ଜୀବନେ ଜୁଆର
ଜୀବନେ ଜୁଆର


ଗୋଟିଏ ସତର ଅଠର ବର୍ଷର ପିଲାଟିଏ ଜୀବନ ବିକଳରେ କ୍ଷିପ୍ର ଗତିରେ ଦୌଡି ଥାଏ। ପଛରେ ତାର ଅନେକ ଲୋକ ମଧ୍ଯ ଦୌଡୁ ଥାଆନ୍ତି, ଆଉ କହୁଥାନ୍ତି- ଆରେ ଧର ଧର ଧର ତାକୁ। ପଳେଇଲା ପଳେଇଲା। ଆରେ ଚୋରକୁ ଧର। ଏମିତି ଅନେକ ସମୟର ଛକା ପଞ୍ଝା ପରେ ପିଲାଟି ଶେଷରେ ଧରାପଡିଗଲା ସେଇ ଲୋକମାନଙ୍କ ହାତରେ। ତାପରେ ପିଲାଟିକୁ ବିଜୁଳି ଖୁଣ୍ଟରେ ବାନ୍ଧି ଲୋକମାନେ ପିଟାମରା ଆରମ୍ଭ କରିଦେଲେ। ବହୁ ସମୟ ଏମିତି ଉତ୍ତମ ମଧ୍ଯମ ଦେଇ ଚାଲିଲେ ଲୋକମାନେ। ଏଖବର ପହଞ୍ଚିଲା ପୋଲିସ୍ ନିକଟରେ। ପୋଲିସ୍ ଆସି ପିଲାଟିକୁ ଉଦ୍ଧାର କରି ଡାକ୍ତରଖାରେ ଚିକିତ୍ସା କରାଇ ଥାନାକୁ ନେଇଗଲା।
ବୁଢି ଲୋକଟିଏ ଡାକି ଡାକି ଆସିଲା- ବିକାଶ ବୋଉ, ବିକାଶ ବୋଉ, ଆଲୋ ଏ ବିକାଶ ବୋଉ। ଆଲୋ ଘରେ ଅଛୁ ନା ନାହିଁବା? ହଁ , ହଁ ନାନୀ ଯାଉଛି, ଏଇ ଗୁହାଳଟା ସଫା କରୁଛି। ଯାଉଛି। ଏ ନିଆଁ ନଗା ଗୋରୁ ଗୁଡାକ ଗୁହାଳକୁ କଣ କଲା ଭଳି କରୁଛନ୍ତି, ଯେତେ ସଫା କଲେ ଯୋଉ ଅଳିଆକୁ ସେଇ ଅଳିଆ। ଆଉ ମରଦ ଆସି ଯଦି ଦେଖିବ ଗୁହାଳ ଅଳିଆ ହୋଇ ପଡିଛି। ମୋ ଚଉଦ ପୁପୁଷ ଉଦ୍ଧାର କରିବ। ଇଲୋ ଇଲୋ ତୁ ଚଉଦ ପୁରୁଷ କଥା କଣ କହୁଛୁ ଏଇ ପୁରୁଷକୁ ଆଗ ସମ୍ଭାଳ। କଣ ନାନୀ ତେମେ ଏମିତି କହୁଛ? ନାନୀ- ଇଲୋ ନ ଦେଖିଲା ଲୋକ ଦେଖ, ନା କଇଁଛ କାଢିଛି ବେକ। କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। ଆଉ ବିଲେଇ ଏଠି ଆଖି ବୁଜିବୁଜି କ୍ଷୀର ପିଉଚି। ଇଲୋ ତୋ ପୁଅ ବିକାଶ ଆର ଗାଁ ନାଥବାବୁ ଘରେ ପଶି ଚୋରି କରୁଥିଲା । ଗାଁ ଲୋକ ତାକୁ ଧରି ଲାଇନ୍ ଖୁଣ୍ଟରେ ବାନ୍ଧି ପ୍ରବଳ ବାଡେଇବା ପରେ ପୋଲିସ୍ ଆସି ତାକୁ ସାଙ୍ଗରେ ନେଇଯାଇଛନ୍ତି। ଲୋକ ତ କହୁଛନ୍ତି ଏତେ ମାଡ ଖାଇଛି କେ ବଞ୍ଚିବ କି ନାହିଁ ସନ୍ଦେହ। ଏତି ଶୁଣି ବିକାଶର ମାଆ ଏକ ନିଃଶ୍ୱାସରେ ଦୌଡିଲା ଥାନାକୁ। ଥାନାରେ ଥାନା ବାବୁଙ୍କ ଆଗରେ ବହୁତ କାକୋତି ମିନତି ଓ ନେହୁରା ହେବା ପରେ, ଥାନା ବାବୁ ନାଥ ବାବୁଙ୍କୁ ଥାନାକୁ ଡକାଇ କେସ୍ ମିମାଂଶା କରି ବିକାଶକୁ ତା ମାଆ ସହ ଘରକୁ ଯିବାକୁ ଛାଡିଲେ। ଆଉ କହିଲେ, ଦେଖ ମାଉସୀ ତୁମ ପୁଅ ବାରମ୍ବାର ଏମିତି କାଣ୍ଡ କରୁଛି। ଏଇଥର ଟା ଶେଷ ଥର, ତୁମ କଥାରେ ଛାଡିଲି। କିନ୍ତୁ ଯଦି ଭବିଷ୍ଯତରେ ସେ ନିଜକୁ ପରିବର୍ତ୍ତନ ନକରେ ତେବେ ଆପଣ ଯେତେ ନେହୁରା ହେଲେ ବି ମୁଁ ଆଉ ଛାଡିବିନି।
ବିକାଶର ମାଆ ବିକାଶକୁ ଘରକୁ ଆଣି ବହୁତ ବୁଝାଇଲେ। ବିକାଶ ଥିଲା ତା ବାପା ମାଆଙ୍କର ଗୋଟିଏ ବୋଲି ପୁଅ। କିଛି ଦିନ ଘରେ ରହିବା ପରେ ହଠାତ୍ ଦିନେ ବିକାଶ କୁଆଡେ ପଳେଇଗଲା। ତିନି ଚାରି ଦିନ ପରେ ଖବର ମିଳିଲା ବିକାଶ ଲତା ବସ୍ ରେ କଣ୍ଡେକ୍ଟର ରହିଛି। କିଛି ଦିନ ଏମିତି ଚାଲିଲା। ଧିରେ ଧିରେ ବିକାଶ ମଦ, ଗଞ୍ଜେଇ ଆଦି ନିଶାଦ୍ରବ୍ଯ ଖାଇବା ଆରମ୍ଭ କରିଦେଲା। କଥାରେ ନାହିଁ ଅଙ୍ଗାରଂ ଶତ ଧୌତଂ ମଳିନଂ ନଯାୟତେ। ସେମିତି ଯେତେବେଳେ ତା ନିକଟରେ ପଇସାର ଅଭାବ ହୁଏ, ସେ ଚୋରି କରିବାର ବାଟକୁ ଆପଣେଇ ନିଏ। ଆଉ ବେଳେ ବେଳେ ଧରାପଡି ଅନେକ ମାଡ ଖାଏ। ଏମିତି ଦିନ ସବୁ ବିତି ଚାଲି ଥାଏ।
ଦିନେ ଏକ ରଙ୍ଗ ନମ୍ବର କଲ୍ ଆସିଲା ବିକାଶ ପାଖକୁ। ସେଇ କଲ୍ ଟନ ଥିଲା ଗୋଟିଏ ଝିଅର। ଯିଏ ତା' ସାଙ୍ଗ ନିକଟକୁ କଲ୍ କରୁଥିଲା କିନ୍ତୁ ଭୁଲ୍ ରେ ବିକାଶ ପାଖକୁ ଲାଗିଯାଇଥିଲା। ଝିଅଟିର କଣ୍ଠସ୍ୱର ବିକାଶକୁ ତା ଆଡକୁ ଆକୃଷ୍ଠ କଲା। ଧିରେ ଧିରେ ବିକାଶ ଓ ସେ ଝିଅ ମଧ୍ଯରେ ଗଢି ଉଠିଲା ପ୍ରେମ ସମ୍ପର୍କ। ବିକାଶର କାରନାମା ବିଷୟରେ । ଝିଅଟି ଏକ ଘରୋଇ ମେଡିକାଲ୍ ରେ ରିସେପସନିଷ୍ଟ୍ ଥାଏ। କିଛି ଦିନ ପରେ ବିକାଶ ଘରେ ସେଇ ଝିଅକୁ ବାହାହେବାପାଇଁ କହିଲା। ତା ବାପା ମାଆ ବି ସେ ଝିଅ ସହ ବିକାଶର ବାହାଘର କରିଦେଲେ। ବିବାହ ପରେ ଘରକୁ ସ୍ତ୍ରୀ ଆସିବା ପରେ ବିକାଶ ମୁଣ୍ଡରେ ଚିନ୍ତ
