Sambit Srikumar

Inspirational

4.3  

Sambit Srikumar

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

8 mins
215


ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାପାତ୍ର! ରଘୁନାଥପୁର ହାଇସ୍କୁଲର ସେବାନିବୃତ୍ତ ପ୍ରଧାନ ଶିକ୍ଷକ l ଅବସର ନେବାର ବହୁ ବର୍ଷ ବିତିଗଲାଣି କିନ୍ତୁ ଆପଣାର ନାଯ୍ୟ ପେନସନ୍ ଗଣ୍ଡାକ ପାଇବା ପାଇଁ ବାର ଦୁଆର ବୁଲି ବୁଲି ଚପଲ ଛିଣ୍ଡିଗଲାଣି ତଥାପି ଧାଇଁବାର ଅନ୍ତ ନାହିଁ l ଜୀବନ ଅଛି ଯେତେବେଳେ ପେନସନ୍ ପାଇବାର ଆଶା ବି ମରିନାହିଁ ମନରୁ l ଚିର ଅଭାବୀ ସଂସାରରେ ଏଇ ବାର୍ଦ୍ଧକ୍ୟ କାଳରେ ଜୀଇଁବାକୁ ପେନସନ୍ ଗଣ୍ଡାକ ହିଁ ତ ଶେଷ ସମ୍ବଳ, ଆଶା ବା ଛାଡ଼ି ଦେବେ କେମନ୍ତେ? 


ନିଜର ଶିକ୍ଷକତା ଜୀବନରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇ ଶିକ୍ଷିତ ଏବଂ ସକ୍ଷମ କରାଇ ପାରିଥିବା ସତ୍ୟାନନ୍ଦ ବାବୁ ଆଜି ଜୀବନର ସାୟାହ୍ନରେ ଏକବାରକେ ନିଃସହାୟ l ଏକମାତ୍ର ଅଲିଅଳି କନ୍ୟା ସୁନନ୍ଦାଙ୍କ ବିବାହ ପରେ ଘରେ କେବଳ ବୁଢ଼ାବୁଢ଼ୀ ଦିହେଁ l ଚାଷଜମି ନାହିଁ କହିଲେ ଚଳେ l ଦୁଇ ବଖରା ବିଶିଷ୍ଠ ଆଜବେଷ୍ଟସ୍ ଘର ସହିତ ସଂକୀର୍ଣ୍ଣ ବାରିଟା ହେଉଛି ତାଙ୍କର ପୈତୃକ ସମ୍ପତ୍ତି ସହିତ ଜୀବନ ବ୍ୟାପି ସାଧନାର ସଞ୍ଚିତ ଗଣ୍ଠିଧନ l ଘରର ଯାବତୀୟ ଖର୍ଚ୍ଚବାର୍ଚ୍ଚ ତୁଲାଇବା ଏବେ ଆଉ ତାଙ୍କ ପକ୍ଷରେ ସମ୍ଭବ ହୁଏନି ଚାକିରୀରୁ ଅବସର ନେବା ପରେ l ତା' ଉପରେ ପୁଣି ଦେହ ପାଇଁ ଔଷଧ ଖର୍ଚ୍ଚ l କେଉଁଠୁ ବା ଆସିବ ଅର୍ଥ ଚଳିବାକୁ ପେନସନ୍ ବିନା? 


ବଞ୍ଚିଥିଲା ଯାଏଁ କେବେ ବି ଝିଅ ଜ୍ୱାଇଁଙ୍କ ପଇସାଟିଏ ବି ହାତରେ ଧରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇ ନିଜ ଭୀଷ୍ମ ପ୍ରତିଜ୍ଞାରେ ସଦାସର୍ବଦା ଅଟଳ ଆଦର୍ଶ ଶିକ୍ଷକ ସତ୍ୟାନନ୍ଦ ବାବୁ l ଜୀବନରେ ଆଜି ପର୍ଯ୍ୟନ୍ତ କେବେ ବି ନିଜର ନୀତି ଆଦର୍ଶ ସହିତ ସାଲିସ୍ କରି ନାହାନ୍ତି ସେ l ଏହାର ପ୍ରତିଫଳ ଅନେକ ବାର ଭୋଗିବାକୁ ପଡିଛି l ଆଜି ବି ଭୋଗୁଛନ୍ତି, କିନ୍ତୁ ନିଜର ନୀତିନିଷ୍ଠ କର୍ତ୍ତବ୍ୟ ସମ୍ପାଦନରୁ କେବେ ବି କେଉଁଠି ବି ବିରତ ହୋଇନାହାନ୍ତି l ଆପଣାର ପ୍ରାଣ ବିନିମୟରେ କର୍ତ୍ତବ୍ୟ ଓ ନୀତି ଆଦର୍ଶକୁ ଜାବୁଡ଼ି ଧରି ସେ ଚାଲିଛନ୍ତି, ଯେ ଚାଲିଛନ୍ତି ଜୀବନର ଏଇ ଅସରନ୍ତି ବାଟ l କେବେ ବି କାହାରି ଆଲୋଚନା, ସମାଲୋଚନା ଅବା ପରାମର୍ଶରେ ସେ ତ୍ୟାଗ କରିପାରିନାହାନ୍ତି ତାଙ୍କର ଅତୀବ ପ୍ରିୟ ନୀତି ଆଦର୍ଶକୁ l  


ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଶିକ୍ଷକତା ବୃତ୍ତିରୁ ଅବସର ଗ୍ରହଣ କଲେଣି ସତ୍ୟାନନ୍ଦ ବାବୁ ମାତ୍ର ତାଙ୍କର ପେନସନ୍ ଆଉ ଗ୍ରାଚ୍ୟୁଇଟି ପ୍ରାପ୍ୟ ଆଜି ଯାଏଁ ମିଳିନାହିଁ l ଶିକ୍ଷାଦାନ କ୍ଷେତ୍ରରେ ନିଜର ଉତ୍ସର୍ଗୀକୃତ ସେବା ନିମନ୍ତେ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି ସେ, କିନ୍ତୁ ନାଯ୍ୟ ପେନସନ୍ ଗଣ୍ଡାକ ପାଇବା ପାଇଁ ତାଙ୍କୁ ଏ ଅଫିସରୁ ସେ ଅଫିସକୁ ଦୌଡ଼ିବାକୁ ପଡୁଛି କିନ୍ତୁ କାମ କିଛି ବି ଫଳବତୀ ହେଉନାହିଁ l ସଭିଏଁ କେବଳ କହୁଛନ୍ତି, "ସାର୍! କାଲିକୁ ଆସନ୍ତୁ... ଦେଖିବା..." l ଏମିତି କେତେ କାଲି ଗଲାଣି କିନ୍ତୁ ସତ୍ୟାନନ୍ଦ ବାବୁଙ୍କ ଅପେକ୍ଷାର ଅନ୍ତ ନାହିଁ l  


ଏମିତି ବିଭିନ୍ନ ଅଫିସକୁ ଦୌଡ଼ି ଦୌଡ଼ି ଶେଷରେ ଦିନେ ସେ ଜାଣିବାକୁ ପାଇଲେ ଯେ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅକୁ ମ୍ୟାଟ୍ରିକ୍ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ଅଭିଯୋଗରେ ନିଲମ୍ବିତ କରିଥିବାରୁ ଏପରି ପ୍ରତିଫଳ ଭୋଗିବାକୁ ପଡୁଛି ତାଙ୍କୁ l ପେନସନ୍ ଫାଇଲକୁ ଚାପି ଦିଆଯାଇଛି ନାଲିଫିତା ତଳେ l ଏତେ ଜଲଦି ଘୁଞ୍ଚିବାର ଆଶା କ୍ଷୀଣ l ଯାହା ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ତାହା ଏବେ ତାଙ୍କ ଜୀବନରେ କଣ୍ଟା ସାଜିଛି l ତାଙ୍କ ସହିତ ଏକ ସମୟରେ ଅବସରପ୍ରାପ୍ତ ସହକର୍ମୀ ରାଜୀଵଲୋଚନ ସାହୁଙ୍କ ଫାଇଲ୍ ପ୍ରକ୍ରିୟାକରଣ ହୋଇ ସେ କେବେ ଠାରୁ ନିୟମିତ ପେନସନ୍ ପାଉଛନ୍ତି l ଏଇ ବିଷୟରେ ମନଖୋଲି ରାଜୀଵଲୋଚନ ବାବୁଙ୍କୁ ପଚାରିଲେ ସତ୍ୟାନନ୍ଦ ବାବୁ l ସବୁକଥା ଶୁଣି ପ୍ରତ୍ୟୁତ୍ତରରେ ରାଜୀଵଲୋଚନ ବାବୁ ଭୁବନେଶ୍ୱରରେ ଅବସ୍ଥାପିତ ପୂର୍ବତନ ଛାତ୍ର ଆଇଏଏସ୍ ଅଫିସର ଅର୍ଦ୍ଧେନ୍ଦୁ ଅଧିକାରୀଙ୍କ ସହିତ ସାକ୍ଷାତ କରିବା ପାଇଁ ପରାମର୍ଶ ଦେଲେ l  


