Satyabati Swain

Inspirational

4  

Satyabati Swain

Inspirational

ଜିଲାପି ବାଲୀ

ଜିଲାପି ବାଲୀ

10 mins
422



ଏ ଦରନିଦ ରାତିରେ ଏତେ ଅଶ୍ୱସ୍ତ ବୋଧ କଣ ପାଇଁ ?ବିଲକୁଲ ଶୋଇ ପାରୁ ନଥିଲି। କଡ଼ ଲେଉଟାଉ ଥିଲି ବାରମ୍ବାର । ଯେତେ ଆଖି ବୁଜି ପଡିଲେ ବି ନିଦ ନାହିଁ ଆଖିକୁ ?


ମାଆ କହିଲା, କଣ କି ଲିଜୁ ? ଶେଜ ଧରୁ ଧରୁ ଶୋଇ ପଡୁ ।ଆଜି ଏତେ ଅସ୍ତ ବ୍ୟସ୍ତ ହେଉଛୁ ? ଦେହ କଣ ହେଉଛି କି ? ପାଦ ଘଷି ଦେବି କହି ମାଆ ମୋ ଦେହ ଓ ଗୋଡ଼ ଆଉଁସି ବାକୁ ଲାଗିଲା। ନିଦରେ ଶୋଇ କେବେ କେବେ ଛାଟି ପିଟି ହେଲେ ମାଆ ଦେହ ଗୋଡ଼ ଆଉଁସି ଦେଲେ ମୋତେ ନିଦ ହୋଇଯାଏ।


କଅଁଳ ବୟସରୁ ଗୋରୁଙ୍କ ପରି ଖଟଣି କରେ ଏବଂ ଆଉ ଦଶଟି ଝିଅଙ୍କ ପରି ହେଲା ଗେହ୍ଲା ହେବା ଦଇବ ମୋ କପାଳରେ ଲେଖିନି ବୋଲି ମାଆ ମନ ଭାରି କଷ୍ଟ।ସେଇଥିପାଇଁ ଟିକେ କଣ ହେଲେ ମାଆ ଚମକି ପଡେ କାଳେ କଣ ହେଲା ଭାବି। 


ଦେହ ଫେହ ମୋର କିଛି ହେଉ ନ ଥିଲା । ପ୍ରକୃତରେ ମୋର କଣ ହେଉଥିଲା ମୁଁ ନିଜେ ବି ବୁଝି ପାରୁ ନ ଥିଲି। କଣ ହୋଇଛି ଏ ଆଖିକୁ ? ଶୋଇ ପଡିଲେ ସବୁ କଷ୍ଟ ଜୀବନର ଭୂଲି ହୋଇ ଯାଉଥିଲା ଯେ ଆଜି ସେତିକ ଭାଗ୍ୟରେ ନାହିଁ। ମାଆ ମୋତେ ଆଉଁସୁ ଆଉଁସୁ ଶୋଇ ପଡ଼ିଲା । ମୁଁ ଧୀରେ ଉଠିଗଲି ଅଗଣାକୁ । 


ଏଇଠି କିଛି ଦିନ ହେବ ସେ ଆସୁ ନ ଥିଲେ ମୋ ଠେଲା ଗାଡି ପାଖକୁ । ଭାବିଥିଲି କାମ ଥିବ କି ଦେହ ମୁଣ୍ଡ ଖରାପ ଥିବ। ଆସିଯିବ ଯେ । କିନ୍ତୁ ସେ ଆସୁ ନ ଥିଲେ। ମୋ ମନ ତାଙ୍କ ବିଷୟରେ ଏଣୁ ତେଣୁ ଖରାପ ଆଶଙ୍କା କରି  ହେଉଥିଲା  ଆତଙ୍କିତ  । ତାଙ୍କୁ ଦେଖିଦେଲେ ମୋ ଭିତରେ ଅଦ୍ଭୁତ ଶକ୍ତି ସଞ୍ଚରି ଯାଏ । ମନ ଦେଇ ଲାଗି ପଡେ ଗ୍ରାହକଙ୍କ ସେବାରେ।


ସେ ଆଜକୁ ଦୀର୍ଘ ଦୁଇ ବର୍ଷ ଧରି ନିୟମିତ ଆସନ୍ତି। ମୋ ଭଙ୍ଗା ବେଞ୍ଚ ଉପରେ ବସନ୍ତି। କିଛି କଥା କୁହନ୍ତି ନାହିଁ ।ସେ କିଛି ସମୟ ବସିଲା ପରେ ନ ମାଗିଲେ ବି ଗୋଟେ ଜିଲାପି ସହ ପକୁଡି ଶହେ କଟା ପିଆଜ ଭଜା ଲଙ୍କା ଓ ବିଟ ଲୁଣ ପକେଇ ଧରେଇ ଦିଏ। ସେ ଟିକେ ଟିକେ ସେଇତକ ଖାଦ୍ୟ  ଘଣ୍ଟାଏ ନେଇ ଖାଆନ୍ତି। ତାପରେ ପଇସା ଦେଇ ଚାଲିଯାଆନ୍ତି।


