Ranjit Sahu

Horror

1.9  

Ranjit Sahu

Horror

ହୁଁ

ହୁଁ

3 mins
467


ଆଖି ଖୋଲିବାକୁ ଇଛା ହେଉ ନଥିଲା, ଦିନ ସାରାର ଯାତ୍ରା ପରେ । କବାଟ ଖୋଲିବାର ଶବ୍ଦ ହେଇ ନଥିଲା, ହୁଏତ ମୋତେ ଡିଷ୍ଟର୍ବ ହେବ ବୋଲି କାଳିଆ ଧୀରେ ଖୋଲିଥିଲା କବାଟ, କିନ୍ତୁ, ମୁଁ କାଳିଆ କି ପଚାରିବାରୁ ଉତର ମିଳିଥିଲା "ହୁଁ" । ସେମିତି ଆଖି ବନ୍ଦ କରିକି କହିଲି   "କାଳିଆ  ତୁମେ ଏମିତି ଅଭିଯାନଟିଏ  ଖୋଜିଲ କାହିଁକି କେଜାଣି ! ପ୍ରଥମରେ ତ ଏହି ନିଛାଟିଆ ଇଲାକାରେ ଏହି ହୋଟେଲ କୁ ଆସିବାକୁ ଏତେ ସମୟ ଲାଗିଲା, ପୁଣି ଏବେ ଫେରୁଛ ଏତେ ଡେରିରେ ମୋତେ ନିଦ ମାଡିଲା ବେଳକୁ ଆଉ କହୁଛ ଏମିତି ଶୋଇ ପଡ଼ିବ କିଛି କଥାବାର୍ତ୍ତା ନକରିକି ? ଯାହା ଆଣିଛ ଖାଇ ଦିଅ, ମୁଁ ତଳ ରେସ୍ତୋରାଁରେ ଖାଇ ଦେଇଛି, ତାହା ବନ୍ଦ ହେବା  ପୂର୍ବରୁ ।  ଭୋକ ସମ୍ଭାଳି ପାରିଲିନି," ମୁଁ କହିଲି । 


କାଳିଆର ମୋର ଏଇଟା ପ୍ରଥମ ସାକ୍ଷାତ, ଅନ ଲାଇନରେ ବନ୍ଧୁତା ସ୍ଥାପନା ହେବା  ପରେ । ମହାନଦୀ ପୋଲ ପାଖରେ ଦେଖା ଦେଇଥିଲା ମୋତେ  କାଳିଆ ଆଉ ନିଜର ନିଜର  ବ୍ୟାକ ପ୍ୟାକ ନେଇକି ବାହାରି ଯାଇଥିଲୁ ଆମେ ତାହାର ପ୍ଲାନ ମୁତାବକ କିଛି ଅଭିଯାନର ସନ୍ଧାନରେ । ବର୍ଷକର ସମ୍ପର୍କ ଆମର, ଇଣ୍ଟେର୍ନେଟ ଜଗତରେ ଅନେକ ନିବିଡ଼ତା ବଢ଼େଇ  ସାରିଛି ତାହା ସହ ମୁଁ , କନିଷ୍ଠ ବରିଷ୍ଠଙ୍କ ବାରଣକୁ ଭୃକ୍ଷେପ ନ କରି । କଣ ଅବା ହୋଇଯିବ ? ସିଏ ଟୋକା କୁ ମୁଁ ଟୋକା ? ନିଜର ପ୍ରତିରକ୍ଷା ବେଶ ଭଲ ଭାବେ ଆସେ ମୋତେ । ରିସ୍କ ନ ନେଲେ ସମ୍ପର୍କଟିଏ ଗଢିବ କେମିତି ? ଅବିଶ୍ବାସରେ ଆଜିର ଦୁନିଆଁ  ବୁଡ଼ୁଛି, ବିଶ୍ୱାସ ଆସିବା କେଉଁଠୁ ଯଦି କାହାକୁ ବିଶ୍ବାସ କରିବନି ମଣିଷ ଜଣେ ! ଆଉ ସାଥିରେ ଗୋଟାଏ ଜାଗାକୁ ଯିବାଟା ନିହାତି ଆପତ୍ତିଜନକ ନୁହେଁ କି ବିପଦଜନକ ନୁହଁ ମଧ୍ୟ, ସେ ଜାଗା ଯେତେ ବିଛିନ୍ନ ପ୍ରାନ୍ତରେ ସ୍ଥିତ ହୋଇ ଥାଉ  ନା  କାହିଁକି । 


