STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ଇଜ୍ଜତ

ଇଜ୍ଜତ

2 mins
194

ମାନିନୀ ଖରାଛୁଟି ବିତେଇବାକୁ ତା'ର ମାଉସୀ ଘରକୁ ଆସିଥାଏ।ମାଉସୀଙ୍କର କୌଣସି ଝିଅ ନ ଥିବାରୁ ସେ ମାନିନୀକୁ ଭାରି ଭଲ ପାଆନ୍ତି।ମାନିନୀ ବି ନିଜ ମା'ଠୁ ବଳି ମାଉସୀଙ୍କୁ ଭଲପାଏ।

ମାନିନୀ ପ୍ରାୟ ପ୍ରତି ଛୁଟିରେ ମାଉସୀଙ୍କ ଘରକୁ ଆସେ।ତେଣୁ ମାଉସୀଙ୍କ ଗାଁରେ ମାନିନୀ ପ୍ରାୟତଃ ସମସ୍ତଙ୍କର ଅତି ପରିଚିତ। ତେଣୁ କାହାଘରେ କିଛି ଉତ୍ସବ ଆଦି ହେଲେ ମାନିନୀକୁ ଭି ନିମନ୍ତ୍ରଣ କରାଯାଏ।ମାନିନୀର ମା'ଭି ସୁବିଧା ସୁଯୋଗ ଥିଲେ ମାନିନୀକୁ ପଠେଇ ଦିଅନ୍ତି ସେ ସବୁରେ ଯୋଗ ଦେବାକୁ।


ହେଲେ ଏଇଥର ମାନିନୀର ୨ ପରୀକ୍ଷା ଥିବାରୁ ସେ ମାଉସୀଙ୍କ ପଡୋଶୀଘରର ପୁଅ ବାହାଘରକୁ ଆସିପାରି ନଥିଲା।

ସେ ପଡୋଶୀ ଯେତେବେଳେ ଜାଣିଲେ ସେ ମାନିନୀ ଆସିଛି ବୋଲି,ସେ ତାକୁ ତାଙ୍କ ନୂଆବୋହୁକୁ ଦେଖି ଆସିବାଲାଗି କହିଲେ।ତେଣୁ ଦିନେ ମାନିନୀ ଓ ତା'ମାଉସୀ ନୂଆବୋହୁକୁ ଦେଖିବା ଲାଗି ତାଙ୍କ ଘରକୁ ଗଲେ।


ସେ ପଡୋଶୀ ମାନିନୀ ଓ ତା'ମାଉସୀଙ୍କୁ ଅତି ସରାଗରେ ଘରକୁ ଡାକିନେଲେ,ଓ ତାଙ୍କ ଝିଅକୁ କହିଲେ ଯେ-"ଯା'ତୋ ଭାଉଜକୁ କହିବୁ କିଛି ଜଳଖିଆ ନେଇ ଆସିବ।ମାନିନୀ ତାକୁ ଭେଟ ହେବାକୁ ଆସିଛି ବୋଲି କହିବୁ।"ଝିଅଟି ଏତିକି ଶୁଣି ଭାଉଜକୁ ଡାକିବାକୁ ଚାଲିଗଲା।

ଏଥର ମାଉସୀ(ପଡୋଶୀ)ଆରମ୍ଭ କଲେ ତାଙ୍କ ପୁରାଣ

-ଆମ ବୋହୁଟି ଭାରି ଗରିବ ଘରର ଝିଅଟିଏ।ବାପଟି ତାହାର ଚାଷୀ।ମା'ଟି ହାର୍ଟ ପେସେଣ୍ଟ।ଆହୁରି ଦୁଇଟି ଭଉଣୀ ଅଛନ୍ତି ବାହା ହବାକୁ।ତେଣୁ ବିଶେଷ କିଛି ଯୌତୁକ ବି ଆଣିନି।ଅବଶ୍ଯ ଆମର କୋଉ ଅଭାବ ଅଛି ଯେ?ରଙ୍ଗଟା ବି ଟିକିଏ କମ୍।ତଥାପି ଭଲ ଝିଅଟା ବୋଲି ସମସ୍ତେ କହିଲେ,ସେଥିଲାଗି ଆମେ ରାଜି ହେଇଗଲୁସିନା।ନହେଲେ ଆମକୁ ପ୍ରସ୍ତାବ ବି ବହୁତ ଆସୁଥିଲା ଯେ......


