STORYMIRROR

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଜୀବନରେ ଜୀବନ : 13 -ଡକ୍ଟର କୃତ୍ତିବାସ ନାୟକ

ଜୀବନରେ ଜୀବନ : 13 -ଡକ୍ଟର କୃତ୍ତିବାସ ନାୟକ

4 mins
205


କଥାରେ ଅଛି, ସାଧାରଣ ଲୋକେ ବି କହନ୍ତି, ଏହି ଦୁନିଆରେ ଟଙ୍କା ଉଡୁଛି | ତାକୁ ଧରି ଧନୀ ହେବାପାଇଁ ଖାଲି ବୁଦ୍ଧି ଦରକାର | ଏଥିପାଇଁ କେଉଁଠି କେଉଁଠି କର୍ମରେ ନିଷ୍ଠା, କଠୋର ପରିଶ୍ରମ ତ ଦରକାର, ଆଉ କେଉଁଠି ପ୍ରଚଣ୍ଡ ଧୈର୍ଯ୍ୟ ଦରକାର ହୁଏ | ଏକଥା ସତ୍ୟ ଯେ, ଯେଉଁମାନେ ଧୈର୍ଯ୍ୟର ସହ କଠିନ ପରିଶ୍ରମ କରି ନିଜବୁଦ୍ଧିକୁ ଖଟାଇ ନିଜ କର୍ତ୍ତବ୍ୟରେ ଲାଗିରହନ୍ତି, ସେମାନେ ବିଳମ୍ବରେ ହେଉପଛେ ସଫଳତାର ଶୀର୍ଷ-ଦେଶରେ ପହଞ୍ଚି ପାରନ୍ତି | ଆମେ ଦେଖିବାକୁ ପାଉଁ, ଅନେକ ଯୁବକ ଅସହାୟ ଅବସ୍ଥାରେ ସହରକୁ ଆସିଥା’ନ୍ତି | କିଛିଦିନ ଭିତରେ ସେମାନେ ନିଜର କର୍ତ୍ତବ୍ୟ-ନିଷ୍ଠା, ଆତ୍ମ-ବିଶ୍ୱାସ, କଠୋର ପରିଶ୍ରମ ଆଉ ନିଜର ବୁଦ୍ଧି ବଳରେ କେବଳ ନିଜ ଗୋଡ଼ରେ ଠିଆହୋଇ ପାରିନାହାନ୍ତି, ବରଂ ଅନେକ କରିତକର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି | ଠିକ ସେହିପରି ଅନେକ ଯୁବକ ବାପାଙ୍କ ପଇସାରେ ବଡ଼ ଧରଣର ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିଥିଲେ ବି ସେମାନେ ସର୍ବଶ୍ରାନ୍ତ ହୋଇ ପୁଣି ନିଜର ପୁରୁଣା ଅବସ୍ଥାକୁ ଫେରିଯାଇଛନ୍ତି | ନିଜ ଭାଗ୍ୟକୁ ନିନ୍ଦାକରି ହାତଯୋଡ଼ି ଘରେ ବସିଛନ୍ତି | କେତେକ ନିଜକୁ ବେକାର ବୋଲି କହି, ଚାକିରି ମିଳୁନାହିଁ କହି ନିଜର ଶକ୍ତି ସାମର୍ଥ୍ୟକୁ ଜଳାଞ୍ଜଳି ଦିଅନ୍ତି | ଆଉ କେତେକ ଅସାମାଜିକ କାର୍ଯ୍ୟରେ ଲିପ୍ତରହି କିଛିଦିନ ସୁଖ ଭୋଗ କରନ୍ତି ସତ, କିନ୍ତୁ ତାଙ୍କର ଭବିଷ୍ୟତ ଯେ ଅନ୍ଧକାରମୟ ହେବାକୁ ଯାଉଛି, ସେକଥାକୁ ଭୁଲି ଯାଇଥା’ନ୍ତି |

ଯୁବା ବୟସ ହେଉଛି, ରୋଜଗାର କରିବାର ପ୍ରକୃଷ୍ଠ ସମୟ | ଏହି ସମୟରେ ଦେହରେ ପ୍ରଚୁର ବଳ, ମନରେ ଅମାପ ସାହସ, ଅକଳନ ଆତ୍ମ-ବିଶ୍ୱାସ ରହିଥାଏ | ତାଙ୍କଠାରୁ ଦେଶ ତଥା ଜାତି ଅନେକ କିଛି ଆଶା ରଖିଥାଏ | ସେମାନେ ହେଉଛନ୍ତି-ଦେଶର ଭବିଷ୍ୟତ | କିନ୍ତୁ ସେମାନେ ସରକାରଙ୍କଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ସହାୟତା ପାଇ ଉଚ୍ଚଶିକ୍ଷା ଲାଭକରି ମଧ୍ୟ ନିଜର ସ୍ଵାର୍ଥପାଇଁ ଲାଳାୟିତ ହୋଇ ରହୁଛନ୍ତି | ଫଳରେ ଦେଶର କୋଟିକୋଟି ଜନତା ନିରାଶ ହେଉଛନ୍ତି | ଜାତି ନିକଟରେ କୃତଜ୍ଞ ରହିବା ବଦଳରେ ଅଧିକାଂଶ ଯୁବକ କୃତଘ୍ନ ହୋଇ ନିଜ ସ୍ଵାର୍ଥରେ ବ୍ୟସ୍ତ ରହୁଛନ୍ତି |

