Arabinda Rath

Inspirational

3.6  

Arabinda Rath

Inspirational

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

7 mins
11.2K



ଲେଖକ- ଅରବିନ୍ଦ ରଥ


– – ଏ ରିକ୍ସା ଯିବୁ କିରେ? ଟିକେ ଚଢା ଗଳାରେ ପଚାରିଲା ରାମ।

– – ହଁ ବାବୁ କୁଆଡେ ଯିବୁ କହ, ଯିବିନି କଣ ପାଇଁ ?

– – ହଉ ଚାଲ୍। ସାଙ୍ଗେସାଙ୍ଗେ ହୋଟେଲ୍ ର ଠିକଣାଟି ପଢି ଶୁଣେଇ ଦେଲା ରାମ। ପଚାରିଲା କେତେ ନେବୁ କହ।

ରିକ୍ସା ବାଲା ଟି କହିଲା – – ତୋତେ କଣ ଦର କହିବି ବାବୁ, ଏତେ ବଡ ସାହେବ ପରି ଲାଗୁଛୁ। ଯାହା ଠିକ୍ ଭାବିବୁ ଦେବୁ।

ସାହେବ୍ ସମ୍ବୋଧନ ଶୁଣି ରାମ ଟିକେ ଖୁସି ହେଇଗଲା ; କହିଲା ହଉ ଚାଲ ଯିବା।

ରାମ ଗୋଟିଏ କମ୍ପାନୀରେ କାମ କରେ। ଅଫିସ୍ କାମ ନେଇ ଭୁବନେଶ୍ବର ଆସିଥିଲା। ରାତିରେ ରହିବା ପାଇଁ କମ୍ପାନୀ ତରଫରୁ ଘର ଠିକ୍ ହୋଇ ସାରିଥଲା ପୂର୍ବ ରୁ। ତେଣୁ କେବଳ ଠିକଣାରେ ପହଞ୍ଚିଗଲେ ଚିନ୍ତା ଗଲା।

ରାମ ଲକ୍ଷ୍ଯ କଲା ରିକ୍ସାବାଲା କୁ , ସେ ନିହାତି ଗରିବ ଜଣା ଯାଉଥିଲା। ପିନ୍ଧିଥିଲା ଏକ ଚିରା ଗଞ୍ଜି ଓ ଗାମୁଛା। ମୁଣ୍ଡରେ ନୁଖୁରା କେଶ ଓ ପେଜୁଆ ଆଖି ଦୁଇଟି ରେ ନିରାଶା ଭାବ ଫୁଟି ଉଠୁଥିଲା। ଉଭୟ ହାତ ଦୁଇଟି ରେ ଶିରା ପ୍ରଶିରା ର ଉପସ୍ଥିତି ସୁସ୍ପଷ୍ଟ ଦିଶୁଥିଲା ଓ ପତଳା ଗୋଡ ଦୁଇଟି ରେ ପେଣ୍ଡୁ ପରି ଫୁଲି ରହିଥିବା ମାଂସପେଶୀ, ଲୋକଟିର ପରିଶ୍ରମଭରା କଷ୍ଟକର ଜୀବନ ଶୈଳୀ ବିଷୟ ରେ ବଖାଣିବା ପରି ମନେ ହେଉଥିଲା। ରାମ ରିକ୍ସାରେ ଚଢିବା ପରେ ଲୋକଟି ରାସ୍ତା ଉପରେ ଦୃଷ୍ଟି ନିବଦ୍ଧ କରି ମନ ଫୁଲାଣିଆ ଗୀତ ଗାଇ ସେ ପେଡାଲ୍ ମାରି ବାରେ ବ୍ଯସ୍ତ ରହିଲା। ସେତେବେଳକୁ ପାଖାପାଖି ରାତି ଦଶ ଟା ହୋଇ ସାରିଥିଲା। ରାସ୍ତାଘାଟରୁ ଗହଳି କମି ସାରିଥିଲା, ମାତ୍ର କାଁ ଭାଁ ମୋଟର ସାଇକେଲ କେତେଟା ପ୍ରଚଣ୍ଡ ଶବ୍ଦ କରି ତୀର ପରି ଛୁଟି ଚାଲିଥିଲେ ରାତିର ଘନ ଅନ୍ଧକାରର ମୋଟା ଚାଦର କୁ ବିଦୀର୍ଣ୍ଣ କରି। ନ ହେଲେ ଚତୁଃପାର୍ଶ୍ବ ରେ କେବଳ ନୀରବତା ହିଁ ବିରାଜମାନ କରୁଥିଲା। ନୀରବତାର ପାଚେରୀରେ ଆଘାତ କରି ଭାଙ୍ଗି ରାମ ପଚାରିଲା,

