ଗୁରୁଶିଷ୍ୟ
ଗୁରୁଶିଷ୍ୟ
ଜେଜେ ଆଜି ଏତେବେଳେ ଯାଏ କଣ ଶୋଇଛ?
କାଇଁ ଆଜି କଣ କି ସୋନୁ?
ଗେସ୍ କର ଜେଜେ ।
ଆରେ ମନେ ପଡ଼ୁନିରେ କହ କଣ ଆଜି?
ମୋତେ ଯଦି ଗପ କହିବ ପ୍ରମିଜ୍ କର ତ କହିବି,ନ ହେଲେ ନାଇଁ ।
ହେଉ କହ,ଗପ କହିବି ।
ଆଜି ସେପ୍ଟେମ୍ବର ପାଞ୍ଚ ଜେଜେ ।
ତ କଣ ହେଲା ?
ଓହୋ ଜେଜେ ସତରେ ତୁମର କିଛି ମନେ ରହୁନି ।
କଣ କରିବି ବାବା ବୁଢ଼ା ହେଲିଣି ପରା ।
ବୁଢ଼ା ! ମୋ ସାଙ୍ଗ ମାନେ ତ କୁହନ୍ତି ତୁମେ ହିରୋ ପରି ଦିଶୁଛ । ତୁମେ କଣ କହୁଛ ନା ବୁଢା । ସେ ଚାଲାକି ଚଳିବନି । ଭାବୁଛ ଏମିତି କହିଲେ ମୁଁ ଛାଡ଼ିଦେବି । ଆଜି ଗପ କହିବ ହିଁ କହିବ ।
କହିବି ବାବା କହ ଆଜି କଣ?
ସେପ୍ଟେମ୍ବର ପାଞ୍ଚ ମ ଟିଚରସ୍ ଡେ ।
ଆରେ ମୁଁ କେମିତି ଭୁଲିଗଲି ! ଏ ଦିନଟି ମୋ ପାଇଁ କେତେ ବଡ଼ ।
ହେଉ ରହ ମୁଁ ମୋ ଗୁରୁଙ୍କୁ ଟିକେ ସ୍ମରଣ କରେ ।
ଜାଣିଲୁ ସୋନୁ ! ଗୁରୁଶିଷ୍ୟ ଗୋଟିଏ ପରମ୍ପରା ଆମ ଜୀବନରେ ।
ପରମ୍ପରା ସେ ପୁଣି କଣ ଜେଜେ?
ଆରେ ତୁମେ ସବୁ ତ ଇଂଗିଲିଶ ସ୍କୁଲରେ ପଢିଲ । ଏତେ ଭିତରକୁ ଯିବ କେମିତି?
ତୁମେ କୁହ ବୁଝି ପାରିବି । ଆଫ୍ଟର ଅଲ୍ ମୋର ଷ୍ଟାଣ୍ଡର୍ଡ ସିକ୍ସ ହେଲାଣି ଜେଜେ, ସବୁ ବୁଝି ପାରିବି କୁହ ।
ହେଉ ଶୁଣୁ ।
ସମାଜ ଶୃଙ୍ଖଳିତ ଓ ସମୃଦ୍ଧ ହୁଏ ପରମ୍ପରାରେ । ପରମ୍ପରା ବଞ୍ଚେ ମଣିଷ ଛାତିରେ । ପରମ୍ପରା ସମାଜ କୈନ୍ଦ୍ରିକ ।
