Jyotiranjan Sahu

Inspirational

3  

Jyotiranjan Sahu

Inspirational

ଇମିଟେସନ

ଇମିଟେସନ

3 mins
637



" ବୁଝିଲୁ ମା ! ମୁଁ ସେ କାଳି କୁତୁରି ଝିଅଟାକୁ ଜମାରୁ ବାହା ହେବିନି । ତୁ ବାପାଙ୍କୁ ସିଧା ସିଧା କହିଦେ ବୁଲୁ କହୁଛି ସିଏ ସେ କାଳି ଝିଅଟା କୁ ବାହା ହେବନି । ତୁ ଜାଣିଛୁ ମୋ ଅଫିସ୍ ରେ ମୋ କ୍ରେଜ୍ କେତେ ! ଏ ଝିଅଟାକୁ ବାହା ହେଲାପରେ ମୋ ଷ୍ଟାଫ୍ ସବୁ ମୋତେ କଣ କହିବେ ଜାଣିଛୁ ! ତୁ ବାପାଙ୍କୁ କହ ସେ ଯଦି ମୋପାଇଁ ଝିଅ ନପାଉଛନ୍ତି ତାହା ହେଲେ ମୁଁ ପସନ୍ଦ କରିଥିବା ଝିଅକୁ ଥରେ ଦେଖିଆସନ୍ତୁ ! ଆମ ଚୌଧୁରୀ ଘରକୁ ବେଶ୍ ମାନିବ " ! ଅଭିମାନିଆ ସ୍ବର ରେ ମା ଙ୍କୁ କହୁଥାଆନ୍ତି ବୁଲୁ ବାବୁ । ତାଙ୍କକଥା ଶୁଣି ମା କହିଲେ " ତୁ ସତରେ ନିଜେ ଝିଅ ଦେଖିଛୁ ! ! ଦେଖିବାକୁ କେମିତି ! ଗୋରା ତକତକ ତ " ! ମା' କଥାରେ ଉତ୍ଫୁଲ୍ଳିତ ବୁଲୁ ବାବୁ କହିଲେ " ମୁଁ କଣ ତୋପାଇଁ ଯାଇ ତାଇ ବୋହୂ ବାଛିଥିବି ବୋଲି ଭାବୁଛୁ ! ପୁରା ଗୋରା ତକତକ । ତହସିଲଦାର ଝିଅ ସିଏ । ଦେହରେ ମାଛି ବସିଲେ ବି ଖସିଯିବ ପରା " । ଏହାପରେ ତାଙ୍କମା ବୁଲୁ ବାବୁଙ୍କ ବାପାଙ୍କୁ ଯାଇ କହିଲେ " ହେଇଟି ଶୁଣିଛ ! ବୁଲୁ ଆମର ଗୋଟିଏ ଲକ୍ଷ୍ମୀ ପ୍ରତିମା ଝିଅଟିଏ ଦେଖିଛି । ଚାଲ ଦେଖି ଆସିବା " । ବୁଲୁ ବାବୁ ଙ୍କ ବାପା ପ୍ରଥମେ ତ ବିଶ୍ବାସ କରିପାରିଲେନି ଯେ ପୁଅ ତାଙ୍କର ଏଭଳି କିଛି କରିଥିବ ! ତେବେ ତାଙ୍କ ମା ଙ୍କୁ ଏତିକି କହିଲେ " ବୁଝିଲ ଉମା ! ମୁଁ ପସନ୍ଦ କରିଥିବା ଝିଅଟି କାଳି ହୋଇପାରେ ! କିନ୍ତୁ ଖୁବ୍ ଗୁଣବନ୍ତୀ । ଜାଣିରଖ ଯେମିତି ଆଖିକୁ ଚକଚକ ଦିଶୁଥିବା ସବୁ ହଳଦିଆ ଜିନିଷ ଖାଣ୍ଟି ସୁନା ନୁହେଁ ସେମିତି ଲକ୍ଷ୍ମୀ ପ୍ରତିମା ଭଳି ରୂପ ହୋଇଗଲେ ସବୁ ନାରୀ କେବେ ଲକ୍ଷ୍ମୀ ହୋଇଯାଆନ୍ତି ନି " !