“ ତୋ ନାଁ କଣ?

– – ମୋ ନାଁ କେଶବ, ମୋତେ ସବୁ କେଶୁ ବୋଲି ଡାକନ୍ତି।

– – ତୋ ଘର କୁଆଡେ, ତୁ ରହୁଛୁ କେଉଁଠି ? ତୋ ବିିଷୟ ରେ କିଛି କହ।

ମୋର ଘର ନାହିଁ ବାବୁ। ରାତି ରେ ମୁଁ ଯେଉଁଠି ଶୁଏ ସେଇ ଟା ମୋ ଘର। କେବେ ଗଛ ତଳେ ତ କେବେ କାହା ବାରଣ୍ଡାରେ। କେବେ ଏଇ ରିକ୍ସାରେ, ତ ଆଉ କେବେ ରାସ୍ତା କଡରେ। ଏମିତି କହିଲେ ଚାରି ଆଡେ ମୋ ଘର। ଏ ରିକ୍ସା ମୋର ନୁହଁ ; ଦିନ ସାରା ଖଟି ଯାହା ରୋଜଗାର କରେ ତହିଁ ରୁ ମାଲିକ କୁ ଦିଏ ପଚାଶ ଟଙ୍କା ଭଡା ବାବଦ କୁ। ଯାହା ବଳି ପଡେ ସେତିକି ମୋ କମାଣି। ଏକୁଟିଆ ଲୋକ ମୁଁ, କାହା ଦାୟିତ୍ବ ନେଇ ପାରିବିନି ବୋଲି ହାତ କୁ ଦି ହାତ ହୋଇନି। ବାପା ମାଆ କାହାକୁ କୁହନ୍ତି ମୁଁଁ ଜାଣିନି ବାବୁ। ବସ୍ତି ଲୋକେ କୁହନ୍ତି, ଜନ୍ମ ହେଲା ପରେ ମୋତେ କୁଆଡେ ନାଳ ରେ ଫିଙ୍ଗି ଦିଆ ଯାଇଥିଲା। ସେଇ ବସ୍ତି ରେ ମୋ ପିଲା ଦିନ କଟିଛି। ଯେବେଠୁ ଦୁନିଆ ବିଷୟରେ ଜାଣିଲି ; ନିଜକୁ ଦେଖିଛି ଏଇ ରାସ୍ତା କଡରେ। ଗୋଟେ ନିଶ୍ବାସରେ କହି ଗାମୁଛା ରେ ଆଖି ପୋଛିଲା ସେ।

ରାମ କୁ ତାଜୁବ୍ ଲାଗିଲା। ଲୋକଟିର ଅତୀତ ଯେ ଏତେ ତିକ୍ତମୟ ହୋଇଥିବ ସେ ଅନୁମାନ କରି ପାରି ନ ଥିଲା। କଥା କୁ ଟିକେ ହାଲୁକା କରିବାକୁ ସେ ଧିର ସ୍ବର ରେ ପଚାରିଲା

…...ଆଛା ତୁ ଖିଆପିଆ କେମିତି କରୁ? ରେଷେଇ ବାସ କରୁ କେମିତି?

ପଛ ଆଡକୁ ଚାହିଁ ମୁହଁରେ ଶୁଖିଲା ହସ ଉକୁଟାଇ ସେ କହିଲା

– – ମୋର କିଛି ବି ଠିକ୍ ନାହିଁ, କେବେ ମିଳିଲେ ଖାଏ ନୋହିଲେ ପାଣି ପିଇ ଶୁଏ। ମୋ ପାଖରେ, ସବୁ ଦିନ ପଇସା ରୁହେନି। ମାଲିକ କୁ ଦେଲା ପରେ ଯାହା ପଇସା ରୁହେ, ସେଥିରେ ଚଳିବା କଷ୍ଟ। କେବେକେବେ ମନ୍ଦିରରୁ ଟିକେ ଖାଇବା ମିଳି ଯାଏ। ନହେଲେ କିଏ କଣ ଦେଲେ ସେଥିରେ ଚଳି ଯାଏ । ପ୍ରଭୁଙ୍କ ଦୟାରୁ, ଜୀବନ ବଞ୍ଚାଇବା ପାଇଁ ଯେତିକି ଖୋରାକ ଦରକାର ସେତିକି ମିଳିଯାଏ।

ଏମିତି ଜଣେ ଲୋକ ସହ ସାକ୍ଷାତ ହୋଇ ନ ଥିଲା ରାମ ର। କେବଳ ସମ୍ବାଦପତ୍ରରେ ସେ ପଢେ ଗରୀବ ଲୋକ ମାନଙ୍କର ଦୟନୀୟ ଅବସ୍ଥା ବିଷୟରେ। କିନ୍ତୁ ସେଥିରେ ଯେ ଏତେ ମାତ୍ରାରେ ସତ୍ଯତା ଥାଏ ସେ କଳ୍ପନା କରି ନ ଥିଲା। ଦୁଇଜଣଙ୍କ ମଧ୍ଯରେ ହୋଇଥିବା ଗମ୍ଭୀର ବାର୍ତ୍ତାଳାପରେ ବିରାମ ଲାଗିବା କ୍ଷଣି, ନୀରବତା ନିଜର ଆଧିପତ୍ଯ ବିସ୍ତାର କରିବାରେ ବିଳମ୍ବ କରି ନ ଥିଲା। ନୀରବତା ର ମୋଟା ପାଚେରୀ ଉପରେ, କେବଳ ମୃଦୁ ଆଘାତ ଦେଇ ଚାଲିଥିଲା ରିକ୍ସା ପେଡାଲ ଓ କେଶବ ର ନିଶ୍ବାସ ପ୍ରଶ୍ବାସର ସଁ ସଁ ଶବ୍ଦ।

ଧିର ଗତିରେ ରିକ୍ସାଟି ଗନ୍ତବ୍ଯ ସ୍ଥଳ ଦିଗରେ ଅଗ୍ରସର ହେବା ସାଙ୍ଗକୁ, ରାମ କଳ୍ପନା ଦୁନିଆରେ ବିଚରଣ କରିବା ଆରମ୍ଭ କରି ଦେଇଥିଲା। କେମିତି ତାର ପ୍ରମୋଶନ ହେବ, ଅଧିକା ଟଙ୍କା ରୋଜଗାର ହେବ, ସ୍ତ୍ରୀ ପାଇଁ ସୁନା ଗହଣା ଓ ପିଲା ଙ୍କ ପାଇଁ ଖେଳନା ନେବ, ସହର ଭିତରେ ଏକ ସୁନ୍ଦର ଫ୍ଲାଟ୍ କିଣିବ ; ଏମିତି କେତେ ଅଡୁଆ ଚିନ୍ତାରେ ବୁଡି ରହି ଥିଲା ସେ। ହଠାତ୍ ଦେଖିଲା ରିକ୍ସା ଆଗକୁ ମାଡି ଆସିଲେ ଦୁଇ ଜଣ ଉଦଭ୍ରାନ୍ତ ଯୁବକ। ସେମାନେ ରାସ୍ତା ରେ ନିହାତି ବେପରୁଆ ଢଙ୍ଗରେ ଟଳମଳ ହୋଇ ଚାଲୁଥିଲେ ଓ ସେମାନଙ୍କ ହାବଭାବରୁ ସ୍ପଷ୍ଟ ଜଣା ପଡୁଥିଲା, ମଦନିଶା ରେ ନିଜକୁ ସମ୍ଭାଳିବା ଅବସ୍ଥା ରେ ସେମାନେ ନ ଥିଲେ।

