Satyabati Swain

Inspirational

3  

Satyabati Swain

Inspirational

ହୃଦୟର ମଣିଷ ଗାନ୍ଧି

ହୃଦୟର ମଣିଷ ଗାନ୍ଧି

4 mins
202



ବଡ଼ ଅଡ଼ୁଆରେ ପଡି ଯାଇଛି ସୁଟୁ।ପ୍ରୋଜେକ୍ଟ୍ ଦିଆ ଯାଇଛି,କାଲି ଦାଖଲ ତାରିଖ।ବଡ଼ ମୁସ୍କିଲ ଟ୍ୟାକ୍ସ।ହଁ ଦେଖିବା..ହଁ କରିବା...ଖିଆଲରେ ସପ୍ତାହେ କଟି ଗଲାଣି କେତେ ବେଳେ ସେ ଜାଣି ପାରିଲାନି।


ପ୍ରକୃତ କଥା ସେ ବୁଝି ହିଁ ପାରିନି ପ୍ରୋଜେକ୍ଟ୍ ଟାକୁ।ନଚେତ ସୁଟୁ ପ୍ରୋଜେକ୍ଟ୍ରେ ସବୁବେଳେ ଷ୍ଟାର୍ ପାଏ।ଟିଚର୍ ମାନେ ତାର ଏ ଗୁଣ ଯୋଗୁ ଭାରି ଭଲ ପାଆନ୍ତି। 


କାଲି ଯେତେ ବେଳେ ସମସ୍ତେ ପ୍ରୋଜେକ୍ଟ୍ ପେପର୍ ଦାଖଲ କରିବେ ସେ ନ ଦେଲେ କଣ ଭାବିବେ ସାର୍!

ଦଣ୍ଡ ବି ମିଳିବ।ଘରକୁ ଲେଟର୍ ଯିବ।।ଗାର୍ଡଆନ୍ ଡକା ହେବେ।ଦୁନିଆଁ ଝମେଲା।


କଣ କରିବ..କଣ କରିବ..ହ...ଅଁ...ଅଁ ପଲ୍ ନାନୀ!ପଲ୍ ନାନୀ ତାକୁ ଏ କାମରେ ସାହାଯ୍ୟ କରିପାରେ।ଭାରି ଫୁଲେଇଟା।ଏଇଲେ କେତେ ଭାଉ ଖାଇବ!ମୋତେ ଆସେ ନାହିଁ ,ମୋ ପାଖେ ବେଳ ନାହିଁ ତୁ ଆଜି ଯାଏ ଶୋଇଥିଲୁ କି,ଲାଷ୍ଟ୍ ମୁଁମେଣ୍ଟ୍ ରେ ଆସି ମୁଣ୍ଡ ଖାଉଛୁ..ଇତ୍ୟାଦି ଇତ୍ୟାଦି।


ହଉ ବେଳ ପଡିଛି ରେ ସୁଟୁ ଗଧ ପାଦ ଧରିବାକୁ ପଡିବ ତ ।


ବେଶୀ ଯଦି ଛଇ କାଢ଼ିବ ଡାଡିଙ୍କ ଆଗେ କହି ଦେବି"ସେ କେମିତି ସ୍କୁଲ ଦେବ ଦାରୁ ଗଛମୂଳେ ଗପେ 'ବିଲ୍'ଭାଇ ସଂଗେ"।


ହଁ ଏଇଟା ଠିକ୍ ହେବ ତାକୁ ହାତେଇଵାରେ।

ଭାରି ଗେଲେଇକି ସୁଟୁ କହିଲା"ନାନୀ ମୋ ସୁନା ନାନୀ ,ମୋ ପକେଟ୍ ମନି ତତେ ଦେବି,ବିଲ୍ ଭାଇଙ୍କ ସଙ୍ଗେ ସ୍କୁଲରେ ଗପୁ ବୋଲି ଡାଡି ମାମିଙ୍କି ଜମା କହିବିନି।କରିଦେ ଲୋ ମୋ ପ୍ରୋଜେକ୍ଟ୍।ପ୍ଲିଜ୍...ପ୍ଲିଜ୍, ନାନୀ।

 

