STORYMIRROR

Jyotipuspa Das

Abstract Drama Others

4  

Jyotipuspa Das

Abstract Drama Others

ଝିଅର ମାଆ

ଝିଅର ମାଆ

3 mins
245


ଝିଅ କୁ ନେଇ ଅନେକ ସ୍ବପ୍ନ ଦେଖିଥିଲି ମୁଁ । କେବେ ଭାବୁଥିଲି ତାକୁ ଡାକ୍ତର କରିବି। କେବେ ଭାବୁଥିଲି ତାକୁ ନେଇଯିବି ମୁମ୍ବାଇ। ସେଠାରେ ମଡେଲିଂ କରିବ ସିଏ। ପୁଣି କେବେ କୋଉ ବାହାଘର କୁ ଗଲେ ସେଠାରେ ସୁନ୍ଦରୀ କନିଆ କୁ ଦେଖି ଭାବୁଥିଲି, ନା ନା.. ମୋ ଝିଅ କୁ ମୁଁ ଡିଜାଇନର ଲାଂଗା ପିନ୍ଧେଇ ଧୁମଧାମ୍ ରେ ବାହାଘର କରେଇବି। ମୋ ଭଳି ହଳଦିଆ ସୁତା ଶାଢ଼ୀ ପିନ୍ଧି, ବର୍ଷା ପାଣି କାଦୁଅ ରେ ହିନସ୍ତା ହେଇ ବାହା ହେବନି ସିଏ।


ବାହାଘର ର ଦୀର୍ଘ ଦଶବର୍ଷ ପରେ ଯେତେବେଳେ ମା ହେବାର ସବୁ ଆଶା ଛାଡ଼ି ଦେଇଥିଲି, ସେତେବେଳେ ମୋତେ ମାତୃତ୍ଵ ର ଗୌରବ ଦେଇ ଆସିଲା ମୋ ଝିଅ । ସେଥି ପାଇଁ ସିଏ ମୋ ଅଲିଅଳି, ଆଖିର ତାରା, ଦୁଃଖ ପାସୋରା ସବୁକିଛି । ଝିଅ କୁ ଏତେ ଗେହ୍ଲା କରୁଥିବାରୁ ବହୁତ୍ ଜଣ ବହୁତ୍ କଥା ମଧ୍ୟ କୁହନ୍ତି । 


" ଝିଅ କୁ କିଏ ମୁଣ୍ଡ ଉପରେ ଏମିତି ବସାଏ?"

" ଏତେ ଫୁଲେଇଲେ, ଝିଅ ମାନେ ଉଦଣ୍ଡୀ ହେଇ ଯାନ୍ତି ।"

" ଝିଅ ପିଲା ଟା ରୋଷେଇ କି ଘର କାମ କିଛି ଶିଖାଉ ନାହାନ୍ତି। ପରେ ବହୁତ୍ ହଇରାଣ ହେବ।"

ଏସବୁ କଥା ରେ କେବେ ଫରକ୍ ପଡ଼ି ନଥିଲା କି ପଡ଼ିବନି ମୋ ଉପରେ । ଅନେକ କହିଥିଲେ - ଆରେ ଝିଅ ଟିଏ ଶେଷରେ ହେଲା । ଏବେ ଚେଷ୍ଟା କରେ ଆଉଥରେ । ପୁଅ ଗୋଟିଏ ହେଇଗଲେ ତୋ ମା ପଣିଆ ପୂର୍ଣ୍ଣ ହେଇଯିବ । 

କାନ କୁ ନେଇ ନଥିଲି ମୁଁ ସେସବୁ କଥା । ପୁଅ ଝିଅ ମଧ୍ୟରେ ଭେଦଭାବ କରି ନିଜ ମାତୃତ୍ଵ କୁ ଭିନେ କରିଦେଉଥିବା ଖଣ୍ଡିତ ମା ଟିଏ ହେବାକୁ ଚାହିଁ ନଥିଲି କେବେ । ବରଂ ମୋ ଠାରେ କୁଢେଇ ହେଇ ଥିବା ମମତା ର ଏକଛତ୍ର ଅଧିକାର ମୋ ଝିଅ ଉପରେ ପାଖରେ ଥାଉ । 

.............


ଝିଅ ଆଜି ମୋର ପ୍ରଥମ ହେଇଛି ଆଜି ବିଶ୍ୱବିଦ୍ୟାଳୟ ରେ। ଗର୍ବ ରେ ମୋ ଗୋଡ଼ ତଳେ ଲାଗୁ ନାହିଁ । ତା ସ୍ୱର୍ଣପଦକ ପିନ୍ଧା ଫୋଟୋ ମୁଁ ଚାରି ଆଡ଼େ ଶେୟର କରୁଛି । ମୋ ମୁହଁ ରେ ଖୁସି ହେଇ ଶୁଭେଚ୍ଛା ଜଣେଇଲେ ବି ପଛରେ ଜଳି ଯାଉଛନ୍ତି ଲୋକ। ଜଳନ୍ତୁ! ମୋର କଣ ଯାଉଛି । ମୋ ଅଲିଅଳ ଝିଅ ର ସଫଳତା ହିଁ ଏକମାତ୍ର ନିଧି।  

ୟା ପରେ ଝିଅ ର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ । ଚାକିରୀ କରିବ । ବଞ୍ଚିବ ନିଜ ଇଚ୍ଛା ରେ । ମୋ ଭଳି ଜୀବନ ସାରା ଅନ୍ୟ ମାନଙ୍କ କଥା କୁ ନିଜ କଥା, ଅନ୍ୟ ମାନଙ୍କ ଇଚ୍ଛା କୁ ନିଜ ଇଚ୍ଛା ଭାବି ନୁହେଁ । ମୋ ଜୀବନ ରେ ହେଇଥିବା ସାଲିସ୍ ସେ କେବେ କରିବନି । 


..............