ପରମ ବ୍ରହ୍ମ ସୃଷ୍ଟି ସର୍ଜନାର ଦାୟିତ୍ୱ ଦେଇଥିଲେ ପ୍ରଜାପିତା ବ୍ରହ୍ମାଙ୍କୁ । ପ୍ରଜାପିତା ବ୍ରହ୍ମାଙ୍କ ତପରୁ ଜାତ ସମସ୍ତ ସନ୍ତାନ ତପ ଭିତରେ ବୁଡିଗଲେ । ବିଶ୍ୱ ସୃଷ୍ଟି ହେବ କେମିତି ? ପୁତ୍ର ଋଷି କର୍ଦ୍ଦମ ଙ୍କୁ ସଂସାର ଗଢିବାକୁ ପରାମର୍ଶ ଦେଇଥିଲେ ବ୍ରହ୍ମା । ତପ ଆଚରଣରୁ ଅନନ୍ତ ସୁଖ ପାଉଥିବା ଋଷି କର୍ଦ୍ଦମ ସଂସାର କରିବାକୁ ଅନିଚ୍ଛୁକ ହୁଅନ୍ତେ ସ୍ୱୟଂ ପରଂବ୍ରହ୍ମ ଋଷି କର୍ଦ୍ଦମ ପୁତ୍ର ରୂପେ ଜନ୍ମ ନେଇ ତାଙ୍କ ଜୀବନ ଧନ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ତାପରେ ସୃଷ୍ଟିର ପ୍ରଥମ ମାନବ ମନୁ ମହାରାଜଙ୍କ ଦୁହିତା ଦେବହୂତିଙ୍କ ସହ କର୍ଦ୍ଦମ ଋଷିଙ୍କର ଶୁଭ ପରିଣୟ ଅନୁଷ୍ଠିତ ହୋଇଥିଲା । ଶ୍ରୀ ବିଷ୍ଣୁ କର୍ଦ୍ଦମ ଋଷିଙ୍କ ପୁତ୍ର କପିଳ ମୁନୀ ରୂପେ ଜନ୍ମ ଗ୍ରହଣ କରିଥିଲେ ।
ବୋଧହୁଏ ସେଇଠୁ ଆରମ୍ଭ ହୋଇଥିଲା ପବିତ୍ର ବନ୍ଦନୀୟ ଗୁରୁଶିଷ୍ୟ ପରମ୍ପରା । ପୁଅ କପିଳ ହୋଇଥିଲେ ଗୁରୁ । ଜନ୍ମଦାତ୍ରୀ ମା ଦେବହୂତି ହୋଇଥିଲେ ଶିଷ୍ୟା । ମା ଦେବହୂତି ନିଜ ପୁତ୍ର କପିଳ ମନିଙ୍କୁ ଗୁରୁ ରୂପେ ଗ୍ରହଣ କରି ତାଙ୍କ ଠାରୁ ଦିବ୍ୟଜ୍ଞାନ ଆହରଣ କରିଥିଲେ । ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ତୃତୀୟ ସ୍କନ୍ଧରେ ବର୍ଣ୍ଣିତ କପିଳ - ଦେବହୂତି ଉପାଖ୍ୟାନ ପାଠ କଲେ ଏହା ଜଣା ପଡ଼ିଥାଏ ।
ସ୍ଵୟଂ ଭଗବାନ ଗୀତାରେ କହିଛନ୍ତି:-
"ଗୁରୁ ନଥାଇ ଅର୍ଜୁନ
କାହୁଁ ପାଇବ ଦିବ୍ୟଜ୍ଞାନ!"