ପଲ୍ ଗାଡେଇକି ଟିକେ ଅନେଇଲା ସୁଟୁ ଆଡେ।ଟୋକାଟା ଆଜିକାଲି ପିଛା ଛାଡ଼ୁନି ଜମା।କହିଦେବି, କହିଦେବି, ସବୁ ବେଳେ ସବୁ କଥାରେ ଡରଉଛି।ମୋତେ ଏବେ ମାତ୍ର ପନ୍ଦର ବର୍ଷ।ହେଇ ଯାଉ ଅଠର ମୁଁ ନିଜେ ଡାଡି ମାମାଙ୍କୁ କହିଦେବନିକି"ବିଲ୍ ଓ ସେ ପରସ୍ପରକୁ ଭଲ ପାଆନ୍ତି।ସେ ଯାଏ ଯେତେ ଫାଇଦା ଉଠାଇ ଯାରେ ସୁଟୁ.।

    

କୃତ୍ରିମ ହସଟିଏ ହସି ପଲ୍ କହିଲା,ପକା..ପକେଟ୍ ମନି ଦେବୁ ତ !


ହଁ ଲୋ ନାନୀ ଗଡ଼୍ ପ୍ରମିଜ୍।


ଆଛା ଦେଖି କଣ ଦେଇଛନ୍ତି?ହାଁ.......ଇଏ କିଏ?ଏଗୁଡା କଣ?


ସୋ ସରି ୟାର୍ ମୋତେ ଏ ପ୍ରୋଜେକ୍ଟ୍ ଆସିବନି।ଦେଖ ଡାଡି ଆସିଲେଣି।ସେ ଟିକେ ଫ୍ରେସ୍ ହେଇ ସାରନ୍ତୁ ତାଙ୍କୁ ପଚାରିବୁ।

 

ଫ୍ରେସ୍ ହୋଇ ଡାଡି ଗଲେ ତାଙ୍କ କମ୍ପ୍ୟୁଟର ପାଖକୁ।ବିଚରା ସୁଟୁ!!ଡରି ଡରି କହିଲା ଡାଡି!!ଏ ପ୍ରୋଜେକ୍ଟ୍ ଟା ବୁଝି ପାରୁନି।କେମିତି କରିବି କଣ କରିବି।ଟିକେ ବୁଝେଇ ଦେଲେ।ପଲ୍ ନାନୀକୁ ବି ଆସିଲାନି।

 

ହେଉ ଶୀଘ୍ର ଆଣ ମୋର ଗୁଡ଼ାଏ ଅଫିସ୍ କାମ ଅଛି ଚେକ୍ କରିବାକୁ।


ସୁଟୁ ଯାହା ଦେଖାଇଲା ତାକୁ ଦେଖି ଡାଡି କହିଲେ ଏଗୁଡା କଣ? ଏଥୁରୁ କି ପ୍ରୋଜେକ୍ଟ୍ ହେବ?।ଯା ଯା ତୋ ମାମା କରିଦେବେ।

 

ମାମି ଅଫିସରୁ ଆସୁ ଆସୁ ସୁଟୁ ମୁହଁ ଶୁଖେଇ କହିଲା "ମାମି କାଲି ମୋର ସ୍କୁଲ ଯିବା ବନ୍ଦ।କେହି ମୋତେ ପ୍ରୋଜେକ୍ଟ୍ ବୁଝାଇ ଦେଉ ନାହାନ୍ତି।ମୋତେ ବୁଝେଇବେ କଣ..ନିଜେ ବୁଝି ପାରୁନାହାଁନ୍ତି।ତୁମେ କହି ଦିଅ, ପ୍ଲିଜ଼।


ହେଉ ଠିକ ଅଛି।ଅଫିସରେ ଆଜି ମିଟିଙ୍ଗ୍ ଥିଲା। ଥକି ଯାଇଛିରେ ଧନ।ଚେଞ୍ଜ୍ କରି ଟିକେ ବିଶ୍ରାମ ନିଏ।ତାପରେ ଦେଖିବା.।

 

ମାମି ସୁଟୁ ର ଶେଷ ଆଶା ଭରସା।କଫି ପିଉ ପିଉ ମାମି ପ୍ରୋଜେକ୍ଟଟାକୁ ଓଲଟ ପାଲଟ କରି ଦେଖିଲେ।ମୁହଁ ବିକୃତ କରି କହିଲେ ଦେଲା ବେଳେ ଟିଚର୍ କିଛି ହିଂଡ୍ସ୍ ଦେଇ ନାହାଁନ୍ତି?