କାଳିଆ ମୋ ଠାରୁ ଦୁଇ ଇଞ୍ଚ ଖଣ୍ଡେ ଉଚ୍ଚ ହେବ ଆଉ ବଳିଷ୍ଠ ମଧ୍ୟ, ଇଣ୍ଟେର୍ନେଟ୍ ରେ ଜଣା ପଡ଼େନି ଭିଡିଓ ଚାଟରେ କିନ୍ତୁ ମୋ ଠାରୁ ନିଶ୍ଚୟ ଅଧିକ ସକ୍ଷମ ଆଉ ମୋ ଠାରୁ ବୟସରେ ମଧ୍ୟ ଛୋଟ । ତଥାପି ଅଭିଯାନର ନିଶା ଅନ୍ୟ ପ୍ରକାରର ଥାଏ । ତାହାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ପାରିଲିନି, ମାଡି ଆସିଲି ତାହଁ ସହ ବିଜନ ପ୍ରାଣତାକୁ ଅଭିଯାନର ଆଶାରେ  । କିଛି ଅଲଗା କରିବାର ମନରେ ଥାଏ ଏକ ଇଛା । କାଳିଆର ଯୋଜନା ମୁତାବକ ଆମେ ଆସିଥିଲୁ ଏକ ହୋଟେଲକୁ, ଯେଉଁଠାରୁ ପ୍ରଭାତରେ ଆଉ ସନ୍ଧ୍ୟାରେ ନିକଟବର୍ତ୍ତୀ ଜଙ୍ଗଲକୁ ଯାଇ ବିଭିନ୍ନ ପଶୁ ପକ୍ଷୀ ଦେଖି ହେବ  । କେବଳ ଗୋଟିଏ ଜିନିଷ କାଳିଆ ମୋତେ ଜଣେଇ ନଥିଲା, ହୋଟେଲ ଆଖ ପାଖରେ ଥିବା ଅଞ୍ଚଳରେ ଲୋକେ ଭୁତ ପ୍ରେତ ଉପର ବହୁତ ବିଶ୍ଵାସ କରନ୍ତି, ତେଣୁ ରାତି ଆଠଟା ସୁଦ୍ଧା ହୋଟେଲର ରେସ୍ତୋରାଁ ବନ୍ଦ  ହେଇଯାଏ ଓ ସମସ୍ତ କର୍ମଚାରୀ ମାନେ ନିଜ ନିଜର ଘରକୁ ଫେରିଯାନ୍ତି ହୋଟେଲ ଷ୍ଟାଫଙ୍କୁ ବାଦ ଦେଲେ  । କାଳିଆ ହୋଟେଲରୁ କିଛି ଦୂରରେ ଥିବା ଢାବାରୁ ତନ୍ଦୁରି ଚିକେନ ଆଣିବା ଲାଗି ଯାଇଥିଲା, ଯେହେତୁ ତାହାର କୁକୁଡା ବହୁତ ପସନ୍ଦ । ଏହା ମଧ୍ୟରେ ମୁଁ ଆପେକ୍ଷା କରି କରି ଭୋକ ସମ୍ଭାଳି ନ ପାରି ଖାଇ ଆସିଛି । ଭୁରି ଭୋଜନର ପ୍ରଭାବରେ ଆଉ ଦିନ ସାରା ଯାତ୍ରାର ପ୍ରଭାବରେ, ଆଖି ପତା ନଈଁ ଆସିଲାବେଳକୁ କାଳିଆ ହାଜର । କିଛିଟା ଆଶ୍ଵସ୍ତି ଆଉ କିଛିଟା ବିରକ୍ତିରେ ତାହାକୁ ମୋ ସ୍ଥିତି ବିଷୟରେ ଆବଗତ କରେଇ ଦେଲି । କାଳିଆ କେବଳ 'ହୁଁ ହୁଁ' ମାରୁଥାଏ । 


ଅଧିକ ବିରକ୍ତିକର ଲାଗିଲା । "ପ୍ରଥମରେ ତ ଏତେ ଡେରିରେ ଫେରିଲ ପୁଣି ଭୁତ ଭଳି ଖାଲି "ହୁଁ ହୁଁ" ମାରୁଛ । ତୁମେ ଅନଲାଇନରେ  ଯେତେ ଇଣ୍ଟେରେସଟିଙ୍ଗ  ଲାଗିଥିଲ ସେତେଟା ନୁହଁ । ହଉ ଯାହା କରୁଛ କର । ତୁମର ସେ ଭୁତ ପ୍ରେତ କିଛି ଦିଶିଲେନି , ସକାଳୁ ଉଠିଲେ କମ ସେ କମ କିଛି ଜଙ୍ଗଲି ପଶୁ ପକ୍ଷୀ  ଦେଖିବା । ଲାଇଟ ଅଫ କରିବକି ? 