ବାସ୍ତବିକ୍ ଗୁରୁ ବିନା ଦିବ୍ୟଜ୍ଞାନ ଲାଭ ଅସମ୍ଭବ । ଏଣୁ ସୃଷ୍ଟି ଆରମ୍ଭରୁ ବନ୍ଦନୀୟ ଗୁରୁ ଶିଷ୍ୟ ପରମ୍ପରା ରହି ଆସିଛି ।
ଗୁରୁ ଶିଷ୍ୟର ସମ୍ପର୍କ ଅତି ଅମାୟିକ । ସର୍ବ ପ୍ରଥମ ଓ ସର୍ବ ପ୍ରାଚୀନ ଏ ମହନୀୟ ପରମ୍ପରା । ଗୁରୁ ଆଶ୍ରମରେ ପିଲାମାନେ ରହି ଅଧ୍ୟୟନ କରୁଥିଲେ । ଗୁରୁଙ୍କ ଆଶ୍ରମରେ ବେଦ, ଶାସ୍ତ୍ର, ଅସ୍ତ୍ରଶସ୍ତ୍ର ଵିଦ୍ୟା ଅଧ୍ୟୟନ ସହ ଶ୍ରମ ପ୍ରତି ଶ୍ରଦ୍ଧା,ସୁ ସଂସ୍କାର,ଚରିତ୍ର ଗଠନ, ପୂଜ୍ୟ ପୂଜା,ଆଦି ଏକ ସୁଶୃଙ୍ଖଳିତ ପଦ୍ଧତିରେ ଶିକ୍ଷାଦାନ କରା ଯାଉଥିଲା ।
ସ୍ୱୟଂ ଭଗବାନ ନର ରୂପେ ରାମ କୃଷ୍ଣ ଅବତାର ହୋଇ ଥିଲେ ମଧ୍ୟ ସେମାନେ ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ରହି ବେଦ, ଶାସ୍ତ୍ର, ଆଦି ଶିକ୍ଷା କରିଥିଲେ । ଗୁରୁକୁଳର ସମସ୍ତ ବିଧି ବିଧାନ ମାନୁଥିଲେ । ବଣରୁ କାଠ ସଂଗ୍ରହ ହେଉ ବା ଗୋପାଳନ ସବୁ କାମ ଖୁସି ଖୁସି କରୁଥିଲେ ।
ଶିଷ୍ୟ ଗୁରୁଙ୍କ ଆତ୍ମା ।
ଗୁରୁ ଶିଷ୍ୟମାନଙ୍କର ପୂଜା ।
ପାଣ୍ଡଵ ପାଞ୍ଚ ଭାଇ ଓ କୌରବ ଶହେ ଭାଇ ମଧ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ ଥିଲେ । ସେ ରାଜକୁମାରମାନଙ୍କୁ ବେଦ, ଶାସ୍ତ୍ର, ଦିବ୍ୟାସ୍ତ୍ର ଆଦି ଶିକ୍ଷା ଦେଉଥିଲେ ।
ଯାହାଙ୍କ ଶିକ୍ଷା ପାଇଁ ମଧ୍ୟମ ପାଣ୍ଡଵ ଅର୍ଜୁନ ବିଶ୍ୱର ଅଦ୍ଵିତୀୟ ଧନୁର୍ଦ୍ଧର ହୋଇ କାଳକାଳକୁ କାଳଜୟୀ ହୋଇ ରହିଛନ୍ତି ।
ପ୍ରତ୍ୟକ୍ଷ ଶିକ୍ଷା ନ ନେଇ ମଧ୍ୟ ଏକଲବ୍ୟଙ୍କ ଗୁରୁ ଭକ୍ତି ମଣିଷ ବୁକୁରେ ଲେଖା ହୋଇଥିଲା, ହୋଇଅଛି ଏବଂ ଲେଖା ହୋଇ ରହିଥିବ ଅନନ୍ତ କାଳ ପର୍ଯ୍ୟନ୍ତ । ଗୁରୁ ଦକ୍ଷିଣା ଦେବା ପାଇଁ କୁଣ୍ଠିତ ଚିତ୍ତରେ ସହସା ନିଜ ବୃଦ୍ଧାଙ୍ଗୁଳି କାଟି ଦେଇଥିଲେ ବିଶ୍ୱ ବିଜୟୀ ଶିଷ୍ୟ ଏକଲବ୍ୟ ।
