ହୁଁ
ହୁଁ


ଆଖି ଖୋଲିବାକୁ ଇଛା ହେଉ ନଥିଲା, ଦିନ ସାରା ର ଯାତ୍ରା ପରେ I କବାଟ ଖୋଲିବାର ଶବ୍ଦ ହେଇନଥିଲା, ହୁଏତ ମୋତେ ଡିଷ୍ଟର୍ବ ହେବ ବୋଲି କାଳିଆ ଧୀରେ ଖୋଲିଥିଲା କବାଟ କିନ୍ତୁ ମୁଁ କାଳିଆ କି ପଚାରିବାରୁ ଉତର ମିଳିଥିଲା "ହୁଁ" I ସେମିତି ଆଖି ବନ୍ଦ କରିକି କହିଲି "କାଳିଆ ତୁମେ ଏମିତି ଅଭିଯାନଟିଏ ଖୋଜିଲ କାହିଁକି କେଜାଣି ! ପ୍ରଥମରେ ତ ଏହି ନିଛାଟିଆ ଇଲାକାରେ ଏହି ହୋଟେଲକୁ ଆସିବାକୁ ଏତେ ସମୟ ଲାଗିଲା, ପୁଣି ଏବେ ଫେରୁଛ ଏତେ ଡେରିରେ ମୋତେ ନିଦ ମାଡିଲା ବେଳକୁ ଆଉ କହୁଛ ଏମିତି ଶୋଇ ପଡ଼ିବ କିଛି କଥାବାର୍ତ୍ତା ନ କରିକି ? ଯାହା ଆଣିଛ ଖାଇ ଦିଅ, ମୁଁ ତଳ ରେସ୍ତୋରାଁରେ ଖାଇ ଦେଇଛି, ତାହା ବନ୍ଦ ହେବା ପୂର୍ବରୁ I ଭୋକ ସମ୍ଭାଳି ପାରିଲିନି," ମୁଁ କହିଲି I
କାଳିଆର ମୋର ଏଇଟା ପ୍ରଥମ ସାକ୍ଷାତ ଅନ ଲାଇନରେ ବନ୍ଧୁତା ସ୍ଥାପନା ହେବା ପରେ I ମହାନଦୀ ପୋଲ ପାଖରେ ଦେଖା ଦେଇଥିଲା ମୋତେ କାଳିଆ ଆଉ ନିଜର ନିଜର ବ୍ୟାକ ପ୍ୟାକ ନେଇକି ବାହାରି ଯାଇଥିଲୁ ଆମେ ତାହାର ପ୍ଲାନ ମୁତାବକ କିଛି ଅଭିଯାନର ସନ୍ଧାନରେ I ବର୍ଷକର ସମ୍ପର୍କ ଆମର; ଇଣ୍ଟେର୍ନେଟ ଜଗତରେ ଅନେକ ନିବିଡ଼ତା ବଢ଼େଇ ସାରିଛି ତାହା ସହ ମୁଁ , କନିଷ୍ଠ ବରିଷ୍ଠଙ୍କ ବାରଣକୁ ଭୃକ୍ଷେପ ନ କରି I କଣ ଅବା ହୋଇଯିବ ? ସିଏ ଟୋକାକୁ ମୁଁ ଟୋକା ? ନିଜର ପ୍ରତିରକ୍ଷା ବେଶ ଭଲ ଭାବେ ଆସେ ମୋତେ I ରିସ୍କ ନ ନେଲେ ସମ୍ପର୍କଟିଏ ଗଢିବ କେମିତି ? ଅବିଶ୍ବାସରେ ଆଜିର ଦୁନିଆଁ ବୁଡ଼ୁଛି ବିଶ୍ୱାସ ଆସିବ କେଉଁଠୁ ଯଦି କାହାକୁ ବିଶ୍ବାସ କରିବନି ମଣିଷ ଜଣେ ! ଆଉ ସାଥିରେ ଗୋଟାଏ ଜାଗାକୁ ଯିବାଟା ନିହାତି ଆପତ୍ତିଜନକ ନୁହେଁ କି ବିପଦଜନକ ନୁହଁ ମଧ୍ୟ, ସେ ଜାଗା ଯେତେ ବିଛିନ୍ନ ପ୍ରାନ୍ତରେ ସ୍ଥିତ ହୋଇ ଥାଉ ନା କାହିଁକି I
