Siddhartha Tripathy

Inspirational

3  

Siddhartha Tripathy

Inspirational

ହେ ଗୁରୁ ! ତମେ କେଉଁଠି?

ହେ ଗୁରୁ ! ତମେ କେଉଁଠି?

3 mins
203


ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ବର, 

ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।।


ଗତକାଲି ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଗୋଟିଏ ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯିବା ସମୟରେ ଗାଈଆଳ ବୃଦ୍ଧଟିଏ ଉପର ଲିଖିତ ଶ୍ଳୋକ ଗାଉଥିବାର ଶୁଣିଲି। ଉତ୍କଣ୍ଠାରେ ସରକାରୀ ଗାଡି ଅଟକାଇ ତାକୁ ପାଖକୁ ଡାକି ଶ୍ଳୋକଟିର ଅର୍ଥ ପଚାରିଲି। ହସିହସି ବୃଦ୍ଧଟି କହିଲା, ବାବୁ ! ଆମେ ମୁରୁଖ ଲୋକ। ଗାଆଁରେ ମାଇକରେ ଶୁଣି ମନେରଖିଦେଲି। 


ପୂଜାପାଠର ସମୟ ନାହିଁ କି ସୁଯୋଗ ନାହିଁ ତେଣୁ ଏମିତି ଗାଈ ଚରେଇବା ସମୟରେ ଗାଇଦିଏ କାଳେ ପୂଣ୍ୟ ହୋଇଯିବ। ଗାଈଆଳର ଆଗ୍ରହ ଦେଖି ସେହି ଶ୍ଳୋକର ଅର୍ଥ ବୁଝେଇବାକୁ ଚେଷ୍ଟା କଲି। 

ଧ୍ୟାନ ଦେଇ ଶୁଣୁଥିଲେ ଗାଡିରେ ବସିଥିବା ସହକର୍ମୀ। 


କହି ଚାଲିଲି ମୁଁ ::

ଏହା ଗୁରୁବନ୍ଦନା। ତାର କାରଣ ପ୍ରତ୍ୟେକ ଦେବତା ଗୋଟିଏ ଗୁଣର ଅଧିକାରୀ, ଯଥା :

ବ୍ରହ୍ମା   🔸️ ସୃଷ୍ଟିକର୍ତ୍ତା 

ବିଷ୍ଣୁ   🔸️ ପାଳନକର୍ତ୍ତା 

ମହେଶ୍ବର  🔸️ସଂହାରକର୍ତ୍ତା 


କିନ୍ତୁ ଗୁରୁ .....


ତିନି ଦେବତାଙ୍କ ସମନ୍ଵିତ ରୂପ। 

ଗୁରୁ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା। 


ଆଁ କରି ଅନେଇଥିଲା ଗାଈଆଳ। ଜଣେ ସହକର୍ମୀ ପଚାରିବସିଲେ ସାର୍ ! ଗୁରୁ ସଂହାରକର୍ତ୍ତା କେମିତି ?

ସ୍ମିତହସି ବୁଝେଇଦେଲି ଦୁର୍ଗୁଣର ସଂହାର। 

ତେଣୁ ତିନି ଦେବତାଙ୍କ ଠାରୁ ଶ୍ରେଷ୍ଠ ଗୁରୁ। ଆଗକୁ ବଢୁଥିଲୁ ଆମେ। 


ମୋ ବାପା ଜଣେ ପ୍ରଧାନଶିକ୍ଷକ ଥିଲେ। ସେ ମୋର ପଢା ଗୁରୁ ଓ ସଂସ୍କାର ଗୁରୁ ବି । ବହୁତ କିଛି ଜୀବନଦର୍ଶନ ତାଙ୍କରି ଶିକ୍ଷା। ଗୋଟିଏ ଦୁଇଟି କଥାର ଅବତାରଣା କରୁଛି। 


ରାୟଗଡା ଜିଲ୍ଲାକୁ ଥରେ ପାଦପଡିଲା ବାପାଙ୍କର। ଥକ୍କିଯାଇ ବିଶ୍ରାମ କରୁଥିଲେ। ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସଉକ ସବୁ ବାପାମାଆଙ୍କର। ମୋର ବି ଥିଲା। ନାତି ବିଦ୍ୟାଳୟରୁ ଫେରି ସିଧା ଜେଜେଙ୍କ ଖଟ ଉପରେ ଚଢିଗଲା । ଆମେ ସ୍ୱାମୀ ସ୍ତ୍ରୀ କହିଉଠିଲୁ ବାପା ! ଆମ ପୁଅ ନର୍ସରୀ ପଢୁଛି କିନ୍ତୁ ଅନର୍ଗଳ ଇଂରାଜୀ। ବତିଶଟି ଇଂରାଜୀ କବିତା ମୁଖସ୍ଥ। ଗାଇଉଠିଲା ମୋ ପୁତ୍ରରତ୍ନ। ଖୁସିରେ କୁରୁଳି ଉଠୁଥିଲୁ ଆମେ। 


ହଠାତ୍.........