କି ଝଡି କି ବଢି ସେ ଆସନ୍ତି ନିଶ୍ଚୟ। କାଳେ ସେ ଆସିବ ବୋଲି ମୁଁ ବି ଗୋଟେ ଦିନ କୌଣସି କାରଣରୁ ମୋ ଉଠା ଦୋକାନ ମେଲିବା ବନ୍ଦ କରେନି। 


ଏ ଦୋକାନ କାମ ମୋତେ ଠାକୁର ଦାନ କରିଛନ୍ତି ମୋ ବାପାଙ୍କୁ ତାଙ୍କ ପାଖକୁ ନେଲା ଦିନୁ। ତିନିଚକିଆ ଟଲିରେ ବାପା ସୁନ୍ଦର ଭାବେ ସଜେଇ କରିଥିଲେ ଗୋଟେ ଉଠା ଦୋକାନ। ଦୋକାନ ଉପରେ ରଙ୍ଗ ବେରଙ୍ଗର ଛତାଟିଏ ପୋତା ହୁଏ। ଛତା ତଳେ ପକାଇ ଦିଏ ଦୁଇଟି ଭଙ୍ଗା ବେଞ୍ଚ।ସବୁଦିନ ବେଞ୍ଚ ଦୁଇଟି ଅଫିସ ପାଚିରିକୁ ଆଉଜି ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରନ୍ତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ। ପ୍ରତିଦିନ ଉପରବେଳା ଚାରିଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଦୋକାନ ଖୋଲା ହୁଏ ପୁରୁଣା ଏସ୍ ପି ଅଫିସ ପାଖେ। ଦୁଇ ତିନି ଘଣ୍ଟାର ବେପାର।ଏଇ ରାସ୍ତା କଡରେ ଦୁଇ ତିନି ଘଣ୍ଟା ଠିଆ ହେବା ପାଇଁ ଏସ୍ ପି ଅଫିସରୁ ଅନୁମତି ମିଳିଛି ମୋ ବାପା ଅମଳରୁ।


ଗରମ ଗରମ ଜିଲାପି ଓ ପକୁଟି ପାଇଁ ମୋ ବାପା "କୁଶ ଉଠା ଦୋକାନଟି "ବେଶ୍ ପ୍ରସିଦ୍ଧ ଆମ ସହରଟିରେ। ଗଦ ଶୁଙ୍ଘିଲା ପରି ଲୋକ ମାଳ ମାଳ ହୋଇ ଛୁଟି ଆସନ୍ତି ଏଇଠିକୁ ପକୁଡି ଓ ଜିଲାପି ଖାଇବା ଲୋଭରେ। ସମସ୍ତେ କୁହନ୍ତି ବାପା ଓଳି ମୁଁ କାଳେ ଆଣିଛି। ଠିକ୍ ବାପାଙ୍କ ପରି ତିଆରି କରି ପାରୁଛି ଜିଲାପି ଓ ପକୁଡି ସେଇ ସ୍ୱାଦ,ଆକାର ଓ ରଙ୍ଗ ଦେଇ।


 ବାପା ଆଜକୁ ଚାରି ବର୍ଷ ହେବ ଆମକୁ ଛାଡି ଆକାଶର ତାରା।ସେତେବେଳେକୁ ମୁଁ ମେଟ୍ରିକ ପରୀକ୍ଷା ଦେଇ ନ ଥିଲି। ଅଠତିରିଶି ବର୍ଷର ମଣିଷ ମୋ ବାପା ହଠାତ୍ କଣ ହେଲା ଦିନେ ରାତି ଅଧରେ ମୋ ଛାତି ମୋ ପେଟ କଣ ହେଉଛି କହିଲେ । ଦେହ ଝାଳରେ ବର୍ଷାରେ ଓଦା ହୋଇ ଗଲା। ଠିକ୍ ସେଇ ସମୟରେ ତାଙ୍କୁ ଝାଡା ଲାଗିଲା। ଝାଡା ଆସି ଘର ତଳେ ଶୋଇ ପଡ଼ି ମୋ ତଣ୍ଟି ଶୁଖି ଯାଉଛି ପାଣି ପାଣି ହେଲେ। ଭାରି ଛାଟି ପିଟି ହେଉଥାନ୍ତି। ମାଆ ଦେହ ଆଉଁସି ଦେଉଥାଏ। ମୁଁ ପାଣି ଆଣି ଗ୍ଲାସରେ ବାପାଙ୍କ ପାଟିରେ ଟିକେ ଢାଳିଲି।ପ୍ରଥମ ଥର ପାଣି ଢକ୍ କରି ଶୁଭିଲା। ଦ୍ଵିତୀୟ ଥର ପାଣି ଦୁଇପଟ କଳ ଦେଇ ଭିତରକୁ ନ ଯାଇ ବୋହି ପଡିଲା ଗାଲ ଦୁଇ ପଟେ।ତାପରେ ସବୁ ଶେଷ। ମୁଁ ଓ ମୋ ସାନଭାଇ ଲିକୁ ହୋଇଗଲୁ ବାପା ନ ଥିବା ଛୁଆ। ମାଆ ତେତିଶି ବର୍ଷରେ ବାପାଙ୍କୁ ହରେଇ ପାଗେଳି ହୋଇଗଲା।ସେଥିରେ ପେଟରେ ଥିଲା ତାର ଛଅ ମାସର ଆଉ ଏକ ପିଲା।


ପାଗେଳି ମାଆ , ତା ପେଟର ଛୁଆ ଓ ଲିକୁର ବାପା ହୋଇଗଲି ମୁଁ। ଠେଲା ଗାଡି ଟାଣି ଟାଣି ନେଇ ବାପାଙ୍କ ବେପାର କଲି । ଅଠର ବର୍ଷ ନ ହେଲେ ପିଲାଏ କାମ କରିବା କଥା ନୁହେଁ ପୁଣି ଥାନା ଆଗରେ ଏ ନିୟମ ଭଙ୍ଗ କାମ ! କିଛି ପାଖ ଦୋକାନୀ ଯେଉଁମାନେ ବାପାଙ୍କ ଜିଲାପି ଓ ପକୁଡି ପାଇଁ ହାତ ବାନ୍ଧି ବସୁଥିଲେ ଅଭିଯୋଗ କଲେ।


ମୋତେ ଥାନା ବାବୁ ବାରଣ କଲେ ଛୋଟ ପିଲାଙ୍କୁ କାମ କରିବା ମନା ।ତୁ ବଡ଼ ହୋଇଗଲେ ଏ କାମ କରିବୁ କହିଲେ । ଏବେ ତୋର ପଢିବା ସମୟ।


ମୁଁ ତ ମୋ ଘର କାମ କରୁଛି। ମୁଁ କଣ କାହାର ଖଟିବାକୁ ଯାଉଛି କି ସାର୍ ? ଏଇଟା ମୋ ବାପା କରୁଥିଲେ। ଏଇ ଆମ ଭାତ ହାଣ୍ଡି ସାର୍। ପାଗେଳି ପରି ହେଉଥିବା ମାଆ ସେଥିରେ ପୁଣି ତା ପେଟରେ ଗୋଟେ ଛଅ ମାସର ଛୁଆ, ପଞ୍ଚମରେ ପଢ଼ୁଥିବା ଭାଇ ମୋ ବେକରେ ବନ୍ଧା ସାର୍। ଏ ବର୍ଷ ମୋର ମେଟ୍ରିକ ପରୀକ୍ଷା। ଦିନକୁ ଦୁଇ ତିନି ଘଣ୍ଟା ଏଠି ଦୋକାନ ଦେଇ ଦେଲେ ଆମେ ବଞ୍ଚିଯିବୁ ଏବଂ ମୁଁ ଓ ମୋ ଭାଇ ପଢା ଖର୍ଚ୍ଚ ବି ଉଠିଯିବ।


କିନ୍ତୁ ନିୟମ ବାହାର କାମ ଇଏ।କେମିତି ଅନୁମତି ଦେବୁ  ?ଆମେ ପରା ଲୋକଙ୍କୁ ନିୟମ ମାନିବାକୁ ଶିଖାଉଛୁ ?


ତାହେଲେ ଗୋଟେ କଥା କରନ୍ତୁ ସାର୍ ମୋ ମାଆ ,ମାଆ ପେଟର ପିଲା , ମୋ ଭାଇ ଏବଂ ମୋର ଖାଇବା,ପିଇବା,ରହିବା ଓ ପଢିବା ସମସ୍ତ ଖର୍ଚ୍ଚ ବହନ କରନ୍ତୁ ଏ କାମ ଛାଡି ଦେବି ମୁଁ କାନ୍ଦ କାନ୍ଦ ହୋଇ କହିଲି।


ସାର୍ କଣ ଭାବିଲେ କେଜାଣି କହିଲେ, ଠିକ୍ ଅଛି ପଢା ନ ଛାଡୁ ଯେମିତି କହି ଚାରିଟା ପରେ ଦୁଇ ତିନି ଘଣ୍ଟା ବେପାର କରିବାକୁ ଅନୁମତି ଦେଲେ।ସେଇ ଦିନ ଠାରୁ ମୁଁ ଏ ବେପାର କରୁଛି ଆମ ଘରର ବାପା ହୋଇ।ମୋର ପୁଣି ଗୋଟେ ଛୋଟ ଭାଇ ହେଲା। ଜନ୍ମରୁ ରୋଗିଣା।ସେ ଜନ୍ମ ହେଲା ପରେ ମାଆର ଆଉ ପାଗଳାମି ନାହିଁ।ମୋ ଛୋଟ ଭାଇ ନାଁ ନିକୁ । ଘରର ସମସ୍ତ ହାନି ଲାଭ ମୋତେ ବୁଝିବାକୁ ହୁଏ। ପନ୍ଦର ବର୍ଷ ବୟସରୁ ମୁଁ ପଚାଶ ବର୍ଷ ବୟସ୍କ ଲୋକ ହୋଇ ଯାଇଛି ।ଖୁବ୍ ପରିପକ୍ୱ।ପରିସ୍ଥିତି ଓ ଆମ ଅବସ୍ଥା ମୋତେ କେତେ କଣ ଶିଖାଇ ଦେଇଛି। ଏ ବେପାର କଲା ଦିନୁ ମୋତେ କେହି ଆଉ ଲିଜୁ ଡାକନ୍ତି ନାହିଁ । ମାଆ ବାପା ଦିଆ ନାଁ ପରିବର୍ତ୍ତେ ମୋ ନାଁ ଏବେ ହୋଇ ଯାଇଛି "ଜିଲାପି ବାଲୀ।"