କାଳିଆ ମୋ ଠାରୁ ଦୁଇ ଇଞ୍ଚ ଖଣ୍ଡେ ଉଚ୍ଚ ହେବ ଆଉ ବଳିଷ୍ଠ ମଧ୍ୟ, ଇଣ୍ଟେର୍ନେଟ୍ ରେ ଜଣା ପଡ଼େନି ଭିଡିଓ ଚାଟରେ କିନ୍ତୁ ମୋ ଠାରୁ ନିଶ୍ଚୟ ଅଧିକ ସକ୍ଷମ ଆଉ ମୋ ଠାରୁ ବୟସରେ ମଧ୍ୟ ଛୋଟ I ତଥାପି ଅଭିଯାନର ନିଶା ଅନ୍ୟ ପ୍ରକାରର ଥାଏ । ତାହାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ପାରିଲିନି ମାଡି ଆସିଲି ତା ସହ ବିଜନ ପ୍ରାଣତାକୁ ଅଭିଯାନର ଆଶାରେ I କିଛି ଅଲଗା କରିବାର ମନରେ ଥାଏ ଏକ ଇଛା I କାଳିଆର ଯୋଜନା ମୁତାବକ ଆମେ ଆସିଥିଲୁ ଏକ ହୋଟେଲକୁ, ଯେଉଁଠାରୁ ପ୍ରଭାତରେ ଆଉ ସନ୍ଧ୍ୟାରେ ନିକଟବର୍ତ୍ତୀ ଜଙ୍ଗଲକୁ ଯାଇ ବିଭିନ୍ନ ପଶୁ ପକ୍ଷୀ ଦେଖି ହେବ I କେବଳ ଗୋଟିଏ ଜିନିଷ କାଳିଆ ମୋତେ ଜଣେଇ ନଥିଲା, ହୋଟେଲ ଆଖ ପାଖରେ ଥିବା ଅଞ୍ଚଳରେ ଲୋକେ ଭୂତ ପ୍ରେତ ଉପର ବହୁତ ବିଶ୍ଵାସ କରନ୍ତି । ତେଣୁ ରାତି ଆଠଟା ସୁଦ୍ଧା ହୋଟେଲର ରେସ୍ତୋରାଁ ବନ୍ଦ ହେଇଯାଏ ଓ ସମସ୍ତ କର୍ମଚାରୀ ମାନେ ନିଜ ନିଜର ଘରକୁ ଫେରି ଯାନ୍ତି ହୋଟେଲ ଷ୍ଟାଫଙ୍କୁ ବାଦ ଦେଲେ I କାଳିଆ ହୋଟେଲରୁ କିଛି ଦୂରରେ ଥିବା ଢାବାରୁ ତନ୍ଦୁରି ଚିକେନ ଆଣିବା ଲାଗି ଯାଇଥିଲା ଯେହେତୁ ତାହାର କୁକୁଡା ବହୁତ ପସନ୍ଦ I ଏହା ମଧ୍ୟରେ ମୁଁ ଆପେକ୍ଷା କରି କରି ଭୋକ ସମ୍ଭାଳି ନ ପାରି ଖାଇ ଆସିଛି I ଭୁରି ଭୋଜନର ପ୍ରଭାବରେ ଆଉ ଦିନ ସାରା ଯାତ୍ରାର ପ୍ରଭାବରେ, ଆଖି ପତା ନଈଁ ଆସିଲାବେଳକୁ କାଳିଆ ହାଜର I କିଛିଟା ଆଶ୍ଵସ୍ତି ଆଉ କିଛିଟା ବିରକ୍ତିରେ ତାହାକୁ ମୋ ସ୍ଥିତି ବିଷୟରେ ଆବଗତ କରେଇ ଦେଲି I କାଳିଆ କେବଳ 'ହୁଁ ହୁଁ' ମାରୁଥାଏ I
ଅଧିକ ବିରକ୍ତିକର ଲାଗିଲା I "ପ୍ରଥମରେ ତ ଏତେ ଡେରିରେ ଫେରିଲ ପୁଣି ଭୂତ ଭଳି ଖାଲି "ହୁଁ ହୁଁ" ମାରୁଛ I ତୁମେ ଅନଲାଇନରେ ଯେତେ ଇଣ୍ଟେରେସଟିଙ୍ଗ ଲାଗିଥିଲ ସେତେଟା ନୁହଁ I ହଉ ଯାହା କରୁଛ କର I ତୁମର ସେ ଭୂତ ପ୍ରେତ କିଛି ଦିଶିଲେନି , ସକାଳୁ ଉଠିଲେ କମ ସେ କମ କିଛି ଜଙ୍ଗଲି ପଶୁ ପକ୍ଷୀ ଦେଖିବା I ଲାଇଟ ଅଫ କରିବ କି ?
