Satyabati Swain

Inspirational

4  

Satyabati Swain

Inspirational

ହାତ ଖର୍ଚ୍ଚ

ହାତ ଖର୍ଚ୍ଚ

3 mins
493


ମୋର ଦୁଇ ଦିନ ଛୁଟି ସରି ଯାଇଥିଲା। ରବିବାରକୁ ମିଶେଇ ତିନି ଦିନ କେମିତି କଟି ଗଲା ଜଣା ପଡିଲା ନାହିଁ। ଭାଇ ଭାଉଜଙ୍କୁ ସାଙ୍ଗରେ ଧରି କଟକ ଆସିବାକୁ ସୋମବାର ଭୋରୁ ଭୋରୁ ପ୍ରସ୍ତୁତ ହେଲି। ମାଆ ପାଖେ କାମବାଲୀଟିଏ ରହିଲା । ଆସିଲା ବେଳେ ମାଆ ମୁଆଁ ପିଠା, ବଡି , ଅରୁଆ ଉଷୁନା ଚାଉଳ, ମୁଗ ଡାଲି ,ନଡ଼ିଆ ଓ ଛେନା ଦେବ ବୋଲି ବନ୍ଧାବନ୍ଧି କଲା।


ବାପାଙ୍କ ଥଣ୍ଡା ଦୁଇଟି ଟାଵଲେଟରେ ଭଲ ହୋଇ ଯାଇଥିଲା ଯାହା ୟାନା ଭାବି ଶ୍ରୀ ପେସକ୍ରାଇବ କରିଥିଲେ। ବାପା ଉଠି ବେଡ୍ ଉପରେ ବସିଥିଲେ ତଳକୁ ମୁହଁ ପୋତି। କିଛି ଭାବୁଥିଲେ ବୋଧେ।ଆସିଲା ବେଳେ ବାପାଙ୍କ ତକିଆ ତଳେ କିଛି ଟଙ୍କା ଚୁପ୍ କିନା ରଖିଲି ତାଙ୍କ " ହାତ ଖର୍ଚ୍ଚ" ପାଇଁ । ବାପାଙ୍କୁ ପ୍ରଣାମ ହୋଇ କହିଲି ,ଆସୁଛି ବାପା।


ଯେତେ ରୋଜଗାର କଲେ ବି ପିଲା ଛୁଆଙ୍କ ହାତ ଖର୍ଚ୍ଚ ଟଙ୍କାରେ ନିଆରା ଖୁସି ଥାଏ। ଯେତେ ଥର ଘରକୁ ଆସେ ବାପାଙ୍କ ହାତ ଖର୍ଚ୍ଚ ତାଙ୍କ ତକିଆ ତଳେ ଲୁଚେଇକି ରଖି ଯାଏ ସଭିଙ୍କ ଅଜଣାତେ।


ମୁଁ ଗଲା ପରେ ମାଆ ଶୋଇବା ପୂର୍ବରୁ ବେଡ୍ ସିଟ୍ ବଦଳେଇବା ବେଳେ ଟଙ୍କା ଦେଖି କୁହେ ,ଟଙ୍କା ରଖିବାକୁ ଜାଗା ଅଭାବ ହେଲା ଯେ ଶେଷକୁ ତକିଆ ତଳେ ରଖିଲ।


ବାପା ବିସ୍ମୟ ହୋଇ କୁହନ୍ତି ଟଙ୍କା !!


ମାଆ ଗୋଟି ଗୋଟି ଗଣି କୁହେ, ହଁ ଏଗାର ହଜାର ଟଙ୍କା । ମହାପାତ୍ର ବାବୁଙ୍କର ଟଙ୍କା ବହୁତ ହେଲାଣି ତ ଏଣେ ତେଣେ ପଡୁଛନ୍ତି ।


ବାପାଙ୍କ ଆଖି ଜକେଇ ଆସେ । ଏଠି କାଇଁ ମୁଁ ଟଙ୍କା ରଖିବି ? ଜହ୍ନ ଗଲାବେଳେ ଏଇଠି ଏପଟ ସେପଟ ହେଉଥିଲା ସେ ରଖିଥିବ । ବୁଝିଲ ଶୈଳ ଦୁଇ ଦୁଇଟି ପୁଅ ଜନ୍ମ କଲେ ବି ଗୋଟିଏ ନୂଆ ପଇସା କେହି ଦେବାର ଜାଣିନି ଏ ପର୍ଯ୍ୟନ୍ତ । କିନ୍ତୁ ଜହ୍ନଟି ସମସ୍ତଙ୍କ ମନ କିଣିଲା ପରି କାମ କରେ । ସେ କଣ ଜାଣି ନାହିଁ ଟଙ୍କାର ଅଭାବ ମୋର ନାହିଁ ? ତଥାପି ଯେତେ ଥର ଆସିବ ଏଇ ଏଗାର ହଜାର ଟଙ୍କା ତକିଆ ତଳେ ରଖିବାକୁ ସେ ଭୁଲେ ନାହିଁ।


