Rajalaxmi Mohanty

Inspirational Others

4  

Rajalaxmi Mohanty

Inspirational Others

ଝଡ

ଝଡ

10 mins
394



 କାର୍ ର ଆଗ ସିଟ୍ ରେ ବସିଛି ସୁନନ୍ଦା। ଗାଡି ଡ୍ରାଇଭ କରୁଛନ୍ତି ସ୍ବାମୀ ବିମଳ।ଦୁହିଁଙ୍କର ମନ ଆଜି ବହୁତ ଖୁସି। ନିଜର କର୍ମମୟ ଜୀବନରୁ ଫୁରୁସତ୍ ପାଇ ଆଜି ଯାଉଛନ୍ତି ନିଜ ଗାଁକୁ। ନିଜ ଲୋକମାନଙ୍କ ସହିତ କିଛି ସମୟ ବିତାଇବାକୁ ଦୁହିଁଙ୍କର ମନ ବହୁତ ବ୍ଯଗ୍ର। ଗାଡିର ମ୍ଯୁଜିକ୍ ସିଷ୍ଟମ ରେ ବାଜୁଛି କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ର ଗୀତ,ଯେଉଁଟା ଦୁହିଁଙ୍କର ପସନ୍ଦ। ଏମିତି ବହୁତ କିଛି ଜିନିଷ ଅଛି ଯେଉଁଟା ଦୁହିଁଙ୍କର ମେଳ ଖାଏ ।ବୃତ୍ତିଗତ ଭାବେ ହେଉ କିମ୍ବା ବ୍ଯକ୍ତିଗତ ଭାବେ ହେଉ। ସେଥିପାଇଁ ଦୁଇଜଣ ଉଭୟଙ୍କ ପାଇଁ ବହୁତ ସହଜ। ଅତି ସହଜରେ ବିମଳ ପଢି ପାରନ୍ତି ସୁନନ୍ଦାର ଆଖିର କଥା। ସୁନନ୍ଦା ପଢି ପାରନ୍ତି ବିମଳଙ୍କ ହୃଦୟର ଭାଷା। ଉଭୟ ଉଭୟଙ୍କୁ ନେଇ ଗୌରବାନ୍ବିତ ମନେକରନ୍ତି। ପେଷାରେ ଦୁଇଜଣ ଯାକ ଡାକ୍ତର ।ସମୟର ମୂଲ୍ଯ ସେମାନଙ୍କ ପାଖରେ ବହୁତ ଅଧିକ। ସେହି ମୂଲ୍ଯବାନ ସମୟ ଯେବେବି ପାଆନ୍ତି ଦୁହେଁ ଦୁହିଁଙ୍କ ପାଇଁ ହିଁ ଖର୍ଚ୍ଚ କରନ୍ତି। 


ଶୂନଶାନ ରାସ୍ତା। ଧୂ ଧୂ ଖରାବେଳ ରାସ୍ତା ସଂପୂର୍ଣ୍ଣ ଫାଙ୍କା ଫାଙ୍କା। ଗାଡିର ସ୍ପୀଡ୍ ଅଶୀରୁ ଶହେ ଭିତରେ। ବିମଳଙ୍କ ମନ ବି ଉଡୁଛି ଗାଡିର ବେଗ ସହିତ ମେଳ ଖାଇ। ବାଁ ହାତଟିକୁ ଧିରେ ଷ୍ଟିଅରିଂ ଉପରୁ ଉଠେଇ ସୁନନ୍ଦାଙ୍କ ଡାହାଣ ହାତକୁ ମୁଠେଇ ଧରି କିଛି ଦୁଷ୍ଟାମୀ କରିବାକୁ ଉଦ୍ୟତ ହେଲାବେଳକୁ ସୁନନ୍ଦା ପାଟି କଲେ ରୁହ ରୁହ, ଏଇଠି ଗାଡିରଖ। 


କ'ଣ ହେଲା ?


ରଖ ଜଲଦି ।


ବିମଳ ଗାଡିର ବ୍ରେକ୍ ଦେଉଦେଉ ଗାଡି ରହିଲା ଶହେ କି ଦେଢଶହ ମିଟର ଦୂରରେ। 


ପଛକୁ ବୁଲି ଚାହିଁଚାହିଁ କହିଲା ସୁନନ୍ଦା "ଗାଡି ବ୍ଯାକ୍ କର।ସେଇ କେବିନ୍ ପାଖକୁ"। 


କେବିନ୍ ପାଖକୁ!! ଆଶ୍ଚର୍ଯ୍ଯ ହେଇ ପଚାରିଲା ବିମଳ। ସୁନନ୍ଦାଙ୍କ ମୁହଁରେ ବ୍ଯସ୍ତତା ଦେଖି ଗାଡି ବ୍ଯାକ୍ କଲେ। ଗାଡି କେବିନ ପାଖରେ ରହୁରହୁ ଡୋର୍ ଖୋଲି ବିଜୁଳି ବେଗରେ ଧାଇଁ ଯାଇ କେବିନ ଆଗରେ ଛିଡାହେଇଥିବା ଜଣେ ସ୍ତ୍ରୀ ଲୋକକୁ କୁଣ୍ଢେଇଧରି ପଚାରିଲା ସୁନନ୍ଦା "ମନୁ ,, ତୁ ଏଠି??