ଦୁଇ ତିନି ଘଣ୍ଟାରେ କାଚ ବାକ୍ସ ଭର୍ତ୍ତୀ ଜିଲାପି ଓ ପକୁଡି ଶେଷ ହୋଇଯାଏ। ଏମିତି କେଉଁ ଦିନ ନାହିଁ ଯେଉଁ ଦିନ ପ୍ରସ୍ତୁତ ଜିଲାପି କି ପକୁଡି ବଳି ପଡିଥିବ। ବରଂ କିଛି ଗରାଖ ନିରାଶ ହୋଇ ଫେରନ୍ତି ପକୁଡି ଓ ଜିଲାପି ସରି ଯାଇ ଥିବାରୁ।ଏ କାମରେ ଲିକୁ ମୋତେ ସାହାଯ୍ୟ କରେ।ମୁଁ ଛାଣେ ସେ ଗରାଖଙ୍କୁ ପ୍ଲେଟ୍ ପ୍ଲେଟ୍ ବଢ଼େଇ ଦିଏ।ଭାଇ ଭଉଣୀ ଦୁହେଁ ବେପାର ସାରି ଘରକୁ ଫେରି ନିଜ ପଢ଼ାରେ ଲାଗୁ।


ଏସ୍ ପି ଅଫିସ ପାଖା ପାଖି ଗୁଡିଏ ସ୍କୁଲ ଓ କଲେଜ ଅଛି। କଲେଜ ହଷ୍ଟେଲ ପିଲାଙ୍କ ପାଇଁ ଏ ଉଠା ଦୋକାନଟି ଚାଲେ ଜାଣ । ଜଣେ ବାବୁ ଏଇଠି ଦୁଇ ବର୍ଷ ଧରି ପ୍ରତିଦିନ ଜିଲାପି ପକୁଡି ଖାଇବାକୁ ଆସନ୍ତି। ଦୁଇ ଘଣ୍ଟା ଏଠି ବସି ବସି ଯାଆନ୍ତି। ସବୁ ଦିନେ ଆସିବାରୁ କେମିତି ଗୋଟେ ଆତ୍ମୀୟତା ଲାଗି ଯାଇଥିଲା।ଛତରା ବାତେରା ପିଲା " ଏ ଜିଲାପି ଵାଲୀ ଜିଲାପି ପରି ତୁ ବି ହେଇଛୁ" କହି ହସା ହସି ହେଲେ ସେ ବାବୁଟି ସେମାନଙ୍କୁ ଗାରେଡେଇ ଏମିତି ଚାହାଁନ୍ତି ଯେ ପିଲାଗୁଡାଙ୍କ ମୁହଁ ଏଡ଼େ ଟିକେ ଟିକେ ହୋଇଯାଏ। ମୋତେ ଲାଗେ ମୋ ଭାଇ ଓ ମୋତେ ସୁରକ୍ଷା ଦେବା ପାଇଁ ସେ ଯେମିତି ପ୍ରତିଦିନ ଆସନ୍ତି।


ସବୁଦିନ ତାଙ୍କୁ ଦେଖି ଦେଖି ଲିକୁ ସେ ବାବୁ ସହ ବନ୍ଧୁତା କରି ଦେଇଥିଲା। ଘରକୁ ଫେରିଲା ବେଳେ, ଲିକୁ କୁହେ ସେ ପ୍ରଶାନ୍ତ ସାର୍ ଜଣେ ଭଲ ମଣିଷ ,ନୁହେଁ ଲିଜୁ ଦି ?