     " ତୁମେ ଠିକ୍ କହିଛ ବାପା ! ତୁମେ ପୁରାପୁରି ଠିକ୍ କହିଛ ..." କହି ବିଳିବିଳାଇ ଉଠିଲେ ବୁଲୁ ବାବୁ । ' ଆରେ ମୁଁ କଣ ସ୍ବପ୍ନ ଦେଖୁଥିଲି ! ହଁ ବୋଧହୁଏ ସ୍ବପ୍ନ ଦେଖୁଥିଲି ' ବୋଲି ମନେମନେ ଭାବୁଥିଲେ ବୁଲୁ ବାବୁ । ମନଟା କାହିଁକି କେଜାଣି ତାଙ୍କର ଟିକିଏ ଉଦାସ ହୋଇପଡିଲା । କାହିଁକି ନା ଅତୀତର ଏହି ଘଟଣାଟି ବାରମ୍ବାର ବୁଲୁ ବାବୁଙ୍କ ସ୍ବପ୍ନରେ ଆସେ । ସେତିକିବେଳେ ବୁଲୁ ବାବୁଙ୍କ ଧର୍ମ ପତ୍ନୀ ଆସି ପଚାରିଲେ " କଣ ଯିବନି କି ଦୋକାନ ? ଗହଣା ଯେମିତି ରେଟ୍ ହେଲାଣି ! ଅରିଜିନାଲ ସୁନା ସବୁବେଳେ ପିନ୍ଧିହେବନି । ବଜାର ହାଟରେ ଚୋରଙ୍କୁ ଡର । ମୋର ଦୁଇ ଦୁଇଟା ହାର ମର୍ଣ୍ଣିୱାକ ଗଲାବେଳେ ଚୋରି ହେଲାଣି । ଡେଲି ଇଉଜ୍ ପାଇଁ କିଛି ଇମିଟେସନ ଗହଣା ନେଇଆସିବା । ନା କଣ କହୁଛ " ! ମୁଣ୍ଡ ହଲାଇ ନିଜର ସମ୍ମତି ପ୍ରକାଶ କଲେ ବୁଲୁ ବାବୁ । କାର୍ ରେ ଗଲା ବେଳେ ଭାବୁଥାଆନ୍ତି ' ଏହା ଭିତରେ ତିରିଶି ବର୍ଷ ବିତିଗଲାଣି ଆମ ବିବାହକୁ । ଯେଉଁ ମା' ର ଜିଦିରେ ତୁମେ ଚୌଧୁରୀ ଘର ବୋହୂ ହେଲ ; ସେଇ ମା' ବି ମଲାବେଳେ ନା ବୋହୂ ସେବା ଟିକିଏ ପାଇଲା ନା ପୁଅ ହାତରୁ ପାଣି ଟୋପେ ପିଇଲା !! ଠିକ୍ ଏଇ ଇମିଟେସନ ଗହଣା ପରି ମୋ ପରିବାର ପ୍ରତି ତୁମ ଭଲପାଇବାଟା ବି ନକଲି ଥିଲା । କିଛି ଦିନର ବ୍ୟବହାର ପରେ ଇମିଟେସନ ଗହଣାକୁ ଯେପରି ଡଷ୍ଟବିନର ରାସ୍ତା ଦେଖାଇ ଦିଆଯାଏ ତୁମକୁ ବି ମୁଁ ସେମିତି ଡିଭର୍ସ ଦେଇ ମୋ ଲାଇଫ୍ ରୁ ଏଗ୍ଜିଟ୍ ର ଦ୍ବାରଟା ଦେଖାଇ ପାରିଥାଆନ୍ତି । କିନ୍ତୁ ସେପରି ଶିକ୍ଷା ମୋ ବାପା ମା ମୋତେ ଦେଇନଥିଲେ । ସେଥିପାଇଁ ତ ବିବାହର କିଛିଦିନ ଭିତରେ ସେମାନେ ଦୂରେଇ ଗଲେ ଆମ ଜୀବନ ପରିଧି ଭିତରୁ । ଠିକ୍ କହୁଥିଲେ ବାପା ସେଦିନ ' ଯେମିତି ଆଖି କୁ ଚକଚକ ଦିଶୁଥିବା ସବୁ ହଳଦିଆ ଜିନିଷ ଖାଣ୍ଟି ସୁନା ନୁହେଁ ; ସେମିତି ଲକ୍ଷ୍ମୀ ପ୍ରତିମା ଭଳି ରୂପ ହୋଇଗଲେ ସବୁ ନାରୀ କେବେ ଲକ୍ଷ୍ମୀ ହୋଇଯାଆନ୍ତି ନି ' !



Rate this content
Log in

Similar oriya story from Inspirational