ବିମଳ ବି ଗାଡି ଲକ୍ କରି ସୁନନ୍ଦା ର ପଛେପଛେ ଆସି ଛିଡା ହେଇଗଲେଣି। "ଏ ସୁନନ୍ଦା କାହାକୁ ଏମିତି ଭିଡି ଧରିଛି ରାସ୍ତା ଉପରେ"। ନିଜକୁ ନିଜେ ଭାବି ହେଉଛନ୍ତି ବିମଳ।ବିମଳଙ୍କୁ ଦେଖି ଲାଜରେ ସ୍ତ୍ରୀ ଲୋକଟି ଟିକେ ଇତସ୍ତତ ହେଇପଡିଲା।ତଥାପି ନିଜ ପିନ୍ଧା ଲୁଗାପଟାକୁ ଟିକେ ସଜାଡି ଦେଇ ବିମଳଙ୍କୁ ଆସି ପ୍ରଣାମ କଲା। ସୁନନ୍ଦା ଚାରିଆଡକୁ ନଜର ବୁଲେଇ ଆଣି ପଚାରିଲା "ଏ ଶୂନଶାନ ଖରାବେଳେ,ଏମିତି ବେଶଭୂଷାରେ ଏକା ଏକା ତୁ!! କ'ଣ ହେଇଛି ତୋର? ମନୁ କେବଳ ଲୁହ ଗଡେଇବା ଛଡା ଆଉ କିଛିବି କହୁ ନଥିଲା। ତା ହାତରେ ଥିବା ପଲିଥିନ୍ ବ୍ଯାଗ୍ ରୁ ଜାଣିପାରୁଥିଲା ସୁନନ୍ଦା କି ସେ ବୋଧେ କିଛି ଖାଇନି। ଏଇ ଏବେ ଏବେ ପାଉଁରୁଟି ପ୍ଯାକେଟ୍ ଟି କିଣିଛି ଖାଇବା ପାଇଁ। ମନୁର ହାତ ଧରି ଗାଡି ପାଖକୁ ଆଣିଲା ସୁନନ୍ଦା।"ଚାଲେ, ମୁଁ ତୋତେ ଛାଡିଦେବି ତୁ କୁଆଡେ ଯିବୁ କହ?" ତଥାପି ମନୁ ନିରୁତ୍ତର। କ'ଣ ସେ କହିବ ।ସେ ତ ନିଜେବି ଜାଣିନି ସେ କୁଆଡେ ଯିବ। ସେ କାହିଁକି ଆଜି ରାସ୍ତାରେ ବେସାହାରା ହେଇ ବୁଲୁଛି ତା'ର ବି କାରଣ କହିପାରିବନି। ବାଧ୍ଯ ହେଇ ଏତିକି କହିଲା "ମୋ ପାଇଁ ଏତେ ହଇରାଣ କାହିଁକି ହେବୁ କହିଲୁ ? ତୁ ଯାଆ ମୁଁ ଆଉ ଟିକେ ପରେ ବସ୍ ଆସିଲେ ପଳେଇବି"। 


  କାହାକୁ ଏତେ ମିଛ କଥା କହୁଛୁ କହିଲୁ। ଏପଟେ କେବେଠାରୁ ବସ୍ ଗଲାଣି କାହିଁ ମୁଁ ତ ଜାଣିନି ।ବସ୍ ଷ୍ଟପ ଏଠୁ ଆଠ କିଲୋମିଟର। ଆସ୍ ଚୁପଚାପ୍। ଗାଡିରେ ବସ, କହି ମନୁର ହାତ ଧରି ଗାଡି ରେ ବସେଇଦେଲା ସୁନନ୍ଦା। ବିମଳଙ୍କୁ ଚାହିଁ କହିଲା ମୁଁ ବି ପଛ ସିଟ୍ ରେ ମନୁ ପାଖରେ ବସୁଛି। ଆମେ ଦୁଇସାଙ୍ଗ କଥା ହେଇ ହେଇ ଯିବୁ। ମୁଣ୍ଡ ଟୁଙ୍ଗାରି ହଁ' କହି ଗାଡି ଷ୍ଟାର୍ଟ କଲେ ବିମଳ। ସୁନନ୍ଦା ବିମଳଙ୍କ ସାଥିରେ ମନୁକୁ ପରିଚିତ କରିବାକୁ ଯାଇ କହିଲା "ଏ ମୋର ସବୁଠୁ ଅନ୍ତରଙ୍ଗ ସାଙ୍ଗ ମନୀଷା।ବାସ୍ , ବାହାଘରପରେ ମୋତେ ଭୁଲି ଯାଇଥିଲା ଯାହା"। ମନୁର ମନକୁ ହାଲକା କରିବାପାଇଁ ଏମିତି କହିଲା ସିନା କିନ୍ତୁ ସେ ଭଲ ଭାବେ ବୁଝି ସାରିଲାଣି ମନୁ ଉପରେ ହୁଏତ କିଛି ଗୋଟେ ବିତି ଯାଇଛି। ମନୁ କୁ ମଧ୍ଯ ବିମଳଙ୍କ ସହ ପରିଚିତ କରିବାକୁ ଯାଇ କହିଲା, "ତୁ ଭଲ ଭାବେ ଜାଣିଛୁ ମୁଁ କେବେ କେଉଁ ପୁଅ ମାନଙ୍କ ସହ ଏକୁଟିଆ ବୁଲାବୁଲି କରେନି। ଆଜି ୟାଙ୍କ ସହ ଏକୁଟିଆ ଗାଡିରେ ଯାଉଛି ମାନେ ଇଏ ମୋର କ'ଣ ହେଇଥିବେ?"କାନ୍ଦୁରା ମୁହଁରୁ ସରୁ ଧାରେ ହସ ବାହାରି ଆସିଲା ମନୁର ଓଠ ତଳୁ। 


"ତୁ ଆଗରୁ ଯେମିତି ଥିଲୁ ଏବେବି ସେମିତି ଅଛୁ ସୁନୀ।" 


"ମୁଁ ବି ଆଶା କରୁଛି ମୋ ସାଙ୍ଗ ମନୁ ବି ଆଗରୁ ଯେମିତି ଥିଲା ଏବେବି ସେମିତି ଥିବ। ମୋ କହିବାର ମାନେ ହେଲା ମୋତେ କିଛି କଥା ଆଗରୁ ନ ଲୁଚାଉଥିବା ସାଙ୍ଗ ଏବେ ବି କିଛି କଥା ଲୁଚେଇବନି ।ଏବେ କହ କ'ଣ, କାହିଁକି ଆଉ କେମିତି ହେଲା ।"