ହଁ ରେ ଲିକୁ । ଅତି ଆପଣାର ମଣିଷ ପରି ସେ ଆମକୁ ଜଗି ବସନ୍ତି। ଆମେ ଘରକୁ ଆସିବା ବେଳ ହେଲେ ସେ ଯାଆନ୍ତି । 


ଗରିବି କଣ ବୟସ କି ସ୍ୱପ୍ନ ଦେଖିବାକୁ ରୋକି ପାରେ ?ଲିକୁଟା ସେମିତି। ଏବେ ଏବେ ଅଷ୍ଟମ ପାସ୍ କରି ନବମ ଛୁଇଁଛି।ତାର ପାଦ ସିନା ଆମ ଭଙ୍ଗା ଚାଳ ଘରେ ; ମନ କିନ୍ତୁ ଆକାଶର ଇନ୍ଦ୍ରଧନୁ ପାଖେ। ଲିକୁ ଦିନେ କହିଲା , " ଦି ପ୍ରଶାନ୍ତ ସାର୍ ଙ୍କ ପରି ତୋତେ ଗୋଟେ ପୁଅ ମିଳେନ୍ତେ କି ବାହା ହେବାକୁ।"


ଲିକୁ କଥାରେ ମୋ ଦେହରେ ଗୋଟେ ଚମକ ଖେଳି

ଗଲା। ବାହା ! ପୁଣି ମୁଁ !!


ହଁ ସବୁ ଝିଅ ବଡ଼ ହେଲେ ବାହା ହୁଅନ୍ତି ; ତୁ ହେବୁନି କି ?


କିଏ କରେଇବ ମୋ ବାହା ?


କାଇଁ ମୁଁ ଲିକୁ ତୋ ଭାଇ । ଲିଜୁ ଦି ଲୋ ବାପା ସିନା ନାହାଁନ୍ତି ମୁଁ ତୋ ଭାଇ ତ ଅଛି। ମୋର ଦଶମ ସରି ଯାଉ ଏବଂ ଅଠର ପୁରି ଗଲେ ମୁଁ କେଉଁଠି ନା କେଉଁଠି ଚାକିରି କରି ଟଙ୍କା ରୋଜଗାର କରିବି ଏବଂ ତୋ ବାହା କରେଇବି ଦେଖିବୁ।


ବାଷ୍ପରୁଦ୍ଧ କଣ୍ଠରେ ଲିକୁ କହି ତାକୁ ଜାବୁଡି ଧରି ପକାଏ। ଛୋଟିଆ ଭାଇଟା ମୋର ବାପା ହେଉଛି ! ହେଉ ହେଉ ତୁ ଆଗ ମନ ଦେଇ ପାଠ ପଢ ସେତେବେଳେ କଥା ଅଛିରେ ଲିକୁ।


ପ୍ଲସ୍ ଟୁ ପାସ୍ ପରେ ମୁଁ ଆଉ ପଢିଲିନି। ଅଠର ପୁରି ଯାଇଥିବାରୁ ଏ ବେପାର ନିଧଡ଼କ କରିପାରୁଛି।ଆଉ ଶିଶୁ ଶ୍ରମିକ କେହି କହି ପାରନ୍ତି ନାହିଁ ମୋତେ। ଗୋଟେ ଲକ୍ଷ୍ୟ ମୋ ମାଆ ଭାଇ ମାନେ ଭଲରେ ଚଳିବେ। ଦି ଭାଇ ବହୁତ ପଢିବେ। ଆମର ବି କୋଠା ଘର ଦି ବଖରା ହେବ। କେତେ କାମ କରିବାର ଅଛି ମୋର।ବାହା ହେବି କେତେବେଳେ ? କିଏ ବା ଏ ଜିଲାପି ବାଲୀକୁ ବାହା ହେବ ?


ଇନ୍ଦିରା ଆବାସ ଟଙ୍କା ସହ ଆଉ କିଛି ଟଙ୍କା ପୁରେଇ ଦୁଇ ବଖରା ଛାତ ପକେଇ ସାରିଲିଣି। ଲିକୁ ନିକୁ ସହ ରୋଗୀଣା ମାଆ କଥା ବୁଝୁ ବୁଝୁ ମୁଁ ନିଜ କଥା ଭାବିବାକୁ ଭୁଲି ଯାଇଥିଲି।ବେଳେବେଳେ ପ୍ରଶାନ୍ତ ସାର୍ ଙ୍କ ଭାବ ମୋ ଭିତରକୁ ପଶି ଆସନ୍ତି ? ମନ ପକ୍ଷୀ ପ୍ରେମର ପର ଲଗେଇ ସାରା ଆକାଶଟା ଖେଦିଦିଏ କିଛି କ୍ଷଣ।ମୁଁ ଜିଲାପି ବାଲୀ ଚମଡା ଉତ୍ତାରି ସ୍ୱପ୍ନର ରାଜକୁମାରୀଟିଏ ହୋଇ  ଯାଏ ।


