ଜେଜେ ତୁମେ ମିଛ କହିଲ
ଜେଜେ ତୁମେ ମିଛ କହିଲ
ରୁବିକୁ କିଛି ଭଲ ଲାଗୁନଥିଲା ବାଳଶ୍ରମରେ. ତା ପାଖରେ ଏବେ ମାଟି ସ୍ଲଟ ବଦଳରେ ଭଳି ଭଳି ପ୍ଳାଷ୍ଟିକ ଓ କାଚ ଗୋଲି ଲଗା ସ୍ଲେଟ ଥିଲା ଓ ଥିଲେ କେତେ ସାଙ୍ଗ ଓ ଶିକ୍ଷକ. ସୁନ୍ଦର ଭାବରେ ସଂଖ୍ୟାରୁ ଚିତ୍ର ଆଙ୍କି ଶିଖେଇ ଦେଲାବେଳେ ସେ ଜେଜେଙ୍କ ଦ୍ୱାରା ଅଙ୍କିତ ସେହି ତିନି ଶୂନକୁ ଝୁରୁଥିଲା. ଏବେ ସେ ବୁଝିଯାଇଥିଲା ରଥ ଯାତ୍ରାର ଚତୁର୍ଦ୍ଧାଙ୍କ ସୁନାବେଶ ଦେଖେଇବାକୁ କହି ଜେଜେ ମିଛ କହିଥିଲେ ହେଲେ କାହିଁକିର ଉତ୍ତର ରୁବି ଖୋଜି ପାଉନଥିଲା ଏଯାଏଁ!ଏଠି ସମସ୍ତେ ଖୁବ ଭଲ ଥିଲେ. ଖେଳିବା ପାଇଁ ସେ ଦେଖିନଥିବା ଅନେକ ଭଳି ଭଳି ଖେଳନା ବି ଥିଲା. ମ୍ୟାଡାମ ରେଣୁକା ମଧ୍ୟ ତାକୁ ବହୁତ ଭଲପାଉଥିଲେ ଓ ସ୍ନେହ କରୁଥିଲେ କିନ୍ତୁ ଜେଜେଙ୍କ ପରି ଘୋଡା ହୋଇ ତାକୁ ପିଠିରେ ବସେଇବା ଭଳି କେହି ନଥିଲେ କି କନ୍ଧୁଅ କରି ଏଇଠୁ କରୁଛି ପ୍ରଣିପାତ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ଭଜନ କେହି ଗାଉ ନଥିଲେ. ଖାଇବାକୁ ମଧ୍ୟ ବାର ଅନୁସାରେ ଖୁବ ଭଲ ଭଲ ପୃଷ୍ଟିସାର, ସ୍ନେସାର ଓ ଶ୍ୱେତସାର ଜାତୀୟ ଖାଦ୍ୟ ସାଙ୍ଗକୁ ହରଲିକ୍ସ ଓ ବର୍ଣଭିଟା ଜାତୀୟ ପାନୀୟ ମିଳୁଥିଲା ହେଲେ ସଜନା ଖରଡ଼ା କି ଆମ୍ଭୁଲ ଚିନି ଗୋଳ ପାଣି ନଥିଲା ହାପୁଡିବାକୁ. ପୁଣି ରଥଯାତ୍ରାର ତିନି ରଥ ଚିତ୍ର କରୁଥିବା ବଡ଼ ଭାଇ ଓ ନାନୀମାନେ କେହି ଗାଉନଥିଲେ ସେହି ଗୀତ ଯୋଉଟା ଜେଜେ ଗାଉଥିଲେ ଯେ ତୁମ ନନ୍ଦିଘୋଷ ଦେଖି ଯାଇ ମୁଁ ପାରୁନି..ଏଇଠି ଗଢ଼ିଛି ବାଲିରଥ... ହେ ଜଗନ୍ନାଥ.. ହେ ଜଗନ୍ନାଥ.. ହେ ଜଗନ୍ନାଥ. ରୁବି ଭାବୁଥିଲା ତାରି ପାଇଁ ପଖାଳ ସଜାଡୁ ସଜାଡୁ ଶାଗ ବାଛୁ ବାଛୁ ଓ ମାଟି ସ୍ଲଟ ଧୋଇ ଶୁଖେଇ ରଖୁ ରଖୁ ଜେଜେ ଯାଇପାରୁନଥିଲେ ରଥ ଦେଖି କି ନେବାକୁ ତାକୁ କଥା ଦେଇ ଠକିଲେ ବୋଧହୁଏ ଯେହେତୁ ସେ ତିନି ଶୂନ ଠିକ ଠିକ ଲେଖିପାରୁନଥିଲା ବୋଲି. ଏବେ ତ ସେ ଲେଖିଲାଣି. ଜେଜେ କିନ୍ତୁ ଆସୁନାହାଁନ୍ତି ଜମା. ତାଙ୍କର ସିନା ରୁବି କଥା ମନେପଡ଼ୁନି ହେଲେ ତାର ତ ଜେଜେଙ୍କ କଥା ଖୁବ ମନେପଡୁଛି. ସେ ଯିବ. ଜେଜେଙ୍କ ପାଖକୁ ଫେରିଯିବ. ଆଉ ଆସିବନି ଏଠିକି. ଏଠି ଯେତେ ସୁଖ ଥିଲେ ବି ଜେଜେଙ୍କ ପାଖେ ଥିବା ସୁଖ ନାହିଁ.ତାହା ସେ ଜେଜେଙ୍କ ଵିନା ପାଇବ କାହିଁ!
