Birakishore Nayak

Inspirational Others

4  

Birakishore Nayak

Inspirational Others

ହଜିଗଲା ସ୍ବପ୍ନ

ହଜିଗଲା ସ୍ବପ୍ନ

2 mins
1.6K



    ଗୋଧୂଳି ମ୍ଳାନ ହୋଇଆସୁଥିଲା |ଆଉ କିଛି ସମୟ ପରେ ସୂର୍ଯ୍ୟ ଲୁଚିଯିବେ ପଶ୍ଚିମ ଦିଗନ୍ତରେ |ତା ପରେ ଆସିବ ଘନ ଅନ୍ଧାର ରାତି |ଘରର ବାହାର ଉଚ୍ଚ ବାରଣ୍ଡାରେ କେଉଁ କାଳର ଏକ ପୁରୁଣା କାଠ ଚୌକି ଉପରେ ବସିଥିଲେ ଶ୍ରୀଧର ବାବୁ |ସ୍ୱାଧୀନତା ସଂଗ୍ରାମୀ ଶ୍ରୀଧର ସାହୁ |ଶତାୟୁ ବାର୍ଦ୍ଧକ୍ୟରେ ଉପନୀତ |ଗାଆଁ ଦାଣ୍ଡରେ କାଁ ଭାଁ ଗାଡିଗୋଟେ କି ମୋଟର ସାଇକେଲଟିଏ ଯିବା ଆସିବା କରୁଛି |ଭାବୁଥିଲେ ସିଏ, ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି କିଛି ପରିବର୍ତ୍ତନ ହୋଇପାରିଲା ନାହିଁ |ଏକ ଅବ୍ୟକ୍ତ ଯନ୍ତ୍ରଣାରେ

ଛଟପଟ ହେଉଥିଲେ ଯେମିତି |

    ତାଙ୍କ ତାରୁଣ୍ୟରୁ ହିଁ ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ |ମହାତ୍ମାଗାନ୍ଧୀଙ୍କ ଡାକରାରେ ସେ ପାଠପଢାରେ ଡୋରିବାନ୍ଧି ଦେଶ ମାତୃକାର ମୁକ୍ତିବିପ୍ଳବରେ ଝାସ ଦେଇଥିଲେ |ଉତ୍କଳମଣୀ ଗୋପବନ୍ଧୁଙ୍କ ନିର୍ଦେଶରେ କାମ କରିବା ତାଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ମଣିଥିଲେ ସିଏ |ଦିନ ରାତି ଜାଣି ପାରୁନଥିଲେ, ଏ ଗାଆଁରୁ ସେ ଗାଆଁ ବୁଲି ବୁଲି ଲୋକଙ୍କୁ ବୁଝାଉଥିଲେ |ବିଭିନ୍ନ ସତ୍ୟାଗ୍ରହରେ ଯୋଗ ଦେଉଥିଲେ |ବେଳେ ବେଳେ ଇଂରେଜ ପୋଲିସର ଦୃଷ୍ଟି ଏଡାଇବା ପାଇଁ ଜଙ୍ଗଲରେ ଲୁଚି ବୁଲିଥିଲେ |ଧରା ବି ପଡିଛନ୍ତି ଅନେକଥର |ଦେଶପାଇଁ ଜେଲ ବି ଭୋଗିଛନ୍ତି |କେବେ ବି ଜୀବନରେ ହାର ମାନି ନାହାଁନ୍ତି ସିଏ, ପଛକୁ ଫେରିଚାହିଁନାହାନ୍ତି ମଧ୍ୟ |ଏକ ବିରାଟ ସ୍ବପ୍ନ ଗାନ୍ଧିଜୀ ଭରିଦେଇଥିଲେ ତାଙ୍କ ମନରେ, ଦେଶରୁ ଇଂରେଜମାନେ ପଳାଇବା ପରେ ଆମ ଦେଶ ସ୍ୱାଧୀନ ହେବ, ଆମେ ନିଜେ ଆମ ଦେଶକୁ ଶାସନ କରିବା, କେହି ଆମକୁ ଶୋଷଣ କରିବେ ନାହିଁ, ଆମ ଲୋକମାନେ ସମସ୍ତେ ସୁଖରେ ରହିବେ, ଏମିତି ଅନେକ ଆଶା |

     ଦେଶ ସ୍ୱାଧୀନ ହେଲା |ସେତିକିରେ ବି ସରିନଥିଲା କାମ |ତା'ପରେ ଆସିଲା ଗଡଜାତ ଆନ୍ଦୋଳନ |ଦେଶୀୟ ରାଜ୍ୟଗୁଡିକୁ ମିଶ୍ରଣ କରିବା କାମ |