   ସାଙ୍ଗ ସୁନୀ ଆଗରେ ସବୁ କହିବାକୁ ଇଛାଥିଲେବି ବିମଳଙ୍କୁ ଦେଖି ଟିକେ ଥଙ୍ଗଥଙ୍ଗ ହେଲା ମନୁ। ମନୁର ମନ କଥା ବୁଝିପାରି କହିଲା ସୁନନ୍ଦା "ସେ ମୋ ସ୍ବାମୀ। ଏବେ ସେ ଆଉ ମୁଁ ଦୁହେଁ ଗୋଟେ ମନ ଗୋଟେ ହୃଦୟ। ମୋତେ ବିଶ୍ବାସ କରିବା ଯାହା ତାଙ୍କୁ ବିଶ୍ବାସ କରିବା ସେଇଆ। ଏମିତିରେ ବି ମୁଁ ତାଙ୍କୁ କିଛି ଲୁଚେଇ ପାରିବିନି। ଆମେ ଦୁଇଜଣ ହିଁ ଘଟଣାର ଗମ୍ଭୀରତା ଦେଖି କିଛି ବିଚାର କରିପାରିବୁ। 


ସୁନନ୍ଦା ଆଉ ବିମଳଙ୍କ ମଧ୍ଯ ରେ ଏତେ ସୁନ୍ଦର ବୁଝାମଣା ଦେଖି ମନୀଷା ର ଆଖିରୁ ଲୁହ ନିଗିଡି ପଡିଲା। ସୁନନ୍ଦାର ଆଶ୍ବାସନା ଭରା କଥାଶୁଣି ତାକୁ ଟିକେ ହାଲକା ଲାଗିଲା। ନିଜ ଚିନ୍ତାବୋଝ ମୁଣ୍ଡେଇ ମୁଣ୍ଡେଇ ଥକି ପଡିଲାଣି ସେ ।ସାଙ୍ଗ ଆଗରେ କହିପାରିଲେ ହୁଏତ କିଛି ବୋଝ ଟିକେ ହାଲକା ହେଇ ପାରିବ।

   

    ଦୀର୍ଘଶ୍ବାସଟିଏ ଭିତରକୁ ଟାଣି ନେଇ ଦୁଃଖ ବଖାଣିବାର ବଳ ସାଉଁଟିନେଲା ମନୀଷା। ତାପରେ ଆରମ୍ଭ କଲା ତା ଜୀବନର କାହାଣୀ ସେହିଦିନଠାରୁ, ଯେଉଁଦିନଠାରୁ ସୁନନ୍ଦା ସହିତ ତା'ର ଆଉ ଯୋଗାଯୋଗ ହେଇନି। ଯୁକ୍ତଦୁଇ ପରୀକ୍ଷା ପରେପରେ ସୁନନ୍ଦା ଓ ଅନ୍ଯ ସାଙ୍ଗ ମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ମନୀଷା ର ବାପା ମନୀଷାର ବାହାଘର ପାଇଁ ବ୍ଯସ୍ତ ହେଇ ବରପାତ୍ର ର ସନ୍ଧାନରେ ଥାଆନ୍ତି। ମନୀଷା ଯେତେ ତା ବାପାଙ୍କୁ ବୁଝଉଥାଏ ଯେ ,ସେ ପାଠପଢି ଜଣେ ଡାକ୍ତର ହେବାକୁ ଚାହୁଁଛି ,ତ ବାପା ବୁଝୁନଥାନ୍ତି। ପ୍ରଥମତଃ ଆର୍ଥିକ ଭାବେ ଓ ଦ୍ବିତୀୟରେ ଶାରୀରିକ ଭାବେ ସେ ଦୁର୍ବଳ ହେଇପଡିଥାନ୍ତି। ତେଣୁ ଜଣଙ୍କ ପରେ ଜଣଙ୍କ କାମ ସାରିବାକୁ ସେ ତରବର ହେଉଥାନ୍ତି।


ଏହି ସମୟରେ ବିକାଶଙ୍କ ଘରୁ ପ୍ରସ୍ତାବ ଆସିଲା। ପୁଅ ଚାକିରୀ କରିଛି, ଭଲ ଘର ଦେଖିବାକୁ ସୁନ୍ଦର। ଅରାଜିହେଲା ଭଳି କଥା କିଛି ନଥିଲା। ତେଣୁ ବାହାଘର ସେଇଠି ପକ୍କା ହେଇଗଲା।ରେଜଲ୍ଟ ବାହାରିବା ବେଳକୁ ବାହାଘର ସରିଥିଲା। ବାହାଘରର କିଛିଦିନ ଯାଏ ବିକାଶ ମନୀଷାକୁ ଛାଡି ଗୋଟେ ମିନିଟ୍ ବି କୁଆଡେ ଯାଆନ୍ତିନି। ସାହିର ଅନ୍ଯ ଯାଆ ମାନେ ଥଟ୍ଟାରେ କୁହନ୍ତି "ପାଗଳ ଭଅଁର ଭଳି ଦିଅରବାବୁ ତୋ ଚାରିପଟେ ଘୂରିବୁଲୁଛନ୍ତି "।ମନେମନେ କୁରୁଳି ଉଠେ ମନୀଷା। ଗୋଟେ ଝିଅପାଇଁ ଏହାଠାରୁ ବଡ ଭାଗ୍ୟର କଥା କ'ଣ ହେଇପାରେ?ସବୁ ଝିଅମାନେ ତ ତାଙ୍କର ସ୍ବପ୍ନ ନାୟକ କୁ ନେଇ ଏଇ କଳ୍ପନା କରିଥାନ୍ତି। ଡାକ୍ତର ହେବାର ସ୍ବପ୍ନ ଯେଉଁ ଅଧୁରା ରହିଗଲା ବୋଲି ମନ ଭିତରେ ଦୁଃଖର ନିଆଁ କୁହୁଳୁଥିଲା, ଆଜି ସେହି କୁହୁଳା ନିଆଁ ରେ ପରସ୍ତ ପରସ୍ତ ଶୀତଳ କାକର ବିନ୍ଦୁ। ମନେମନେ ଆମୋଦିତ ହୁଏ ମନୀଷା। ଜାଣିନଥିଲା ସେ,ଯେ ପାଗଳ ଭଅଁର ଟିଏ କେବେ ଗୋଟିଏ ଫୁଲରେ ସନ୍ତୁଷ୍ଟ ହୁଏନି ବୋଲି। ଗୋଟିଏ ଫୁଲରୁ ମଧୁ ସରିଗଲେ ଆଉ ଗୋଟେ ଫୁଲ ନିକଟକୁ ଉଡିଯିବାକୁ ଟିକେବି ବିଳମ୍ବ କରେନି ସେ। ମନୀଷାକୁ ଏହିକଥା ଜଣା ପଡିଲା ବାହାଘର ର ତିନିବର୍ଷ ପରେ।


