ହଲେ ସୁନା କାନଫୁଲ
ହଲେ ସୁନା କାନଫୁଲ
ଶ୍ବଶୁର ଗଲା ପରେ ଶାଶୁ ଙ୍କୁ ବିଧବା ବେଶ ରେ ଦେଖି ପାରୁନଥିଲେ ହାରା ମଣି।ସବୁବେଳେ ସତେଜ ସୁନ୍ଦର ଚେହେରା ତାଙ୍କର ମଳିନ ପଡିଯାଇଥିଲା।
ଗୋଟାଏ ବଡ଼ ସିନ୍ଦୁର ଟୋପା,ଦୁଇ ହାତରେ ଦୁଇ ଡର୍ଜନ ଚୁଡି,ଆଉ ବୁଢ଼ୀ ହେଲା ପର୍ଯ୍ୟନ୍ତ ନାଲି ନେଲପାଲିସ କୁ ହଳେ ପାଉଁଜି ଖୁବ ମାନେ ଶାଶୁ ଙ୍କୁ। ବିନା ବ୍ଲାଉଜ ସାୟାରେ ମୋଟା କସ୍ତା ଶାଢ଼ୀ ଖଣ୍ଡେ ବିନା କୁଞ୍ଚି ରେ ପିନ୍ଧିଥାନ୍ତି।
ପାନ ଖିଲେ ଜାକି ଦେଇ ଖୁବ ହସି ହସି କଥା କୁହନ୍ତି।ଚାରିଟା ମର୍ଦ ର କାମ ଏକା ସେ କରିପାରନ୍ତି।ସିଡ଼ି ପକାଇ ନିଜେ ଚଢି ଘର ର କାନ୍ଥ ଲିପନ୍ତି ତ ରାତି ତିନିଟା ରୁ ଉଠି କଡେଇ କଡେଇ ଧାନ ସିଝାନ୍ତି।ଖଳା ଠୁ ଖମାର ସବୁ ଜଣା ତାଙ୍କୁ।
ଶାଶୁ ଙ୍କର ସବୁ ଗୁଣ ଭଲ। ଉଡ଼ିଗଲା ଚଢେଇ ର ମନ କଥା ଜାଣିପାରନ୍ତି ସେ।ତାଙ୍କ ଦୁଆରୁ କୋଉ ଭିକାରୀ ଟିଏ ବି ଉପାସ ଯାଏନି।କିନ୍ତୁ ହାରା ମଣି ଙ୍କର ପେଟରେ ପେଟାଏ କ୍ଷୋଭ ଶାଶୁ ଙ୍କ ପ୍ରତି।
କାରଣ ତାଙ୍କର ବାହାଘର ବେଳେ ନିର୍ବନ୍ଧ ରେ ଦେଇଥିବା ସୁନା ମୁଦି ଟି ମାଗି ଆଣି ଦେଇଥିଲେ ପଡିଶା ଘରୁ।ଆଉ ଚତୁର୍ଥୀ ବାସି ପୁଅ କୁ କହି ହାରାମଣି ଙ୍କ ହାତରୁ ଖୋଲି ନେଇ ପଡୋଶୀ ଙ୍କୁ ଫେରେଇଥିଲେ।
କିନ୍ତୁ ଅନ୍ୟ ତିନି ବହୁ ଙ୍କୁ ହାର ଦିଆଯାଇଥିଲା ନିର୍ବନ୍ଧ ରେ।
ହାରା ମଣି ଏହାର ପ୍ରତିବାଦ କରି ନିଜର ହକ୍ ମାଗନ୍ତେ,
--ଆଲୋ,ମୋ ପୁଅ ଚାକିରୀଆ ତୋ ଶ୍ବଶୁର ଚାକିରିଆ ,,ଗୋଟାଏ ମାସ ର ଦରମା ଫିଙ୍ଗିଲେ କେଡେ ସୁନ୍ଦର ସୁନା ମୁଦି ହେବ। ରହ କରିଦେବି ଗୋଟେ।
ତୁ ଋଷୁଛୁ କିଆଁ!!