"ହୁଁ", ପରବର୍ତ୍ତୀ କ୍ଷଣରେ ଅନ୍ଧାର ହୋଇ ସାରିଥିଲା କକ୍ଷଟି । 

ଅଡୁଆ ଲାଗିଲା ମୋତେ, କାଳିଆ ଲାଇଟ ଅଫ କେମିତି କଲା ?

ବେଡ଼ ପାଖରେ ତ ସୁଇଚ ନାହିଁ , ନା ମୁଁ ଦେଖି ପାରିନି ! 

ମୋ ହାତ ଉପରେ କାଳିଆର  ହାତର ସ୍ପର୍ଶ ହେବା  କ୍ଷଣେ ମୋ  ପାଟିରୁ ବାହାରି ଗଲା, " ମୁଁ କହିଛି, ମୋତେ କେହି ଛୁଇଁଲେ ମୋତେ ନିଦ ଲାଗେନି ଆଉ ତୁମେ ମୋତେ ରାତିରେ ଡିଷ୍ଟର୍ବ କରିବନି ।"


"ହୁଁ," ପୁଣି କହିଲା କାଳିଆ  । 


କାହିଁକି କେଜାଣି, ତାହାର ହାତଟା ମୋ ହାତଟାକୁ ଆହୁରି ଜୋର ରେ ଜାବୁଡି ଧରିଲା । 

"ମୋତେ ମାରିଦେବ ନା  କଣ, ଏମିତି ଥଣ୍ଡା ହାତରେ ଧରିକି ?"ମୁଁ ପଚାରିଲି,ବାହାରୁ ଶୀତ କାକାରରେ ଆସିଛ, ଟିକିଏ ସାଧାରଣ ଜ୍ଞାନ ନାହିଁ, ତୁମ ହାତ ଥଣ୍ଡା ବୋଲି !" ବିରକ୍ତିକର ଲୋକଟିଏ, ବୁଝି ପାରୁନି ମୁଁ କ୍ଳାନ୍ତ ଆଉ ଶୋଇବାକୁ ଚାହୁଁଛି !

"ହୁଁ," ପୁଣି ଜବାବ ଆସିଲା । 

ମୋବାଇଲରେ ରିଙ୍ଗ ହେବାରୁ, ଫୋନେଟି ଅନ୍ୟ ହାତରେ ଉଠେଇଲି ।

"ଆଉ ପୁଣି କିଏ ଆସିଗଲା ଡିଷ୍ଟର୍ବ କରିବାକୁ?" ମନେ ମନେ କ୍ଷୁବ୍ଧ ହେଲି କିନ୍ତୁ ହ୍ୟାଲୋ କହିଲି । 

ଅପର ପାର୍ଶ୍ବରୁ କାଳିଆର କଣ୍ଠ ଶୁଭିଲା, " ଗାଡି ଖରାପ ହେଇଛି, ତୁମେ ଖାଇକି ଶୋଇ ଯାଅ, ମୁଁ ଏଠି ଢାବାରେ ହିଁ ରାତିଟା ରହୁଛି, ସକାଳେ ଆସିବି । "

ଚମକି ପଡିଲି ମୁଁ । 

ମୋ ହାତରେ ସେ ଶୀତଳ ସ୍ପର୍ଶଟି ଆହୁରି ଦୃଢ଼ ହେବାକୁ ଲାଗିଥିଲା । ଅନ୍ଧାର ଭିତରେ ଏକ ଅଜବ ପ୍ରକାରର "ହୁଁ ହୁଁ ହୁଁ " ପ୍ରତିଧ୍ଵନିତ ହେବାକୁ ଲାଗିଥିଲା, ଯେମିତି  ମୋର ଶେଷ ପ୍ରଶ୍ନର ବାରମ୍ବାର  ଉତ୍ତର ଦିଆ ଯାଉଥିଲା । ବାହାରେ କୁକୁରଟିଏ କାନ୍ଦିବାକୁ ଆରମ୍ଭ କରିଥିଲା ବୋଧହୁଏ । ଅନ୍ଧାର ଭିତରେ ମୁଁ  ଚିତ୍କାର କରିବାକୁ ଯାଇକି ଶ୍ଵାସରୁଦ୍ଧ ହୋଇ ଉଠିଲି । ଲାଇଟ ଅନ ବଦଳରେ ମୋ ପାଟିରୁ ବାହାରି ଗଲା, 'ଲାଇଟ ଅଫ। '



Rate this content
Log in

Similar oriya story from Horror