ବିକାଶଙ୍କ କଥାବାର୍ତ୍ତା, ଚାଲି ଚଳଣ, ଢଙ୍ଗରଙ୍ଗ ସବୁ ବଦଳିଲା ଭଳି ଲାଗିଲା। ଏହିକଥା ଶାଶୁଙ୍କୁ ମଧ୍ଯ ସେ ଜଣେଇଲା। ନିଜ ପୁଅର ଏତେ ବଡ ଦୋଷ ସେ ଭାବିବି ପାରିଲେନି। କାମ ବ୍ଯସ୍ତ ରହୁଥିବ କହି ଏଡେଇ ଦେଲେ। ନିଜର ପିଲାଟିଏ ହେଲେ ବାଟକୁ ଆସିଯିବ କହି ପରାମର୍ଶ ଦେଲେ। ନିଜର ସନ୍ତାନ ଟିଏ କଥା ଏବେ ଭାବିବା ସମୟ ହେଲାଣି ବୋଲି ମଧ୍ଯ ମନୀଷା ବିକାଶଙ୍କ ପାଖରେ ଅନୁରୋଧ କଲା। ତଥାପି ବିକାଶ ଙ୍କ ଉପରେ କିଛି ବି ଫରକ ପଡିଲାନି। ଧିରେ ଧିରେ ଗୋଟିଏ ଘରେ ଗୋଟିଏ ଛାତତଳେ ରହି କି ବି ସେମାନଙ୍କ ମଧ୍ଯ ରେ ଦୂରତା ବଢିବଢି ଚାଲିଲା। କଥା ଯେ ଗମ୍ଭୀର ଏକଥା ଆଉ କାହାକୁ ଅବୁଝା ରହିଲାନି। ଶାଶୁ ଶ୍ବଶୁର ବହୁତ ଚେଷ୍ଟା କଲେ ବିକାଶ ଙ୍କୁ ବାଟକୁ ଆଣିବାକୁ। ସବୁ ବ୍ଯର୍ଥ ଗଲା। ପୁଅ ଚିନ୍ତାରେ ଆଗପଛ ହେଇ ସେମାନେ ଦୁନିଆ ଛାଡିଲେ। ବିକାଶ ପାଇଁ ଏଇଟା ମୁକ୍ତିର ମାର୍ଗ ଥିଲା। ଘରକୁ ଆସିବା ବନ୍ଦ କରିଦେଲେ ସେ।ଅଫିସ ରୁ ତାଙ୍କ ଭଡା ଘରର ଠିକଣା ବୁଝି ସେଠି ପହଞ୍ଚିଲା ବେଳକୁ ଯାହା ଦେଖିଲା ମନୀଷାର ପାଦତଳୁ ମାଟି ଖସିପଡିଲା ଭଳି ଲାଗିଲା। ସେଇଠି କଚାଡି ହେଇ ପଡିଲା। ହୋସ୍ ଆସିଲା ବେଳକୁ ସୋଫା ଉପରେ ଶୋଇଥିଲା ସେ। ଗୋଟେ ପଟେ ଛିଡାହେଇଥିଲେ ବିକାଶ ଓ ଆଉଗୋଟେ ପଟେ ସଦ୍ଯ ପ୍ରସ୍ଫୁଟିତା କଳିକା ଟିଏ,ଯାହାର ପଛରେ ବିକାଶ ଏବେ ପାଗଳ ଭଅଁର ସାଜି ଉଡିବୁଲୁଛନ୍ତି। ମନୀଷା ସାଷ୍ଟାଙ୍ଗ ହେଲାପରେ ତାକୁ ସେଠି ରହିବାକୁ ଅନୁମତି ମିଳିଲା ସତ ବେଡ୍ ରୁମ୍ ରେ ଜାଗା ମଳିଲାନି। ସବୁକିଛି ଅତୀତରେ ହରେଇ ସାରିଛି ସେ ।ଏବେ ଖାଲି ଅଛି ସ୍ବାଭିମାନ ଟିକେ। ସେତକ ଆଉ ତଳେ ପକେଇବାକୁ ଚାହୁଁନଥିଲା ମନୀଷା। ଚାଲି ଆସିଲା ସେଠୁ।ପ୍ରତିବାଦ କରିବାକୁ ଚାହୁଁଥିଲେ ବି ଆର୍ଥିକ ଭାବେ ମାନସିକ ଭାବେ ଓ ଶାରିରୀକ ଭାବେ ସେ ଦୁର୍ବଳ ଥିଲା।ଗାଁ ଗହଳିରେ ବିବାହିତା ଝିଅଟେ ବିନା ନିମନ୍ତ୍ରଣ ରେ ବାପ ଘରେ ଆସିରହିବା ସବୁଠୁ ବଡ ମର୍ଯ୍ୟାଦାହାନୀ କଥା। ବାଧ୍ଯ ହେଇ କୁଆଡେ ଯିବ ,କ'ଣ କରିବ କିଛି ନଭାବି ପାରି ଏଣେତେଣେ ଘୂରିବୁଲୁଛି ସେ ତିନିଦିନ ଧରି। 


    ମନୀଷାର କଥା ସରିଲାବେଳକୁ ସୁନନ୍ଦା ଓ ବିମଳ ଉଭୟେ ଶବ୍ଦହୀନ ଭାଷାହୀନ ହେଇ ବସିଥାନ୍ତି।କାହାରି ପାଟିରୁ କିଛି ବି କଥା ବାହାରୁ ନଥାଏ। କିଛି ସମୟ ପରେ ନୀରବତା ଭାଙ୍ଗି କଥା ଆରମ୍ଭ କଲେ ବିମଳ "ଆମର ଗାଁ ଆସିଗଲା। ଆସନ୍ତା ସୋମବାରେ ମୋ ମାଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅଛି। ସୁନନ୍ଦାର ସାଙ୍ଗ,ନିମନ୍ତ୍ରିତ ଅତିଥି ଭାବେ ଆମ ଘରକୁ ଆସିଛ। ଏବେ ପାଇଁ ଏତିକି ପରିଚୟ ତୁମର ।ଆଉ ସବୁ ଆମେ ପରେ କଥା ହେବା"। 

     

      ଘରେ ପହଞ୍ଚି ସାରି ମନୀଷାର ହାତଧରି ସିଧା ନିଜ ବେଡ୍ ରୁମ୍ କୁ ନେଇଗଲା ସୁନନ୍ଦା। ଆଲମୀରା ଖୋଲି ସବୁଠୁ ସୁନ୍ଦର ଶାଢୀ ଟେ ବାହାରକରି ନିଜ ହାତରେ ପିନ୍ଧାଇ ଦେଲା। ରୋଷେଇ ଘରୁ ଯାଇ ଖାଇବା ଜିନିଷ ବାଢିଆଣି ସାଙ୍ଗରେ ଖୁଆଇଲା। ଖାଇସାରିବାପରେ ଗେଷ୍ଟ ରୁମ୍ ର କବାଟ ଖୋଲି ମନୀଷାକୁ ରେଷ୍ଟ ନେବାକୁ କହି ନିଜ କାମରେ ବାହାରି ଆସିଲା। ଦୁଇଦିନ ପରେ ଶାଶୁଙ୍କ ଶ୍ରାଦ୍ଧ। ତାକୁ ଛାଡିଦେଲେ ଘରେ କେହି ସ୍ତ୍ରୀ ଲୋକ ନାହାଁନ୍ତି। ଶ୍ବଶୁର ଓ ଦିଅର ଏକା ଗାଁରେ ରୁହନ୍ତି। ସ୍ତ୍ରୀ ଲୋକ ଘରେ ନରହିଲେ ଘରର ଯାହା ଅବସ୍ଥା। କେଉଁଠୁ ଆରମ୍ଭ କରିବ ଭାବୁଛି ସୁନନ୍ଦା ଦେଖିଲା ତା ପଛରେ ମନୀଷା ଝାଡୁ ଧରି ଘର ସଫା କରିବା ଆରମ୍ଭ କରିଦେଲାଣି। ସୁନନ୍ଦା କୁ ଦେଖି ଟିକେ ହସିଦେଇ କହିଲା ତୁ ଏକା ଏତେ କାମ ପାରିବୁନି। ମୁଁ ମିଶିଗଲେ କୁଆଡେ ସରିଯିବ ଜଣାବି ପଡିବନି।


ଦୁଇଦିନ ଭିତରେ ଘରଟିକୁ ଅତି ସୁନ୍ଦର କରି ସଜାଡିଦେଇଥିଲେ ଦୁଇସାଙ୍ଗ। ମନୀଷା ର କାର୍ଯ୍ଯ ଦକ୍ଷତା ଦେଖି ସୁନନ୍ଦା, ବିମଳ ସୁନନ୍ଦାର ଶ୍ବଶୁର ହୃଷିକେଶ ବାବୁ ଓ ଦିଅର ଆଦିତ୍ଯ ବାବୁ ସମସ୍ତେ ବହୁତ ଖୁସି। ବହୁତ ଭଲରେ ଭଲରେ ଶ୍ରାଦ୍ଧ କାମ ସରିଲା। ସବୁ ବଂଧୁ ବାନ୍ଧବ ବି ଚାଲିଗଲେ। ରାତି ପାହି ସକାଳ ହେଲେ ସୁନନ୍ଦା ଓ ବିମଳ ବି ତାଙ୍କ କର୍ମସ୍ଥଳୀ କୁ ଚାଲିଯିବେ। ଘରେ ପୁଣି ଯେଉଁ ଶୂନ୍ଯତା କୁ ସେଇ ଶୂନ୍ଯତା ମାଡି ପଡିବ।ଆଦିତ୍ଯ ଓ ହୃଷିକେଶ ବାବୁ ପୁଣି ଏକା ହେଇଯିବେ। ଏ ପୁଅଟିବି ଅଜବ। କୌଣସି ଝିଅ ତା ମନକୁ ଆସୁନି। ନହେଲେ ବାହାଘର କରିଦେଇଥିଲେ କଥା ସରିଥାନ୍ତା। ଭାଇ ଭାଉଜ ଡାକ୍ତର ବୋଲି କଟକରେ ରହିଲେ। ଆଦିତ୍ଯ ଗାଁ ପାଖ ସ୍କୁଲ ରେ ଶିକ୍ଷକ ଅଛନ୍ତି ବୋଲି ଗାଁ ରେ ରହିଲେ।ନିଜ କଥା ବାପାଙ୍କ କଥା ସ୍କୁଲ କଥା ଘରକଥା ସବୁ ଏକା ଏକା ବୁଝୁଛି। ବହୁତ ଥକି ବି ପଡୁଛି। ତଥାପି ବାହାଘର କଥା କାନରେ ପଶଉନି। ସେଇ ଚିନ୍ତା ହୃଷିକେଶ ବାବୁଙ୍କର।କାଲି ବିମଳ ସୁନନ୍ଦା ଓ ମନୀଷା ଏଘରୁ ଚାଲିଗଲାପରେ ଏ ଘରେ ପୁଣି ନୀରବତା ରାଜୁତି କରିବ।