ନା ଟିଚର୍ କହିଲେ, ଇଜି ଅଛି ନିଜେ କରି ପାରିବ।ତୁମ ଟାଲେଣ୍ଟ୍ ଟେଷ୍ଟ କରାଯିବ ଏଥିରୁ।


କି ଇଜି!!କେଇଟା ଗାର!କଣ ବୁଝିବି ଏଥିରୁ।ମୁଁ ତ ନିଜେ ବୁଝି ପାରୁନି।ତୁ ସର୍ଚ୍ଚ କଲୁଣି ଗୁଗୁଲ୍ ମାମି କହିଲେ।

କାହା ବିଷୟରେ ଜାଣିଲେ ସିନା ସର୍ଚ୍ଚ କରିବି,ମୁହଁ ଓହଳେଇ କହିଲା ସୁଟୁ।


ଡାଡି, ମାମି,ନାନୀ ଓ ସୁଟୁ ହୋଲ୍ ଫେମିଲ୍ ମୁହଁ ଚାହଁ ଚାହିଁ ହେଲେ।କିନ୍ତୁ ପହଞ୍ଚି ପାରିଲେ ନି କୋୖଣସି ସିଦ୍ଧାନ୍ତରେ।


ଏତିକି ବେଳେ କାମ ବାଲି ତା ରାତି ଡିୟୁଟି କରିବାକୁ ଆସିଲା।ସୁଟୁ ରୁମକୁ ବନ୍ ଭିଟା ନେଇ କି ଗଲା ଦେବାକୁ।

 

କଣ ହେଇଛି କି ଆଜି ସୁଟୁ ବାବୁ!! ମୁହଁ ଟା କାଇଁ ଶୁଖି ଯାଇଛି? ଅବେଳରେ ଶୋଇଛ? ଦେହ ଭଲ ନାହିଁକି, ପଚାରିଲା କାମବାଲି।

 

ନାଇଁ ଏମିତି..ତୁ ସେଇ ଟେବୁଲ ଉପରେ ଗ୍ଲାସ ଥୋଇକି ଯା, ମୁଁ ପଛରେ ପିଇବି।

 

ସତ ପିଇବ ତ?ଶୀଘ୍ର ପିଇ ଦେବ।ନହେଲେ ରାତିକୁ ଭୋକ ହେବନି।

 

ଟେବୁଲ ଉପରେ ଗ୍ଲାସ ଥୋଉ ଥୋଉ କହିଲା କାମ ବାଲି, ଗାନ୍ଧୀ ଚିତ୍ର କରିବ କି ସୁଟୁ ବାବୁ ?


କାଇଁ ନାଇଁ ତ!!!

   

ଆଉ ଏ କାଗଜରେ ତାଙ୍କ ଅସମ୍ପୂର୍ଣ୍ଣ ଚିତ୍ର ଗାର ମଧ୍ୟରେ ଅଛି କାଇଁକି?


ସୁଟୁ କୁ ସତେ କି ଅମୁଲ୍ୟ ଧନ ମିଳି ଗଲା।ଦେଖି... ଦେଖି.. କେଉଁ କାଗଜ?ସୁଟୁ ବେଡ଼୍ ରୁ ଉଠି ଆସିଲା ତରବରେ।


ଏଇ ଗାର କୁ କହୁଛୁ ଗାନ୍ଧୀ?ସୁଟୁ କଅଁଳ ମନର ଅବୋଧ କୋମଳ ଜିଜ୍ଞାସା।


ହଁ ...ଦେଖୁନ..... ଏଇ ଯେଉଁ ଅଧା ବଙ୍କା ଗୋଲ ଦିଟା ତାଙ୍କ ଚଷମା।ଏଇ ଯେଉଁ ଚାରିଟା ଗାଁର ଘୋଡ଼ି ହେଲାପରି ଲାଗୁଛି ତାଙ୍କ ଖଦଡ଼ ଚାଦର, ତେରଛା ଗାର ଟି ସେ ଧରିଥିବା ବାଡ଼ି, ତଳେ ଯେଉଁ ତିନିଟି ଗାର ର ଟିକେ ଭିତରକୁ ବଙ୍କାପରି ଦେଖା ଯାଉଛି,ସେ ପିନ୍ଧିଥିବା ଆଣ୍ଠୁ ଉପରକୁ ଖଦଡ ଲୁଗା।ସବା ତଳେ ଚପଲ ପରି ବଙ୍କା ଚିତ୍ର ତାଙ୍କ କଠଉ।ଗୋଲ ଚକ ପରି ଯିଏ ଦିଶୁଛି ସେ ତାଙ୍କ ଅରଟ।ସବୁ ମିଶେଇକି ଯୋଡି ଦିଅ ଦେଖିବ ଗାନ୍ଧିଜୀ ହେଇଯିବେ।କହିଲା କାମ ବାଲି।

 

ହାଁ... କରି ସୁଟୁ ଅନେଇଥିଲା କାମ ବାଲିର ମୁହଁକୁ।କଣ ଭାବେ ସେ ତାକୁ! ମୂର୍ଖ ଟା, କିଛି ଜାଣିନି।କେବଳ ଗଧ ଭଳିଆ ଖଟେ! ସେତ ଡାଡି,ମାମିଙ୍କ ଠାରୁ ବି ପାଠୋଇ! ଗାନ୍ଧୀଙ୍କୁ ସେ କେତେ ଭଲ କି ଜାଣିଛି!ବୁଝିଛି!ଆଉ ବଡ଼ଅଫିସର୍ ତା ଡାଡି! ଗୋଟେ ବଡ଼ ଏନ୍ ଜି ଓ ସଂସ୍ଥା ଚଳାଉଛି ତା ମାମି ! ଚିହ୍ନି ନାହାନ୍ତି ଗାନ୍ଧିଜୀଙ୍କୁ !ବୁଝି ନାହାନ୍ତି ତାଙ୍କ ଆଦର୍ଶ! ନୀତି ! କେମିତିଆ ପାଠ ପଡିଛନ୍ତି ତାହେଲେ ସେମାନେ !

 

ଦଶ ବର୍ଷ ସୁଟୁ ସାନ ମନରେ ଅନେକ ବିସ୍ମୟର ପ୍ରଶ୍ନ।ହାତ ଧରି ଟାଣି ଚେୟାରରେ ବସେଇଲା ସୁଟୁ କାମ ବାଲିକୁ।ହଁ .....ହଁ.....ଆଉ କଣ ଜାଣିଛୁ କହିଲୁ ଗାନ୍ଧିଜୀଙ୍କ ବିଷୟରେ ଅତି ଆଗ୍ରହରେ ପଚାରିଲା ସୁଟୁ।

 

ଅନର୍ଗଳ କେତେ କଣ ଗପି ଗଲା କାମବାଲି।ତାଙ୍କ ପିଲାଦିନ ମିଛ କହିବେ ନାହିଁ କି ଚୋରି କରିବେ ନାହିଁ ବାପାଙ୍କୁ ଚିଠି ଲେଖି ଶପଥ, କପି କରିବା ଯାହା ଚୋରି କରିବା ସେଇଆ,କହିବା ଆଗରୁ କରିବା ପାଇଁ ଅଲଣା ଖାଇବା, ମଦ କି ମାଂସ ଛୁଇଁବେ ନାହିଁ ବୋଲି ମାଙ୍କ ପାଦ ଛୁଇଁ ଶପଥ କରିବା, ଲେପର ରୋଗୀଙ୍କ ନିଜ ହାତରେ ସେବା କରିବା, ଅହିଂସା ଆନ୍ଦୋଳନରେ ଇଂରେଜ ଙ୍କୁ ହଟେଇବା ପରି କେତେ କଥା !  


ସୁଟୁ କୁ ପରି ରାଇଜ କାହାଣୀ ପରି ଲାଗୁଥିଲା।କାମ ବାଲି କହିଲା ବୁଝିଲ ସୁଟୁ ବାବୁ ଗାନ୍ଧିଜୀ କେବଳ ନୋଟରେ ସୀମିତ ନ ରହି,ଛବିର ମଣିଷ ନ ହୋଇ ସମସ୍ତ "ହୃଦୟର ମଣିଷ" ହେବା ଦରକାର।


ଏଇ ଦେଖୁନ ଅକ୍ଟୋବର ଦୁଇ ଆସିଲେ ସମସ୍ତେ ତାଙ୍କ ମୂର୍ତ୍ତିରେ ମାଳ ଚଢାନ୍ତି ; କିନ୍ତୁ ଅନ୍ୟ ଦିନେ ସେଇ ସରାଗ ଭକ୍ତି କଣ ଅଛି !