ବାହାହେବା ଶବ୍ଦଟି ମୋତେ ଲାଜରା କରେ । ଦେହ ମନରେ ଏ ଶବ୍ଦଟି ବମ୍ ଫୁଟେଇବାକୁ ଯଥେଷ୍ଟ । ଭାବେ ଏଇ ଧର କାହାକୁ ମୁଁ ବାହା ହୋଇ ଗଲି ତ ଲିକୁ ନିକୁ ମାଆ କେମିତି ବଞ୍ଚିବେ ? ଲିକୁ ପଢିବି କେମିତି ? ମୋ ଭାଇ ବହୁତ ପଢିବା ସ୍ୱପ୍ନ ପୂରଣ ହେବ କେମିତି ?କେଜାଣି ଏତେ ସବୁ ସତ୍ତ୍ୱେ ବି ପ୍ରଶାନ୍ତ ସାର୍ ମୋ ମନ ଭିତରକୁ ଏବେ ବାର ବାର ଦଲକାଏ ଚଇତି ପବନ ପରି ପଶି ଆସନ୍ତି କାହିଁକି ?ପ୍ରେମ ମୋ ଭିତରେ ମଲ୍ଲୀ ଫୁଲ ପରି ବାସି ଉଠେ । ଏବେ ପ୍ରଶାନ୍ତ ସାର୍ ଙ୍କୁ ଦେଖିଲେ ମୋତେ ଲାଜ ଲାଜ ଲାଗେ।ପ୍ରଶାନ୍ତ ସାର୍ ଲିକୁ ସହ ହସ ପଉରଷ ହୁଅନ୍ତି। ତାଠାରୁ ମୂଳରୁ ଆମ ଅବସ୍ଥା ବିଷୟରେ ବୁଝି ନେଇଥିଲେ । ମୋ ରୂପ ,ରଙ୍ଗ ଓ ବୟସକୁ ଦେଖି ସେ ଯେମିତି ଆମର ପହରଦାର ହୋଇ ଯାଇଥିଲେ। ସେ ଆସି ବେଞ୍ଚ ଉପରେ ବସି ଗଲେ ମୋତେ ସମଗ୍ର ଦୁନିଆଁ ଫୁଲ ପ୍ରଜାପତି ରେ ଉଡିବା ପରି ଦିଶନ୍ତି।ସବୁଆଡେ ଖୁସି ଫୁଲ ଯେମିତି ଗଦା ହୋଇ ପଡନ୍ତି।


ଆଜିକାଲି ଜିଲାପିରେ ମୁଁ ମୋ ମନକୁ ଉତ୍ତାରି ଦିଏ। ହୃଦୟ ଆକୃତି ସହ ମୋ ମନକୁ ଆସୁଥିବା ବିଭିନ୍ନ ଆକୃତିର ଜିଲାପି ମନ ଦେଇ କରେ। ଯୁବକ ମାନେ ଖୁବ୍ ପସନ୍ଦ କରନ୍ତି ହୃଦୟ ଆକୃତିର ଜିଲାପିକୁ ବେଶୀ। ଲିକୁ ମୋ ମନ ପଢିପାରେ କି କଣ ହୃଦୟ ଆକୃତି ଜିଲାପି ନେଇ ପ୍ରଶାନ୍ତ ସାର୍ ଙ୍କୁ ଦିଏ। ପ୍ରଶାନ୍ତ ସାର୍ ଟିକେ ହସି ଜିଲାପିଟି ଯେତେବେଳେ ଭାଙ୍ଗି ଖଣ୍ଡେ ଖଣ୍ଡେ ଖାଆନ୍ତି ମୋତେ ଲାଗେ ସେ ମୋ ହୃଦୟଟି ଗୋଟା ସୁଦ୍ଧା ଖାଇ ଦେଉଛନ୍ତି।


ଲିକୁ ଦିନେ କହିଲା ଜାଣିଛୁ ଲିଜୁ ଦି ପ୍ରଶାନ୍ତ ସାର୍ ପାଠ ପଢା ପିଲା ନୁହଁନ୍ତି ବା।


ଆଉ ?


ସେ ପଢ଼ାନ୍ତି କଲେଜରେ ।


ଆରେ ଲିକୁ ସେ ପଢନ୍ତୁ ବା ପଢ଼ାନ୍ତୁ ଆମ ପାଇଁ କେବଳ ଜଣେ ଗ୍ରାହକ ଈଶ୍ୱର । 


ହଁ ଲୋ ଦି ଠିକ୍ କହିଲୁ । ମୋତେ କିନ୍ତୁ ଲାଗେ ପ୍ରଶାନ୍ତ ସାର୍ ତୋତେ ପସନ୍ଦ କରନ୍ତି । ବାପା ଥିଲେ ତାଙ୍କ ସହ ତୋ ପ୍ରସ୍ତାବ ପକେଇ ଥାଆନ୍ତେ।କହିବୁ ଯଦି ମୁଁ ପ୍ରସ୍ତାବ ପକେଇବି କି ?


ଜିଭ କାମୁଡି କହିଲି ଛିଃ ଏମିତି କୁହନ୍ତି ନାହିଁ ଲିକୁ । ସମ୍ପର୍କ ସମାସ୍କନ୍ଦ ମଣିଷଙ୍କ ସହ କରାଯାଏରେ। ଏମିତି ଚିନ୍ତା ମନକୁ ଆଣିବା ଅପରାଧ।


କାହିଁକି ? ତୁ ତ ସୁନ୍ଦର ,ଗୁଣର ।ପାଠ ବି ପଢିଛୁ ।କେଉଁଥିରେ କମ୍ ଅଛୁ ଯେ କାହାର ପସନ୍ଦ ହେବୁ ନାହିଁ ?