    ନିଜ ରୁମ୍ ରେ ବସି ଆଲୋଚନା କରୁଛନ୍ତି ବିମଳ ଓ ସୁନନ୍ଦା।କାଲି ଆମେ ଏଠୁ ଗଲାପରେ ମନୀଷା କୁ କେଉଁଠି ରଖିବା। ଆଉ ପନ୍ଦର ଦିନ ପରେ ସେମାନେ କେତେଜଣ ସାଙ୍ଗ ହେଇ ମହୀଶୂର ଉଟ୍ଟି ବୁଲିଯିବା ପାଇଁ ଯୋଜନା କରିଛନ୍ତି। ଟିକେଟ୍ ବି ହେଇସାରିଛି। ହୋଟେଲ ବୁକ୍ ସରିଛି ।ସାଙ୍ଗ ସାଥିରେ ମନା ବି କରିହେବନି। ମନୀଷାକୁ ଏକା ଛାଡିକି ଯାଇହେବନି। ଏପଟେ ଘରେ ବାବା ଓ ଆଦିତ୍ଯ ଏକା କେତେ ହଇରାଣ ହେଉଛନ୍ତି। କିଛି ବି ମୁଣ୍ଡରେ ପଶୁନି। କ'ଣ କରିହେବ କାହା ପାଇଁ। ହଠାତ୍ ବିମଳ କହିଲେ "ସୁନୀ, ମନୀଷା କିଛିଦିନ ପାଇଁ ଏଇଠି ଗାଁରେ ଥାଆନ୍ତୁ। ଆମେ ବାଙ୍ଗାଲୋର ରୁ ଫେରିଲା ପରେ ମୋର ଜଣେ ଆଡଭୋକେଟ ସାଙ୍ଗ ସହ କଥା ହେଇ ଯାହା ନିଷ୍ପତ୍ତି ନେବା। କଥା ସୁନନ୍ଦା ର ମନକୁ ବି ଆସିଲା। ସକାଳୁ ସମସ୍ତେ ବ୍ରେକଫାଷ୍ଟ କରିବା ସମୟରେ ମନୀଷାର ସମସ୍ଯା କଥା ହୃଷିକେଶ ବାବୁଙ୍କୁ ଜଣେଇଲା ସୁନନ୍ଦା। ସେ ଏକଥା ଶୁଣି ବହୁତ ଖୁସି ହେଇଗଲେ କି ମନୀଷା ପୁଣି ତାଙ୍କ ପାଖରେ ଆହୁରି ଗୋଟେ ମାସ ଯାଏ ରହିବ। ଏଥର ଟିକେ ପୂର୍ଣ୍ଣ ପୂର୍ଣ୍ଣ ଲାଗିବ। ଆଦିତ୍ଯ ଙ୍କର ମଧ୍ଯ କୌଣସି ଅଭିଯୋଗ ନଥିଲା। ବାସ୍ ,ବିମଳ ଓ ସୁନନ୍ଦା ଏଥର ହାଲକା ମନରେ ଘରୁ ବାହାରିଗଲେ। 


      ସକାଳୁ ଉଠି ମନୀଷା ଘରର ସବୁ କାମ ସାରି ହୃଷିକେଶ ବାବୁଙ୍କ ପାଇଁ ଆଦିତ୍ଯ ଙ୍କ ପାଇଁ ଅଲଗା ଅଲଗା ଖାଇବା ରେଡି କରି ଟେବୁଲ ଉପରେ ସଜେଇ ରଖିଛି। ଏଇ କିଛିଦିନ ରହଣୀ ଭିତରେ ସେ ସମସ୍ତଙ୍କ ପସନ୍ଦ ଅପସନ୍ଦ ଜାଣି ଯାଇଛି। ଆଦିତ୍ଯ ସକାଳ ଆଠଟା ରେ ଉଠି ରୋଷେଇ ଘରେ ପଶିଲା ବେଳକୁ ରୋଷେଇ ଘର ମହକରେ କମ୍ପୁଛି। ଘର ଭିତର ଏତେ ସଫା ଯେ ରୋଷେଇ ସରିଛି ବୋଲି ଟିକେବି ଜଣାପଡୁନି। ପାତ୍ର ଗୁଡିକ ସବୁ ଢଙ୍କା ହେଇ ରଖା ହେଇଛି। ଢାଙ୍କୁଣୀ ଟେକି ଆଶ୍ଚର୍ଯ୍ଯ ହେଇଗଲେ ଆଦିତ୍ଯ। ଏତେ ସକାଳୁ ଏତେ ରକମ ରୋଷେଇ!!! ଏଇଟା କେବଳ ଗୋଟେ ଦିନର ଘଟଣା ନୁହେଁ। ନିୟମିତ ଏହି ଧାରା ଜାରି ରହିଥାଏ। ସକାଳୁ ରାତି ଯାଏ ମନୀଷା ବିଭିନ୍ନ ପ୍ରକାର ରୋଷେଇ ହୃଷିକେଶ ବାବୁ ଓ ଆଦିତ୍ଯ ଙ୍କ ପାଇଁ କରେ। କେବଳ ସେତିକି ନୁହେଁ। ଘର ସଜା, ବିଛଣା ସଜା ଫୁଲ ଗଛରେ ପାଣିଦେବା। ଠାକୁର ପୂଜା ପାଇଁ ଫୁଲହାର ଗୁନ୍ଥିବା, ହୃଷିକେଶ ବାବୁଙ୍କ ଔଷଧଖାଇବା କଥା ବୁଝିବା ସବୁ ଠିକ୍ ଠିକ୍ କରେ ସେ।


