗୁଡିକ ନିଜର ଶାଖା ମେଲାଇ ପବନର ତାଳେ ତାଳେ ନାଚୁଥାନ୍ତି ଅନବରତ l ଆଉ କିଛି ଗଛ ଆକାଶକୁ ଛୁଇଁବାର ପ୍ରୟାସ ନିଜ ଭିତରେ ଜାରି ରଖନ୍ତି l ଚଢେଇମାନଙ୍କ କିଚିରିମିଚିରି ଶବ୍ଦ କୌଣସି ସଂଗୀତ ଠାରୁ କମ୍ ନଥାଏ l ବର୍ଷା ରାଣୀ ଖୁବ୍ ଭଲପାଏ ଏ ଜଙ୍ଗଲକୁ ସେଥିପାଇଁ ବର୍ଷି ଯାଏ ମନଭରି l ଝରଣାର କୂଳୁକୂଳୁ ଶବ୍ଦ ପଶୁମାନଙ୍କୁ କିମିଆ କରି ପାଖକୁ ଡାକେ ତା ଶୀତଳ ପାଣିକୁ ପିଇବାକୁ l କାହିଁ କେଉଁ କାଳରୁ ଜଙ୍ଗଲରେ ବାସ କରୁଥିବା ପଶୁ ପକ୍ଷୀମାନଙ୍କ ମଧ୍ୟରେ ଅନାବିଳ ସ୍ନେହମମତା ପରସ୍ପର ଭିତରେ ଭରି ରହିଛି l ସମସ୍ତେ ଏଠାରେ ଏକ ପରିବାର ଭଳି ଜୀବନ ଅତିବାହିତ କରୁଥାନ୍ତି l
ସୁଦର୍ଶନ ନାମକ ହାତୀଟିଏ ଝିଲିମିଲି ଜଙ୍ଗଲରେ ରହୁଥାଏ l ପିଲାବେଳୁ ସେ ତା ବାପା ମାଆଙ୍କୁ ହରାଇ ସାରିଛି l କିନ୍ତୁ ଅନାଥ ବୋଲି ନିଜକୁ କେବେ ଭାବିନି l ଅନ୍ୟ ପଶୁ ପକ୍ଷୀମାନେ ଖୁବ୍ ଶ୍ରଦ୍ଧା କରନ୍ତି ସୁଦର୍ଶନକୁ l କାହିଁକିବା ନକରିବେ, ପରପୋକାରୀ ସେ ..... କାହାର ଦୁଃଖ ଦେଖିଲେ ସହି ପାରେନି l ସେଥିପାଇଁ ସମସ୍ତଙ୍କ ଗେହ୍ଲା l
ମନ୍ଦବୁଦ୍ଧି ନାମକ ହେଟାବାଘଟି ଠିକ୍ ସୁଦର୍ଶନର ବିପରୀତ ଥିଲା l ସମସ୍ତଙ୍କ ମନ୍ଦ ପାଞ୍ଚିବା ତାର କାମ l ସେ ସୁଦର୍ଶନକୁ ଆଡଆଖିରେ ବି ଦେଖି ପାରେନି l ସବୁ ସମୟରେ ସମସ୍ତଙ୍କୁ ନୀଚା ଦେଖାଇବା, ହଇରାଣ କରିବା ତାର ପ୍ରଧାନ କାମ l ତାକୁ ଗୋଟେ ଶବ୍ଦରେ କହିଲେ.... "ସ୍ୱାର୍ଥପର" l
ଏଥର ସୂର୍ଯ୍ୟଙ୍କ ତାପଟା ପ୍ରଚଣ୍ଡ ଅଛି, ସମସ୍ତେ ଗଛର ଛାଇରେ ଶୋଇରହିବାକୁ ଚାହୁଁଥାନ୍ତି l ସତେଯେପରି ବର୍ଷା ରାଣୀ ଅଭିମାନ କରି ଅନେକ ଦିନରୁ ଆସିନି l ସବୁ ପଶୁ ପକ୍ଷୀ ଝରଣା କୂଳରେ ଠୁଳ ହେଉଛନ୍ତି l ଝରଣାରୁ ବି ଆଗଭଳି ପାଣି ଝରୁନି l ସମସ୍ତେ ନିଜ ଭିତରେ ପାଣିକୁ ନେଇଁ ଗଣ୍ଡଗୋଳ କରିବାରେ ଲାଗିଲେଣି l ସୁଦର୍ଶନ ଦେଖୁଛି, ତା ଆଖି ସାମ୍ନାରେ ଧୀରେ ଧୀରେ ଝିଲିମିଲିର ଚେହେରା ବଦଳୁଛି l