ହଠାତ୍ ଆଖି ଆଗରେ ନାଚି ଉଠିଲା ଅତୀତର କଥା ସବୁ l ଆଇଏଏସ୍ ଅର୍ଦ୍ଧେନ୍ଦୁ ତାଙ୍କର ଗୋଟିଏ ସମୟରେ ସବୁଠାରୁ ଅଧିକ ପ୍ରିୟ ଛାତ୍ର ଥିଲେ l ଅପୁତ୍ରିକ ସତ୍ୟାନନ୍ଦ ମହାପାତ୍ର ତାଙ୍କୁ ଛାତ୍ର ଭାବେ ନଦେଖି ପୁତ୍ରବତ୍ ସ୍ନେହ ଶ୍ରଦ୍ଧା କରୁଥିଲେ l ନିର୍ଦ୍ଧନ ଅଥଚ ପ୍ରଖର ମେଧାବୀ ଛାତ୍ର ଅର୍ଦ୍ଧେନ୍ଦୁଙ୍କ ଶିକ୍ଷାର ଖର୍ଚ୍ଚ ନିଜେ ହିଁ ବହନ କରିଥିଲେ l ତାଙ୍କର ଦିଗଦର୍ଶନରେ ଅର୍ଦ୍ଧେନ୍ଦୁ ମ୍ୟାଟ୍ରିକ୍ ପରୀକ୍ଷାରେ ସମଗ୍ର ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିଲେ l ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ ଅର୍ଥ ବାଧକ ସାଜିଥିଲା ଅର୍ଦ୍ଧେନ୍ଦୁଙ୍କ ପାଇଁ l ଗରିବ ପିତାମାତା ତାଙ୍କର ଅକ୍ଷମତା ପ୍ରକାଶ କରିଥିଲେ ଉଚ୍ଚଶିକ୍ଷା ପାଇଁ l ଏହି ସମୟରେ ନିଜ ଆଡୁ ଆଗକୁ ଆସି ସତ୍ୟାନନ୍ଦ ବାବୁ, ତାଙ୍କର ସମ୍ପର୍କୀୟ ଭାଇଙ୍କୁ ଯୋଗଯୋଗ କରି କଟକରେ ଅର୍ଦ୍ଧେନ୍ଦୁଙ୍କ କଲେଜରେ ପାଠ ପଢ଼ିବାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଥିଲେ l ପ୍ରତିବଦଳରେ କେବଳ ଏତିକି ମନେ ମନେ ଆଶା ପୋଷଣ କରିଥିଲେ ଯେ, ନିଜର ଏକମାତ୍ର କନ୍ୟା ସୁନନ୍ଦାଙ୍କ କନ୍ୟାଦାନ ଅର୍ଦ୍ଧେନ୍ଦୁଙ୍କ ସହିତ କରିବାକୁ l  


ସମୟର ସୁଅରେ ଅର୍ଦ୍ଧେନ୍ଦୁ ଉଚ୍ଚଶିକ୍ଷା ପ୍ରାପ୍ତ କରି ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ l ଯୋଗକୁ ଓଡ଼ିଶା କ୍ୟାଡର୍ ବି ମିଳିଥିଲା l କିନ୍ତୁ ପରିସ୍ଥିତି ଏପରି ହୋଇଥିଲା ଯେ, ସତ୍ୟାନନ୍ଦ ବାବୁଙ୍କ ଆଶା ଆଶାରେ ହିଁ ରହିଯାଇଥିଲା l ନିଜର କଲେଜ୍ ସହପାଠିନୀ ଅଧ୍ୟାପିକା ସଂଗୀତା ଦାସଙ୍କୁ ପ୍ରେମ ବିବାହ କରିଥିଲେ ଅର୍ଦ୍ଧେନ୍ଦୁ l ପିତାମାତାଙ୍କୁ ମନାଇବାକୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା ତାଙ୍କୁ l ସେମାନେ ଏକୋଇର ବଳା ବିଶିକେଶନର ଖୁସିରେ ଖୁସି ଥିଲେ l କେବଳ ସତ୍ୟାନନ୍ଦ ବାବୁଙ୍କ ଆଶା ଅବ୍ୟକ୍ତ ଏବଂ ଅପୂରଣୀୟ ରହିଗଲା ମନର ଗହନ ପ୍ରଦେଶରେ l ପରବର୍ତ୍ତୀ ମୁହୂର୍ତ୍ତରେ ସୁନନ୍ଦାଙ୍କ ବିବାହ ଡାକ୍ତର ଜ୍ୱାଇଁ ଦେଖି କରାଇଥିଲେ ମଧ୍ୟ ମନରେ ଗୋଟିଏ ଅବଶୋଶ ରହିଯାଇଥିଲା ଚିରଦିନ ପାଇଁ l  