     ସୁଖର ଦିନ ଯେ କୁଆଡେ ଚାଲିଯାଏ ଜଣା ପଡେନି। ଏହା ଭିତରେ ଗୋଟେ ମାସ ବିତିଗଲାଣି। ବିମଳ ଓ ସୁନନ୍ଦା କଟକ ଫେରିଆସିଲେଣି। ଆସନ୍ତା କାଲି ଗାଁ କୁ ଆସି ମନୀଷା କୁ ସାଥିରେ ନେଇଯିବେ ବୋଲି ଫୋନ୍ କରି କହିଛନ୍ତି। ହୃଷିକେଶ ବାବୁଙ୍କ ମନ ଦୁଃଖ ଯେ ମନୀଷା ଚାଲିଗଲା ପରେ ପୁଣି ଏଘରର ଅବସ୍ଥା ଯାହାଥିଲା ସେଇଆ ହେଇଯିବ। ଆଦିତ୍ଯ ଙ୍କ ମନ ଦୁଃଖ କ'ଣ ପାଇଁ ଆଦିତ୍ଯ ନିଜେ ବି ଜାଣି ପାରୁନାହାଁନ୍ତି। କିଛିଗୋଟେ ମୂଲ୍ଯବାନ ଜିନିଷ ହଜେଇବା ଭଳି ଅନୁଭବ ହେଉଛି କେବଳ। ସମସ୍ତେ ନିଜ ନିଜ ଚିନ୍ତାରେ। ମନୀଷା ଭାବୁଛି ଯେଉଁଠିକି ଗଲେ ବି ତା ଉପରେ କିଛି ଫରକ ପଡିବନି। ସେ ନିଜେ ବାସହରା। ଦୁଇଦିନ ପାଇଁ ହେଉପଛେ ନିରାପଦ ଆଶ୍ରୟ ଟିଏ ତା'ର ଲୋଡା। 


    କ'ଣ ଏତେ ଭାବୁଛୁ ଆଦିତ୍ଯ? ଆଜି ରାତି ପାହିଲେ ସକାଳୁ ସକାଳୁ ଭାଇ ଭାଉଜ ଆସି ମନୀଷା କୁ ସାଙ୍ଗ ରେ ନେଇଯିବେ। ପରେ ଚିନ୍ତା କରି କହିବାକୁ ସମୟ ନଥିବ। ଏଇଟା ହିଁ ଉପଯୁକ୍ତ ସମୟ। ମନୀଷା କାମ ସାରି ଗେଷ୍ଟ ରୁମ୍ ରେ ବିଶ୍ରାମ ନେଉଛି। ମନ କଥା ଖୋଲି କହିଦେ। ଯା....ଯା....ଯା.....।ଚମକି ଉଠି ବସିଲା ଆଦିତ୍ଯ। ସେ ଏ କ'ଣ ଭାବୁଛି। ଅବଚେତନ ମନରେ ସତକଥା ହିଁ ତ ଆସିଥାଏ। ସେ ତାହେଲେ କ'ଣ ମନୀଷାକୁ.....


    ମନୀଷା ଭଳି ଝିଅଟେ ଯଦି ତାଙ୍କ ବୋହୂ ହେଇପାରନ୍ତା....।ଏତେ ବଡ ଘରର ଦାୟିତ୍ବ ସେ ଏଇ କିଛିଦିନରେ ଯେମିତି ନେଇଛି ତା ପାଇଁ ଆଉ କିଛି ପରୀକ୍ଷା ର ଆବଶ୍ଯକତା ନାହିଁ। ସମସ୍ତଙ୍କ ଜୀବନରେ କିଛିନା କିଛି ଝଡ ତ ଆସିଥାଏ। ଅଳ୍ପ ସମୟ ପାଇଁ ସେ ଝଡ ଆସେ ସିନା ବହୁତ କିଛି କ୍ଷୟକ୍ଷତି କରିଦେଇଥାଏ ସେତିକି ସମୟରେ। ତଥାପି ମନୋବଳକୁ ହରେଇ ଦେଇ ପାରିନଥାଏ ସେ ଝଡ। ସେହି ମନୋବଳ ପୁଣିଥରେ ଠିଆ କରିବାର ଶକ୍ତି ଯୋଗାଏ। ଆଗ ଠାରୁ ଆହୁରି ଭଲ ରେ ମଜବୁତ ହେଇ ଛିଡା କରାଏ। ମନୀଷା ବି ଝଡର ପ୍ରଭାବରେ ଭାଙ୍ଗିପଡିଛି। ତାକୁ ଉଠିବାକୁ ପଡିବ। ଜଣେ ସଚେତନ ନାଗରିକ ହିସାବରେ ଏଇଟା ଆମର କର୍ତ୍ତବ୍ଯ। ଆଦିତ୍ଯ କୁ ଥରେ କହି ତ ଦେଖେ। 