କେଶବ ରିକ୍ସାକୁ ଆୟତ୍ତ କରିବାକୁ ବ୍ରେକ୍ ମାରିବା ପରେ ମଧ୍ଯ , ଚକା ସେମାନଙ୍କ ଦେହରେ ଟିକେ ଛୁଇଁ ହୋଇଗଲା। ବାସ୍ ସେତିକି ଯଥେଷ୍ଟ ଥିଲା, ଯୁବକ ଦୁଇଜଣଙ୍କୁ ଭୟଙ୍କର ପଶୁରେ ପରିଣତ କରିଦେବା ପାଇଁ।

ବିକଟାଳ ଶବ୍ଦ କରି ନାନା ଅସଭ୍ଯ ଭାଷାରେ ଗାଳି ଗୁଲଜ କରି ସେମାନ କେଶବ ଉପରକୁ ଝପଟି ଆସିଲେ।

ଜଣେ କେଶବ କୁ ଟାଣି ଆଣିଲା ଓ ତା ଗାଲରେ ଚାପୁଡା ମାରି ଚାଲିଲା। ଅନ୍ଯ ଯୁବକ ମୁଥ ମାରି ଚାଲିଲା କେଶୁର ପେଟରେ। ସେମାନେ ରାସ୍ତା ଉପରେ ତାକୁ ପକାଇ ନିହାତି ନିର୍ମମ ଭାବରେ ପ୍ରହାର ପରେ ପ୍ରହାର କରି ଚାଲିଲେ। ଅଚାନକ ସବୁ ଘଟି ଗଲା। ସେ ପରିସ୍ଥିତି ରେ ନିଜକୁ ସୁରକ୍ଷିତ ରଖିବା ଉଚିତ୍ ହେବ, ନା ସେମାନଙ୍କ କବଳରୁ କେଶବ କୁ ଉଦ୍ଧାର କରିବା ଯୁକ୍ତିଯୁକ୍ତ ହେବ ସେ ବିଷୟ ରାମ ସ୍ଥିର କରି ପାରୁ ନ ଥିଲା। ବିବେକ ର ତାଡନା ସହି ନ ପାରି ସେ ବାରମ୍ବାର ସିଟ୍ ରୁ ଉଠିବାକୁ ଚେଷ୍ଟା କରୁଥିଲା, କିନ୍ତୁ ନିଜକୁ ସୁରକ୍ଷିତ ରଖିବାର ଜନ୍ମଜାତ ପ୍ରବୃତ୍ତିର ରଜ୍ଜୁରେ ବାନ୍ଧି ହୋଇ ପୁଣି ବସି ପଡୁଥିଲା।

ଶେଷରେ ସେ ଚିତ୍କାର କରି କେଶବ କୁ ଉଦ୍ଧାର କରିବାକୁ ଲୋକ ମାନଙ୍କୁ ଡାକିବାକୁ ଲାଗିଲା।

ସେତେ ବେଳକୁ ମାଡ ଖାଇ କେଶବ ଭୁଇଁ ରେ ଗଡୁ ଥାଏ ଓ ଯନ୍ତ୍ରଣାରେ ଚିତ୍କାର କରୁଥାଏ। ଲୋକ ମାନେ ଦଉଡି ଆସିବାରୁ ପିଲା ଦୁଇଟା ଜାଗା ଛାଡି ପଳେଇଲେ।

ରାମ ଦେଖିଲା କେଶବର ମୁହଁ ଫାଟି ଯାଇଛି, ଦେହ ସାରା ମାଡର ଚିହ୍ନ, ବିଚରା ଯନ୍ତ୍ରଣାରେ କାନ୍ଦିବାରେ ଲାଗିଥିଲା। ଦେଖଣାହାରୀ ଙ୍କ ସଂଖ୍ଯା ଅଧିକ, କିନ୍ତୁ କେହି ଜଣେ ହେଲେ ଆଗକୁ ଆସି ସାହାଯ୍ଯ କରିବାକୁ ନାରାଜ୍। କଣ କରିବ ଚିନ୍ତା କଲା ରାମ ; ଏ ସ୍ଥାନ ଛାଡି ପଳେଇବ, ନା ସାମନା କରିବ କଠୋର ବାସ୍ତବତାକୁ। ଯଦି ବାସ୍ତବତାକୁ ସାମନା କରିବ,ତେବେ କେଶବକୁ ସାଙ୍ଗେସାଙ୍ଗେ ଡାକ୍ତରଖାନା କୁ ନେବାକୁ ହେବ, ତାର ଯତ୍ନ ନେବାକୁ ହେବ। ଅନ୍ଯଥା, ସେ ଅତି ଆରାମ ରେ ସେ ଜାଗାରୁ ଚାଲିଯାଇ ପାରିବ। ଜଣେ ରିକ୍ସାବାଲା କୁ ସାହାଯ୍ଯ ନ କଲେ, କେହି ତାକୁ ଦୋଷ ମଧ୍ଯ ଦେଇ ପାରିବେନି। କିନ୍ତୁ ତା ବିବେକ!!! !!! ସେ ତ, ବାଧା ଦେଇ ସାମନାରେ ଛିଡା ହୋଇଛି। ଜଣେ ଆହତ ଲୋକ କୁ ଉଦ୍ଧାର ନ କରି, ତାକୁ ରାସ୍ତା ଉପରେ ଏମିତି ଅବସ୍ଥାରେ ଛାଡି ଚାଲିଯିବା ଯେ ଜଣେ ଭୀରୁ, କାପୁରୁଷର କାର୍ଯ୍ଯ, ଏହା ମନ ଭିତରେ ବାରମ୍ବାର ପ୍ରତିଧ୍ବନିତ ହେବାରେ ଲାଗିଛି। ବିବେକ ଓ ମନ ର ବଳ କଷାକଷିରେ ଆକ୍ତାମାକ୍ତା ହେବା ସମୟରେ , ଥରଥର କଣ୍ଠରେ କେଶବ ଡାକ ଦେଲା – – ଚାଲ୍ ବାବୁ ତୋତେ ତୋ ଯାଗାରେ ଛାଡି ଦେବି।

ରାମ ପାଟି କରି କହିଲା

" କଣ ତୋ ମୁଣ୍ଡ ଖରାପ ନା କଣ? ଦେହରେ ଏତେ ଖଣ୍ଡିଆ ହେଲା ପରେ ବି, ତୁ ରିକ୍ସା ଚଲାଇବା କହୁଛୁ?

– – ଆମ ଜୀବନର କିଛି ମୂଲ୍ଯ ନାହିଁ ବାବୁ। ଯିଏ ପାରିବ ମାରିବ, ଗାଳି ଦେବ-- – ଆମେ ସହିବୁ, ପୁଣି ଉଠି କାମ କରିବୁ। ଏଇଟା ତ ଆମ ଭାଗ୍ଯ। ଏ ଖଣ୍ଡିଆ ଦେଖି ଡରି ଗଲୁ କି ବାବୁ? ଏମିତି କେତେ କଣ ସବୁ ଦିନ ହୁଏ, କେତେ ହିସାବ ରଖିବି। ମୋ ଜୀବନ ର ଆରମ୍ଭ ନାଳ ଭିତରୁ ହୋଇଛି, ପୁଣି ସେଇ ନାଳ ଭିତରେ ଜୀବନ ଯିବ। ଆଜି ନ ହେଲେ କାଲି ମରିବି ;ଏଥିରେ ଡରିବାର କଣ ଅଛି। ପୋକମାଛି ଓ ମୋ ଭିତରେ କିଛି ଫରକ୍ ନାହିଁ, ସେମାନେ ବରଂ ମୋ ଅପେକ୍ଷା ଭଲରେ ବଞ୍ଚୁଥିବେ।