ଆଜନ୍ମ ସଂସାର ବିମୁଖ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗ ଅତି ମନୋମୁଗ୍ଧକର । ଯିଏ ପ୍ରକୃତି, ସ୍ୱଭାବକୁ ଲକ୍ଷ୍ୟ କରି ଚବିଶି ଗୁରୁ କରିଥିଲେ । ପୃଥିବୀ, ଆକାଶ, ବାୟୁ, ଜଳ, ଅନଳ, ସୂର୍ଯ୍ୟ, ଚନ୍ଦ୍ର, ଶିଶୁ, ମାଛ, ପିଙ୍ଗଳା ବେଶ୍ୟା, କପୋତ ଦମ୍ପତ୍ତି, ଶର ବାନ୍ଧୁଥିବା ଲୋକ, ହାତୀ, ଅଜଗର, ମୃଗ, ମହୁମାଛି, ମଧୁହାରୀ, ସାପ, ବୁଢିଆଣି, ପେଶକାରୀ କୀଟ ଆଦିଙ୍କୁ ନିଜର ଗୁରୁ କରିଥିଲେ ।
ଭଗବାନ ପୁରୁଷୋତ୍ତମ ରାମ ବି ଗୁରୁ ବଶିଷ୍ଠ ଓ ଗୁରୁ ବିଶ୍ଵାମିତ୍ରଙ୍କ ଶିଷ୍ୟତ୍ୱ ଲାଭ କରି ନିଜକୁ ମହିମାମୟ କରିଥିଲେ ।
ମହର୍ଷି ବଶିଷ୍ଠ ମଧ୍ୟ ଜଣେ ଛୋଟ ଶବର ପୁତ୍ରଙ୍କୁ ଗୁରୁ କରି ତା ଠାରୁ ମନ୍ତ୍ର ବୋଲି ବୃକ୍ଷ ନୁଆଇଁ ଆଣିବା ଓ ମନ୍ତ୍ର ବୋଲି ବୃକ୍ଷକୁ ଯଥା ସ୍ଥାନରେ ଠିଆ କରିଦେବା ମନ୍ତ୍ର ଶିକ୍ଷା କରି ଥିଲେ ।
ଧୌମ୍ୟ ଋଷିଙ୍କ ଶିଷ୍ୟ ଆରୁଣି ଯିଏ ଗୁରୁ ଆଜ୍ଞା ପାଳନ କରି ନିଜେ ବନ୍ଧ ହୋଇ ସାରା ରାତି ଜମିର ପାଣି ଅଟକାଇ ଥିଲେ ତାଙ୍କ ଗାଥା ଏବେ ବି ଲୋକ ମୁଖରୁ ଲୋକ ମୁଖ ପର୍ଯ୍ୟନ୍ତ ଗଡି ଚାଲୁଛି ।
ଉପମନ୍ୟୁଙ୍କ ଗୁରୁ ଭକ୍ତି ବି ଆହୁରି ଚକିତ କରେ । ଯିଏ ଗୁରୁ ଆଜ୍ଞା ମାନି ବିନା ଖାଦ୍ୟରେ ଜଙ୍ଗଲରେ ଗୋରୁ ଜଗୁଥିଲେ । ଭୋକ ସହିନପାରି ବିକଳରେ ଯେ ଅରଖ ପତ୍ର ଖାଇ ନିଜର ଦୃଷ୍ଟି ଶକ୍ତି ହରାଇ ଅନ୍ଧ ହୋଇ ଯାଇଥିଲେ ।
ଇତିହାସର ଚାଣକ୍ୟ ଜଣେ ସାଧାରଣ ବାଳକ ଚନ୍ଦୁକୁ ଅଖଣ୍ଡ ଭାରତର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ସୃଷ୍ଟି କରିଥିଲେ ।
ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ବିଶ୍ଵରେ ଏକ ଜାଜ୍ୱଲ୍ୟମାନ କିର୍ତ୍ତୀ ସ୍ତମ୍ଭ ସ୍ଥାପନ କରି ଯାଇଛନ୍ତି ।
ମୁଁ ଏକଲବ୍ୟ, କର୍ଣ୍ଣଙ୍କ ଷ୍ଟୋରୀ ଜାଣିଛି ଜେଜେ ।
ସତେ... ବହୁତ ସୁନ୍ଦର ସୋନୁ ।
ବୁଝିଲୁ ତ ଆମ ଦେଶରେ ଗୁରୁ ଶିଷ୍ୟ ମହନୀୟ ବନ୍ଦନୀୟ ପରମ୍ପରା ସୃଷ୍ଟି ଆରମ୍ଭରୁ ଏ ଯାବତ ଶ୍ରେଷ୍ଠ ସ୍ଥାନରେ ରହି ଆସିଛି ।
ଆମ ଆର୍ଯ୍ୟଭୂମି ଭାରତର ଗୁରୁଶିଷ୍ୟ ପରମ୍ପରା ଅତି ମହାନ ।