ଆଉ ସେ କଥା କୁ ବର୍ଷ ବର୍ଷ ବିତିଯାଇଥିଲେ ବି ସେ ଦିନ କେବେ ଆସେନି।ସେଥିପାଇଁ ବେଳେ ବେଳେ ଝୁଙ୍କେ,, କଥା ରଗଡା ରଗଡ଼ି ହୁଏ ସ୍ୱାମୀ ଙ୍କ ସହ ହାରାମଣି ଙ୍କର।
ସମୟ କ୍ରମେ ସ୍ୱାମୀ ଙ୍କର ଚାକିରି ଜାଗାକୁ ପିଲାଛୁଆନେଇ ଚାଲିଯାନ୍ତି ହାରାମଣି।କିନ୍ତୁ ଏହା ଭିତରେ ନିଜର ଚାରି ପିଲାଙ୍କର ଗୁହ ମୁତ କରି ବଡ଼ କରିଦେଇଥାନ୍ତି ଶାଶୁ ମା।ବଡ଼ ଝିଅ କୁ ନିଜ ପାଖରେ ରଖିନିଅନ୍ତି ସେ।କାରଣ ବଡ଼ ନାତୁଣୀ ଖୁବ ଗେଲ୍ହା ତାଙ୍କର। ନାତୁଣୀ ର ବାହାଘର ରେ ପ୍ରାୟ ସମସ୍ଥ ସୁନା ଜିନିଷ କରି ଦେଇଥାନ୍ତି ଶ୍ବଶୁର।
ତଥାପୀ ବଡ଼ ବହୁ ଙ୍କ ପାଇଁ ମୁଦି ଟାଏ କରିବାକୁ ମନେ ପଡ଼ିଲାନି ଏଯାଏ।ତାର ଉତ୍ତର ରେ ସ୍ୱାମୀ ସତ୍ୟଜିତ କୁହନ୍ତି,
ମୁଁ ପରା ତୁମର ସୁନା।ତୁମ ପାଇଁ ତାଠାରୁ କେତେ ଗୁଣା ଅଧିକ ସୁନା ଗହଣା କରିଦେଇଛି,,ପୁଣି ସେଇ ମୁଦି ପଛରେ କାହିଁକି ପଡିଛ ତୁମେ?
କିନ୍ତୁ ହାରାମଣି ଙ୍କର ସେଇ ଗୋଟାଏ ଜିଦ,ମୋତେ ତୁମ ମା କଥା ଦେଇ କଥା ରଖିଲେନି କାହିଁକି?
ଭାବିଲେ ଶ୍ବଶୁର ଙ୍କର ରିଟାର୍ଡ ବେଳେ ଦେବେ।କିନ୍ତୁ ସେତେବେଳେ ଯାହା ପଇସା ପାଇଲେ ସବୁ ଝିଅ ପୁଅ ଙ୍କର ପିଲାମାନଙ୍କ ପାଇଁ ଚେନ ଗୋଟେ ଗୋଟେ କିଣିଦେଲେ ଶ୍ବଶୁର।ଆଉ ଶାଶୁ ଙ୍କ ପାଇଁ ଚେନ କେରେ ଆଉ କାନ ଫୁଲ ହଳେ କରିଦେଇଥିଲେ।ଗୋଟା ଯୌବନ କେମକଲ କାନଫୁଲ ପିନ୍ଧି ପିନ୍ଧି ବୁଢ଼ୀ କାଳେ ପିନ୍ଧିଥିଲେ ସୁନା ଖଣ୍ଡେ।ଶାଶୁ ଙ୍କର ସେଇ ଚେନ,କାନ ଫୁଲ ହଳ କୁ ସବୁ ବୋହୁ ଓ ଝିଅ ଙ୍କ ଲୋଭ।
ଶେଷରେ ସାନ ଝିଅ ର ପୁଅ ର ବ୍ରତ ଘର ରେ ସେ ଚେନ କୁ ଦେଇଦେଇଥିଲେ ଶାଶୁ।ଆଉ କେବଳ ବଞ୍ଚିଥାଏ ସୁନା କାନଫୁଲ ହଳେ।
