ଜୀବନ
ଜୀବନ
ସମୟ ସ୍ରୋତରେ ଏ ଜୀବନ )
ବିଶାଖାର ଏ ଅକସ୍ମାତ ବଦଳି ଅର୍ଡରଟା ରାଜନେତାଙ୍କ ଦ୍ଵାରା ହୋଇଥିଲେ ବି ଏହା ରାଜନୈତିକ କାରଣରୁ ନୁହେଁ ଏକଥା ସେ ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ, ଆରେ କିଛି ରାଜନୈତିକ କାରଣ ନ ହେଲେ ବି ରାଜନୈତିକ ଉଦ୍ଦେଶ୍ୟଟିଏ ଏଥିରେ ନିହିତ ନ ଥିଲେ କୋଉ ନେତା ତମ ବଦଳି ହେଲେ କେତେ ନ ହେଲେ କେତେ ସେ କାଇଁ ମୁଣ୍ଡ ପୁରେଇବ ମ । ତମେ ବୁଝିନ ସେ ସବୁ ଚକ୍ରାନ୍ତ । ଜଏନ କର, କିଛି ଦିନ ପରେ ବଳେ ବୁଝି ପାରିବ ।।
ସେ ଦିନ ଠିକ କହୁଥିଲେ ଜୟନ୍ତ ।।
ବିଶାଖା ସୁଦୂର ବରପାଲି ବ୍ଲକରେ ଜଏନ କରିବା ଚାରିମାସ ବିତି ସାରିଥିଲା ନିର୍ବିଘ୍ନରେ ।। ଅଗଷ୍ଟ ପନ୍ଦର ଆସିବାର ଆଠ ଦିନ ପୂର୍ବରୁ ସ୍ଥାନୀୟ ଏମ୍.ଏଲ୍.ଏ ଆସିଥିଲେ । ପତାକା ଉତ୍ତୋଳନର ଅବ୍ୟବହିତ ପୂର୍ବରୁ କରା ଯାଉଥିବା ବ୍ୟବସ୍ଥାର ପର୍ଯ୍ୟବ୍ୟକ୍ଷଣ ନିମନ୍ତେ ।। ସର୍କିଟ ହାଉସରେ ରହି ଥିଲେ, ବିଶାଖାକୁ ଡକେଇ ଥିଲେ ଆଲୋଚନା ପାଇଁ ।। ବିଶାଖା ଅବିଳମ୍ବେ ପହଁଚି ଏମ୍.ଏଲ୍.ଏ. ତଥା ବିଭାଗୀୟ ମନ୍ତ୍ରୀ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ଜଣାଇଥିଲା ।।
ମନ୍ତ୍ରୀ ମହୋଦୟ ମଧ୍ୟ ସମସ୍ତ ଦଳୀୟ କର୍ମୀଙ୍କୁ କିଛି ସମୟ ବାହାରେ ରହିବାକୁ କହି ସସମ୍ମାନେ ବିଶାଖାକୁ ବସିବାକୁ କହି ଆଗ୍ରହର ସହିତ ଫୁଲ ତୋଡା ଟି ଗ୍ରହଣ କରି ଥିଲେ ।। ଅଳ୍ପ କିଛି ଔପଚାରିକ କଥାବାର୍ତ୍ତା ପରେ ପରିବାର ବିଷୟରେ ପଚାରିଥିଲେ । କଟକ ଛାଡି ଏତେ ଦୂରରେ କାମ କରିବାକୁ କଷ୍ଟ ହେଉଥିବ ଏବଂ ଘରକୁ ଯିବାକୁ ଅସୁବିଧା ହେଉଥିବା କଥା ବି କହିଥିଲେ ।