ବିଭିନ୍ନ ସ୍ଥାନରେ କାର୍ଯ୍ୟ ନିର୍ବାହ କରି ଅର୍ଦ୍ଧେନ୍ଦୁ ଏବେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ସଚିବ ଭାବେ ଅବସ୍ଥାପିତ l ରାଜୀଵଲୋଚନ ବାବୁଙ୍କ ଠାରୁ ଅଚାନକ ତାଙ୍କ ବିଷୟରେ ଶୁଣିବା ପରେ ପେନସନ୍ ପାଇବାର ଆଶା ଉଜ୍ଜୀବିତ ହୋଇ ଉଠିଲା l ଗାଆଁରୁ ଭୁବନେଶ୍ୱର ମାତ୍ର ଷାଠିଏ କିଲୋମିଟର ଦୂର l ଥରେ ଯାଇ ନିଜର ପ୍ରିୟ ଛାତ୍ରକୁ ଭେଟି ଅସୁବିଧା ବାବଦରେ କହିଲେ କିଛି ହାନି ନାହିଁ l ଏତେ ଥର ଏଠିକୁ ସେଠିକୁ ଦୌଡ଼ିବା ଅପେକ୍ଷା ଏକାଥରକରେ ଯଦି ସମାଧାନ ହୋଇଯିବ ତାହେଲେ ଚିନ୍ତା ଗଲା ଜାଣ l ଅବଶିଷ୍ଟ ଜୀବନଟା ସୁଖରେ କଟିଯିବ l  


ଏମିତି ଚିନ୍ତା କରି ଦିନେ ବଡ଼ି ସକାଳୁ ବସ୍ ଚଢ଼ି ସତ୍ୟାନନ୍ଦ ବାବୁ ବାହାରି ପଡ଼ିଲେ ରାଜଧାନୀ ଭୁବନେଶ୍ଵର ଅଭିମୁଖେ l ଅର୍ଦ୍ଧେନ୍ଦୁଙ୍କ ପିତାମାତାଙ୍କ ଠାରୁ ତାଙ୍କ କ୍ୱାର୍ଟର୍ସ୍ ଠିକଣା ମଧ୍ଯ ଟିପି ନେଇଥିଲେ ଯତ୍ନରେ l ପ୍ରଥମେ ସଚିବାଳୟ ପ୍ରକୋଷ୍ଠରେ ଭେଟିବାକୁ ମନ ବଳାଇଲେ l ଫାଟକ ପାଖରେ ନିଜର ନାମ, ଗ୍ରାମ, ଠିକଣା, ଅଭିପ୍ରାୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରି ପ୍ରବେଶ ପତ୍ରଟିଏ ପ୍ରାପ୍ତ କଲେ l ମନରେ ଆଶାର ଜୁଆର, ନିଜର ପ୍ରିୟ ଛାତ୍ରକୁ ଭେଟିବାର ଉତ୍ସାହ l ଯେମିତି ହେଲେ ବି ପେନସନ୍ ସମସ୍ୟା ସମାଧାନର ସୂତ୍ର ବାହାରି ଆସିବ ଆଜି l ଦୃତପଦରେ ଆଗେଇ ଚାଲିଲେ ସତ୍ୟାନନ୍ଦ ବାବୁ ଅର୍ଦ୍ଧେନ୍ଦୁଙ୍କ ପ୍ରକୋଷ୍ଠ ଆଡ଼କୁ l ସେଠାରେ ପହଞ୍ଚି ଉପସ୍ଥିତ ଦପ୍ତରୀକୁ ଚିରକୁଟ୍ ଦେଖାଇ କହିଲେ, "ବାବୁଙ୍କୁ କୁହନ୍ତୁ, ଗାଆଁରୁ ତାଙ୍କର ସାର୍ ଆସିଛନ୍ତି l " 


ସତ୍ୟାନନ୍ଦ ବାବୁଙ୍କ ଉପରେ ଗୋଟିଏ ମିନିଟରେ ଦୃଷ୍ଟି ପହଁରାଇ ନେଇ ଦପ୍ତରୀ ଜବାବରେ କହିଲା, "ଅପେକ୍ଷା କର l ଭିତରେ ବାବୁ ବ୍ୟସ୍ତ ଅଛନ୍ତି l " 