    ଶ୍ରୀଧର ବାବୁ ତତ୍କାଳୀନ ଢେଙ୍କାନାଳ ଗଡଜାତର ନିହଲପ୍ରସାଦ ଗ୍ରାମର ବାସିନ୍ଦା ଥିଲେ |ଚାଲିଲା ଆନ୍ଦୋଳନ |ଢେଙ୍କାନାଳର ଅନେକ ନେତା ସେଥିରେ ସାମିଲ ଥିଲେ |ଧନୀ ବାରିକ, କୃତ୍ତିବାସ ପ୍ରଧାନ, ବୈଷ୍ଣବ ବାବୁ,ସାରଙ୍ଗଧରଙ୍କ ଭଳି ବହୁ ନେତୃବୃନ୍ଦ ପ୍ରଜା ଆନ୍ଦୋଳନରେ ସାମିଲ ହୋଇଥିଲେ |ସେଦିନର ସବୁକଥା ମନେ ଅଛି ଶ୍ରୀଧର ବାବୁଙ୍କର |ଏଇ ଘରେ କେତେଥର ଯେ ଗୋପନ ମନ୍ତ୍ରଣା ହୋଇଛି, ଚୁଡାଗୁଡ଼ ଖାଇ ରାତି ବିତାଇଛନ୍ତି, ତାର ହିସାବ ନଥିଲେ ବି ଭୁଲି ନାହାଁନ୍ତି କିଛି ସିଏ |ଗଡଜାତ ଆନ୍ଦୋଳନ ମଧ୍ୟ ସଫଳ ହୋଇଥିଲା, ସବୁ ଦେଶୀୟ ରାଜ୍ୟ ମିଶି ଗୋଟିଏ ଦେଶ ହେଲା, ଭାରତ |ଦେଶର ନୂଆ ସରକାର ଗଢ଼ାଗଲା |ୟା ଭିତରେ ଅନେକ ସରକାର ବଦଳିଲେଣି |କିନ୍ତୁ ଲୋକଙ୍କର ଅବସ୍ଥା କିଛି ବି ବଦଳିନାହିଁ |ଯେଉଁ ଗରୀବକୁ ସେଇ ଗରୀବ |ଟଙ୍କିକିଆ ଚାଉଳପାଇଁ ଖାଉଟି ଦୋକାନରେ ଲମ୍ବାଧାଡି, ଶୋଷଣ ଦିନକୁ ଦିନ ବଢ଼ି ଚାଲିଛି |ଇଂରେଜ ଶାସନ ଆଉ ଦେଶୀୟ ଶାସନ ଭିତରେ କିଛି ଫରକ ଥିବାଭଳି ଅନୁଭବ କରିନଥିଲେ ଶ୍ରୀଧର ବାବୁ |ଭାବୁଥିଲେ, ଦେଶପାଇଁ ଆଉଗୋଟେ ସ୍ୱାଧୀନତା ବିପ୍ଳବ ଦରକାର |ମନଭିତରେ ତୀବ୍ର ଯନ୍ତ୍ରଣା ଅନୁଭବ କରୁଥିଲେ, ତାଙ୍କ ମନରେ ଗାନ୍ଧିଜୀ ଯେଉଁ ସ୍ବପ୍ନ ଅଙ୍କିଥିଲେ, ହଜିଯାଇଛି ସେ ସ୍ବପ୍ନସବୁ ଯେମିତି |

ସ୍ୱାଧୀନତା ପ୍ରାପ୍ତିରେ କଣ ମିଳିଛି ସାଧାରଣ ଲୋକଙ୍କୁ |ସେଇ ସ୍ୱାଧୀନତାଭିତରେ ହିଁ ହଜିଗଲା ସବୁସ୍ବପ୍ନ |କେମିତି ଏକ ତୀବ୍ର ପ୍ରତିକ୍ରିୟା ଅନୁଭବ କରୁଥିଲେ ହୃଦୟରେ |ଆଉ କିଛି କରି ହେବନି, ଆଜିର ଯୁବପିଢ଼ିଙ୍କର ଚିନ୍ତାଚେତନା ଭାବିଲେ ଦୁଃଖ ଲାଗେ |ଦେଶର ପ୍ରାୟ ନବେଭାଗ ଲୋକ ମଦ୍ୟପ ହୋଇଗଲେଣି |ଏ ସବୁ ପାଇଁ ସରକାର ହିଁ ଦାୟୀ, ଗାଆଁ ଗାଆଁରେ ମଦ ଦୋକାନ ପାଇଁ ସରକାରୀ ସ୍ୱୀକୃତି |ଏଇଆ କଣ ସ୍ୱାଧୀନତା ଆନ୍ଦୋଳନର ସ୍ବପ୍ନ ଥିଲା ? ଭାଙ୍ଗି ପଡୁଥିଲେ ଶ୍ରୀଧର ବାବୁ |ହଜି ଯାଉଥିଲା ହୃଦୟରେ ସାଇତା ସ୍ବପ୍ନସବୁ |



Rate this content
Log in

Similar oriya story from Inspirational