ମୋ ଚାକିରୀ ସାର ବତିଶି ବର୍ଷ ହେଲାଣି । ଓଡିଶାର ବହୁତ ଜିଲ୍ଲାରେ କାମ କରିଛି, ଷ୍ଟେଟ କାଡର ହେଇଥିବାରୁ ଅନେକ ଜିଲ୍ଲାକୁ ଯିବାକୁ ପଡିଛି । କେବେ କେଉଁଠିକି ଯିବା ପାଇଁ ମନା କରିନାହିଁ । ଯେତେ ବ୍ୟକ୍ତିଗତ ସମସ୍ୟା ଥିଲେ ବି ମୁଁ ମୋ ପିଲାମାନଙ୍କ ସହିତ ସେ ସବୁ ଜିଲ୍ଲାକୁ ଯାଇଛି ।ଆଉ ଏବେ ତ ପିଲାମାନେ ବଡ଼ ହେଇ ଗଲେଣି, ନିଜେ ସ୍ୱାବଲମ୍ବୀ ହେଲେଣି । ଏଠିକି ଆସି ମୋର କିଛି ଅସୁବିଧା ହେଉନି ସାର ।।
ବିଶାଖାର ମୁଖ ମଣ୍ଡଳର ଦୃଢ଼ତା ଏବଂ ଆଖିରେ ଝଲସୁ ଥିବା ଆତ୍ମବିଶ୍ୱାସର ଉଜ୍ଜ୍ୱଳତାକୁ ଲକ୍ଷ୍ୟ କରୁଥିଲେ ମନ୍ତ୍ରୀ ମହୋଦୟ ।।
ହଁ ହଁ ମାଡାମ, ମୁଁ ଜାଣେ ।। ଆପଣଙ୍କ କାର୍ଯ୍ୟ ଦକ୍ଷତା ବିଷୟରେ ଖୁବ ଶୁଣିଚି ମଧ୍ୟ ।। ସେଥିପାଇଁ ତ ଆପଣଙ୍କ ବିଭାଗର ସଚିବଙ୍କ ସହ ଆଲୋଚନା କରି ଆପଣଙ୍କୁ ମୋ ବ୍ଲକକୁ ଆଣିଛି । ବିଶାଖାର ଏ ଦି ପଦ ଶୁଣି କ୍ଷଣକ ପାଇଁ ଭ୍ରୂ-କୁଞ୍ଚିତ ହୋଇ ଗଲା ।। ତଥାପି ତାଙ୍କ କଥାକୁ ଶୁଣିବାର ଧୈର୍ଯ୍ୟ ରଖିଥିଲା ।।
କିଛି ସମୟ ପରେ କପେ ଚା ଆଉ କିଛି ସନ୍ଦେଶ ଆଣି ଦେଇ ଗଲେ ମନ୍ତ୍ରୀଙ୍କର କେହି ନିଜ ଲୋକ ଜଣେ।। ଅତି ଅନୁନୟ ବିନୟର ସହ ହାତ ଯୋଡି ବିଶାଖା କହିଥିଲା, କ୍ଷମା କରିବେ ସାର, ମୁଁ ଚା ପିଏନି, ଆଉ ସହଜେ ଡାଇବେଟିସ ରୋଗୀଟିଏ ମୁଁ, ମିଠା ଖାଇ ପାରିବିନି । ବିନମ୍ରତା ତଥା ଦୃଢ଼ତାର ସହ କହିଥିଲା ।।
ସେ କଥା ଜାଣିଚି ବୋଲି ସୁଗାର ଫ୍ରି ସନ୍ଦେଶ ଆଉ ଚାହାର ବ୍ୟବସ୍ଥା କରିଛି। ଆରେ ମୁଁ ନିଜେ ପରା ଗୋଟେ ଡାଇବେଟିସ ପେସେଣ୍ଟ ।। ନିଅନ୍ତୁ ମାଡାମ, ମନା କରନ୍ତୁ ନାହିଁ ।।
କିଛି ମନେ କରିବେ ନାହିଁ ମାଡାମ, ଗୋଟେ କାମ ଅଛି ଆପଣଙ୍କ ଦ୍ୱାରା ।। କରିଦେବେ ପ୍ଲିଜ ।। ମୋର ଜଣେ ଦଳିୟ କର୍ମୀର ମିସେସ ଆପଣଙ୍କ ବିଭାଗରେ ଖାଲି ଥିବା ପୋଷ୍ଟ ପାଇଁ ଦରଖାସ୍ତ କରିଛି । ଖୁବ ଯୋଗ୍ୟ ପ୍ରାର୍ଥୀନୀଟିଏ, ଦେଖିବେ ନିଜେ ସେ ଖୁବ ଭଲ କାମ କରିବ ।। ମେଟ୍ରିକ ଫାଷ୍ଟ ଡିଭିଜନରେ ପାସ କରିଛି । ମାର୍କ ମଧ୍ୟ ଭଲ ଅଛି, ଦେଖିବେ ।
