Satyabati Swain

Inspirational

2  

Satyabati Swain

Inspirational

ଜିଦ୍

ଜିଦ୍

3 mins
569


ଦୌଡୁଛି ଜୀବନ ତା ସହ ଦୌଡୁଛି ମୁଁ ବିଥିକା। ଚାଲିବା ରାସ୍ତାରେ ମୋର ଅନେକ ଛକ ଆସିଛି। ଆସିଛି କେତେ ଗଡାଣି ଉଠାଣି। ପ୍ରତିଯୋଗୀ ଦୁନିଆଁରେ ବଞ୍ଚିବା ପାଇଁ ଖୁ ସଂଘର୍ଷ ସଂଘାତ ଦେଇ ଗତି କରିଛି। ସ୍ରୋତର ପ୍ରତିକୂଳରେ ବାହି ବାକୁ ପଡିଛି ଜୀବନ ନୌକା। ପଡିଛି,ଖଣ୍ଡିଆ ଖାବରା ବି ହୋଇଛି। କେତେ ଟାହି ଟାପରା ଶୁଣିବାକୁ ପଡିଛି। ଏମିତି କି ହରେଇବାକୁ ପଡିଛି ନିଜ ବାପାମା, ଭାଇଭାଉଜ,ଭଉଣୀ ସାଙ୍ଗ ସାଥୀ,ଆତ୍ମୀୟ ପରିଜନ। ଭାଙ୍ଗି ପଡିଛି ଯନ୍ତ୍ରଣା ଭାରରେ। ପୁଣି ଅଣ୍ଟା ସଳଖି ଚାଲିବାକୁ ଚେଷ୍ଟା କରିଛି। ଅଦ୍ଭୁତ ଏ ଜୀବନ ଆସକ୍ତି ,ଆବେଗ, ଅନୁରାଗ ସବୁବେଳେ ପେଲନ୍ତି ଆଗକୁ। ସ୍ବପ୍ନ ତ ଏଠି ଭାରି ହଇରାଣ କରେ ତା ରଙ୍ଗ ଦେଖାଇ । ଥିବ ଥିବ ଛପି ଯିବ। ତାକୁ ଧରିବାକୁ କି ଅଧିର ଭାଵ କି ଅଜବ ନିଶା । ଏଇ ଚେଷ୍ଟା ,ଆଶା ଓ ମୋହ ମୋତେ ବଂଚାଇଁ ରଖିଛନ୍ତି। ମୁଁ ବିଶ୍ୱାସ କରେ ସ୍ୱାଧୀନତା ଉଡାଣରେ।

      ସ୍ୱାଧୀନତା ମିଳେ କଣ ସହଜରେ କିଛି ଲୋକଙ୍କ ପାଇଁ ମରିବାକୁ ପଡେ। ସହରୀ ଜୀବନରେ କିଏ କଣ କଲା କେହି ହିସାବ ରଖନ୍ତିନି। କିନ୍ତୁ ଗାଁ ଗଣ୍ଡାରେ ଜଣକ ଘରେ ସୋରିଷ ଫୁଟିଲେ ଅନ୍ୟ ସଭିଙ୍କ ଘରକୁ ବାସ୍ ଚହଟି ଯାଏ। ଲୋକେ ପ୍ରତି ମୁହୂର୍ତ୍ତରେ ଅନ୍ୟ କଥା ଉପରେ ଟୁପୁର୍ ଟାପ୍ ର୍ ହୁଅନ୍ତି। ଯଦି କେହି କୌଣସି ନୂଆ ଧାରାଟିଏ ସୃଷ୍ଟି କଲା ତ ଅନେକ ଶୁଣିବାକୁ ପଡେ। ବହୁତ ମୁହଁ ମୋଡା ସହିବାକୁ ପଡେ।

      ମୋର ମନେ ଅଛି ଯେଉଁଦିନ ମୁଁ ମୋ ଦାଦାଙ୍କ ବାଇକ ଗଡେଇଲି। ପରଖୁଥିଲି ଦାଦା,ବାପା ଯଦି ଗାଡି ଚଳାଇ ପାରୁଛନ୍ତି ମୁଁ କାହିଁକି ପାରିବି ନାହିଁ ଏଣୁ ପ୍ରଥମେ ପ୍ରଥମେ ଦେଖିଲି ଗଡାଇ ପାରୁଛି କି ନାହିଁ। ରାଜଦୂତ୍ ଗାଡି ଆମ ଅଞ୍ଚଳରେ ଏକମାତ୍ର ଆମରି ହିଁ ଥିଲା। ବାପା କି ଦାଦା ସେ ଗାଡିଟି ଯେତେବେଳେ ଫଟ୍ ଫଟ୍ କରି ଯାଆନ୍ତି ନୂଆ ବାହା ହୋଇ ଆସିଥିବା ବୋହୁଟି କବାଟ ଫାଙ୍କରେ ଅନାଇଁ ରୁହେ ଦଣ୍ଡେ। ପିଲା ମାନେ ଏ ଏ କହି ଦୌଡ଼ନ୍ତି ଗାଡି ଧୂଆଁ ପଛେ ପଛେ। ମୋର ଭାରି ଇଚ୍ଛା ମୁଁ ଚଳାନ୍ତି ସେ ରାଜଦୂତ୍ ଟି।