ଅଧିକ ଉତ୍ତାପରେ ସମସ୍ତେ ଅସ୍ତବ୍ୟସ୍ତ l ରାତିର ଘନଅନ୍ଧକାର ଭିତରେ, ଚାରିଆଡ ଆଲୋକ ମୟ ହୋଇଗଲା l ଶୋଇଥିବା ପଶୁପକ୍ଷୀ ଆଖି ଖୋଲି ଚାହିଁଲେ l ଗଛଉପରେ ବସିଥିବା ବୁଢ଼ା ଶାଗୁଣାଟି କହିଲା ........" ରକ୍ଷା କର ଭଗବାନ ରକ୍ଷା କର, କେହି ବଞ୍ଚିବେନି ..... ଜଙ୍ଗଲରେ ନିଆଁ ଲାଗିଯାଇଛି, ସବୁ କିଛି ଜାଳିଦେବ, କିଛି ରଖିବନି " l
ଗଛ ତଳେ ଶୋଇଥିବା ସୁଦର୍ଶନ ଉଠିପଡ଼ି ନିଆଁ ଲାଗିଥିବା ଦିଗକୁ ଦୌଡିବାକୁ ଲାଗିଲା l ବୁଢା ଶାଗୁଣା ପଛରୁ ଯେତେ ଡାକିଲା କିନ୍ତୁ ସୁଦର୍ଶନ ବୁଲି ଚାହିଁଲାନି l ସୁଦର୍ଶନ ଦେଖିଥାଏ ସବୁ ପଶୁ ଦୌଡ଼ିବାରେ ଲାଗିଛନ୍ତି, ସମସ୍ତେ କହୁଥାନ୍ତି " ବଞ୍ଚାଅ.. ବଞ୍ଚାଅ.... ଦୌଡ଼ ଦୌଡ଼... "l କିନ୍ତୁ କେହି ଥରେଟେ ବି ଜଙ୍ଗଲ କଥା ଭାବୁ ନଥାନ୍ତି l ସୁଦର୍ଶନ କିଛି ବୁଝିପାରୁ ନଥାଏ, ନିଜର ଶୁଣ୍ଢ ଟେକି ଗର୍ଜନ କଲା l ତା ଗର୍ଜନରେ ସମସ୍ତ ପଶୁ ପକ୍ଷୀ କିଛି ସମୟ ପାଇଁ ସ୍ଥିର ହୋଇଗଲେ l ସୁଦର୍ଶନ ସମସ୍ତଙ୍କୁ ବିନତି କଲା ଏପରି ଜଙ୍ଗଲ ଛାଡି ନଯିବାକୁ l
ଭିଡ ଭିତରୁ ମନ୍ଦବୁଦ୍ଧି ବାହାରି ଆସି ପରିହାସ ଛଳରେ ପଚାରି ବସିଲା............. " ଜଙ୍ଗଲ ଛାଡି ଯିବୁନି ????? ଆଉ କଣ ଚାହିଁ ବସିବୁ ନିଆଁରେ ପୋଡି ହୋଇ ମରିବାକୁ l ଚାଲ ସମସ୍ତେ ଚାଲ, ଏ ଏକା ପଡ଼ିଥାଉ.....କିଛି ସମୟ ନିଆଁ ଦେଖିଲା ପରେ ଡ଼ରିକି ଆମ ପଛରେ ଆସିଯିବ ଚାଲ ସମସ୍ତେ ଆଗକୁ ବଢ଼... " l
ସୁଦର୍ଶନ ଏବେ କାହାକୁ କିଛି ନକହି ପାଖରେ ଥିବା ଝରଣା ପାଖକୁ ଦୌଡିବାକୁ ଲାଗିଲା..... ନିଜ ଶୁଣ୍ଢରେ ପାଣି ଆଣି ନିଆଁକୁ ଫିଙ୍ଗିଲା l ହାତୀର ଏପରି କାର୍ଯ୍ୟରେ ହେଟାବାଘ ଜୋରେ ଜୋରେ ହସିବାରେ ଲାଗିଲା l କିନ୍ତୁ ହାତୀକୁ କିଛି ଫରକ ପଡିଲାନି l ସେତା କାର୍ଯ୍ୟରେ ଲିପ୍ତ ରହିଲା l ହେଟାବାଘର ହସ ଶୁଣି କିଛି ପଶୁ ବୁଲି ଚାହିଁଲେ, ଓ ହାତୀର ଏପରି କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି l ଏପରି କିଛି ସମୟ ଦେଖିବା ପରେ ହାତୀ ସହ ବୁଢା ଶାଗୁଣା ଯାଇଁ ତା ଥଣ୍ଟରେ ପାଣି ଆଣି ନିଆଁକୁ ଫିଙ୍ଗିଲା l ହେଟାବାଘ ଏ ସବୁ ଦେଖି ହସି ହସି ତଳେ ଗଡିଗଲା, ଓ ଜୋର ଜୋର କହିବାକୁ ଲାଗିଲା " ପାଗଳ ହୋଇଗଲେ ଏ ଦୁଇଜଣ ଦେଖରେ ଦେଖ "l
ହାତୀ ଓ ବୁଢ଼ା ଶାଗୁଣାର ଏପରି କାମ ଦେଖି ଅନ୍ୟ ପକ୍ଷୀ ପଶୁ ନିଜକୁ ସମ୍ଭାଳି ପାରିଲେନି, ସମସ୍ତେ ଆସି ଯୋଗଦେଇ ନିଆଁରେ ପାଣି ପକାଇବାରେ ଲାଗିଥାନ୍ତି l ଦୂରରୁ କିଏ ଚିତ୍କାର କରିବାର ଶୁଣାଗଲା, ମନ୍ଦବୁଦ୍ଧିର ଛୋଟ ଛୁଆଟି ଖେଳୁ ଖେଳୁ କେତବଳେ ନିଆଁ ଭିତରକୁ ଚାଲି ଯାଇଛି l ମନ୍ଦବୁଦ୍ଧି ମୁଣ୍ଡ ବାଡେଇ କାନ୍ଦିବାରେ ଲାଗିଲା, ନିଜ ଛୁଆକୁ ବଞ୍ଚାଇବାକୁ ଆକୁଳ ନିବେଦନ କରୁଥାଏ ସମସ୍ତଙ୍କୁ l କିନ୍ତୁ କେହି ତା କଥା ଶୁଣୁନଥାନ୍ତି ସମସ୍ତେ ନିଆଁ ଲିଭାରେ ମାତିଥାନ୍ତି l ସୁଦର୍ଶନ ଆଗପଛ ଚିନ୍ତା ନକରି ନିଆଁକୁ ଡେଇଁପଡ଼ିଲା l ସମସ୍ତେ ହାଁ..... ହାଁ... କରୁଥାନ୍ତି l କିଛି ସମୟ ପରେ ସୁଦର୍ଶନ ନିଜ ଶୁଣ୍ଢରେ ହେଟାବାଘ ଛୁଆକୁ ଧରି ନିଆଁ ଭିତରୁ ବାହାରିଲା l ଛୁଆଟିର କିଛି ହୋଇ ନଥାଏ କିନ୍ତୁ ସୁଦର୍ଶନର ଶରୀର ନିଆଁରେ ଅଧାପୋଡି ଯାଇଥାଏ l ସେତବେଳକୁ ସମସ୍ତଙ୍କ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରିସାରିଥାନ୍ତି l ସୁଦର୍ଶନ ନିଆଁ ଲିଭିବାର ଦେଖି ବହୁତ ଖୁସି ହେଲା, ଓ ନିଆଁରେ ଶରୀର ଜଳିଯାଇଥିବା ହେତୁ କଷ୍ଟରେ ବେହୋସ ହୋଇ.... ପଡିଗଲା l
ତିନିଦିନ ପରେ ସୁଦର୍ଶନର ଚେତା ଆସିଲା, ଆଖି ଖୋଲି ଦେଖେତ ସମସ୍ତ ପଶୁ ପକ୍ଷୀ ତାକୁ ବେଢ଼ି ବସିଛନ୍ତି l ମନ୍ଦବୁଦ୍ଧି ପୋଡା ଘାରେ ପତ୍ରରସ ଦେଉଥାଏ l ସୁଦର୍ଶନ ପଚାରିଲା........ " ନିଆଁ ଲିଭିଲା... ? l