ତାହେଲେ ସେ ପାଇଯିବ ତା ଯୋଗ୍ୟତା ଅନୁସାରେ, ମୋର କିଛି କରିବାର ଆବଶ୍ୟକ ନାହିଁ ସାର ।
ତଥାପି ଆପଣ ଦେଖିବେ । କିଛି କମ ବେଶି ଦେଖିଲେ ଆଡ଼ଜଷ୍ଟ୍ କରି ଦେବେ ।। କିନ୍ତୁ ସେ ଯେମିତି ପାଏ ସେ ଦାୟିତ୍ୱ ଆପଣଙ୍କର ।। ମୁଁ ଜିଲ୍ଲାପାଳଙ୍କ ସହିତ କଥା ବାର୍ତ୍ତା କରିଛି ।
ମନ୍ତ୍ରୀ ମହୋଦୟ ତା ପରେ ଉଠି ଚାଲି ଯାଇଥିଲେ ।।
ବିଶାଖା ନିଜ ଅଫିସ ଗାଡ଼ିରେ କ୍ୱାର୍ଟର୍ସକୁ ଫେରି ଆସିଥିଲା ।।
ଖୁବ ମାନସିକ ଯନ୍ତ୍ରଣାରେ ପଡିଥିଲା ସେ ।।
ଜୟନ୍ତ ଖୁବ ମନେ ପଡିଲେ । ସତରେ ରାଜନୈତିକ ଅଭିସନ୍ଧି ନ ଥିଲେ ସ୍ୱାର୍ଥହାସଲ କରିବା ପାଇଁ ତାର ବଦଳିଟା ହୋଇଥିଲା ।ବତିଶି ବର୍ଷର ଚାକିରି ଭିତରେ ଏ ଭଳି ରାଜନୈତିକ ଚାପ କିଛି ନୂଆ ନ ଥିଲା ।। କେବେ କୌଣସି ଚାପ ଆଗରେ ମୁଣ୍ଡ ନୁଆଇଁ ନ ଥିବା ବିଶାଖା ଆଜି ମଧ୍ୟ ମୁଣ୍ଡ ନୁଆଇବନାହିଁ, ଏଥିରେ ଦୃଢ଼ ପ୍ରତିଜ୍ଞ ଥିଲା ।।
ମନ୍ତ୍ରୀଙ୍କର କ୍ୟାଣ୍ଡିଡେଟ ଖୁବ ଭଲ ମାର୍କ ରଖିଥିଲେ, କିନ୍ତୁ ତାଙ୍କ ଠାରୁ ତିନି ମାର୍କ ଅଧିକ ରଖିଥିବା ହରିଜନ ମହିଳା ଜଣେ ସେ ପୋଷ୍ଟ ପାଇଁ ପ୍ରକୃତ ହକଦାର ଥିଲେ ।
ମନ୍ତ୍ରୀଙ୍କ ସହ କଥା ବାର୍ତ୍ତା ପର ଦିନ ତାଙ୍କ କର୍ମୀ ଜଣଙ୍କ ତାଙ୍କ ପ୍ରାର୍ଥୀନୀ ପତ୍ନୀଙ୍କ ସହ ବିଶାଖାର ବାସ ଭବନରେ ଦୁଇ ଖଣ୍ଡ ସମ୍ବଲପୁରୀ ପାଟ ଧରି ଆସି ପହଞ୍ଚିଥିଲେ । ମୁଁ ଆଶ୍ଚର୍ଯ୍ୟ ହେଲି ନାହିଁ, ଏମିତି ହୁଏ, ଦାମ ପଚାରିଲି ଯାହା ଶୁଣି ମୋର ଶକ୍ତି ବାହାରେ ଥିବା ପରି ଅନୁଭବ କଲି ।
ନାଇଁ ମାମ, ଦାମ ଦେବାକୁ ପଡିବନି, ଏଇଟା ଆପଣଙ୍କ ପାଇଁ ଉପହାର ।
କି ଉପହାର, କାହିଁକି ? ତୁମ ପାଇଁ ମୁଁ ଏ ଯାଏ କିଛି କରିନି, ଏତେ ମୂଲ୍ୟବାନ ଉପହାର ମୁଁ କାହିଁକି ନେବି ?
ସେମାନେ ବହୁତ ବାଧ୍ୟ କଲା ପରେ ମୁଁ କହିଥିଲି, ଠିକ ଅଛି ଦୁଇଟି ନୁହେଁ ଗୋଟିଏ ରଖିବି କିନ୍ତୁ ତାର ଦାମ ତୁମକୁ ନେବାକୁ ପଡିବ ନ ହେଲେ ରଖିବି ନାହିଁ ।
ସେଇ ଖଣ୍ଡିକ ମଧ୍ୟ କିଣିବା ପାଇଁ ମୋର ସାଧ୍ୟ ନ ଥିଲା, ତଥାପି ପାଞ୍ଚ ହଜାର ଟଙ୍କା ଦେଲି, ନ ହେଲେ ରଖିବି ନାହିଁ ବୋଲି କହିବାରୁ ସେ ଟଙ୍କା ନେଲେ । ଏତେ ଦାମର ଶାଢ଼ୀ ପିନ୍ଧିବାର ତାକତ ମୋର ନ ଥିଲା ସେତେବେଳେ ।। ଏ ଯାଏ ବି ସେ ଶାଢ଼ୀ ମୋ ପାଖରେ ଅଛି ସମ୍ବଲପୁରର ସ୍ମୃତି ହୋଇ । ଯେତେବେଳେ ମୋ ଅଫିସର ସେ ନିଯୁକ୍ତି ଫଳାଫଳ ପ୍ରକାଶ ପାଇଥିଲା ମନ୍ତ୍ରୀଙ୍କର ସେ ପ୍ରାର୍ଥୀନିଙ୍କର ନାଁ ନ ଥିଲା। ଆଶ୍ଚର୍ଯ୍ୟର କଥା ଥିଲା ଯେ କାହାରି କିଛି ପ୍ରତିକ୍ରିୟା ନ ଥିଲା ସେଥିପାଇଁ ।
କିନ୍ତୁ ଠିକ୍ ମାସକ ପରେ ମୁଁ ବଦଳି ଆଦେଶ ପାଇଥିଲି ।।
ମୁଁ ଜାଣିଥିଲି ସେମିତି କିଛି ହବ ବୋଲି ।। ସେଥିପାଇଁ ଡିପାର୍ଟମେଣ୍ଟର ସର୍ବୋଚ୍ଚ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇ ଦେଇଥିଲି ପୂର୍ବରୁ । ସେ ମଧ୍ୟ ଆଶ୍ୱାସନା ଦେଇ ଥିଲେ ତମେ ଠିକ ରାସ୍ତାରେ ଥାଅ, କିଛି ବି ହବନି । ମୋ ନ ଜାଣିବାରେ ତମର ବଦଳି ହେଇ ପାରିବ କି ? ବ୍ୟସ୍ତ ହବାର ଆବଶ୍ୟକତା ନାହିଁ ।। ମାତ୍ର ବିଡ଼ମ୍ବନାର ବିଷୟ ଥିଲା ତାଙ୍କର ଗୋଟିଏ ଦିନର ଅନୁପସ୍ଥିତିରେ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ଦସ୍ତଖତରେ ବଦଳି ଅର୍ଡର ଖୁବ ତରବରିଆ ଭାବେ ପଠା ଗଲା ମୋ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ।। ମନ୍ତ୍ରୀଙ୍କର ଅନୁମୋଦନ କ୍ରମେ ।।
କିନ୍ତୁ ରିଲିଭ ହେବା ପୂର୍ବରୁ ମାନ୍ୟବର ହାଇକୋର୍ଟଙ୍କର ସ୍ଥଗିତାଦେଶ ସମସ୍ତଙ୍କୁ ଚକିତ କରିଥିଲା ।।