"ହୁଁ", ପରବର୍ତ୍ତୀ କ୍ଷଣରେ ଅନ୍ଧାର ହୋଇ ସାରିଥିଲା କକ୍ଷଟି I
ଅଡୁଆ ଲାଗିଲା ମୋତେ, କାଳିଆ ଲାଇଟ ଅଫ କେମିତି କଲା ?
ବେଡ଼ ପାଖରେ ତ ସୁଇଚ ନାହିଁ ନା ମୁଁ ଦେଖି ପାରିନି !
ମୋ ହାତ ଉପରେ କାଳିଆର ହାତର ସ୍ପର୍ଶ ହେବା କ୍ଷଣେ ମୋ ପାଟିରୁ ବାହାରି ଗଲା, " ମୁଁ କହିଛି, ମୋତେ କେହି ଛୁଇଁଲେ ମୋତେ ନିଦ ଲାଗେନି ଆଉ ତୁମେ ମୋତେ ରାତିରେ ଡିଷ୍ଟର୍ବ କରିବନି I"
"ହୁଁ," ପୁଣି କହିଲା କାଳିଆ I
କାହିଁକି କେଜାଣି ତାହାର ହାତଟା ମୋ ହାତଟାକୁ ଆହୁରି ଜୋରରେ ଜାବୁଡି ଧରିଲା I
"ମୋତେ ମାରିଦେବା ନା କଣ, ଏମିତି ଥଣ୍ଡା ହାତରେ ଧରିକି ? "ମୁଁ ପଚାରିଲି,ବାହାରୁ ଶୀତ କାକାରରେ ଆସିଛ ଟିକିଏ ସାଧାରଣ ଜ୍ଞାନ ନାହିଁ, ତୁମ ହାତ ଥଣ୍ଡା ବୋଲି !" ବିରକ୍ତିକର ଲୋକଟିଏ, ବୁଝି ପାରୁନି ମୁଁ କ୍ଳାନ୍ତ ଆଉ ଶୋଇବାକୁ ଚାହୁଁଛି !
"ହୁଁ," ପୁଣି ଜବାବ ଆସିଲା I
ମୋବାଇଲରେ ରିଙ୍ଗ ହେବାରୁ, ଫୋନେଟି ଅନ୍ୟ ହାତରେ ଉଠେଇଲି I
"ଆଉ ପୁଣି କିଏ ଆସିଗଲା ଡିଷ୍ଟର୍ବ କରିବାକୁ?" ମନେ ମନେ କ୍ଷୁବ୍ଧ ହେଲି କିନ୍ତୁ ହ୍ୟାଲୋ କହିଲି I
ଅପର ପାର୍ଶ୍ବରୁ କାଳିଆର କଣ୍ଠ ଶୁଭିଲା, " ଗାଡି ଖରାପ ହେଇଛି, ତୁମେ ଖାଇକି ଶୋଇ ଯାଅ, ମୁଁ ଏଠି ଢାବାରେ ହିଁ ରାତିଟା ରହୁଛି, ସକାଳେ ଆସିବି I "
ଚମକି ପଡିଲି ମୁଁ I
ମୋ ହାତରେ ସେ ଶୀତଳ ସ୍ପର୍ଶଟି ଆହୁରି ଦୃଢ଼ ହେବାକୁ ଲାଗିଥିଲା I ଅନ୍ଧାର ଭିତରେ ଏକ ଅଜବ ପ୍ରକାରର "ହୁଁ ହୁଁ ହୁଁ " ପ୍ରତିଧ୍ଵନିତ ହେବାକୁ ଲାଗିଥିଲା, ଯେମିତି ମୋର ଶେଷ ପ୍ରଶ୍ନର ବାରମ୍ବାର ଉତ୍ତର ଦିଆଯାଉଥିଲା I ବାହାରେ କୁକୁରଟିଏ କାନ୍ଦିବାକୁ ଆରମ୍ଭ କରିଥିଲା ବୋଧହୁଏ I ଅନ୍ଧାର ଭିତରେ ମୁଁ ଚିତ୍କାର କରିବାକୁ ଯାଇକି ଶ୍ଵାସରୁଦ୍ଧ ହୋଇ ଉଠିଲି I ଲାଇଟ ଅନ ବଦଳରେ ମୋ ପାଟିରୁ ବାହାରି ଗଲା 'ଲାଇଟ ଅଫ I'