  

ଆଜି ଝିଅ ବାହାଘର । ଯେମିତି ସ୍ବପ୍ନ ଦେଖିଥିଲି ସେମିତି ଲାଙ୍ଗା ପିନ୍ଧି ସଜେଇ ହେଇଛି ସିଏ । ନିଜ ପସନ୍ଦର ଜୀବନ ସାଥୀ ଖୋଜିଛି ଆଉ ଏଇ ପଞ୍ଚ ତାରକା ହୋଟେଲରେ ଭବ୍ୟ ବାହାଘର ହଉଛି । ଠିକ୍ ଏଇ ସ୍ବପ୍ନ ତ ଦେଖିଥିଲି । ମୋ ଭଳି ସେ କାଦୁଅ ପଚପଚ ବାହାଘର ନ ହେଇ ଏମିତି ରଙ୍ଗୀନ୍ ବାହାଘର ହେବା ପାଇଁ । ଝିଅ ର ମା ହେଇ ଗର୍ବ ରେ ମୋ ଗୋଡ଼ ତଳେ ଲାଗୁନାହିଁ।  


...............


ଝିଅ ଡାକିଛି ମୋତେ ତା ଘର କୁ । ସକାଳୁ ମୁଁ ଉଠିଲା ବେଳକୁ ଝିଅ ଉଠିକରି ରୋଷେଇ କରି ସାରିଛି। ସମସ୍ତଙ୍କୁ ଖାଇବା ଦେଇ ସାରି ତରତର ହୋଇ ବାହାରୁଛି ଅଫିସ । ତାରି ଭିତରେ ଡକା ପଡୁଛି କାହା ଶାର୍ଟ୍ ମିଳୁନି, କାହା ଡ଼ଟ୍..... କିଏ ଲେମ୍ବୁପାଣି ପିଇବ କିଏ ଚା। ଦିନ ଟିଏ ନୁହେଁ, ସବୁଦିନ ଏଇମିତି। ରାତିରେ ଅଫିସ୍ ରୁ ଆସିଲା ପରେ ପୁଣି କାମ ରେ ଲାଗି ଯାଉଥିଲା। ରୋଷେଇ ପାଇଁ ଲୋକ ଥିଲେ। ତଥାପି କାହା ମନ ପସନ୍ଦ ପକୁଡ଼ି କେବଳ ସିଏ କରି ପାରିବ, ନହେଲେ କାହାର କଡ଼ା କଫି । ଝିଅ କାମ କରି ଚାଲିଥିଲା ମେସିନ୍ ପରି । ମୋ ଝିଅ, ମୋ ଅଲିଅଳ ଝିଅ, ମୋ ଗର୍ବ । ତାକୁ ଏମିତି ସନ୍ତୁଳି ହେଉଥିବା ଦେଖି ମୋ ପାଦରୁ ମାଟି ଖସି ପଡ଼ିଲା ।


ପଚାରିଲି ଝିଅକୁ । " ମା! ତୁ କଣ ଏଠି ଖୁସି ରେ ଅଛୁ?"

ଝିଅ ହସିଦେଲା କହିଲା - " ମା! ଏଇଟା ହିଁ ଏବେ ମୋ ଜୀବନ । ପାଠ ପଢ଼ି ଚାକିରୀ କରିଲେ ମଧ୍ୟ ନିଜ ପରିବାର କୁ କେମିତି ଅବହେଳା କରିବି । ତୁମେ ମୋ ପାଇଁ ଚାକିରୀ ଛାଡ଼ି ଦେଇଥିଲ। ଅନ୍ତତଃ ସେତିକି ମୁଁ କରି ପାରୁଛି । ତା ଛଡ଼ା ମୋ ଜୀବନ ଯାହା ଅପୂରଣୀୟ ରହିଗଲା, ତାକୁ ଏବେ ମୋ ଝିଅ କରିବ । ମୋ ଝିଅ କୁ ନେଇ ମୋର ଅନେକ ସ୍ବପ୍ନ ମା ! ଝିଅ କୁ ନେଇ ମୁଁ ଅନେକ ସ୍ବପ୍ନ ଦେଖୁଛି ......"


କିଛି ଅତୀତ ଆସି ମୋତେ ଧକ୍କା ମାରୁଥିଲେ ..........

କିଛି ସ୍ବପ୍ନ ମାନେ ଏବେ ଉତ୍ତର ପୀଢ଼ି ଆଡ଼କୁ ଲମ୍ଫ ଦେଉଥିଲେ ......



Rate this content
Log in

Similar oriya story from Abstract