ସମ୍ବଲପୁର ଆସିବାର ବର୍ଷକ ପରେ ବଦଳି, ତା ପୁଣି ଫୁଲବାଣୀର କୋଟଗଡକୁ । ମୋର ଚାକିରୀ ମାତ୍ର ଦୁଇବର୍ଷ ଥାଏ । ଅନ୍ୟାଦେଶ ନ ପହଞ୍ଚିବା ପର୍ଯ୍ୟନ୍ତ ଜିଲ୍ଲାପାଳ ମୋତେ ରିଲିଭ କରି ପାରିବେ ନାହିଁ ବୋଲି ସେ ସ୍ଥଗିତାଦେଶରେ ଲେଖା ଥିଲା ।।।ସବୁ ସ୍ଥିର ହୋଇ ଯାଇ ଥିଲା ।
ରାଜନୈତିକ ମହଲରେ ମଧ୍ୟ ନୀରବତା ଦେଖା ଦେଇଥିଲା ।। ତା ପରେ କୌଣସି ଅସୁବିଧା ହୋଇ ନ ଥିଲା ମୋର, ସେଠାରେ ଚଳିବା ପାଇଁ । ବେଶ ସୁରୁଖୁରୁରେ ଅବଶିଷ୍ଟ କାର୍ଯ୍ୟକାଳ ସରି ଯାଇଥିଲା ।
ନିର୍ବିଘ୍ନରେ ମୋ ଚାକିରୀ ଜୀବନର ଅବଶିଷ୍ଟ ଦୁଇ ବର୍ଷ କଟେଇ ଦେଇଥିଲି । ଅବସର ନେବାର ଦିନ ପାଖେଇ ଆସୁ ଥିଲା ।। ମନ୍ତ୍ରୀଙ୍କ ପାଖରୁ ଡାକରା ଆସିଥିଲା ସର୍କିଟ ହାଉସକୁ ଯାଇଥିଲି ମଧ୍ୟ, ଏଥର ମନରେ କିଛି ଭୟ ଦ୍ଵିଧା ନ ଥିଲା ।।
ହସି ହସି ମନ୍ତ୍ରୀ ମହୋଦୟ କହିଲେ, ଆପଣ କଣ ରାଗ ରଖିଛନ୍ତି କି ? ମୁଁ ଜାଣିଥିଲି ଆପଣ କେବେ ହେଲେ ନ କରିବା କାମ କରିବେ ନାହିଁ । କଣ କରିବା ମାଡାମ, ଦଳୀୟ କର୍ମୀଙ୍କ ଅନୁରୋଧଟା ରଖିବାକୁ ପଡିବ । ସେଥିପାଇଁ ଆପଣଙ୍କୁ କହିଥିଲି, ହଉ ଛାଡ଼ନ୍ତୁ, ଖୁସି ଖୁସିରେ ଅବସର ଜୀବନ କଟାନ୍ତୁ । ଏ ବ୍ଲକ ପାଇଁ ଆପଣଙ୍କ କାର୍ଯ୍ୟ ପ୍ରକୃତରେ ପ୍ରଶଂସା ଯୋଗ୍ୟ । ମୁଁ ଗର୍ବିତ ଯେ ମୋ ଅଞ୍ଚଳରେ ଆପଣ ଅନେକ କାମ କଲେ ନିଷ୍ଠାର ସହିତ, ସକଳ ବାଧା ବିଘ୍ନ ସତ୍ତ୍ୱେ ।।
ମୁଁ କେବଳ ନୀରବ ରହିଥିଲି ।।
ତା ପରେ ଦୁଇଟି ସୁଗାର ଫ୍ରି ସନ୍ଦେଶ ସହିତ ଗୋଟିଏ ଫୁଲ ତୋଡା ।। ଆମ ପ୍ରତି କୌଣସି ଦ୍ଵିଧା ଭାବ କିମ୍ବା ରାଗ ନ ରଖି ଏହାକୁ ଗ୍ରହଣ କରନ୍ତୁ ।
ମୁଁ ହସିଥିଲି । ଏଥର କୌଣସି ଉଦ୍ଦେଶ୍ୟ ନ ରଖି ମନ୍ତି ମହୋଦୟ ଏତେ ଗୁଡିଏ କଥା କହିଥିବାରୁ ମୁଁ କୃତ୍ୟକୃତ୍ୟ ହେଉଥିଲି ଏବଂ ଖଣ୍ଡିଏ ସନ୍ଦେଶ ନେଇ ଖାଇଥିଲି ।।
ଦୁଇ ପକ୍ଷର ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଅଦଳ ବଦଳ ପରେମୁଁ ଫେରିଥିଲି ମୋ କ୍ୱାର୍ଟର୍ସକୁ ।।