ଓଃ ଶବ୍ଦ ଶୁଣି ଧ୍ୟାନଭଙ୍ଗ ହେଲା ଓ ଦେଖିଲୁ ବାପା ଯନ୍ତ୍ରଣାରେ ଛଟପଟ। ବୁଝୁବୁଝୁ ପୁତ୍ରରତ୍ନ କବିତା ପାଠକରୁକରୁ ବାପାଙ୍କୁ ଶକ୍ତ ଗୋଇଠା ଦେଇସାରିଛନ୍ତି। 


ଲଜ୍ଜାରେ ମୁଣ୍ଡ ନଇଁଗଲା। ବାପା କହିଲେ, ବାବୁରେ ! ଇଂରାଜୀ ମାଧ୍ୟମିକ, ଓଡ଼ିଆ ମାଧ୍ୟମିକ କିଛି ନାହିଁ। ସଂସ୍କାର ସବୁଠାରୁ ବଡ କଥା। କଥାମାନି ଗୋଡଛୁଇଁ ମୁଣ୍ଡିଆ ମାରୁଥିଲି ମୁଁ। 


ଆଉ ଥରେ..........


କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଭଞ୍ଜନଗରର ମୂଖ୍ୟ ଅତିଥି ମୋ ବାପା। ସାଙ୍ଗରେ ମୋଟରସାଇକେଲରେ ନେଇଯାଇଥାଏ। ସେ ଜଣେ ଓଜସ୍ୱିନୀ ବକ୍ତା । 

ମୁଁ କଲେଜ ପ୍ରେକ୍ଷାଳୟରେ ( ଅଡିଟୋରିୟମ) କଲେଜଛୁଆଙ୍କ ସହ ବସିଥାଏ ବାପାଙ୍କ ବକ୍ତୃତା ଶୁଣିବା ପାଇଁ। 


ବାପା ବକ୍ତୃତା ଆରମ୍ଭ କଲେ। 


ହଠାତ୍.......


ମୋ ପାର୍ଶ୍ୱରେ ଭଗବାନପ୍ରଦତ୍ତ କେଶରାଶିକୁ ଶ୍ୱାନକେଶ ପରି କରିଥିବା କଲେଜଛୁଆ ଦୁଇଟା କହିଉଠିଲେ , ହେଇ ଦେଖରେ ଆମ ଅଧ୍ୟକ୍ଷକୁ ଆଉ କେହି ମିଳିଲା ନାହିଁ ଯେ ପଇସାଖର୍ଚ୍ଚ ହୋଇଯିବା ଭୟରେ ହାଇସ୍କୁଲ ପ୍ରଧାନଶିକ୍ଷକଟାକୁ ମୁଖ୍ୟ ଅତିଥି କରି ଆଣିଛି। ଆମର ଏଇ ଗୁରୁପୂର୍ଣ୍ଣିମା ଶୁଣିବାର ନାହିଁ । 


ବାସ୍......


ଆରମ୍ଭ ହୋଇଗଲା ହୋ ହଲ୍ଳା ଓ ହୁଇସିଲରେ ଅଡିଟୋରିୟମ ପ୍ରକମ୍ପିତ ହେଉଥିଲା। ମୁଁ ଅନ୍ତରରୁ ବାପାଙ୍କୁ ଗାଳିଦେଉଥିଲି। କ'ଣ ଦରକାର ଥିଲା ଏମିତି ସଭାସମିତିରେ ଯୋଗଦାନ କରି ଅପମାନିତ ହେବା। 

କିନ୍ତୁ....