ସୁଟୁ ଖୁସିରେ ଫାଟି ପଡି ହାଲ୍ଲା କଲା ,ପାଇ ଗଲି.... କ୍ଲୁ ପାଇ.ଗଲି, ୟୁରେକା, ୟୁରେକା।


ଡାଡି ମାମିଙ୍କୁ କହୁଥୁଲେ, ଆମ କାମ ବାଲିଟି ପାଠୋଇ ଟିଏ। ଆମେ ଯାହା ନ ପାରିଲୁ ସେ କେମିତି ଚୁଟ୍ କେ କରିଦେଲା !


ଆମେ କେତେ ଅଜ୍ଞାନ! ନିଜ ଦେଶର ରାଷ୍ଟ୍ର ନାୟକଙ୍କୁ ଆମେ ଚିହ୍ନି ନାହାନ୍ତି! ଜାଣି ନାହାନ୍ତି ତାଙ୍କ ସତ୍ୟ,ଅହିଂସା,ସେବା,ଶାନ୍ତିର ମୂଲ୍ୟ ବୋଧ! ଅନୁଭଵ କରି ନାହାନ୍ତି ଗୋଟିଏ ମଣିଷକୁ ଯିଏ କୋଟିଏ ହୃଦୟରେ ବଞ୍ଚି ଛନ୍ତି,ମରି ବି!!ଜୀବନରେ ପ୍ରଥମ ଥର ଡାଡି ଓ ମାମି ସଙ୍କୁଚିତ ହୋଇଗଲେ ନିଜ ପାଖେ।


ହଠାତ୍ ଘଣ୍ଟା ଦେଖି ଚମକି ପଡିଲା କାମ ବାଲି।ସାନ ବାବୁ ତମେ ଥାଅ। ସାତଟା ହେଲାଣି।ରୋଷେଇ ସାରି ମୋତେ ଯିବାକୁ ପଡ଼ିବ।


 ଅଧିକ ରାତିକୁ ଡର ମା । ଆଜିକାଲି ବେଳ କାଳ ଯାହା ହେଲାଣି । ମହିଳା ଙ୍କୁ ସୁରକ୍ଷା କାହିଁ ? ମାମି କହିଲେ ହଉ ଯା ବେଶୀ କିଛି ଆଇଟମ୍ ନକରି ସାରି ଦେ କାମ।


ଗୁଗୁଲ୍ ସର୍ଚ୍ଚ କରି ସୁନ୍ଦର ପ୍ରୋଜେକ୍ଟ ଟିଏ ପ୍ରସ୍ତୁତ କଲା ସୁଟୁ।ଗାନ୍ଧୀ ଜୟନ୍ତୀରେ ସେ ପ୍ରୋଜେକ୍ଟ ପାଇଁ ଫାଷ୍ଟ ପ୍ରାଇଜ଼ ବି ପାଇଲା।

    

ସୁଟୁ ଘରକୁ ଦଉଡ଼ି ଦଉଡ଼ି ଆସି କାମବାଲି ହାତରେ ଗୁଞ୍ଜି ଦେଲା ତାକୁ ମିଳିଥିବା ଫୁଲ ତୋଡା, ସାଟିଫିକେଟ୍ ଓ କପ୍।

 

ସୁଟୁ କହିଲା, ନେ ଏତକ ତୋର।ତୋ ଯୋଗୁ ମୁଁ ଫାଷ୍ଟ ପ୍ରାଇଜ୍ ପାଇଛି।


ଆଉ ମଧ୍ୟ କାମ ବାଲି ଗାଲରେ ଆଙ୍କି ଦେଲା ଛୋଟ ଗୋଟେ ଚୁମା..


କାମବାଲି ହସି ହସି ସୁଟୁର ମୁଣ୍ଡ ସାଉଁଳେଇ କହୁଥିଲା, ସୁନାଟା, ଧନଟା, ମୋ ରାଜାଟା.....।


 


Rate this content
Log in

Similar oriya story from Inspirational