ରାତ୍ରିରେ ଖୁବ ଶାନ୍ତି ନିଦ ବି ହୋଇଥିଲା । ମୋବାଇଲକୁ ରାତିରେ ଆଉ ସୁଇଚ ଅପ କରିବାକୁପଡୁ ନ ଥିଲା, ଚାକିରି ଜୀବନର ଏ ଶେଷ ପୃଷ୍ଠା ଯେତିକି ମାନସିକ ଯନ୍ତ୍ରଣାଦାୟକ ସେତିକି ରୋମାଞ୍ଚକର ଥିଲା ।
ମନେ ପଡୁଥିଲା ମନ୍ତ୍ରୀଙ୍କ ଆଦେଶରେ ଯେତେବେଳେ ଜିଲ୍ଲା ପ୍ରଶାସନ ବି ଉଠ ବସ ହେଉଥିଲା, କାହାରିଠୁ ସହାନୁଭୂତି ତ ଦୂରର କଥା ସାନ୍ତ୍ୱନାର ବାର୍ତ୍ତାଟିଏ ବି ମିଳୁ ନ ଥିଲା । ହାଇ କୋର୍ଟର ସ୍ଥଗିତାଦେଶ ପରେ ସବୁ ଓଲଟି ଯାଇଥିଲା । ସେ ଦିନ ମୋର ହୃତସ୍ପନ୍ଦନ ଏତେ ବଢି ଯାଇଥିଲା ଯେ ସବୁଆଡୁ ଶୁଭେଚ୍ଛା ଓ ଅଭିନନ୍ଦନଗୁଡିକୁ ମୁଁ ଖୁବ ମାମୁଲି ମନେ କରିଥିଲି ଏପରିକି ମୋର ଉପରିସ୍ଥ ମାନଙ୍କର ମଧ୍ୟ ।।
ଅବଶେଷରେ କାର୍ଯ୍ୟାଳୟ ପରିସର ମଧ୍ୟରେ ମୋର ଅବସର ଗ୍ରହଣ ଦିବସଟି ଏକ ଉତ୍ସବ ପରି ଲାଗିଥିଲା ।। ସବୁ ପ୍ରକାରର ଲୋକ ଅଂଶ ଗ୍ରହଣ କରିଥିଲେ । ସହକର୍ମୀ, ସ୍ଥାନୀୟ ଅଧିକାରୀମାନେ, ସାମ୍ବାଦିକ, ଉପରିସ୍ଥ, କନିଷ୍ଠ ତଥା ମୋର ସମସ୍ତ ପ୍ରିୟ ଜନମାନଙ୍କ ଗହଣରେ ମୋର କାର୍ଯ୍ୟାଳୟର ଶେଷ ଦିବସଟି ଯେତିକି ଦୁଃଖ ପୂର୍ଣ୍ଣ ଲାଗିଥିଲା ସେତିକି ତାତ୍ପର୍ଯ୍ୟ ପୂର୍ଣ୍ଣ ଲାଗିଥିଲା ।।ସମସ୍ତଙ୍କ ବିଷାଦ ମୁଖମଣ୍ଡଳ ଲୋତକ ପୂର୍ଣ୍ଣ ଆଖିରେ ମୋ ପାଇଁ ଅସରନ୍ତି ସ୍ନେହ ସଦ୍ଭାବ ଏବଂ ଭଲ ପାଇବା ଭରି ରହିଥିଲା ।।
ମୁଁ ସବୁ ଠାରୁ ବିସ୍ମିତ ଏବଂ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲି ଯେତେବେଳେ ବିଦାୟକାଳୀନ ସଭା ଶେଷରେ ମୁଁ କାର୍ଯ୍ୟାଳୟ ସଭାଗୃହ ବାହାରକୁ ଆସିଲି, ମୋର ଉପରିସ୍ଥ ଯୁବହାକିମଙ୍କୁ ଦେଖି । ଛୋଟ ଗୋଟିଏ ପ୍ୟାକେଟ ମୋ ହାତକୁ ବଢ଼େଇ ଦେଇ କହିଥିଲେ ଏଇଟି ଆପଣଙ୍କ ପାଇଁ ମାଡାମ । ହଠାତ ନଇଁ ପଡ଼ି ଥିଲେ କଥା କହୁ କହୁ, ମୋର ପାଦ ପାଖରେ । ଦୁଇ ହାତ ଯୋଡ଼ି ମୁଁ ତାଙ୍କୁ ବାରଣ କରିଥିଲି । ଅଳ୍ପ ହସି ସେ କହିଥିଲେ, ମାଡାମ ଅନେକ କିଛି ମୁଁ ଆପଣଙ୍କ ଠାରୁ ଶିଖିବାକୁ ପାଇଛି ଯାହା ମୁଁ ନିରବରେ ନିରୀକ୍ଷଣ କରିଥାଏ । ମୋର ବଡ଼ ଭଉଣୀ ଆସନରେ ରଖି ସମ୍ମାନ କରେ ଆପଣଙ୍କୁ । ଆଜି ଆପଣଙ୍କର ଏଠାରେ କାର୍ଯ୍ୟକାଳ ଶେଷ ହେଲେ ବି ମୁଁ ଜାଣେ ଆପଣଙ୍କ ଦୃଢ଼ ମନୋବଳ ଅସୀମ ଧୈର୍ଯ୍ୟ ଏବଂ ସ୍ଥିତପ୍ରଜ୍ଞତା ଆପଣଙ୍କୁ ଆମ ମନରେ ସଦା ଉଜ୍ଜୀବିତ କରି ରଖିବ । ଭୁବନେଶ୍ୱରରୁ ମୁଁ ଅନ୍ୟ କାମରେ ଆସିଥିଲେ ବି ଆଜି ଆପଣଙ୍କ ବିଦାୟ କାଳୀନ ସଭା କଥା ଶୁଣି ଆପଣଙ୍କୁ ଭେଟିବା ପାଇଁ ଚାଲି ଆସିଲି ।
କୃତଜ୍ଞତା, ଆତ୍ମୀୟତା ଆନନ୍ଦର ଅତିଶୟତାରେ ବୁଡିଯାଇ ଦୁଇ ଆଖି ମୋର ଭରି ଯାଇଥିଲା । ଟୋପା ଟୋପା ଲୁହ ଝରି ଯାଇଥିଲା ସାରଙ୍କ କଥା ଶୁଣି । ବିଶ୍ୱାସ ହେଉ ନ ଥିଲା ସେ ମୁହୂର୍ତ୍ତ ରକଥା ସବୁ । ମୋ ଚାରି ପଟେ ସମସ୍ତେ ଘେରି ହୋଇ ଠିଆ ହୋଇ ଥିଲେ ।
ସେଦିନ ସାର ଦେଇଥିବା ଛୋଟ ପ୍ୟାକେଟରେ ଥିବା ଗଣେଶଙ୍କର ସଫେଦ ମାର୍ବଲ ମୂର୍ତ୍ତିଟି ଆଜି ବି ମୋ ପାଖେ ପାଖେ ରହିଛି ।ମୋତେ ଅନେକ ପ୍ରେରଣା ଉତ୍ସାହ ଯୋଗାଉଛି ।। ଏବେ ମୋର ଅବସର ନେବାର ଦଶ ବର୍ଷ ହୋଇ ଗଲାଣି ତଥାପି ମୋ ଜୀବନରେ ଚାକିରୀ ଜୀବନର ସୁଖ ଦୁଃଖ ଭରା କେତେ କେତେ ଏମିତି ପୃଷ୍ଠା ସବୁ ଏବେ ବି ସ୍ମୃତି ହୋଇ ଅକ୍ଷତ ରହିଛି ।।
ଚାକିରୀ ଜୀବନର ପ୍ରଥମ ଅଧ୍ୟାୟ ଅପେକ୍ଷା ଶେଷ ଅଧ୍ୟାୟ ଅଧିକ ରୋମାଞ୍ଚକର, ଏବଂ ଶିକ୍ଷଣୀୟ ।। ସଭିଙ୍କ ଜୀବନ ବି ଏମିତି କଟି ଥିବ । ସମୟ ସ୍ରୋତରେ ଭାସୁଥିବ । ମୁଁ କିନ୍ତୁ ସମୟ ସ୍ରୋତରେ ଭାସି ଯାଉଥିବା ଏଇ ଶେଷ ପୃଷ୍ଠାଟିକୁ ସଦା ସାଇତି ରଖି ଥିବି ହୃଦୟର ସ୍ମୃତି ସିନ୍ଦୁକରେ .....।।
ବିଶାଖା ଡାଇରୀ ଟିକୁ ହାତରେ ଧରି ଆକାଶକୁ ଚାହିଁଥିଲେ, କାହିଁ ଗଲା ସେ ଦିନ ସବୁ