କିନ୍ତୁ,ଏବେ ହାରାମଣି ଙ୍କର ସେ ସୁନା ମୁଦି ପ୍ରତି ଆଉ ଲୋଭ କି ଆଶା ନଥାଏ।
ଭୁଲିଯାଇଥାନ୍ତି ପ୍ରାୟ ସେ କଥା କୁ।ସମୟ ବି ଖୁବ ଗୁଡାଏ ବିତିଯାଇଥାଏ।
କିନ୍ତୁ,, ଆଜି ଶ୍ବଶୁର ଯିବା ପରେ,ଶାଶୁ ଙ୍କୁ ଦେଖି ମନ ରେ ଥିବା ରାଗ ରୁଷା ପାଣି ଫୋଟକା ଭଳି ମେଳାଇ ଯାଇଥାଏ ହାରାମଣି ଙ୍କର।
ଆହାଃ ହେ ପ୍ରଭୁ ଏତେ ସୁନ୍ଦର ଯୋଡି କୁ କାହିଁକି ଅଲଗା କଲ।ଏକାଥରେ ଦୁହିଁଙ୍କୁ ନେଇ ଯାଇଥାନ୍ତ ଭଲା।ଆମକୁ ଏ କି ରୂପ ଦେଖାଇଲ ହେ ପ୍ରଭୁ?
ବାର ଦିନ ପରେ ହାରାମଣି ଙ୍କୁ ପାଖକୁ ଡାକିଲେ ଶାଶୁ।ଖୁବ ଦମ୍ଭ ର ସହ କହିଲେ...
---ହାରା ,,,ତୁ ମୋର ବଡ଼ ବୋହୁ।ମୁଁ ଜାଣେ ତୋ ମନରେ ମୋ ପ୍ରତି ଖୁବ ରାଗ।ମୁଁ ବି ତତେ କଥା ଦେଇ କଥା ରଖି ପାରିନି ମା।ଯେତେବେଳେ ତତେ ଦେଖିବାକୁ ଆମେ ତୁମ ଘରକୁ ଯାଇଥିଲୁ ସେତେବେଳେ ତୁମ ଘର ଆମ ଘର ତୁଳନା ରେ ଖୁବ ଉଚ୍ଚ ରେ।କାହିଁ ତୁମର ପୁରୁଣା କାଳିଆ ଦମ୍ଭ ଛାତ ଘର ଆଉ ଆମର ମୁଣ୍ଡ ବାଜିବା ଚାଳ ଛପର ଖଣ୍ଡେ।ତୁ ବି ଦେଖିବାକୁ ଖୁବ ସୁନ୍ଦର ଥିଲୁ।ମୋ ପୁଅ ତୋ ପାଖରେ କୁଆଡେ ଗଳି ପଡେ।କିନ୍ତୁ ତୋ ବାପା ସେତେବେଳେ ମୋ ହାତ ଧରି କହିଥିଲେ,ସମୁଦୁଣୀ ମୋ ଝିଅ ଆପଣଙ୍କୁ ଲାଗିଲା।ମୁଁ ଆପଣଙ୍କ ଘର ନୁହଁ ଆପଣଙ୍କର ମନ ଆଉ ଆପଣଙ୍କ ଯୋଗ୍ୟ ପୁଅ ଦେଖି ମୋ ଝିଅ ଦେଇଛି।ଆଶା କରେ ସେ ଖୁସୀ ରେ ରହିବ।ସେଇ ପଦୁ ଟିଏ କଥାରେ ମୁଁ ତତେ ବହୁ କରିଛି।
ମୋ ସ୍ୱାମୀ ଚାକିରୀ କରି ମଧ୍ୟ ମୁଁ ଗହଣା କଣିଟିଏ ପିନ୍ଧେନି କାହିଁକି ଜାଣୁ,,ମୋର ଆଠ ଆଠ ଟା ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇ ଯୋଗ୍ୟ କରିଛି।ନିଜେ ନଖାଇ ତାଙ୍କ ଥଂଟ ରେ ଦେଇଛି।ତିନି ଝିଅ ଙ୍କର ବାହାଘର ନାତି ବ୍ରତଘର ନାତୁଣୀ ମାନଙ୍କ ବାହାଘର ରେ ଯଥା ସମ୍ଭବ ଦେଇଛି।