ସମୟ ବଦଳିବା ସହିତ କୌଶଳ ବି ବଦଳି ଚାଲିଛି | କେବଳ ସରକାରୀ ଚାକିରୀ ଆଶାରେ ରହିଥିବା ଯୁବକମାନେ ନିଜେ ତ ହତାଶ ହେଉଛନ୍ତି, ତା’ ସଙ୍ଗେସଙ୍ଗେ ନିଜକୁ ବେକାଋ ତାଲିକାରେ ରଖି ଦେଉଛନ୍ତି | ସ୍ଵାମୀ ବିବେକାନନ୍ଦଙ୍କ ଭାଷାରେ କୌଣସି କାର୍ଯ୍ୟ ଛୋଟ ବା ବଡ଼ ନୁହେଁ | ଆମେ ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟରତ ଥିଲେ ବି ସେହି କାର୍ଯ୍ୟକୁ ସରସ ସୁନ୍ଦର ଭାବେ କରି ନିଜକୁ ଜଣେ ସୁଦକ୍ଷ ତଥା ସୁନାଗରିକ ଭାବେ ପରିଚିତ କରିବା ଉଚିତ | ଯଦି ଜଣେ ସଫେଇ କର୍ମଚାରୀ ବା ପିଅନ ପଦବୀରେ କାର୍ଯ୍ୟରତ ଥାଏ, ତେବେ ସେ ଯଦି ନିଜ କର୍ତ୍ତବ୍ୟକୁ ଠିକ ଭାବରେ ନିଷ୍ଠାର ସହିତ ପାଳନ କରୁଥାଏ, ତେବେ ସେହି କାର୍ଯ୍ୟର ମହତ୍ଵ ବୃଦ୍ଧି ପାଇଯାଏ | ଫଳରେ ଲୋକଟି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବା ଫଳରେ ଜାତି ନିକଟରେ ପ୍ରଣମ୍ୟ ହୋଇଯାଏ | ସେହିପରି ଜଣେ ଉଚ୍ଚପଦବୀରେ ଅବସ୍ଥାପିତହୋଇ ଯଦି କୁକର୍ମରେ ଲିପ୍ତ ରହିଥାଏ | ଲାଞ୍ଚ, ମିଛ ଓ ଠକାମିକୁ ପ୍ରଶ୍ରୟ ଦେଉଥାଏ, ତେବେ ସେ ସମାଜ ଦୃଷ୍ଟିରେ ଘୃଣ୍ୟ ମଣିଷ ଭାବରେ ପରିଚିତ ହୋଇ ରହିଯାଏ |

ଆମେ ସମସ୍ତେ ଯଦି କେବଳ ଚାକିରୀ ପାଇଁ ଅପେକ୍ଷା କରି ରହିଥିବେ, ତେବେ ଅନ୍ୟ ସବୁ କାର୍ଯ୍ୟକୁ କରିବ କିଏ ? ଅନେକ ଚାକିରୀ ଆଶାୟୀ ଯୁବକଙ୍କର ଧାରଣା ଥାଏ, ସରକାରୀ ଚାକିରୀ କଲେ, କାମ କରିବାକୁ ପଡ଼େନାହିଁ, ମନଇଚ୍ଛା ଛୁଟି ନେଇହୁଏ | ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର କରିହୁଏ | ଦରମା ଅପେକ୍ଷା ସମସ୍ତ କର୍ମଚାରୀ ଅଧିକ ଉପୁରି ପାଆନ୍ତି | ଯେତେ ଅସୁବିଧା ଅରାଜକତା କଲେ ବି ତାଙ୍କର ଚାକିରୀ ସୁରକ୍ଷିତ ରହିଥାଏ | ଅବସର ପରେ ଆରାମରେ ପୁଳାଏ ଲେଖାଁ ପେନସନ ଆକାରରେ ଅର୍ଥ ମିଳିଚାଲେ | ଏହି ଧାରଣା କିନ୍ତୁ ସଂପୂର୍ଣ୍ଣ ଭାବେ ଭୁଲ |

