ଜୀବନ ଦୋଛକିରେ
ଜୀବନ ଦୋଛକିରେ
ବ୍ୟସ୍ତ ବହୁଳ ସହର ମୁମ୍ବାଇ..ଆଉ ମୁମ୍ବାଇର ଚକ ଧାରଭୀ । କାହିଁ କେତେ ଲୋକ ନୂଆ ସ୍ୱପ୍ନରେ ଆସନ୍ତି ଏହି ବସ୍ତିକୁ । ଏମିତି ସଲିମ୍ ବି ଆସିଥିଲା । ଦୀର୍ଘ ୪ - ୫ ବର୍ଷର ରହଣିରେ ଏ ମହାନଗରୀ ବହୁତ କଥା ସିଖେଇ ଦେଲା ତାକୁ । ଆଜି ସେ ଘରକୁ ଯାଉଛି , ହେଲେ ଏକା ନୁହେଁ । ସାଙ୍ଗରେ ସ୍ତ୍ରୀ ସୁଲେମା ବେଗମ୍ , ବଡ ଝିଅ ସବ୍ନମ୍ ସାନ ଝିଅ ନାଜିଆ ଆଉ ପୁଅ ଇକବଲ୍କୁ ନେଇ। ଏଇ ସହର ଛାଡ଼ି ଗଲାବେଳେ ମନେ ପଡିଯାଏ ଏଇ ସହରକୁ ଆସିବା ବେଳର କଥା ।
ଏ ସହରକୁ ସେ ଆସିଥିଲା ଗୋଟିଏ ଅଦ୍ଭୁତ ପରିସ୍ଥିତିରେ। ଯେତେବେଳେ ବାପା , ମାଁ , ମୁସଲମାନ ସମାଜର ଇଛା ବିରୁଦ୍ଧରେ ଯାଇ ଗୋଟିଏ ହିନ୍ଦୁ ଝିଅ ଶ୍ୟାମଳିକୁ ଭଲପାଇ ବସିଲା, ତା ଗାଁ ବାଲେଶ୍ବରର ମୋତି ଗଞ୍ଜରେ ଦଙ୍ଗା ହୋଇଥିଲା। ରାତିରେ ଶ୍ୟାମଳୀକୁ ନେଇ ଷ୍ଟେସନ୍ ରେ ଠିଆ ହୋଇଥିବା ଟ୍ରେନ୍ ରେ ଚଢି ଯାଇଥିଲା। ପହଞ୍ଚିଲା ମୁମ୍ବାଇ ମହାନଗରୀରେ।
ସାଙ୍ଗରେ ଅଣିଥିଲା କେଇ ଖଣ୍ଡ ଲୁଗା। ପ୍ରଥମ କିଛି ଦିନ କଷ୍ଟରେ ବିତିଯାଇଥିଲେ ବି ସଲିମର ଚିତ୍ର ଅଙ୍କା, ମୂର୍ତ୍ତି ଗଢା କଳାକୁ ଗୋଟିଏ ଚାକିରୀ ମିଳି ଯାଇଥିଲା।
ପିଲା ଟା ସିନା ମୁସଲମାନ ହେଲେ ହିନ୍ଦୁ ଦେବା ଦେବୀ ଙ୍କ ମୂର୍ତ୍ତି, ଚିତ୍ର , ଛୋଟ ପୂଜା ଲୁଗା ତିଆରିରେ ଧୂରନ୍ଧର। ମନ୍ଦିର ପାଖ ଦୋକାନରେ ପ୍ରଥମେ କାମ କରୁଥିଲା ,
ପରେ ନିଜର ଛୋଟ ଦୋକାନ ଟେ କରିଥିଲା।
ସବୁକିଛି ଠିକ୍ ଚାଲୁଥିଲା , ହେଲେ ହଠାତ୍ ତାକୁ ସବୁ ଛାଡି ଯିବା ପାଇଁ ପରିସ୍ଥିତି ବାଧ୍ୟ କରୁଛି। କରୋନା ତା କାୟା ମେଲେଇ ଅଧା ମୁମ୍ବାଇକୁ ଗ୍ରାସିଛି, ଧାରଭିକୁ ଛାଡ଼ିବ କେମିତି?
ଏଠି ନ ମରି ନିଜ ମାଟିରେ ମରିବା ଭଲ।ଅଜି ଫେରୁଛି ନିଜ ଗାଁକୁ , ହେଲେ ତାକୁ କଣ ତା ଗାଁବାଲା ଗ୍ରହଣ କରିବେ?
ଭାଇ ଅବ୍ଦୁଲ କହୁଥିଲା ଗାଁ ବଡ ହୋଇଛି , ଆଉ ସେ ଆଣ ଓସାରିଆରାସ୍ତା ନାହିଁ। ବଡରାସ୍ତା ହେଇଛି, ବଡ କୋଠାଘର ସ୍କୁଲ ହେଇଛି , ଏମିତି କେତେ କଣ ।
ବାସ୍ତବ ତା ପହଞ୍ଚିଲେ ଜଣାଯିବ।
ଆଜି ସେ ଧାରଭୀ ଛାଡି ଆସିଲା ବେଳେ ଅହମଦ୍ ଭାଇ, ସାରା ଦିଦିକୁକୁଣ୍ଢେଇ ବହୁତ କାନ୍ଦିଛି। ସେମାନେ କେତେ ସାହାଯ୍ୟ ନ କରିଛନ୍ତି ଏଠି। ଆଜି ସବୁଦିନ ପାଇଁ ଛାଡି ଯାଉଛି। କେଜାଣି ପୁଣି କେବେ ଏ ଜନ୍ମରେ ଦେଖା ହେବ....। ପୁଅ ଇକବଲ୍ର ଡାକରେ ତା ସ୍ୱପ୍ନ ଭାଙ୍ଗିଗଲା। ପଚାରୁ ଥିଲା ," ଆଉ କେତେ ବାଟ ବାବା? "