ଆଜି ଯାଏଁ ତ ସେ କେବଳ ଅପେକ୍ଷା ହିଁ କରି ଆସିଛନ୍ତି l ଆଉ ଦଣ୍ଡେ ଅପେକ୍ଷା କଲେ ବା କ୍ଷତି କଣ? ଏହା ଚିନ୍ତା କରି କରିଡରରେ ପଡିଥିବା ବେଞ୍ଚ୍ ଉପରେ ବସିପଡ଼ିଲେ ସତ୍ୟାନନ୍ଦ ବାବୁ l ଘଣ୍ଟାଏ ଗଲା ଦି ଘଣ୍ଟା ଗଲା l ଦପ୍ତରୀଠୁ ମିଳୁଥିଲା ବାରମ୍ବାର ସେଇ ଚିରାଚରିତ ଉତ୍ତର, "ଅପେକ୍ଷା କର, ଭିତରେ ବାବୁ ବ୍ୟସ୍ତ ଅଛନ୍ତି l " ହଁ, ରାଇଜ ଯାକର ତମାମ ଲୋକଙ୍କ ଅଳିଅର୍ଦ୍ଦଳି, ସୁବିଧା, ଅସୁବିଧା, ଅଭାବ, ଅଭିଯୋଗ ଯେତେବେଳେ ବାବୁଙ୍କ ଉପରେ ନ୍ଯସ୍ତ, ସିଏ ବ୍ୟସ୍ତ ତ ରହିବେ ନା! ଆଉ କଣ ତାଙ୍କ ପରି ସେବାନିବୃତ୍ତ ଶିକ୍ଷକ ବ୍ୟସ୍ତ ରହିବେ? 


ଅପେକ୍ଷା କରି କରି ମଧ୍ୟାହ୍ନ ଭୋଜନ ବିରତିର ସମୟ ଆସି ଉପନୀତ ହୋଇଗଲା l ଦପ୍ତରୀ କହିଲା, "ମଉସା! ଏବେ ଯାଅ ଖାଇକି ଆସିବ l ବାବୁ ବସାକୁ ଚାଲିଗଲେଣି ଲଞ୍ଚ୍ କରିବାକୁ..." 


: କଣ ହେଲା? ଆପଣ ବାବୁଙ୍କୁ କହିଥିଲେ ତ ମୁଁ ତାଙ୍କ ଗାଁରୁ ଆସିଛି ବୋଲି? 


: ହଁ ମଉସା l କହିଛି ପରା l ବାବୁ ଆମର ବହୁତ ବ୍ୟସ୍ତ ଲୋକ l ଆଉ ଟିକିଏ ଅପେକ୍ଷା କର l  


ଅପେକ୍ଷା କରିବା ଛଡା ଆଉ କିଛି ଚାରା ବି ନାହିଁ ସତ୍ୟାନନ୍ଦ ବାବୁଙ୍କର l ସଚିବାଳୟ କ୍ଯାଣ୍ଟିନରେ ସହଳ ଭୋଜନ ସମାପ୍ତ କରି ଆସି ପୁଣି କରିଡ଼ର ବେଞ୍ଚ୍ ଉପରେ ବସି ରହିଲେ l ଅନେକ ସମୟ ବିତିଯାଇଥିଲେ ସୁଦ୍ଧା ବାବୁଙ୍କର ପୁନଶ୍ଚ ଅଫିସକୁ ଆସିବାର ସୂଚନା ନଥିଲା l ଏବାବଦରେ ଦପ୍ତରୀକୁ ପୁନର୍ବାର ପଚାରିବାରୁ ସେ ଏଥର କଅଁଳେଇ କରି କହିଲା, "ମଉସା! ତମେ ତ ବାବୁଙ୍କ ଗାଆଁ ଲୋକ l ଅଫିସକୁ କାହିଁକି ଆସିଲ? ବସାକୁ ଯାଇ ଭେଟ, ତମ କାମ ହେଇଯିବ.." 


ଏତେ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଧୈର୍ଯ୍ୟହରା ହୋଇନଥାନ୍ତି ସତ୍ୟାନନ୍ଦ ବାବୁ l ଅଫିସରେ ନହେଲେ ନାହିଁ ବସାରେ ଭେଟିଲେ ହେଲା l ପେନସନ୍ କାମଟା ହେଲେ କଥା ସରେ l ଯେଉଁଠି ଭେଟ ହେଉଛି ହେଉ l ଏମିତି ଭାବୁ ଭାବୁ ଅଗତ୍ୟା ସେ ଅଟୋ ଧରି ଧାଇଁଲେ ଫରେଷ୍ଟ୍ ପାର୍କ୍ ପାଖରେ ଥିବା ଅର୍ଦ୍ଧେନ୍ଦୁଙ୍କ କ୍ୱାର୍ଟର୍ସକୁ l ସେଠାରେ ପହଞ୍ଚି ତରତରରେ ଧଇଁସଇଁ ହୋଇ ଦରୱାନକୁ କହିଲେ, "ବାବୁଙ୍କୁ ଖବର ଦିଅନ୍ତୁ ଯେ, ଗାଁରୁ ତାଙ୍କର ସାର୍ ଆସିଛନ୍ତି ବୋଲି l " 