ସେଦିନ ସମୟ ସୁବିଧା ଦେଖି ଜେଜଙ୍କ ପାଖକୁ ଯିବା କଥା କହୁ କହୁ ମ୍ୟାଡାମଙ୍କୁ ସେ ରାଜି ହୋଇଗଲେ ଓ କହିଲେ ଜେଜେ ଆସିନପାରି ତୁମକୁ ଦେଖିବାକୁ ଚାହିଁଥିବାରୁ ତୁମେ ଯିବ ସତ ହେଲେ ତୁମକୁ ଫେରିବାକୁ ପଡିବ. ରୁବି ଭିତରେ ଭିତରେ ଭାବୁଥିଲା ଗଲା ପରେ ଜେଜେଙ୍କ ଗୋଡ଼ ଧରି କହିବ ଆଉ ଦୁଷ୍ଟ ହେବିନି, ରଥ ଦେଖାଇ ନେବାକୁ ଜିଦ କରିବିନି କି ପାପା ମାମା ପାଖକୁ ଯିବାକୁ କେଵେ ବି କହିବିନି. ଏ ଭିତରେ ମୁଁ ଜାଣିସାରିଛି ଜେଜେ ଯେ ସେ ଦୁହେଁ ଆକାଶର ତାରା ହୋଇଯାଇଛନ୍ତି. ମୁଁ ଖାଲି କଥା ମାନି ପଢ଼ିବି ଜେଜେ. ତୁମେ ପରା କୁହ କାଳିଆ ଘୋଡାରେ ଚଢ଼ିବ ଯିଏ.. ମଧୁବାରିଷ୍ଟର ପରି ହୋଇବ ସିଏ. ସେ ମଧୁବାବୁଙ୍କ ପରି ହେବାକୁ ମୁଁ ବା କିଏ! ମୁଁ କିନ୍ତୁ ଆଉ ତୁମକୁ ଛାଡି କୁଆଡେ ଯିବିନି ମତେ କଥା ଦିଅ ଜେଜେ. ମୋ ପ୍ରତି ଆଉ ନିଷ୍ଠୁର ହୁଅନା.ଗାଡି ନେଇ ମ୍ୟାଡାମ ନିଜେ ପୁଣି ରୁବି ଗାଁ ଅଭିମୁଖେ ଫେରୁଥିଲେ. ରୁବିର ଖୁସି କାହିଁରେ କଣ. ଜେଜେ ମତେ କାହିଁ ମିଛ କହିଲ ପଚାରି କହିବ ଜେଜେଙ୍କୁ ରୁବି ଯେ ମୋର ଦୋଷ କଣ ଜେଜେ!ମତେ ଦୂରେଇ ଦେଇ ତୁମର କି ଲାଭ. ହଠାତ ରାମ ନାମ ସତ୍ୟ ହେ ବୋଲି ଡାକି ଡାକି କେହି ମୁର୍ଦାରଟିଏ ନେଇ ଆଗେଇ ଗଲେ ତ ଗାଡି ଫେରାଅ କହି ମ୍ୟାଡାମ କହୁଥିଲେ ଜେଜେ ତୁମର ଆକାଶର ତାରା ହେଇଗଲେ ରୁବି. ଆମେ ଏଥର ଫେରିଯିବା କିନ୍ତୁ ପଡୋଶୀ କେହି କହିଲେ ସେ ହିଁ ତା ଜେଜେଙ୍କ ମୁଁହରେ ନିଆଁ ଦେବ, ରହିଯାଉ ପରେ ଯିବ. ରୁବି କିନ୍ତୁ ବୁଝିପାରୁନଥିଲା ତାର ସେ କୁନି କୁନି ହାତ ଦୁଇଟିରେ ସେ ଜେଜେଙ୍କ ପାଦ ଛୁଇଁବା ବଦଳରେ ମୁଁହରେ ନିଆଁ ଦେବ କେମିତି!
