ଦଶାହ ଦିନ ବୋଉର ଫଟୋ ଆଗରେ ଦୀପଟିଏ ଜାଳିଲା ବେଳେ ନିଜ କୋହକୁ ସମ୍ଭାଳି ପାରିଲାନି ସୁପ୍ରିୟା । ଫଟୋ ତଳେ ଫୁଲ ଦେଇ ଲୁହ ଗଡେଇ ଗୁହାରି କରି କହୁଥିଲା "ବୋଉ ତୁ ତିନି ବର୍ଷ ହେଲା ନିଜେ ଶଯ୍ୟାଶାୟୀ ଥାଇ ବି ଓଲଟି ମୋ ଚିନ୍ତା କରୁଥିଲୁ। ମୁଁ ହଇରାଣ ହେଉଛି ବୋଲି ଏତେ ଶୀଘ୍ର ଆଖିବୁଜି ଦେଲୁ କାହିଁକି "?
ଅତୀତର ସେଇ କଥା ଗୁଡିକ ମନେ ପଡି ଯାଉଥିଲା ସୁପ୍ରିୟାର।ଭାଇକୁ ବୋଉକୁ ଅତି ଭଲ ପାଏ । ପାଇବନି ବା କେମିତି? କେତେ ମନାସି ,ଖୋଜା ଲୋଡ଼ାରେ ପୁଅଟେ ନା । ଭାଇ ଏମିତି ବଦଳି ଗଲା କେମିତି? ବୋଧ ହୁଏ ବମ୍ବେରେ ରହି ସବୁ କାଣ୍ଡ ଜ୍ଞାନ ଭୁଲି ଗଲା। ବୋଉକୁ ପାଖରେ ରଖିବା ତ ଦୂରର କଥା ଦିନେ ବି ଦେଖି ଆସିଲାନି। ଭାଉଜଙ୍କର ଫୋନରେ ସେଇ ଗୋଟିଏ କୈଫିୟତ
"ତୁମ ଭାଇଙ୍କୁ ଛୁଟି ମିଳୁନି ଆଗକୁ ପିଲାଙ୍କ ପରୀକ୍ଷା"।ଭାଇ ସିନା ବାହାନା ଦେଖାଇ ବୋଉକୁ ଦିନେ ବି ଦେଖି ଆସିଲାନି କିନ୍ତୁ ମୋ ପାଖରେ ରହି ବି ବୋଉ ଜମା ଖୁସି ନ ଥିଲା କାହିଁକି ?ଉପାୟ ନ ଥାଇ ଝିଅ ଜ୍ୱାଇଁ ଘରେ ରହିବାରୁ ସତରେ କଣ ତା ସ୍ୱାଭିମାନକୁ ବାଧୁ ଥିଲା ? ବୋଉକୁ କେବେ ବି କିଛି ନ ପଚାରିଲେ ବି ତା ଲୁହରୁ କିନ୍ତୁ ସବୁ ଅନୁମାନ କରି ସାରିଥିଲା ସେ।ବୋଉର ଏକାଦଶାହରେ ପଂକ୍ତି ଭୋଜନରେ କିଛି ବି ଉଣା କରି ନ ଥିଲା ସୁପ୍ରିୟା । ସ୍ୱାମୀ ଅବିନାଶଙ୍କ ସ୍ୱଳ୍ପ ଦରମାରେ ବି ପୂର୍ଣ୍ଣ ସହଯୋଗରେ ସବୁ ସମ୍ଭବ ଥିଲା।
ଏକାଦଶାହ ସରିଯିବାରର ଦୁଇ ଦିନ ପରେ ଭାଇ ଭାଉଜ ଜିନିଷ ସଜାଡୁ ଥିଲେ ବମ୍ବେ ଫେରିବାକୁ । ସୁପ୍ରିୟା ପଚାରିଲା "ବୋଉର ଅସ୍ଥିଟା କ'ଣ କରିବା" ? କିଛି ଉତ୍ତର ଦେଲାନି ଭାଇ। ଭାଉଜ କହିଲେ "ଏତେ ବ୍ୟସ୍ତ ହେବା ଦରକାର ନାହିଁ । ଅସ୍ଥି ଏଇଠି ଥାଉ, ସେଠି ଅପାର୍ଟମେଣ୍ଟ ଫ୍ଲାଟରେ ରଖିବା ସମ୍ଭବ ନୁହେଁ ! ଏମିତି ବି କମ୍ପାନୀ ଚାକିରୀରେ ଛୁଟି ମିଳିବା କଷ୍ଟ । ଦେଖିବା ...ସମୟ ସୁବିଧା ଦେଖି ବିସର୍ଜନ ଚିନ୍ତା କରିବା" !!
ନିରବ ରହିଲା ସୁପ୍ରିୟା । ପାଖରେ ଥାଇ ଅବିନାଶ ସବୁ ଶୁଣି ଭାବୁ ଥିଲେ ଜିଇଁ ଥିଲା ବେଳେ ଦିନେ ବି ଛୁଟି ମିଳିଲାନି ହେଲେ ଏ ନିର୍ଜୀବ ଅସ୍ଥି ପାଇଁ କଣ ଛୁଟି ମିଳିବ ?ସେପଟେ ସୁପ୍ରିୟା ତା ବୋଉ ଫଟୋକୁ ଚାହିଁ ସ୍ଥିର କରି ସାରିଥିଲା ଅସ୍ଥି ବିସର୍ଜନ ନିଜେ ହିଁ କରିବ ! ତେଣିକି ସ୍ୱର୍ଗରେ ଥାଇ ବୋଉ ଯେତେ ଅଭିମାନ କରୁ ।
ସତ୍ୟ ସୁନ୍ଦର ଦାସ
ଅନୁଗୋଳ