      ଗାଡି ଆସି ଦାଣ୍ଡ ଆଗରେ ଥୁଆ ହେଲା ମାନେ ମୁଁ କଷ୍ଟେମଷ୍ଟେ ଗଡାଇବା ଆରମ୍ଭ କରେ। କେତେ ଥର ଗାଡି ପଡିଛି ଓ ତା ଉପରେ ମୁଁ ବା କେତେବେଳେ ମୋ ଉପରେ ଗାଡି। ଗୋଡ଼ ଭାଙ୍ଗିଛି,ହାତ ଖଣ୍ଡିଆ ବି ହୋଇଛି। ଛାଡିନି କିନ୍ତୁ ନିଶା ରାଜଦୂତ୍ ଗଡାଇବା।

      ମୋର ଏପରି କରିବା ଦେଖି କହିଲେ ବିଥି ଗାଡି ଚଲା ଶିଖିବୁକି ମୁଁ ମୁଣ୍ଡ ଟୁଙ୍ଗାରି ନୀରବ ସମ୍ମତି ଜଣାଇଁଲି। ଦାଦା ଖୁସି ହୋଇ ମୋତେ ଆଗରେ ବସାଇ ବଡ଼ ଦଣ୍ଡା ରାସ୍ତାକୁ ନେଇ କେମିତି ଗାଡି ଚଳେଇ ହେବ ଶିଖାଇ ଦେଲେ। ପୁରା ପୁରି ଏକା ଗାଡି ଚଳାଇବା ଶିଖିବାକୁ ମୋତେ ଆଠ ଦିନ ଲାଗିଗଲା।

      ଆରେ ବାଃ କି ଅନୁଭବ ଯେଉଁଦିନ ମୁଁ ଦାଦାଙ୍କୁ ମୋ ପଛରେ ବସାଇ ଗାଁ ଦାଣ୍ଡରେ ହାଟକୁ ନେଇଗଲି ଓହୋ ମୋତେ ଲାଗୁଥାଏ ମୋ ଦେହରେ ପର ଲାଗିଯାଇଛି। ମୁଁ ଉଡୁଛି ଆକାଶରେ ଚଢେଇ ପରି। ମେଘକୁ ଛୁଇଁବାକୁ ଇଚ୍ଛା। କି ମଜା ମୁଁ ରାଜଦୂତ ଚଲାଇବା ଶିଖିଗଲି ବୋଲି।

      ହେଲେ ଗାଁ ଲୋକେ ମୁହଁ ମୋଡିଲେ। "ଛି ଲୋ ଚୌଧୁରୀ ଘର ଲୋକଙ୍କୁ କଣ ହୋଇଛି କେଜାଣି,ଝିଅଟାକୁ ଅଣ୍ଡିରି ଚଣ୍ଡି କରୁଛନ୍ତି। "ବୋଉ ମୋତେ ବୁଝାଇଲା" ତୁ ଝିଅଟା ପୁଅ ପିଲାଙ୍କ ପରି ରାଜଦୂତ୍ କଣ ଚଢୁଛୁ? ମୁଁ କହିଲି ଦେଖେଇଲୁ କେଉଁଠି ଲେଖା ହୋଇଛି କେବଳ ପୁଅ ମାନେ ରାଜଦୂତ ଚଢ଼ିବେ? କେହି ସାହସ କରି ନଥିଲେ ବୋଲି ଆଜିଯାଏ କେହି ଚଳାଇନି। କେହି ତ ଜଣେ ଏ କାମ କରିବା କଥା ସେଇ ଜଣଙ୍କ ମୁଁ ହେଲେ ଅସୁବିଧା କେଉଁଠି?

      ମୋ ଜେଜେମା ଓ ଜେଜେ ହସି ହସି ଗଡ଼ିଗଲେ। କହିଲେ ବିଧାତା ତୋତେ ପୁଅ କରୁ କରୁ ଝିଅ କାହିଁକି କଲେ କେଉଁ ପୁଅ ସମାନ ହେବ ତୋ ସହ ।

      ମୋତେ ଏବେ ହସ ଲାଗେ ଯେବେ ସେଦିନ କଥା ମନେପଡେ। ମୁଁ ଆମ ଗାଁ କଣ ଜିଲ୍ଲାର ବୋଧେ ପ୍ରଥମ ଝିଅ ଯେ କି ରାଜଦୂତ୍ ଚଢି ବୁଲିଥିଲା। ଆଉ ଏଥିପାଇଁ କେତେ କଥା ଶୁଣିବାକୁ ପଡିଛି। ମୁଁ କିନ୍ତୁ ନିଜ ଇଛାର ମାଲିକ ଥିଲି। ଭାରି ଜିଦିଆ। ଯାହା ଭାବେ ତାକୁ କାମରେ କରି ଦେଖାଇ ଦିଏ। ଯିଏ ଯେତେ ଯାହା କହିଲେ ବି ମୁଁ ମୋ ନିଷ୍ପତ୍ତିରେ ଅଟଳ ଥିଲି। ବୋଧେ ସେଇଥିପାଇଁ ଆଜି ମୁଁ ବହୁ ନାମୀ ଦାମୀ କାର ଏକା ଏକା ଚଳାଇ ଯାଇ ପାରୁଛି।

      ହଁ ମୁଁ ସେଇ ବେଳର କଥା କହୁଛି ଯେତେବେଳେ ଭଲ ରାସ୍ତାଟିଏ ନଥିଲା ମୋ ଗାଁକୁ। ବିଜୁଳି ଆଲୁଅ ଥିଲା ସ୍ବପ୍ନ। ମାତ୍ର ଦୁଇ ହଜାର ପରେ ଅଦ୍ଭୁତ ପରିବର୍ତ୍ତନ ହେଲା ମୋ ଗାଁର। ବଦଳିଗଲା ତା କାୟା,ବେଶ୍ ଭୁଷା। ଆଧୁନିକ ଛିଟା ଲାଗିଲା ମୋ ଗାଁ କୁ। ସେ ଆଧୁନିକା ତରୁଣୀ ପରି ନିଜକୁ ସଜେଇଲା। ଏବେ ତ ପ୍ରତି ଝିଅ ସ୍କୁଟି ଚଢି କଲେଜ,କର୍ମ ସ୍ଥଳୀକୁ ଯା ଆସ କରୁଛନ୍ତି। ଏପରି କାମ କରିବାରେ ପାବନ୍ଧି ନାହିଁ।

      ସେଦିନ ସେଇ "ଜିଦ୍" ମୋତେ ଆଜି ଜଣେ ସୁ ଦକ୍ଷ ପୋଲିସ ଅଫିସର୍ କରି ପାରିଛି। ମୁଁ ସମାଜର ସବୁ ବିଧି ବିଧାନ ର ଲକ୍ଷ୍ମଣ ରେଖା ଲିଭାଇ ଦେଇ ସୃଷ୍ଟି କରିଥିଲି ଗୋଟେ ଇତିହାସ। ଏଇଟା ପୁଅ କାମ;ସେଇଟା ଝିଅ କାମର ଦୁଃସ୍ଥ ମାନସିକତା କୁ ମୁଁ ବଦଳେଇ ପାରିଛି। ମୁଁ ବିଥିକା ଚୌଧୁରୀ ମହାନ୍ତି ଗାଡି ଚଳେଇଛି ତା ସହ ପୋଲିସ ଚାକିରି ବି କରିଛି; ଯାହା ଦିନେ କେବଳ ପୁଅଙ୍କ କାମ ଥିଲା। ମୁଁ ଦେଖାଇ ଦେଇଛି ଝିଅ ପୁଅ କିଛି ନାହିଁ। କାମ କେବଳ କାମ। ଇଛାଶକ୍ତି ଅସାଧ୍ୟ ସାଧନ କରିପାରେ। ମୋ ନିର୍ଣ୍ଣୟକୁ ଓ ମୁଁ ଗୋଟେ ଉଦାହରଣ ଏବେକାର ଝିଅ ମାନଙ୍କ ପସିନ। ପ୍ରତି ଝିଅ ମୋ ଅଂଚଳର ତାଙ୍କ ବିଥି ଦି ପରି ହେବାକୁ ଚାହାଁନ୍ତି। ଅନୁସରଣ କରିବାକୁ ଆଗେଇ ଆସୁଛନ୍ତି ପୁଅ ଝିଅ ପାଚିରୀ ଭାଙ୍ଗି ଇତିହାସ ସୃଷ୍ଟି କରିବାକୁ। ପ୍ରତି ମା ତା ଝିଅକୁ କୁହେ ବିଥି ପରି କିଛି ନୂଆ କରି ଦେଖାତ.....।



Rate this content
Log in

Similar oriya story from Inspirational