     ଆଦିତ୍ଯ ଙ୍କ ସହିତ କଥା ହେବା ପାଇଁ ହୃଷିକେଶ ବାବୁ ତାଙ୍କ ରୁମ୍ କୁ ଯିବାବେଳକୁ ଆଦିତ୍ଯ ବି ରୁମ୍ ରୁ ବାହାରୁଥିଲେ ମନୀଷା ସହିତ କଥା ହେବାପାଇଁ। ବାବାଙ୍କୁ ଦେଖି ରହିଗଲେ। ହୃଷିକେଶ ବାବୁ ଆଦିତ୍ଯ ଙ୍କୁ ପାଖରେ ବସେଇ ମନୀଷା ବିଷୟରେ ଭାବୁଥିବା କଥା କହିଲେ। ଆଦିତ୍ଯ ମନେ ମନେ ଭାବୁଥିଲେ ଏ କି ସଂଯୋଗ? ଭଗବାନ୍ ବୋଧେ ଏଇଆ ଚାହୁଁଛନ୍ତି। ବାବାଙ୍କ କଥା ଶୁଣି ଚୁପ୍ ରହିଗଲେ ।ମୌନେ ସମ୍ମତି ଲକ୍ଷଣ ବୋଲି ଭାବିନେଲେ ହୃଷିକେଶ ବାବୁ। ଏହା ଆଗରୁ ଯେବେ ବି ବାହାଘର କଥା ଉଠାନ୍ତି ସେ ଆଦିତ୍ଯ କିଛି ନା କିଛି ବାହାନା କରି ଏଡେଇ ଦିଏ ପ୍ରସଙ୍ଗ ।ଆଜି ତା'ର ବ୍ଯତିକ୍ରମ। 


ତାହେଲେ କାଲି ବିମଳ ଓ ସୁନନ୍ଦା ଆସିଲେ ତାଙ୍କୁ ଏକଥା କହିବି। ମନୀଷା କୁ ରାଜି କରେଇବା ଦାୟିତ୍ବ ସେମାନଙ୍କର ।"ହୁଁ"ଟିଏ ମାରି ନିଜ ରୁମ୍ ଭିତରକୁ ପଶିଗଲେ ଆଦିତ୍ଯ।


  ତା ପରଦିନ ହୃଷିକେଶ ବାବୁଙ୍କ ଠାରୁ ସବୁକଥା ଶୁଣି ସୁନନ୍ଦା ଓ ବିମଳ ବହୁତ ଖୁସି। ପ୍ରଥମେ ତ ମନୀଷା ଭଳି ଭଲ ଝିଅଟିକୁ ସାହାରା ମିଳିଯିବ। ଦ୍ବିତୀୟରେ ବାହାଘର ପାଇଁ ରାଜି ହେଉନଥିବା ଆଦିତ୍ଯ ର ବାହାଘର ହେଇଯିବ।ତୃତୀୟରେ ଏତେ ବଡ ଘର ଟା ଏତେଦିନପରେ ପୁଣି କୋଳାହଳ ରେ ପୂରି ଉଠିଉଠିବ। ସବୁ ପରେ ବି ମନୀଷାକୁ ବୁଝେଇବା କଷ୍ଟ ଥିଲା। ଏବେବି ମନୀଷା ବିକାଶ ନାମରେ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧୁଛି। ଏସବୁ କେମିତି ସମ୍ଭବ?


କାହିଁକି ସମ୍ଭବ ନୁହେଁ?ଆମେ ଚାହିଁଲେ ତୁମକୁ ସବୁ ପ୍ରକାର ସାହାଯ୍ଯ କରିପାରିବୁ ।ଧନବଳ ,ଜନବଳ ,ମନୋବଳ ସବୁକିଛି ।ତୁମେ ତୁମର ସବୁ ଅଧିକାର ପାଇବ। ତଥାପି ସବୁକିଛି ଭିତରେ ବହୁତ କିଛି ଶୂନ୍ଯତା ରହିଯିବ। ବିକାଶ ବାବୁଙ୍କ ମନ ଟି ଆଉ ତୁମେ ଧରିରଖିପାରିବନି। ମନ ଥରେ ଭାଙ୍ଗିଗଲେ ଚୁନା ହେଇଯାଏ। ତାକୁ ଆଉ କେହିବି ଯୋଡି ପାରିବେନି। ତାଙ୍କ ପାଇଁ ସିନ୍ଦୁର ପିନ୍ଧୁଛ ବୋଲି ତାଙ୍କ କଥା ଭାବୁଛ।।ଏହାପରେ ଯାହା ପାଇଁ ପିନ୍ଧିବ ତା କଥା ହିଁ ଭାବିବ। ସେ ବ୍ଯବସ୍ଥା କରିବା ଆମେ। 


ବିମଳ ଫୋନ୍ କରି ତାଙ୍କ ଆଡଭୋକେଟ ସାଙ୍ଗକୁ ଘରକୁ ଡାକିଲେ। ସମସ୍ତ ଙ୍କ ମିଳିତ ଆଲୋଚନା ପରେ ଏଇଆ ନିଷ୍ପତ୍ତି ନିଆଗଲା କି ମନୀଷା ବିକାଶ ଙ୍କ ଠାରୁ ଡିଭୋର୍ସ ଆଣିବ। ସେ ପୁଣି ବିନା ଭରଣପୋଷଣରେ। ବିକାଶ ପାଇଁ ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ ଥିଲା। ସେ ବି ସାଙ୍ଗେ ସାଙ୍ଗେ ରାଜିହେଇଗଲା। ଡିଭୋର୍ସର ଅଳ୍ପ କେଇଦିନ ପରେ ଆଦିତ୍ଯ ଓ ମନୀଷାର ବାହାଘର ମନ୍ଦିରରେ ନିରାଡମ୍ବର ଭାବେ ସମ୍ପନ୍ନ ହେଲା। ସୁନନ୍ଦା ନିଜେ ମନୀଷାକୁ ବଧୂ ବେଶରେ ସଜେଇଦେଉଥିଲା। ବଧୂ ବେଶରେ ମନୀଷା ବହୁତ ସୁନ୍ଦର ଦିଶୁଥିଲା। ଝଡରୁ ବାହାରି ଆସି ଭଗ୍ନ କୁଟୀର ଟି ଯେମିତି ନୂଆ ଉଆସ ଭଳି ଦିଶେ ଠିକ୍ ସେମିତି। 

     


Rate this content
Log in

Similar oriya story from Inspirational