STORYMIRROR

Satya Sundar Das

Inspirational

3  

Satya Sundar Das

Inspirational

ପ୍ରଶ୍ନ

ପ୍ରଶ୍ନ

2 mins
15.2K


II ଅଣୁ କଥା II
 
                          ପ୍ରଶ୍ନ
 
ଅବିନାଶ ବାବୁ ଅଳସ ଭାଙ୍ଗି ଶୋଇଥିଲେ।ଅଫିସ ଛୁଟି ପାଇଁ ଚିନ୍ତା ମୁକ୍ତ ଭଲ ନିଦଟା ଭାଙ୍ଗିଗଲା ପତ୍ନୀଙ୍କ ଡାକରାରେ । ସଂଧ୍ୟା ପୂର୍ବରୁ ପତ୍ନୀ ସୁପ୍ରିୟାଙ୍କ ଛୋଟିଆ  ଆଦେଶଟା ତ ମାନିବାକୁ ପଡିବ । କିଏ, କାହିଁକି ,କେଉଁ ପରିସ୍ଥିତିରେ ସୁପ୍ରିୟାକୁ କହିଛି କେଜାଣି ଯେ ! ଆଜି ବାରରେ ସଜ ରୁଟି ଦି'ଟା ବୁଲା କୁକୁରଙ୍କୁ ତାଙ୍କ ହାତରେ ହିଁ ଖାଇବାକୁ ଦେବାକୁ ପଡିବ! ରିଷ୍ଟ ଖଣ୍ଡନ ପାଇଁ କି ହେଉ ! ଅବା ଆଉ କେଉଁ କାରଣ ପାଇଁ ସେ ତଥ୍ୟ ଜାଣିବାକୁ ଚେଷ୍ଟାକରି ନଥିଲେ ଅବିନାଶ। କିମ୍ବା କଥାଟାକୁ ଏଡାଇ ବି ପାରି ନଥିଲେ । ରୁଟି ଦି ପଟ ଧରି ବାହାରିଲେ ବୁଲା କୁକୁର ଅନ୍ୱେଷଣରେ । ଧେତ୍ ସବୁ ଦିନ କଲୋନୀରେ କୁକୁର ଗୁଡା ହାଉ ହାଉ ହୁଅନ୍ତି,ହେଲେ ଆଜି ଗୋଟେ ବି ଦେଖା ନାହିଁ ।ପୁ ଅ ସୋନୁ ହାଲୁକା ଟିପଣୀ ଦେଲା "ଡାଡି ଆଜି କୁକୁର ଗୁଡା ଧର୍ମଘଟରେ କି" ?ସୁପ୍ରିୟା ବି ଶୁଣେଇ କହୁଥିଲା "ଏଠି କ'ଣ ଖୋଜୁଛ? ଗାଡି  ବାହାର କର ଟିକେ ଆରପଟ କଲୋନୀ ଦେଖ"। ଶେଷରେ ଅବିନାଶଙ୍କୁ ସେଇ ଆଦେଶ ମାନିବାକୁ ପଡିଲା । କିଛି ବାଟ ଗଲା ପରେ ବୁଲା କୁକୁରଟେ ହାବୁଡିଲା । ଚୁ ଚୁ କରି ଅବିନାଶ ଡାକି ରୁଟି ଖଣ୍ଡିକ ଡିକିରୁ ବାହାର କରିବା ପୂର୍ବରୁ ଡିଆଁ ମାରିଲା ସେ। ବୋଧହୁଏ ଭୁଲ ବୁଝାବଣାର ଶୀକାର ହେଲା କି କ'ଣ  କେଜାଣି !! ଏଥର ପୁଣି ନିରାଶ ହେଲେ ଅବିନାଶ । ବିରକ୍ତି ହେଲେ ମନେ ମନେ। 
 
ହେଃ !ଏ କୁକୁର ଗୁଡା ଆଜି ସଞ୍ଜ ପୂର୍ବରୁ ଗଲେ କୁଆଡେ କେଜାଣି?ଏମିତି ଭାବନା ଭିତରେ ମନ୍ଦିର  ପାଖ ଅଞ୍ଚଳରେ ପହଞ୍ଚି ସାରିଥିଲେ ସେ । ବାବୁ ପଇସାଟିଏ ଦିଅ ବୋଲି ଅକର୍ମଣ୍ୟ ବୁଢ଼ାଲୋକଟି ରାସ୍ତା ସେପାଖରୁ ଡାକ ଛାଡିଲା । ପକେଟ ଅଣ୍ଡାଳିଲେ ଅବିନାଶ। ଖୁଚୁରା ଗୋଟେ ବି ନାହିଁ । ବଡ଼ ଆଶାରେ ବୁଢା ଲୋକଟି ମାଗୁଛି । କ'ଣ କରିବେ ! ଶେଷରେ ଗାଡି ଡିକି ଖୋଲି ରୁଟି ଦି ପଟ କାଢିଲା ବେଳକୁ କୋଉଠୁ ଥିଲା କେଜାଣି ବୁଲା କୁକୁରଟେ ଗାଡି ପାଖକୁ ଆସି ଲସର ପସର ହେଲା। କିଛି ସମୟ ଚିନ୍ତାରେ ପଡିଗଲେ ଅବିନାଶ । ବିବେକର କାଠଗଡାରେ ଠିଆ ହେଲା ଭଳି ଲାଗିଲା । ଶେଷରେ ବୁଢା ଲୋକଟିର ହାତକୁ ବଢ଼େଇ ଦେଲେ ରୁଟି ଦି ପଟ।
 
ଘରେ ପହଁଚିଲା ବେଳକୁ ସଞ୍ଜ ନଇଁ ଆସୁଥିଲା। ସୁପ୍ରିୟା ପ୍ରଶ୍ନ ପଚାରିବା ପୂର୍ବରୁ ସତ କଥାଟି ବଖାଣିଲେ ଦେଲେ ସେ। କିଛି ନକହି ପାରିଲେ ବି ସୁପ୍ରିୟା ସେତେଟା ଖୁସି ନଥିଲା। ଅବିନାଶ ପୁଣି ଥରେ ନିଜକୁ  ନିଜେ ପ୍ରଶ୍ନ କରୁଥିଲେ ମୁଁ କିଛି ଭୁଲ କଲି  କି ?
 
ସତ୍ୟ ସୁନ୍ଦର ଦାସ
ଅନୁଗୋଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Satya Sundar Das

Similar oriya story from Inspirational