ନେପାଳୀ ଗୁର୍ଖା ଦରୱାନ୍ ତାର ମିଞ୍ଜି ମିଞ୍ଜି ଆଖିରେ ଚାହିଁଲା ସତ୍ୟାନନ୍ଦ ବାବୁଙ୍କୁ ତାଳୁରୁ ତଳିପା ଯାଏଁ l ଖରାରେ ତରାରେ ଝାଳ ନାଳ ହୋଇ ଧାଇଁଥିବା ସତ୍ୟାନନ୍ଦ ବାବୁଙ୍କୁ ନିଜ ବୋତଲରୁ ପାଣି ପିଇବାକୁ ଦେଲା l ଟିକେ ସାଷ୍ଟାମ ହେଲେ ସଦାନନ୍ଦ ବାବୁ l ନେହୁରା ହୋଇ ଭିତରକୁ ଯିବାକୁ କହିଲେ l ଦରୱାନ୍ ତାଙ୍କ କଥା ଶୁଣିବା ପରେ କହିଲା,"ବାବୁଜୀ! ସାହେବ୍ ତୋ ଅଭି କ୍ଲବ୍ କେ ଲିୟେ ନିକଲ୍ ଗୟେ..." 


କେଉଁ କ୍ଲବ୍? କେଉଁଠି ସେ କ୍ଲବ୍? କାହା ସହିତ ଗଲେ? କାହିଁକି ଗଲେ? ସେସବୁ ବାବଦରେ ଆଉ କିଛି ପଚାରିବାକୁ ସତ୍ୟାନନ୍ଦ ବାବୁଙ୍କର ସ୍ପୃହା ନଥିଲା l ଭଗ୍ନ ମନୋରଥ ନେଇ ପୁଞ୍ଜୀଭୂତ କୋହ ଧରି ଫେରି ଆସିଲେ ମାଷ୍ଟର କ୍ୟାଣ୍ଟିନ୍ ବସଷ୍ଟାଣ୍ଡକୁ l ସନ୍ଧ୍ୟା ସାତଟାରେ ଶେଷ ବସ୍ ଗାଆଁକୁ l ଫେଲ୍ ହେଲେ କଥା ସରିଗଲା ଜାଣ l ବସ୍ ଆସିବାକୁ ଅଧଘଣ୍ଟାଏ ବାକି l କ୍ଲାନ୍ତ ଅବସନ୍ନ ଶରୀରକୁ ଟିକେ ବିଶ୍ରାମ ଦେବା ପାଇଁ ଆଉଜି ବସି ପଡ଼ିଲେ ସେ ବସଷ୍ଟାଣ୍ଡର ସିମେଣ୍ଟ୍ ବେଞ୍ଚ୍ ଉପରେ l ତାଙ୍କର ଆଖି ବୁଜି ହୋଇ ଆସୁଥିଲା ସନ୍ଧ୍ୟାର ଶୀତଳ ପବନ ସ୍ପର୍ଶରେ l ଏତିକି ବେଳେ ଅନୁଭବ କଲେ କାହାର ଉଷ୍ମ ସ୍ପର୍ଶ ନିଜର ପାଦ ଦୁଇଟିରେ l ଚମକି ପଡି ଦେଖିଲେ ତ ସାମ୍ନାରେ ଏକ ମଧ୍ୟବୟସ୍କ ବ୍ୟକ୍ତି ଦଣ୍ଡାୟମାନ l ଆଶ୍ଚର୍ଯ୍ୟଚକିତ ହୋଇ ସତ୍ୟାନନ୍ଦ ବାବୁ ପ୍ରଶ୍ନ କଲେ, "କିଏ ଆପଣ ବାବୁ? ଜାଣି ପାରିଲି ନାହିଁ..." 


ଅଜ୍ଞାତ ବ୍ୟକ୍ତି ଜଣକ ଉତ୍ତର ଦେଲେ, "ସାର୍! ମୁଁ ଆପଣଙ୍କ ଛାତ୍ର l ମୋତେ ଆପଣ ନକହି ତୁ ବୋଲି କୁହନ୍ତୁ ସାର୍..." 