ବାପା କଥାର ମୋଡ ବଦଳାଇ ଗୁରୁଗମ୍ଭୀର କଣ୍ଠରେ ଆରମ୍ଭ କଲେ ଚଳଚ୍ଚିତ୍ରର ଗୁମର କଥା। ପୁରା ପ୍ରେକ୍ଷାଳୟ ଚୁପ୍ । ମାଧୁରୀଦିକ୍ଷିତର ଅଣ୍ଟା ହଲା ନୃତ୍ୟର କାରଣ ବଖାଣୁବଖାଣୁ କରତାଳିରେ କମ୍ପୁଥିଲା ପ୍ରେକ୍ଷାଳୟର ବାତାବରଣ । ମତେ ଲାଗୁଥିଲା ବାତାୟନରୁ ଶୀତଳସମୀରର ପ୍ରବାହରେ ମୋ ଶରୀର ଥଣ୍ଡା। ମୁଁ ଉତଫୁଲ୍ଲିତ ହୋଇଉଠୁଥିଲି କାରଣ ମୋ ବାପା ମୋ ଗୁରୁ ଓ ଜଣେ ସଫଳମଣିଷ। 


କିଛି ସମୟ ପରେ......


ମୂଳ ଆଲୋଚନାକୁ ଫେରିଗଲେ ବାପା। 

ତାପରେ ପ୍ରଶ୍ନ କଲେ ଆଜିର ପବିତ୍ର ଦିବସ ପାଳନର ତାତ୍ପର୍ଯ୍ୟ କିଏ କହିପାରିବ ? ସମସ୍ତେ ଚୁପ୍ ।


ଜଣେ ଶୁକ୍ଳକେଶୀ ଛାତ୍ରୀକୁ ପଚାରିଲେ ବ୍ୟାସ ପୂର୍ଣ୍ଣିମା କ'ଣ ? 


ଠିଆହୋଇ ଲାଜେଇଗଲା ଶୁକ୍ଳକେଶୀ ଛାତ୍ରୀଜଣକ। 


ବାପା ଆରମ୍ଭ କଲେ  


" *ବ୍ୟାସୋଚ୍ଚିଷ୍ଟଂ ଜଗତଇଦମ୍*"

ଅର୍ଥାତ୍ ସଂସାରରେ ଯେତେଜ୍ଞାନ ସବୁ ବ୍ୟାସଙ୍କ ଅଇଁଠା। 


*" ବ୍ୟାସ ଗୁରୁନାଂ ଗୁରୁ"*। 

ଅଷ୍ଟାଦଶ ପୁରାଣ, ମହାପୁରାଣ ତାଙ୍କରି ସର୍ଜନା। ବ୍ୟାସଙ୍କୁ ପୁରାଣସଂସ୍କୃତି ଅବର୍ଣ୍ଣନୀୟ ଉଚ୍ଚସ୍ଥାନ ଦେଇଛି। 


ବ୍ୟାସାୟ ବିଷ୍ଣୁରୃପାୟ ବିଷ୍ଣୁରୂପାୟ ବିଷ୍ଣବେ, 

ନମୋ ବୈ ବ୍ରହ୍ମ ବିଧବେ ବାସିଷ୍ଟାୟ ନମୋନମଃ। 


ତେଣୁ ତାଙ୍କରି ଜନ୍ମଦିବସକୁ ବ୍ୟାସପୂର୍ଣିମା ରୂପେ ପାଳନ କରାଯାଏ। ଭାଗବତର ଚବିଶ ଅବତାରରୁ ବ୍ୟାସ ଭଗବାନଙ୍କ ଅନ୍ୟତମ ଅବତାର। 

ସେ ଗୁରୁଙ୍କ ଗୁରୁ ହୋଇଥିବାରୁ ବ୍ୟାସପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ମଧ୍ୟ କୁହାଯାଏ। 


ମୁଁ ଆରୁଣି କି ଏକଲବ୍ୟ ନୁହେଁ କିନ୍ତୁ ବାପାଙ୍କ ପାଣ୍ଡିତ୍ୟର ମୁଁ ପୂଜାରୀ। 

ସୁନ୍ଦର ଭାବରେ ସମ୍ମାନର ସହ ସଭାକାର୍ଯ୍ୟ ସମ୍ପାଦନ କରି ବାଇକରେ ଫେରିଲୁ ବାପାପୁଅ। ରାସ୍ତାରେ ନିଜକୁ ରୋକିନପାରି କହିଲି, ବାପା ! ଏମିତି ବାଜେ ସଭାସମିତିକୁ ନଆସିଲେ ହୁଅନ୍ତାନି ? ଆଜି ଅପଦସ୍ତ ଲାଗୁଥିଲା। 