ତୁ କାମରେ ମନ ଦେ ରେ ଲିକୁ ।ଆମକୁ ଅଧିକରୁ ଅଧିକ କମେଇଁ ବାର ଅଛି। ଘରେ ସିନା ଛାତ ପଡିଗଲା।କବାଟ ଝରକା ଲାଗିବ।ପ୍ଳାଷ୍ଟର ହୋଇ ରଙ୍ଗ ଦିଆ ହେବ।ଆଉ ଗୋଟେ ବର୍ଷ ପରେ ତୁ କଲେଜରେ ପଢିବୁ।ନିକୁ ସ୍କୁଲ ଯିବ ।କେତେ କାମ ଆମ ହାତରେ । ବାହା ସାହା କଥା ଭାବିବାକୁ ଆମ ପାଖେ ବେଳ କାହିଁ ?


ବଡ଼ ହେବା ଅପରାଧ ଲୋ ଲିଜୁ ଦି। ତୁ କାହିଁକି ବଡ଼ ହେଉଥିଲୁ ? ସବୁ ଦୁଃଖ ପିଇ ଆମ କଥା ଚିନ୍ତା କରୁଛୁ ?


ତୁ ବଡ଼ ହୋଇଗଲେ ମୋ କଥା ଚିନ୍ତା କରିବୁ ରେ ମୋ ସୁନା ଭାଇ ଲିକୁ। ସେତେବେଳେ ମୋର ଆଉ ନା ଚିନ୍ତା ନା ଦକ ଥିବ । ଏମିତି ଭାଇ ଭଉଣୀ ଦୁହେଁ କଥା ହେଉ। ବର୍ଷା ଦିନେ ଛତା ତଳେ ଦୋକାନ ଲଗେଇବା କଷ୍ଟ ହୁଏ।ମିଳନ୍ତା କି ଗୋଟେ ଜାଗା।ଚାଳିଆଟିଏ କରି ଦୋକାନ ଦିଅନ୍ତି ସେଠି।ଆଉ ଓଦା ହେବାକୁ ପଡ଼ନ୍ତା ନାହିଁ। ହେଲେ ଘରଟିଏ କିଏ ଦେବ ? 


ଏମିତିରେ ଜିଲାପିରେ ମୋ ସ୍ୱପ୍ନ ଗୋଳେଇ ବିକ୍ରି କରେ। କେବେ କେବେ ମଦୁଆ ଓ ଗଞ୍ଜଡ଼ କି ଛତରା ଟୋକା ଖରାଖ ଆସିଲେ ମୋତେ ଆଜେ ବାଜେ କଥା କୁହନ୍ତି ।"ଆଲୋ ଜିଲାପି ବାଲୀ! ତୋ ଦିହରୁ ଜିଲାପି ପରି ରସ ଝରି ପଡୁଛି।ଭାରି ଖାଇଲା ଭଳିଆ ହୋଇ ଗଲୁଣି ଲୋ କୁଶ ଝିଅ।ଫୁଟି ଉଠିଲାଣି ତୋ ଭିତର । ବାସିଲାଣି ତୋ ଦେହ ମହ ମହ। ରାତିକେରେ ହାତୀଏ ରୋଜଗାର କରି ପାରିବାର ରୂପ ଓ ବୟସରେ ଟହ ଟହ ହେଲୁଣି। ରାଜି ହେବୁ ଯଦି କହ ଗରାଖ ଠିକ୍ କରିଦେବୁ ଲୋ ଜିଲାପି ବାଲୀ। ଏତେ ପରିଶ୍ରମ କରିବାକୁ ପଡିବ ନାହିଁ ମ ।କଣ କହୁଛୁ ? "


ଲିକୁ ରାଗି ନାଲି ହୋଇଯାଏ। ଯାଉଛ ନା ଏବେ ପୋଲିସ ଡାକିବି କୁହେ । ଆଉ ଦିନେ ଆସିଲ ଆମ ଦୋକାନ ପାଖକୁ ,ଦେଖିବ।


ପ୍ରଶାନ୍ତ ସାର୍ ଆସି ବସିଗଲେ ସମସ୍ତଙ୍କ ପାଟି ଚୁପ୍ ହୋଇଯାଏ । ଭାବେ ଏଣିକି ଆଉ ବେପାର କରି ହେବ ନାହିଁ।ଜିଲାପି ଅପେକ୍ଷା ମୋ ସଂଗେ କଥା ହେବାକୁ ,ଜାଣି ଜାଣି ମୋ ଦେହରେ ମୁଣ୍ଡରେ ହାତ ମାରିବାକୁ ଏବେ ଗରାଖ ଈଶ୍ୱର ପାଗଳ ।ସବୁବେଳେ କଣ ପ୍ରଶାନ୍ତ ସାର୍ ଆମକୁ ଜଗୁଥିବେ ? କେତେବେଳେ କଣ ହେବ କିଏ କହିବ ? କିନ୍ତୁ ଲିକୁ ଟି ଟିକେ ଠେକ ନ ହେବା ଯାଏ ମୋତେ ସବୁ କଥା ସହିବାକୁ ପଡିବ ।