: ଆଛା ବାବୁ! ମୁଁ ଚିହ୍ନି ପାରୁ ନାହିଁ ତୁମକୁ l ନିଜ ପରିଚୟଟା ଦିଅ l  


: ସାର୍! କି ଅବା ପରିଚୟ ଅଛି ମୋର? ଆପଣଙ୍କ ଛାତ୍ର ବୋଲି ଜାଣନ୍ତୁ l ସେତିକି ମୋ ପାଇଁ ଯଥେଷ୍ଟ l  


: ତଥାପି ନାଁ, ଗାଁ ତ ତୁମର କିଛି ଥିବ ନିଶ୍ଚୟ... 


: ଆମ ଗାଁ ବାଜପୁର l ମୋ ନାଁ କଣ୍ଟ୍ରାକ୍ଟର୍ ପ୍ରଫୁଲ୍ଲ ପରିଜା l ଛୋଟମୋଟ କଣ୍ଟ୍ରାକ୍ଟରୀ କରି ପେଟ ପୋଷୁଛି l ଏଇ ତ ମୋର ପରିଚୟ... 


: ଆଛା କହିଲ କହିଲ କେଉଁ ବ୍ୟାଚ୍ ମ୍ୟାଟ୍ରିକ୍ ତୁମର? 


: ସାର୍! ମୁଁ ମେଟ୍ରିକ୍ ପରୀକ୍ଷା ଦେଇନି l ନବମ ଶ୍ରେଣୀରୁ ପାଠପଢ଼ା ବନ୍ଦ... 


: ଆରେ ବାବୁ! ଏମିତି କାହିଁକି କଲ? ତୁମେ କଣ ପାଠପଢ଼ାର ମହତ୍ତ୍ୱ ଜାଣି ନାହଁ? 


: ଜାଣେ ସାର୍ l କିନ୍ତୁ ଏମିତି ପରିସ୍ଥିତି ହେଲା ଯେ ମୁଁ ଆଉ ପାଠ ପଢି ପାରିଲିନି l ଛାଡ଼ନ୍ତୁ ସେସବୁ କଥା ସାର୍ l ଆଡ଼େ କୁଆଡ଼େ ଆସିଥିଲେ କୁହନ୍ତୁ? 


: ନାଇଁ ଏମିତି ଟିକେ ଇଆଡ଼େ ବୁଲି ଆସିଥିଲି l  


: ସାର୍! ଆପଣ ତ ଏବେ ରିଟାୟାର୍ଡ୍ କରିବେଣି? 


: ହଁ... ଦୀର୍ଘଶ୍ୱାସ ତ୍ୟାଗ କରି କହିଲେ ସତ୍ୟାନନ୍ଦ ବାବୁ l ଏହା ପରେ ନିରବ ରହିଲେ l ଆଉ କିଛି ବି କହିଲେ ନାହିଁ l  


ତାଙ୍କର ଅଚାନକ ଏମିତି ନିରବି ଯିବା ଦେଖି କିଛି ଅଘଟଣ ଘଟିଥିବା କଥା ଅନୁମାନ କରିପାରିଲେ କଣ୍ଟ୍ରାକ୍ଟର୍ ପ୍ରଫୁଲ୍ଲ ପରିଜା l ନିଜର ଗୁରୁଙ୍କୁ ସମସ୍ତ ସାହସ ସଞ୍ଚୟ କରି ପଚାରିଲେ, "ସାର୍! କଣ ହେଲା କୁହନ୍ତୁ? ଯଦି ମୁଁ କିଛି ଆପଣଙ୍କ କାମରେ ଆସି ପାରିବି? 


ଏହି କଥା ଶୁଣି ସତ୍ୟାନନ୍ଦ ବାବୁଙ୍କ ଚକ୍ଷୁ ଉଜ୍ଜ୍ୱଳ ଦିଶିଲା l ବୁଡ଼ି ଗଲା ଲୋକ କୁଟାଖିଅକୁ ଆଶ୍ରା କରିବା ପରି ମନରେ ଥିବା କଥା ତାଙ୍କର ତୁଣ୍ଡକୁ ଆସିଗଲା l ଆଉ କହିଲେ,"ସତରେ କଣ ତୁମେ ପାରିବ? ମୋ ପେନସନ୍ ଫାଇଲ୍ କାମ ବାକି ପଡିଛି l ଦୁଇ ବର୍ଷ ହେଲାଣି ପେନସନ୍ ମିଳୁନି l ତୁମେ କଣ ଏବାବଦରେ କିଛି କରିପାରିବ?" 