ହସୁଥିଲେ ସେ। 


କହିଲେ, ଏଇ ସାମାନ୍ୟ କଥାରେ ବିଚଳିତ ହୋଇ ଉଠିଲେ ବିକ୍ଷୁବ୍ଧ ବୀଚିମାଳାରେ ବୋଇତ ବିଭ୍ରଷ୍ଟ ହୋଇଯିବ। ପରିସ୍ଥିତିର ମୁକାବିଲା କରିବା ଦରକାର, ଦୂରେଇଯିବା ନୁହେଁ। ମୋ ଆଖିରେ ଅଶ୍ରୁର ପ୍ଳାବନ। ଲୁହରେ ସାମ୍ନା ରାସ୍ତା ଦେଖାଗଲାନାହିଁ, ଗଛରେ ପିଟିହେଉହେଉ ଅଳ୍ପକେ ବର୍ତ୍ତିଗଲୁ ଦୁହେଁ। ଗୁରୁ ଦ୍ରୋଣାଚାର୍ଯ୍ୟ ଓ ମୁଁ ଏକଲବ୍ଯ ମୁଁ ମୋ ବାପାଙ୍କର। ସମୟ ନାଆରେ ଆମେ ନାଉରୀ। 


ସମୟ ଚକ୍ରରେ ମୋ ସଂସାରଜଞ୍ଜାଳ ବଢିଲା।ବାପାମାଆଙ୍କ ସମ୍ପର୍କ ଛିଡିଲା। ସହରୀ ସଭ୍ୟତା ଚାକିରୀଆ ପରିବାରର ନିଆରା। ଛୁଆଙ୍କ ପାଠପଢା ପାଇଁ ସ୍ତ୍ରୀରହେ ସହରରେ। ସ୍ୱାମୀ ଏକା ଏକା କେଉଁ ନିଭୃତ ମଫସଲରେ ନିଜର ରକ୍ଷଣାବେକ୍ଷଣ ନିଜେକରେ। ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଦାୟିତ୍ୱ ନିଜେ ବହନ କରେ। ସେତେବେଳେ ମନେପଡେ ଛୋଟବେଳେ ଲେଖିଥିବା ରଚନା :  *ହଡାବଳଦର ଆତ୍ମ କାହାଣୀ*।


ଏକାଏକା ରୋଷେଇକରି ହାତ ପୋଡିଯିବା ସମୟରେ ଫୋନରେ ସ୍ତ୍ରୀକୁ କୁହେ, ହେଇଟି ରୋଷେଇ କରୁକରୁ ହାତ ପୋଡିଗଲା। କର୍କଶ ଉତ୍ତର ମିଳେ ବର୍ଣ୍ଣଲ ଲଗେଇଦିଅ। ମୋର ସହର ଛାଡି ସେଇ ଗାଆଁକୁ ଯିବାର ନାହିଁ । ମୁଁ କ'ଣ କରିପାରିବି ?

ସେହି ସମୟରେ ମନେପଡେ ବାପା ପାଖରେ ଥିଲେ ହୁଏତ ଏହାର ଉପାୟ ଓ ସମାଧାନ କହିଦିଅନ୍ତେ। ମନଟା ପୋଡିଯିବା ସମୟରେ ସେ ହୁଏତ ଆଶ୍ୱାସନାର ମଲମ ଲଗେଇ ଦିଅନ୍ତେ। ସେ ପରା ଗୁରୁ। ସେ ଶ୍ରେଷ୍ଠ। ସବୁ ସମାଧାନ ତାଙ୍କରି ପାଖରେ। 


କିନ୍ତୁ........


ମନେମନେ ଭାବେ ,


ନା.....


ବାପା ବି ବୋଧହୁଏ ଏଇ ଏକବିଂଶ ଶତାବ୍ଦୀର ସାରଦିଆ ଖାଦ୍ୟ ଖିଆ ମନୁଷ୍ୟର ମନସ୍ତତ୍ତ୍ୱ ବୁଝିବାରେ ଅସମର୍ଥତା ପ୍ରକାଶ କରିଥାଆନ୍ତେ। ସତରେ କ'ଣ ସେ ଏହି ସମସ୍ୟାର ସମାଧାନ କରିପାରିନଥାନ୍ତେ ?


ତଥାପି.....


ହେ ବାପା !


ହେ ଗୁରୁ ! 


ଆଶାର, ସମାଧାନର କାଣିଚାଏ କିରଣ ପାଇଁ ବ୍ୟାକୁଳ ଏ ମନ ପଚାରୁଛି ,


*ତମେ କେଉଁଠି* ??


ଉତ୍ତର ଅମୀମାଂସିତ ।।।




Rate this content
Log in

Similar oriya story from Inspirational