ଏଗାର ହଜାର କାହିଁକି ? ତାଠାରୁ କମ୍ କି ତାଠାରୁ ବେଶୀ ରଖେନି , ମାଆ ବାପାଙ୍କୁ ପଚାରେ।


ଅଦ୍ଭୁତ ଧୀଶକ୍ତି ମୋ ଝିଅର । ପିଲାଦିନେ ଥରେ ତାକୁ ଅନାଥ ଆଶ୍ରମ ବୁଲେଇ ନେଇଥିଲି। ସେଇ ଆଶ୍ରମକୁ ଏଗାର ହଜାର ଟଙ୍କା ଦାନ କରିଥିଲି।


ଜହ୍ନ ପଚାରିଲା , ଏଠି ଏଗାର ହଜାର କାହିଁକି ଦେଲ ? ଏଗାର ହଜାରଠାରୁ ଅଧିକ କି କମ୍ ଦେଲ ନାହିଁ ?


ଏଗାର ସଂଖ୍ୟା ମୋ ପାଇଁ ଓ ତୋ ପାଇଁ ଗୋଟେ ଶୁଭ ସଂଖ୍ୟା। ତୋର ମୋର ରାଶି ଏକା ତ ।


ଆଛା ।ଏ ଟଙ୍କା ଏଠି କଣ ହେବ?


ଏଠି ଥିବା ପିଲା ମାନଙ୍କ ଖର୍ଚ୍ଚ ପାଇଁ।


କାହିଁକି ଏମାନଙ୍କର ବାପା ମାଆ ତାଙ୍କ ଖର୍ଚ୍ଚ କରିବେ ନାହିଁ କି ?


ନା ଏମାନଙ୍କ ବାପା ମାଆ ନାହାଁନ୍ତି ?


ଓଃ ଯେତେବେଳେ ବଡ଼ ହେବି ଓ ରୋଜଗାର କରିବି ମୁଁ ବି ଏଗାର ହଜାର ଟଙ୍କା ଦେବି ବାପା।


ହଁ ନିଜ ସାମର୍ଥ୍ୟ ମୁତାବକ ଅନ୍ୟକୁ ସାହାଯ୍ୟର ହାତ ବଢ଼େଇବା ଏକ ମହତ ଗୁଣ।


ସେଇ ଦିନୁ ମନେ ରଖିଛି ଏଗାର ସଂଖ୍ୟା।ଭିକାରୀକୁ ଭିକ ଦେଲେ ଏଗାର, ପୂଜକକୁ ପାଉଣା ଦେଲେ ବି ଏଗାର ଟଙ୍କା ତାର ଲୋଡ଼ା ପଡେ। ଦଶହରା ଖର୍ଚ୍ଚ ସମସ୍ତଙ୍କୁ ଦେଲାବେଳେ ବି ସେଇ ଏଗାର ଟଙ୍କା ରଖି ଆଉ ସବୁ ଫେରେଇ ଦିଏ।


ଯୋଗକୁ ସେ ଜନ୍ମ ନଭେମ୍ବର ମାସ ଏଗାର ତାରିଖରେ, ଚାକିରୀରେ ସେଇ ନଭେମ୍ବରରେ ମାସ ଏଗାର ତାରିଖରେ ଯୋଗ ଦେଲା। ଏଣୁ ପିଲାଦିନୁ ଏଗାର ପ୍ରତି ତାର ଗୋଟେ ଦୁର୍ବଳତା ରହି ଯାଇଛି।


ବାପା କୁଆଡେ ମନ ଖୋଲା ହସ ହସି କୁହନ୍ତି ,ତା ଟଙ୍କା ଅନାଥ ଆଶ୍ରମକୁ ପଠେଇ ଦେବା।


ମାଆ ଠାରୁ ଏକଥା ଶୁଣି ମୋତେ ବହୁତ ଆନନ୍ଦ ଲାଗେ। ବାପାଙ୍କ ମନରେ ହେଉ ପଛେ ଟିକେ ଖୁସି ତ ଦେବାର କାରଣ ହୋଇ ପାରୁଛି ?


ମାଆ ପଚାରେ, ବାପାଙ୍କର ତ ଅଭାବ କିଛି ନାହିଁ ତୁ କାହିଁକି ତାଙ୍କୁ ଟଙ୍କା ଦେଉ।


ଟଙ୍କା କେତେବେଳେ ଦିଏ ,ଭୋଗ ଦିଏ ନା ଈଶ୍ବରଙ୍କର କଣ ନାହିଁ କହିଲୁ ମାଆ । ସବୁ ତ ସେ ଆମକୁ ଦେଇଛନ୍ତି। ତେବେ ବି ଆମେ କାଇଁ ତାଙ୍କୁ କଦଳୀଟିଏ କି ନଡ଼ିଆଟିଏ ଭୋଗ ଲଗାଉ ?


ମାଆ ମୋତେ କୋଳେଇ ନେଇ କୁହେ ,ସତେ ତ ଏତେ କଥା ଭାବି ନ ଥିଲି !!!


ଏଥରକ ହାତ ଖର୍ଚ୍ଚ ବି ଆସିଲା ବେଳକୁ ବାପାଙ୍କ ତକିଆ ତଳେ ରଖି ଦେଇ ଆସିଲି।



Rate this content
Log in

Similar oriya story from Inspirational