ଠିକ୍ ଏତିକି ବେଳକୁ ନୂଆ ବୋହୁଟି ହାତରେ ଚା'ଜଳଖିଆ ଧରି ରୁମକୁ ପ୍ରବେଶ କଲା।ତାହାର ମୁଁହର ହାବଭାବରୁ ମାନିନୀ ସ୍ପଷ୍ଟ ବାରି ପାରୁଥାଏ ଯେ-ସେ ସବୁତକ କଥା ନିଶ୍ଚୟ ଶୁଣି ପାରିଛି ବୋଲି। ତଥାପି ପରିସ୍ଥିତିକୁ ଟିକିଏ ହାଲୁକା କରିବାକୁ ମାନିନୀ କହିଲା-"ଆରେ ବାଃ,ଆମ ଭାଉଜଟି ତ ଭାରି ସୁନ୍ଦରୀ ଟିଏ,କେତେ ଜଳଖିଆ ନେଇକି ଆସିଲେଣି ଦେଖ ତ।"ନୂଆବୋହୁଟି ମାନିନୀ ର ମାଉସୀଙ୍କୁ ମୁଣ୍ଡିଆଟିଏ ମାରି ଗୋଟିଏ କୋଣରେ ଠିଆ ହେଇ ରହିଲା।


ଘର ଭିତର ପରିବେଶଟା କେମିତି ଗୋଟେ ଅସ୍ବସ୍ତି କର ଲାଗୁଥିଲା।

କଥା ବଦଳେଇବାକୁ ମାନିନୀ ପୁଣି କହିଉଠିଲା-"ଭାଉଜ,ତୁମେ ଆମ ଗାଁ ପାଖ ଶିବ ମନ୍ଦିର ଦେଖିଛକି? "ମୁଁ କାଲି ଯିବି ବୋଲି ଭାବିଛି।ତୁମେ ଯଦି ବାହାରନ୍ତ ,ତେବେ ସାଙ୍ଗ ହେଇକି ଯାଆନ୍ତେ।

ମାନିନୀ ପାଟିରୁ ଏତିକି କଥା ନ ସରୁଣୁ ମାଉସୀ(ପଡୋଶୀ) ସାଙ୍ଗେ ସାଙ୍ଗେ ପାନଖିଆ ଦାନ୍ତ କୁ ଦେଖେଇ ଗୋଟିଏ ନକଲି ହସଟିଏ ହସି କହିଲେ ଯେ-"ନାଇଁ ମ ଝିଅ,ନୂଆବୋହୁଟା ......ବାହାଘର ଛ ମାସ ହେଇଛି.....ଗାଁ ଦାଣ୍ଡରେ ବୁଲିଲେ ଘରର ଇଜ୍ଜତ ରହିବ ଟି?"ତୁ ଆର ଥରକୁ ଆସିଲେ ପୁଣି କେବେ ଯିବନି।


ଏତିକି ଶୁଣି ମାନିନୀ ଟିକିଏ ଉଦାସ ହେଇଗଲା।ସେ ନୂଆବୋହୁଟି ଆଡକୁ ଚାହିଁଲା।ଏହି ସମୟରେ ନୂଆବୋହୁଟିର ମୁଣ୍ଡରୁ ଓଢଣା ଟିକିଏ ଖସି ଯାଇଥିଲା।ତେଣୁ ମାଉସୀ(ପଡୋଶୀ) ,ତା'କୁ ଆଖିଠାର ମାରି ଓଢଣା ସଜେଇବାକୁ ଇଙ୍ଗିତ କଲେ।

ଏହାପରେ ମାନିନୀ ଓ ତା'ମାଉସୀ ଘରକୁ ଫେରି ଆସିଲେ।

ହେଲେ ବାଟ ଯାକ ମାନିନୀ ବୁଝିପାରୁ ନଥାଏ ଯେ-"ନୂଆବୋହୁଟି ନାଁରେ ସେତକ ପୁରାଣ ବଖାଣିଲା ପରେ,ସେ ପଡିଶା ଘରର ମାଉସୀ ଓଢଣା ତଳେ କେଉଁ ଇଜ୍ଜତ କୁ ଘୋଡେଇ ରଖିବାକୁ କହୁଥିଲେ?"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational