ବାପାଙ୍କ ଶ୍ରାଦ୍ଧ ସରିବା ପରେ ତାଙ୍କ ତାଲା ପକା ହାତବାକ୍ସଟିକୁ ଖୋଲି ଦେଖିବାକୁ କକେଇ କହିଥିଲେ ନିଶାନ୍ତକୁ. ପ୍ରଥମେ ରାଜି ହେଉନଥିବା ନିଶାନ୍ତ ଖୋଲିଥିଲା କାଳେ ବାପାଙ୍କର କିଛି ନିର୍ଦେଶ ଥିବ ଭାବିକି ତ ବାହାରିଥିଲା ଏକ ଲଫାପା. ଯାହାର ରଙ୍ଗ ଥିଲା ନୀଳ. ବାପା ଲେଖିଥିଲେ ତତେ ବାହା ଦେବା ପରେ ତୋ ପାଖରେ ନରହି କାହିଁକି ଗାଁରେ ରହୁଥିଲି ଭାବି ତୋ ମନରେ ଝଡ଼ ସୃଷ୍ଟି ହୋଇଥିବ. ତୁ ଭାବୁଥିବୁ ତୋର ପୁଅ ହିସାବରେ ଯାହା କର୍ତ୍ତବ୍ୟ ତୁ କରୁଛୁ ନା ନାହିଁ ନଜାଣି ତୋ ପାଖରେ ନରହିବା ହୁଏତ ମୋର ଏକ ଅପରାଧ ହୋଇପାରେ କିନ୍ତୁ ପୁଅରେ ତୁ ମୋର ଜନ୍ମିତ ସନ୍ତାନ ନୁଁହଁ. ଏ କଥା ମୁଁ ଜାଣିଛି ହେଲେ ତୁ ଜାଣିନୁ. ତିନି ତିନିଟା ପିଲାଙ୍କୁ ଜନ୍ମ ଦେଇ ସେମାନଙ୍କ ମୃତ୍ୟୁରେ ଭାଙ୍ଗି ପଡି ମାଆ ତୋର ସେପୁରକୁ ଚାଲିଯିବା ପରେ ମୁଁ ଆମ ଗାଁ ଗଣେଷ ମନ୍ଦିର ସାମ୍ନାରେ ବସି ମୋ ଭାଗ୍ୟକୁ ଅନୁଶୀଳନ କରେ. ତୋ ଜେଜେ ଦେଇଥିବା ଛୋଟ ଓ ବଡ଼ ରୁଦ୍ରାକ୍ଷ୍ ଦୁଇଟିର ଆଉ ମୂଲ୍ୟ କଣ ଭାବି ସେଦିନ ସେହି ବିଘ୍ନ ବିନାଶନ ମନ୍ଦିର ଆଗରେ ଥିବା ଜଳାଶୟ ନିକଟକୁ ଆଗେଇ ଯାଏ ତ କୁଆଁ କୁଆଁ ଶବ୍ଦରେ ସେ ସ୍ଥାନ ପ୍ରକମ୍ପିତ ହେଉଥିବାର ଦେଖି ତତେ ପାଇଥିଲି. ବହୁ ଅନୁସନ୍ଧାନ ପରେ ମଧ୍ୟ ତୋ ପରିଚୟ ପାଇବାରେ ସମର୍ଥ ନହୋଇ ଗଣେଷ ପ୍ରଭୁଙ୍କ କଥା ମନେପକାଇ ମୁଁ ନିଜକୁ ଆଶୁତୋଷଙ୍କ ସ୍ଥାନରେ ରଖି ଶିବ ହୋଇଗଲି. ପାର୍ବତୀ କିଏ ମୁଁ ଜାଣେନା କିନ୍ତୁ ତୋ ପାଇଁ ନୂଆ ମାଆ ବଦଳରେ ନିଜେ ମାଆ ଓ ବାପା ହୋଇ ବଢ଼େଇ ତତେ ବଡ଼ କରି ନିଜ ପସନ୍ଦର ଝିଅ ସହ ବିବାହ ଦେଲା ପରେ ତୋ ପାଖରୁ ମୋ ପିତୃ ଋଣ ପରିଶୋଧ କରିବାକୁ କାହିଁକି କେଜାଣି ପାପବୋଧ ମନେ ହେଲା. ନିଜ ସ୍ୱାର୍ଥ ପାଇଁ ତ ତତେ ମୁଁ ପାଳିଛି ବୋଲି ଭାବି ତୋଠୁ ଓ ତୋ ସ୍ତ୍ରୀ ଠୁ ଦୂରେଇ ଅନେକ କଷ୍ଟ ପାଇଛି. ତୋ ଜନ୍ମ ବୃତ୍ତାନ୍ତ ସମସ୍ତଙ୍କୁ ଅଗୋଚର. ତୁ ମୋ ଗଣେଷ, ତୁ ମୋ ଶ୍ରୀକୃଷ୍ଣ ପରି ତୋ ପାଇଁ ସବୁ ଯେମିତି ଵିଧି ନିର୍ଦ୍ଦିଷ୍ଟ ଥିଲା. ଗାଁରୁ ତତେ ନେଇ ମୋ ଚାକିରୀ ଜାଗାକୁ ଚାଲିଯାଇଥିଲି. ପରେ ସମସ୍ତେ ଜାଣିଥିଲେ ତତେ ଜନ୍ମ ଦେଇ ତୋ ମାଆ ମୃତ୍ୟୁ ବରଣ କରିଥିଲା. ସମସ୍ତଙ୍କୁ ଧୋକା ଦେଇ ହୁଏ କିନ୍ତୁ ନିଜକୁ କ୍ଷମା କରି ପାରିନଥିଲି. ନାତି ନାମରେ ମୋ ପେନସନ ଟଙ୍କାରୁ ରଖିଥିବା ଏଇ ଅଳ୍ପ ଟଙ୍କାକୁ ତା ପଢ଼ାପଢ଼ିରେ ଖର୍ଚ୍ଚ କରିବୁ. ବାରିପଟେ ଥିବା ଆମ୍ବ, ପଣସ ପିଜୁଳି, ନଡ଼ିଆ ଗଛ ସବୁ ଗୋଟେ ଗୋଟେ ପୁଅ ପରି ମୋର ତାଙ୍କୁ କେବେ ହାଣିବୁନି. ତୋର ଆଗକୁ ପଛକୁ କେହି ନାହିଁ ତେଣୁ ମୋ ଅସ୍ଥି ଆମ ଗାଁ ବାରିପଟେ ସମାଧି କରି ରଖିଦେବୁ. ଗଙ୍ଗା, ଗୋଦାବରୀ କି ଆଲ୍ହାବାଦ ଯିବା ଦରକାର ନାହିଁ. ମୋ ପିତୃପୁରୁଷ ଯେମିତି ସମାଧି ବାରିରେ ଅଛନ୍ତି ତୋ ମାଆ ସମାଧି ପାଖେ ମତେ ସମାଧି ଭିତରେ ରଖିବୁ. ଏସବୁ କଥା ବୋହୁ ଜାଣୁ କିନ୍ତୁ ତୁ ମୋ ପୁଅ ନୁଁହଁ ବୋଲି କେହି ନଜାଣୁ.
ଚିଠିଟି ପଢ଼ିସାରିବା ବେଳକୁ ଝାଳ ନାଳ ଓ ଲୁହ ସରସର ଅବସ୍ଥା ଦେଖି ନିଶାନ୍ତର ସମସ୍ତେ ଚିଠିର ବିଷୟ ବସ୍ତୁ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ. ଶ୍ରାଦ୍ଧ ପରେ ଆଜି ନୂଆ ପଇତା ପିନ୍ଧିବାକୁ କକେଇ ଓ ତାଙ୍କ ପୁଅ ଡାକୁଥିଲା ବେଳେ ସେ ଦୌଡୁଥିଲା ବଗିଚା ଭିତରେ ଥିବା ଗଛ ଗୁଡିକ ପାଖକୁ. ସେହି ସବୁ ଗଛ ଦେହରେ ପଇତା ବାନ୍ଧି ଫେରିଆସିଲା ବେଳକୁ ଆନି ଚିଠିଟିକୁ ଆମୂଳ ଚୂଳ ପଢି ସାରିଥିଲା ଓ କହୁଥିଲା ଗଛ ସବୁକୁ ପଇତା ବାନ୍ଧି ତୁମ ଭାଇ କରିଛ ଭଲ କଥା କିନ୍ତୁ ତୁମକୁ ପଇତା ପିନ୍ଧିବାକୁ ପଡିବ ନଚେତ ତୁମ ବାପାଙ୍କ ଆତ୍ମା କଷ୍ଟ ପାଇବ ତ ଏଥର ଵିନା ପ୍ରତିବାଦରେ ପଇତା ପିନ୍ଧୁ ପିନ୍ଧୁ ସେ ଦୁଇ ଛୋଟ ବଡ଼ ରୁଦ୍ରାକ୍ଷ୍ କୁ ବୁକୁରେ ଚାପି ଧରି କାନ୍ଦୁଥିଲା କଇଁ କଇଁ.