ବୁଢା ଶାଗୁଣା ଉତ୍ତର ଦେଲା.......... " ଜଙ୍ଗଲର ନିଆଁ ଲିଭାଇବାକୁ ଝରଣା ପାଣି ସବୁ ବିନିଯୋଗ ହୋଇଯାଇଛି l ପାଣି ମୁନ୍ଦାଏ ନାହିଁ ପିଇବାକୁ l ଦେଖିବା ଆଗକୁ କଣ କରିବା, ପ୍ରଥମେ ଠିକ୍ ହୋଇଯା l ତୁ ପଡିବା ଦିନରୁ ଏ ମନ୍ଦବୁଦ୍ଧି ତତେ ଦିନରାତି ଜଗି ବସି, ତୋ ସେବା କରୁଛି l ସବୁ ଠିକ୍ ହୋଇଯିବ, କେହି ଚିନ୍ତା କରନି l " l
ବୁଢା ଶାଗୁଣାର ପାଟିରୁ କଥା ସରିଛିକି ନାହିଁ, ବର୍ଷାରାଣୀ ମାଡି ଆସିଲା l କୁହୁଳୁ ଥିବା ଜଙ୍ଗଲର ନିଆଁକୁ ଶୀତଳ କରିଦେଲା, ଝରଣା ପାଣି ଜୋରେ ବୋହିବାକୁ ଲାଗିଲା l ସବୁ ପଶୁପକ୍ଷୀ ଆନନ୍ଦରେ ନାଚିବାକୁ ଲାଗିଲେ l
ଧୀରେ ଧୀରେ ସୁଦର୍ଶନ ଠିକ୍ ହୋଇଗଲା l ଜଙ୍ଗଲ ପୁନଃ ସବୁଜ ରଙ୍ଗରେ ସଜେଇ ହୋଇ ଝିଲିମିଲି କଲା l ମନ୍ଦବୁଦ୍ଧି ନିଜକୁ ପରିବର୍ତନ କରିସାରିଥାଏ l ବର୍ତ୍ତମାନ କେଉଁ ପଶୁପକ୍ଷୀ ନିଜର ପିଲାମାନଙ୍କୁ ବନ୍ଧୁତାର ଉଦାହରଣ ଦେଲେ ପ୍ରଥମେ ହାତୀ ଓ ହେଟାବାଘ କଥା କୁହନ୍ତି l
*************
[ ପିଲାଙ୍କ ପାଇଁ ପଦେ.......
(ଜଙ୍ଗଲରେ ନିଆଁ ଲାଗିବା ପାଇଁ ତିନୋଟି ଜିନିଷ ଦରକାର ହୋଇଥାଏ..... ଇନ୍ଧନ, ଅମ୍ଳଜାନ ଏବଂ ଉତ୍ତାପ l ଗ୍ରୀଷ୍ମଋତୁରେ ଅତ୍ୟଧିକ ଉତ୍ତାପ ହେତୁ ନିଆଁ ଲାହିଥାଏ l କେବେ କେବେ ଜଙ୍ଗଲରେ ନିଆଁ ପ୍ରାକୃତିକ କାରଣରୁ ବି ଲାଗିଥାଏ, ଯେପରି "ବିଜୁଳି" l ଜଙ୍ଗଲରେ ଅଗ୍ନିକାଣ୍ଡର ଅଧିକାଂଶ ଘଟଣା ମନୁଷ୍ୟ ଦ୍ୱାରା ଘଟିଥାଏ ଯେପରିକି ଅଗ୍ନି, କ୍ୟାମ୍ପଫାୟାର, ଲିଭିନଥିବା ସିଗାରେଟ୍ ଫିଙ୍ଗିବା, ବର୍ଜ୍ୟବସ୍ତୁ ଜାଳିବା, ମ୍ୟାଚିସରେ ଖେଳିବା କିମ୍ବା କୌଣସି ନିଆଁ ଲାଗୁଥିବା ଜିନିଷ ସହିତ ଖେଳିବା l ଏ ସବୁ ଅସାବଧାନତା ଯୋଗୁ ବଡ ବିପଦ ମାଡିଆସେ l ଜଙ୍ଗଲ ନଷ୍ଟ ହେଲେ ଅମେ ବି ନଷ୍ଟ ହୋଇଯିବା l )]
***ସମାପ୍ତ ***