ଏତିକି କହି ସେ ଉଠିବାକୁ ଚେଷ୍ଟାକରି ତଳେ କଚାଡି ହୋଇ ପଡିଗଲା

ରାମ ସ୍ପଷ୍ଟ ଦେଖି ପାରୁଥିଲା କେଶବର ମୁହଁ ; ଓଠ ଓ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ବୋହି ଚାଲିଥିଲା ଧାରଧାର ରକ୍ତ। ମୁଣ୍ଡରେ ହୋଇଥିବା ଆଘାତ ରୁ ରକ୍ତସ୍ରାବ ର ମାତ୍ରା ଅଧିକା ଥିଲା ଓ ଏମିତି ବେଶି ସମୟ ଚାଲିଲେ କେଶବ ର ଜୀବନ ମଧ୍ଯ ଚାଲିଯିବାର ସମ୍ଭାବନା ଥିଲା। କେଶବ ପୁଣି ଥରେ ଉଠିବାର ପ୍ରୟାସ କରିବା ବେଳକୁ ଧରି ପକେଇଲା ରାମ। କହିଲା ମୋର ଆଉ ଆଗକୁ ଯିବା ଦରକାର ନାହିଁ। ତୋତେ ଏହି କ୍ଷଣି ଡାକ୍ତରଖାନା କୁ ନେବାକୁ ହେବ।

କେଶୁ ନେହୁରା ହୋଇ କହିଲା-- ବାବୁ ମୋର ଦୋଷ ନାହିଁ। ବିନା କାରଣରେ ସେମାନେ ମୋତେ ମାରିଲେ। ଏବେ ତୋତେ ତୋ ଯାଗାରେ ନ ଛାଡିଲେ, ତୁ ମୋତେ ଟଙ୍କାଟେ ବି ଦେବୁନି। ଆଜିର ଭଡା ମାଲିକ କୁ ନ ଦେଲେ ସେ ମୋତେ ପୁଣି ମାରିବ।

ତା କଥା ଶୁଣି ରାମ ଆଖିରେ ଲୁହ ଜକେଇ ଆସିଲା। ମନ ଭିତରେ ଭଗବାନ ଙ୍କ ଉଦ୍ଦେଶ୍ଯରେ କେବଳ ଗାଳି ହିଁ ବାହାରୁଥିଲା। ତାଙ୍କ ସୃଷ୍ଟି ରେ କେତେ ଜଘନ୍ଯ ପାପାଚାର ଚାଲିଛି ଓ ସେ ସବୁ କିଛି ନୀରବ ରେ ଦେଖି ଚାଲିଛନ୍ତି। କେଶବ ପରି ଦୁର୍ବଳ ଲୋକ ମାନଙ୍କ ଉପରେ, ସମାଜର ତଥାକଥିତ ସଭ୍ଯ ଓ ବଳଶାଳୀ ଲୋକ ଙ୍କର ଅତ୍ଯାଚାର ସୀମା ସରହଦ ଟପିଗଲା ପରି ମନେ ହେଉଛି। କେଶବକୁ କୋଳ କୁ ଟେକି ନେଇ ସେ କହିଲା-- ତୁ ବ୍ଯସ୍ତ ହେବାର କାରଣ ନାହିଁ। ତୋ କାମ ର ପାଉଣା ତୋତେ ନ ଦେଇ ମୁଁ ଯେ ଚାଲିଯିବି, ସେ କଥା ତୁ ଭାବିଲୁ କିପରି?