ଏବେ ଫୋନ୍ ଟିଏ କରିଛି। ମୋ କାନରେ କାହା ଆଜେ ବାଜେ କଥା ନ ପଡୁ ବୋଲି ଇଅର୍ ଫୋନ୍ ଲଗାଇ ଗୀତ ଶୁଣେ ; ଜିଲାପି ଓ ପକୁଡି ଛାଣେ । କେବେ କେବେ ପ୍ରଶାନ୍ତ ସାର୍ ଙ୍କୁ ସ୍ୱପ୍ନ ଦେଖେ।ବାଉଳି ହୋଇ ସାର୍ ସାର୍ ହୁଏ। ମୋ ମନଟା ଟାଣି ହୋଇଯାଏ ଆପେ ଆପେ ସାର୍ ଙ୍କ ପାଖକୁ । ଆଖି ଅନେଇଁ ଥାଏ ଲମ୍ବିଥିବା ରାସ୍ତା ଯାଏ ଯେଉଁ ବାଟେ ନିତି ସାର୍ ତାଙ୍କ ବୁଲେଟ ଫଟ୍ ଫଟ୍ ଶବ୍ଦ କରି ଆସନ୍ତି। କାମରେ ବ୍ୟସ୍ତ ଥିଲେ ମଧ୍ୟ ସାର୍ ଙ୍କ ଖଣ୍ଡେ ଦୂରରୁ ଗାଡି ଶବ୍ଦ ବାରି ପାରେ ମୋ କାନ। ଅର୍ଥାତ ଆଖି,କାନ ଓ ମନ ପୁରା ଚିହ୍ନି ଗଲେଣି ସାର୍ ଓ ସାର୍ ଙ୍କ ଗାଡି ଶବ୍ଦକୁ ଭଲ ଭାବେ।


ସେଇ ସାର୍ ଆଜକୁ କେତେ  ଦିନ ହୋଇଗଲା ଦେଖା ନାହାଁନ୍ତି। ଲିକୁ ବି ବ୍ୟସ୍ତ।ଦି ସାର୍ କାଇଁ ଆସୁ ନାହାଁନ୍ତି ? ଆମେ ଝଅଟ କାମ ସାରି ପଳେଇବା।ରାତି ଟିକେ ଅଧିକ ହୋଇଗଲେ ସେ ମଦୁଆ ଗୁଡାକ ଆସି ତୋତେ ଏଣୁ ତେଣୁ କହିବେ । ସାର୍ ସିନା ଆମ ବଳ ଥିଲେ। ବଦଳି ହୋଇ ଗଲାକି କଣ ତାଙ୍କର।କିନ୍ତୁ ଯାଇଥିଲେ ତ ମୋତେ କହି ଥାଆନ୍ତେ।


ସେଇ ପ୍ରଶାନ୍ତ ସାରଙ୍କ ଚିନ୍ତାରେ ମୋ ଆଖିରୁ ନିଦ ହଜି ଯାଇଛି । ଜିଲାପି ଭଲ ଉତ୍ତୁରୁ ନାହିଁ କି ପକୁଟି ସ୍ୱାଦିଷ୍ଟ ହେଉ ନାହିଁ। ପନ୍ଦର ଦିନ ପରେ ପ୍ରଶାନ୍ତ ସାର୍ ଆସିବା ଦେଖି ମୋ ମନରେ ଖୁସି ଫୁଲ ଫୁଟିଗଲା । ମନ ହେଉଥିଲା ଦଉଡ଼ି ଯାଇ ସାର୍ ଙ୍କୁ ଧରି ଅଭିମାନ କରି କୁହନ୍ତି ଏତେ ଦିନ କୁଆଡ଼େ ଯାଇଥିଲେ ? ତୁମକୁ ବହୁତ ଖୋଜିଛି ମୋ ମନ।


ପ୍ରଶାନ୍ତ ସାର୍ ବୁଲେଟ ରୁ ହସି ହସି ଓହ୍ଲେଇ କହିଲେ, ଲିକୁ ଦିଟା ହାର୍ଟ ଜିଲାପି ଆଣିଲୁ କେତେଦିନ ହେବ ଖୁଆ ହୋଇ ନାହିଁ।


ଏତେ ଦିନ କୁଆଡେ ଯାଇଥିଲେ କି ସାର୍ ?


ଲାଜୁଆ ହସ ହସି ସାର୍ କହିଲେ, ବାହା ହେବାକୁ । 


କାନ୍ଦୁରା ଆଖିରେ ଲିକୁ ମୋତେ ଟିକେ ଅନେଇଁ ପ୍ଲେଟରେ ଦେଉଥିଲା ଦିଟା ହାର୍ଟ ଜିଲାପି ସାର୍ ଙ୍କୁ ବଢ଼େଇ।





Rate this content
Log in

Similar oriya story from Inspirational