ା ପଶିଲା। କେତେଦିନ ଆଉ ସ୍ତ୍ରୀ ରୋଜଗାରରେ ଚଳିବ? ସ୍ତ୍ରୀ ଯେତିକି ଟଙ୍କା ବି ଦଉଛି, ସେତକ ତା ମଦ, ଗଞ୍ଜେଇ ଖର୍ଚ୍ଚକୁ ବି ନିଅଣ୍ଟ ହେଉଛି। ଶେଷରେ ସେ ନିଜ ମାଆ ପାଖରୁ କିଛି ଟଙ୍କା ଦରକାର ଅଛି ବୋଲି କହି ନେଲା। ଆଉ ସେହି ଟଙ୍କାରେ ଚୋରା ମଦ ବ୍ଯବସାୟ ଆରମ୍ଭ କଲା। ହେଲେ ଏକଥା ଯେତେବେଳେ ତା ସ୍ତ୍ରୀ ଜାଣିଲା, ସେ ବିକାଶକୁ ବହୁତ ରାଗିଲା। ଉଭୟଙ୍କ ମଧ୍ଯରେ ପ୍ରବଳ ଝଗଡା ହେଲା। ଶେଷରେ ବାଧ୍ଯ ହୋଇ ମଦ ବ୍ଯବସାୟ ବନ୍ଦ କରି ବେକାର ହୋଇ ଗାଁରେ ବୁଲିଲା ବିକାଶ। ମଦ ଗଞ୍ଜେଇ ନିଶାରେ ସବୁବେଳେ ବୁଡି ରହିଲା। ଦିନେ ସେ ତା ବାପାକୁ କହିଲା- ବାପା ମତେ ଦୁଇଲକ୍ଷ ଟଙ୍କା ଦିଅ ମୁଁ ବ୍ଯବସାୟ ଆରମ୍ଭ କରିବି। ତା ବାପା କହିଲେ ମୁଁ ଏତେ ଟଙ୍କା କେଉଁଠୁ ଆଣିବି? ବିକାଶ କହିଲା ମୁଁ ଜାଣିନି, ତୁମେ ବିଲ ବିକ, ବାଡି ବିକ କି ଘର ବିକ। ନହେଲେ ନିଜେ ବିକ୍ରି ହେଇଯାଅ ପଛେ କିନ୍ତୁ ମତେ ଦୁଇଲକ୍ଷ ଟଙ୍କା ଦିଅ। ଏଇ କଥାକୁ ନେଇ ବାପ ପୁଅ ମଧ୍ଯରେ ପ୍ରବଳ ଝଗଡା ହେଲା। ରାଗରେ ବିକାଶ ଘରୁ ପଳେଇଗଲା। ଆଉ ଆଗ ଅପେକ୍ଷା ଅଧିକ ମଦ, ଗଞ୍ଜେଇ ଆଦି ନିଶାଦ୍ରବ୍ଯ ସେବନ କରିବାକୁ ଆରମ୍ଭ କଲା। ଯେତେବେଳେ ଟଙ୍କାର ଅଭାବ ହେଲା ରାସ୍ତାରେ ଗାଡି ଅଟକାଇ ଟଙ୍କା ଆଦାୟ କରି ନିଶା ଖାଇଲା। ଅଧିକାଂଶ ସମୟ ନିଶାରେ ଅସଭ୍ଯ ଭାଷାରେ ଗାଳି ଗୁଲଜ ମଧ୍ଯ କଲା। ଏଥିରେ ବିରକ୍ତ ହୋଇ ପଡିଶା ଘରର ଲୋକମାନେ ଦିନେ ତାର ଅଭଦ୍ରାମି ପାଇଁ ପ୍ରବଳ ବାଡେଇଲେ।
ମାଡ ଖାଇ ଘରକୁ ଯିବା ପରେ ତା ମାଆ, ବାପା ଓ ସ୍ତ୍ରୀ ତାର ଏପରି କାର୍ଯ୍ଯ ପାଇଁ ବହୁତ ବିରକ୍ତ ହେଲେ। ଶେଷରେ ବିକାଶ ରାଗି ଘରୁ ପଳେଇଗଲା। ମନେ ମନେ ବହୁତ ବିରକ୍ତ ହେଲା। ଭାବିଲା ମୁଁ ତ ଯାହା ଚାହୁଁଚି ମତେ ଦେଉ ନାହାଁନ୍ତି। ବେପାର ପାଇଁ ଟଙ୍କା ଦଉ ନାହାଁନ୍ତି। ହାତ ଖର୍ଚ୍ଚ ପାଇଁ ଟଙ୍କା ନାହିଁ। ନିଜେ ବ୍ଯବସାୟ ଆରମ୍ଭ କଲି ସେଥିରେ ବି ଅସୁବିଧା। ତାହେଲେ ମୁଁ କରିବି କଣ? ମୋ ଦ୍ୱାରା କିଛି ହେଇ ପାରିବନି। ମୁଁ ଅଛି ବୋଲି ସମସ୍ତଙ୍କର ଅସୁବିଧା ହେଉଛି। ସମସ୍ତେ ମୋ ପାଇଁ ଲୋକ ହସା ହେଉଛନ୍ତି। ମୁଁ ହିଁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ମୁଁ ମରିଗଲେ ସବୁ ସମସ୍ଯାର ସମାଧାନ ହୋଇଯିବ। ଏତିକି ଚିନ୍ତାକରି ପ୍ରବଳ ମଦ ପିଇବା ପରେ ବଜାରରୁ ବିଷ ଆଣି ପିଇଦେଲା। କିଛି ସମୟ ପରେ ଲୋକ ଦେଖି ତାକୁ ଡାକ୍ତରଖାନା ନେଇଗଲେ। ତିନି ଚାରି ଦିନ ଡାକ୍ତର ଖାନାରେ ଚିକିତ୍ସିତ ହେବା ପରେ ହଠାତ୍ ଦିନେ ସବୁ ଦିନ ପାଇଁ ଆଖିବୁଜି ଦେଲା ବିକାଶ।
ବିକାଶର ମୃତ୍ଯୁ ଖବର ତାର ସ୍ତ୍ରୀ ପାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଲା। ମୁଣ୍ଡ ବାଡେଇ କାନ୍ଦିବାକୁ ଆରମ୍ଭ କଲା। ଆଉ କାନ୍ଦି କାନ୍ଦି କହିଲା- ମାନୁଛି ତୁମ ଜୀବନରେ ଅନେକ ସମସ୍ଯା ଥିଲା। କିନ୍ତୁ ସେ ସମସ୍ଯା ଗୁଡାକ ପ୍ରକୃତ ସମସ୍ଯା ନଥିଲା। ସମସ୍ଯା କୁ ନେଇ ତୁମର ପ୍ରତିଟି ପ୍ରତିକ୍ରିୟା ହିଁ ସବୁଠାରୁ ବଡ ସମସ୍ଯା ଥିଲା। ଯାହା, ନା ମୁଁ ତୁମକୁ କେବେ ବୁଝେଇ ପାରିଲି, ନା ତୁମେ କେବେ ତାହା ବୁଝି ପାରିଲ? ଶେଷରେ ମୋ ଜୀବନରେ ଏମିତି ଏକ ଜୁଆର ଆସିଲା ଯାହା ମୋ ସବୁ ସ୍ୱପ୍ନକୁ ଚୁରମାର କରିଦେଲା। ଏତିକି କହି ହଠାତ୍ ଚେତା ଶୂନ୍ଯ ହୋଇ ପଡିଲା ବିକାଶର ସ୍ତ୍ରୀ। ଯେତେ ପ୍ରୟାସ କଲେ ଆଉ ଚେତା ଫେରିଲା ନାହିଁ। ୧୦୮ ଆମ୍ବୁଲାନ୍ସକୁ ଡାକି ତାକୁ ଡାକ୍ତର ଖାନାକୁ ନେଇଗଲେ। ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କଲେ।
ବିକାଶର ସ୍ତ୍ରୀ ନିଜର ମୃତ୍ଯୁ ପୂର୍ବରୁ ଯେଉଁ କଥା କହିଗଲା ଯେ- " ସମସ୍ଯା ପ୍ରକୃତରେ ସମସ୍ଯା ନୁହେଁ। ସମସ୍ୟା ହେଉଛି ଆମର ତା'ଉପରେ ପ୍ରତିକ୍ରିୟା।" ଏଥିରେ ଆପଣ କଣ ଏକମତ? ତେବେ କାହାଣୀ ପଢ଼ି ମତାମତ ନିଶ୍ଚିତ ଦେବେ। ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି, ନମସ୍କାର।