ଗୁରୁ ଶିଷ୍ୟର ମନ, ହୃଦୟ, ଚରିତ୍ର ଗଠନ କରିବା ସହ ଶାସ୍ତ୍ର, ଶ୍ରମ, କର୍ମ, ଧର୍ମ, ସଂସ୍କାର ଶିକ୍ଷା ଦେଇଥାନ୍ତି । ଗୁରୁଙ୍କ ଆତ୍ମା ହେଉଛନ୍ତି ଶିଷ୍ୟ । ଶିଷ୍ୟର ମଙ୍ଗଳ କାମନା ଗୁରୁଙ୍କର ପ୍ରଥମ ଲକ୍ଷ୍ୟ ହୋଇଥାଏ । ଯେଉଁ ଶିଷ୍ୟ ଯେତେ ଧୁରିଣ, ସମର୍ଥ ତାରି ପାଖେ ଗୁରୁ ବନ୍ଧା
ପଡିଯାଆନ୍ତି । ଗୁରୁ ଶିଷ୍ୟଙ୍କୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଦେବା ସହ ଶାସନ ବି କରିଥାନ୍ତି ।
ଶିଷ୍ୟର ଗୁରୁ ପୂଜା ଅଟନ୍ତି । ଭକ୍ତି, ଶ୍ରଦ୍ଧା, ସମ୍ମାନ ବଳରେ ଜଣେ ଶିଷ୍ୟ ଗୁରୁଦେବଙ୍କ ଭିତରେ ନିଜ ପାଇଁ ସ୍ଥାନଟିଏ ତିଆରି କରିଥାଏ ।
ପୁରାଣ ପୃଷ୍ଠାରୁ ଏଯାବତ ଗୁରୁ ଶିଷ୍ୟ ପରମ୍ପରା ଗଡି ଆସୁଛି । ଔପଚାରିକ ହେଉ କି ଅନୌପଚାରିକ, ଘର, ସ୍କୁଲ, କଲେଜ ହେଉ କି ବାହାର; ଆମେ ଶିଖୁଛନ୍ତି କିଛି ନା କିଛି କାହାଠାରୁ ବି ହେଉ ପ୍ରତିଟି ସମୟରେ ।
ଏହି ମହାନ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ପ୍ରତି ବର୍ଷ ସେପ୍ଟେମ୍ବର ପାଞ୍ଚ ତାରିଖଙ୍କୁ ଗୁରୁ ଦିବସ ରୂପେ ପାଳନ କରି ଆସୁଛନ୍ତି । ଏହି ଦିନଟି ଆମ ଭାରତର ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତଃ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ଅଟେ । ଗୁରୁ ବା ଶିକ୍ଷକ ମଣିଷଙ୍କୁ ଗଢନ୍ତି । ଗୁରୁ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କ ରୂପ ବୋଲି କୁହାଯାଏ । ତେଣୁ ତାଙ୍କ ଜନ୍ମଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ।
ମହାନ ଆମ ସଂସ୍କୃତି । ମହନୀୟ,ବନ୍ଦନୀୟ, ଆଦର୍ଶମୟ ଆମ ଗୁରୁ ଶିଷ୍ୟ ପରମ୍ପରା ।
ଭାରତ ମୋର ଜନମ ଭୂମି
ମୁଁ ଜଣେ ଭାରତୀୟ
ପ୍ରଥା ପରମ୍ପରା ସଂସ୍କୃତି ଯାର
ବିଶ୍ୱେ ମହାନ ଓ ବନ୍ଦନୀୟ
ଏଇ ଦେଶରେ ଜନମ ହୋଇ
ନିଜକୁ ମଣେ ଅତି ସୌଭାଗି ।
ଓହୋ ଜେଜେ କେତେ ଭଲ କଥା ମୁଁ ଆଜି ଜାଣିଲି ।
ସତରେ ଆମ ପ୍ରଥା ପରମ୍ପରା କେତେ ମହାନ ଜେଜେ!