ତୁ ଆମ ମାଟି ଘରକୁ ଜମା ପସନ୍ଦ କରୁନଥିଲୁ।କି ଆମର ପଖାଳ ପାଣି କୁ ଜମା ପସନ୍ଦ କରିନାହୁଁ।ତେଣୁ,ତୁ ବାହାରକୁ ଯିବାରେ ମୋର କିଛି ଆପତ୍ତି ନଥିଲା।ଆଉ ମୁଁ ବି ଜାଣେ ଏବେ ତୁ ସେଠି ତୋର ନିଜର ନୀଡ଼ ତିଆରି କରି ଖୁବ ଖୁସୀ ରେ ଅଛୁ।
ଏବେ ସେ ସୁନାମୁଦି ଖଣ୍ଡେ କୁ ତୋର ଆଶା ନାହିଁ।କିନ୍ତୁ ମୁଁ ଦେଇଥିବା କଥା ମୁଁ ନିଶ୍ଚେ ରଖିବି।ଏଇଟି ତୁ ମୋ ସନ୍ତକ ଭାବି ରଖେ।ଇଛା ହେଲେ ରଖିବୁ ନହେଲେ ବଦଳ ଦେଇ ଅଲଗା କ'ଣ କରି ଦେବୁ।
ଏତକ କହି କାନିରେ ସାତ ଗଣ୍ଠି ଦେଇଥିବା କିଛି ଜିନିଷ କାଢି ବାହାର କଲେ,ଓ ହାରାମଣି ହାତରେ ଧରାଇ ଦେଇ କଚାଡି ହୋଇ ତଳେ ପଡିଗଲେ।
ସଙ୍ଗେ ସଙ୍ଗେ ଦୌଡ଼ି ଆସିଲେ ସବୁ କ'ଣ ହେଲା କହି ମେଡିକାଲ ନେଇଗଲେ, ସେଠି ଯାଇ ଦେଖିଲା ବେଳେ ଶାଶୁ ଆଉ ନଥିଲେ,,,ସତକୁ ସତ ହାରାମଣି ଙ୍କର ପାଟି ଲାଗିଯାଇଥିଲା।ଶ୍ବଶୁର ତାଙ୍କ ସ୍ତ୍ରୀ ଙ୍କୁ ତାଙ୍କ ପାଖକୁ ନେଇ ଯାଇଥିଲେ।
ହାତ ତାଙ୍କର ଯେମିତି ମୁଠା ହେଇ ଜାଵ ପଡିଯାଇଥିଲା।ଫିଟୁନଥିଲା ଜମା। ସ୍ୱାମୀ ସତ୍ୟଜିତ ସ୍ତ୍ରୀ ଙ୍କ ଏ ଅବସ୍ଥା ଦେଖି ତାଙ୍କ ହାତ କୁ ଫିଟାଇଲା ବେଳେ ଦେଖିଲେ,,, ବୋଉ ର ଶେଷ ସନ୍ତକ ହଳେ ସୁନା କାନ ଫୁଲ। ଘରେ ଅନ୍ୟ ବହୁ ମାନେ କହିଉଠିଲେ ଏଇଟା ବଡ଼ ବୋହୁ ଙ୍କୁ ଦେବାକୁ କହିଥିଲେ ମା।ଜାହେଉ ଆଜି ନିଜ ହାତରେ ଦେଇଛନ୍ତି ତାଙ୍କୁ ତାଙ୍କ ପ୍ରାପ୍ୟ।
ହାରାମଣି ସେମିତି କରେଣ୍ଟ ଖାଇଲା ଭଳି ବୋକା ବନି ଯାଇଥିଲେ।