କିଛି କହିବାକୁ ଉଦ୍ଯତ ହେଉଥିଲା କେଶବ, କିନ୍ତୁ ହଠାତ୍ ଅଚେତ୍ ହୋଇଗଲା। ଏ ଅବସ୍ଥା ଦେଖି ପାଖରେ ଯମା ହୋଇ ଥିବା ଲୋକେ ବାଟ ଭାଙ୍ଗି ଚାଲିଗଲେ, କେଶୁ ମରିଗଲା ଭାବି। ଅନ୍ଯ କିଛି ବିଚାର କରିବାର ଅବକାଶ ନ ଥିଲା ରାମ ପାଖରେ। ସ୍ବାର୍ଥପର ଦୁନିଆର ଅସଲ ସ୍ବରୂପ ତା ନଜର ସାମନା ରେ ପ୍ରତ୍ଯକ୍ଷ ହୋଇ ସାରିବା ପରେ, ସେ ଅନ୍ଯ କାହା ଉପରେ ଯେ ନିର୍ଭର କରିବ, ଅନ୍ତତଃ ସେହି ପଥ ଉନ୍ମୁକ୍ତ ନ ଥିଲା।

ଦୁଇ ହାତରେ ଆହତ କେଶବ କୁ ଧରି ଏକ ଅଟୋ ରିକ୍ସା ଅଟକାଇ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ ଦେଲା। ଅଟୋରେ କେଶୁ ଯନ୍ତ୍ରଣାରେ ଚିକ୍ତାର କରି ଚାଲିଥିଲା। କିଛି ବୁଝି ନପାରି ଅଟୋ ବାଲା ଜଣକ ଆହତ କେଶବ ବିଷୟରେ ଜିଜ୍ଞାସା କଲା। ରାମ ଚଟାପଟ୍ ଉତ୍ତର ଦେଲା-- ସେ ମୋ ଭାଇ। ଗାଡିରୁ ପଡି ଖଣ୍ଡିଆ ଖାବରା ହୋଇ ଯାଇଛି।

କେଶବ ର ଦାରିର୍ଦ୍ର୍ଯ ଜର୍ଜରିତ ଅବସ୍ଥା ଓ ରାମର ଚକମକିଆ ବେଶପୋଷାକ ସହିତ “ସେ ମୋ ଭାଇ ” ଉକ୍ତିର ଅବିଶ୍ବସନିୟତା ଜଳଜଳ ଦିଶୁଥିଲେ ମଧ୍ଯ ଅଟୋରିକ୍ସା ଚାଳକଟି ଚୁପ୍ ରହିବାକୁ ଶ୍ରେୟ ମନେକଲା।

ସେମାନେ ଡାକ୍ତରଖାନା ପାଖାପାଖି ପହଞ୍ଚି ସାରିଥିଲେ ଓ ରାମ ମନେମନେ କହି ଚାଲିଥିଲା-- ତୁ ବ୍ଯସ୍ତ ହ'ନି ରେ କେଶବ, ତୋ'ର କିଛି ହେବନି-- ତୁ ଏକୁଟିଆ ନାହୁଁ। ମୁଁ ତୋ ସାଙ୍ଗରେ ଅଛି। ବୋଧେ ସେ ଜାଣି ପାରିଥିଲା ଯେ କେବଳ ନିଜ ପାଇଁ ବଞ୍ଚିଲେ ଜୀବନ ର କିଛି ସାର୍ଥକତା ନ ଥାଏ ; ଅସଲ ଜୀବନ ତ ସେୟା, ଯାହା ଅନ୍ଯ ମାନଙ୍କ ପାଇଁ ବଞ୍ଚାଯାଏ। ନିଜ ଜୀବନ ରେ ଦେଖି ଥିବା ଅନେକ ରଙ୍ଗର ଜାଜୁଲ୍ଯମାନ ରୂପ ମଧ୍ଯରୁ ଏହି ରଙ୍ଗର ଓୌଜଲ୍ଯତା ଯେ ଯଥେଷ୍ଟ ଅଧିକ, ଅନ୍ତତଃ ରାମ ଭଲରେ ହୃଦୟଙ୍ଗମ କରି ସାରିଥିଲା ।

******ସମାପ୍ତ********


Rate this content
Log in

Similar oriya story from Inspirational