ରୋଜଗାର କରିବାକୁ ଅନେକ ଉପାୟ ରହିଛି | ଶାସ୍ତ୍ରରେ କୁହା ଯାଇଛି, ଏମିତି ଶିକ୍ଷା ଗ୍ରହଣ କର, ଯାହା ସାରା ଜୀବନରେ ଆମକୁ ରୋଜଗାରର ସୁଯୋଗ ଦେଇଚାଲିଥିବ | ହାତ, ଗୋଡ଼ ଆଖି, କାନ ଓ ମସ୍ତିଷ୍କ ଠିକ ଥିବା ମଣିଷ ବି ନିଜକୁ ନିଜେ ବେକାର ବୋଲି କହୁଛି | ପ୍ରକୃତରେ ସେ ବେକାର ନୁହେଁ | ଆମେ ଯଦି ଯୋଗ୍ୟହୋଇ ସମସ୍ତ ପ୍ରକାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା, ତେବେ ସରକାରୀ ବା ବେସରକାରୀ ସଂସ୍ଥାର ଚାକିରୀ ଆମକୁ ଗୋଡ଼େଇ ଗୋଡ଼େଇ ଧରିବ | ତାହା ନହେଲେ ବି ସେ ବେରୋଜଗାରୀ ହୋଇ ଘରେ ବସି ରହିବ ନାହିଁ, କି ମୋବାଇଲ ଫୋନ ଧରି ଦିନରାତି ତଳମୁହାଁ ହୋଇ ଏଣୁତେଣୁ ଅଦରକାରୀ ଜିନିଷ ଦେଖିବ ନାହିଁ |

କୁହାଯାଏ-ଅଭାବ ହେଉଛି-ଉପାୟର ଜନନୀ | ଆବଶ୍ୟକତା ହେଉଛି-ଉଦ୍ଭାବନର ଜନନୀ | ଆମର ମନ ଆମର ସ୍ଵପ୍ନ ଯଦି ଗଠନମୂଳକ ହୋଇଥିବ, ତେବେ ଆମେ କେଉଁଠି ବି ହାରିବା ନାହିଁ | ବରଂ ନିଜେ ରୋଜଗାର କ୍ଷମହୋଇ ଅନ୍ୟକୁ ମଧ୍ୟ ରୋଜଗାର କ୍ଷମ କରିବାର ସୁଯୋଗ ସୃଷ୍ଟି କରି ପାରିବା |

ଏହା ହେଉଛି ମୋ ଜୀବନରେ ଅନୁଭୂତି | ମୁଁ କେବେ ଯୁବା ବୟସରେ ଚାକରି ପାଇବାର ଆଶା ରଖି ନଥିଲି | ନିଜର ଶିକ୍ଷା ଦୀକ୍ଷା ଅନୁସାରେ ପିଲାବେଳୁ ହିଁ ରୋଜଗାର କ୍ଷମହୋଇ ରହିଥିଲି | ତା’ ସହିତ ଉଚ୍ଚଆଶା ଓ ଅଭିଳାଷ ରଖି ସୁଯୋଗ ସୁବିଧା ଓ ସହଯୋଗ ଅପେକ୍ଷାରେ ରହିଥିଲି | ଦୁଇଥର ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ନିଜ ଶିକ୍ଷା ଅନୁସାରେ ସରକାରୀ ଚାକିରୀ ପାଇଥିଲି | ପୁଣି ନିଜକୁ ଆହୁରି ଶିକ୍ଷିତ ଓ ଯୋଗ୍ୟ କରି ଭାରତର ଲୋକସେବା ଆୟୋଗ ଦ୍ଵାରା ବି ଉଚ୍ଚ ପଦବୀରେ ନିଯୁକ୍ତି ପାଇଥିଲି | ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରି ଅବସର ବି ନେଲି | ଅବସର ପରେ ମଧ୍ୟ ମୋତେ ପୁନଃ ନିଯୁକ୍ତି ଦିଆ ଯାଇଥିଲା | ଅବଶ୍ୟ ତାକୁ ମୁଁ ଗ୍ରହଣ କରି ନ ଥିଲି | ଏବେ ମଧ୍ୟ ମୁଁ ରୋଜଗାର କ୍ଷମ | ନିଜକୁ ମୁଁ କେବେ ଅକ୍ଷମ ବା ବେକାର ବୋଲି ମନେକରି ନ ଥିବାରୁ ସକଳ କାର୍ଯ୍ୟ କରିବାକୁ ଉତ୍ସାହୀ ଓ ଆଗ୍ରହୀ ହୋଇ ରହିଛି | ବୟସର ଚାପ ମୋ ମନ ଉପରେ ପ୍ରଭାବ ପକାଇ ପାରିନାହିଁ | ଏହା କ’ଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନାହିଁ କି ?



Rate this content
Log in

Similar oriya story from Inspirational