: ନିଶ୍ଚୟ ଚେଷ୍ଟା କରିବି ସାର୍... ଶିକ୍ଷାମନ୍ତ୍ରୀ ଆମ ନିର୍ବାଚନମଣ୍ଡଳୀର ବିଧାୟକ l ମୁଁ ତାଙ୍କର ପାଖ ଲୋକ l ନିଶ୍ଚିନ୍ତ ଭାବେ ଆପଣଙ୍କ କାମ ହେବ ସାର୍ l କଣ ଅସୁବିଧାଟା କୁହନ୍ତୁ? 


ସେତେବେଳକୁ ଗାଆଁ ବସ୍ ଆସି ସାରିଥିଲା ଷ୍ଟାଣ୍ଡକୁ l କଣ୍ଡକ୍ଟର୍ ଉଚ୍ଚ ସ୍ୱରରେ ଡାକୁଥିଲା ଯାତ୍ରୀମାନଙ୍କୁ l କାକଟପୁର... ଅସ୍ତରଙ୍ଗ... ଅଡଶପୁର... ନିଆଳି... କାକଟପୁର.... 


ସତ୍ୟାନନ୍ଦ ବାବୁ ତରବର ହୋଇ ଚଢିଗଲେ ବସ୍ ଭିତରକୁ l ଡେରି ହେଲେ ସିଟ୍ ମିଳିବ ନାହିଁ ବୋଲି l ଝର୍କା ପାଖକୁ ଯାଇ ପ୍ରଫୁଲ୍ଲ ବାବୁ ପଚାରିଲେ, "ସାର୍! ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ l ପେନସନ୍ ଫାଇଲ କାମ ବୁଝି କରି ଜଣେଇବି l " 


ଫୋନ୍ ନମ୍ବର ଦେଇ ସାରିବା ପରେ ବସ୍ ଛାଡ଼ିଲା ମାଷ୍ଟର କ୍ୟାଣ୍ଟିନ୍ l ଗଡ଼ିଚାଲିଲା ବାଣୀ ବିହାର ଅଭିମୁଖେ l ଝର୍କା ପାଖ ସିଟରେ ବସି ରାଜଧାନୀର ଶୀତଳ ହାୱା ଖାଉ ଖାଉ ସତ୍ୟାନନ୍ଦ ବାବୁଙ୍କର ଝାପ୍ସା ଝାପ୍ସା ମନେ ପଡିଲା ଦୀର୍ଘ ପଚିଶି ବର୍ଷ ତଳର କଥା l ଏଇ କଣ୍ଟ୍ରାକ୍ଟର୍ ପ୍ରଫୁଲ୍ଲ ପରିଜା କଥା l ପାଠ ପଢାରେ ନିହାତି ପଛୁଆ ହେଲେ ବି ଖେଳକୁଦ ଆଉ ଶାଠରେ ଢେର୍ ଆଗୁଆ ପିଲାଟେ ଥିଲା ସେ l ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ଚମ୍ପିଆନ୍ ହୋଇଥିଲା l ଦିନେ ତାଙ୍କର ପ୍ରିୟ ଛାତ୍ର ଅର୍ଦ୍ଧେନ୍ଦୁ ସହିତ କ୍ରିକେଟ୍ ଖେଳକୁ ନେଇ ମାଡ଼ଗୋଳ କରିଥିଲା l ଲହୁଲୁହାଣ ହୋଇ ଯାଇଥିଲା ଅର୍ଦ୍ଧେନ୍ଦୁ l କଡ଼ା ଚେତାବନୀ ଦେଇ ଛାଡ଼ି ଦେଇଥିଲେ ତାକୁ l କିନ୍ତୁ ଯେବେ ତାଙ୍କ ଅଲିଅଳି କନ୍ୟା ସୁନନ୍ଦାଙ୍କୁ ପ୍ରେମ ନିବେଦନ କରିଥିଲା ପ୍ରଫୁଲ୍ଲ, ଆଉ ସୁନନ୍ଦା ରାହା ଧରି କାନ୍ଦି କାନ୍ଦି ତାଙ୍କ ପାଖକୁ ଆସି ସବୁ କଥା କହିଥିଲା, ସେଦିନ ଅଗ୍ନିଶର୍ମା ହୋଇ ଯାଇଥିଲେ ସତ୍ୟାନନ୍ଦ ମହାପାତ୍ର l ବାରମ୍ବାର ବିଶୃଙ୍ଖଳିତ ଆଚରଣ ଲାଗି ବିଦ୍ୟାଳୟରୁ ଟି.ସି. ଦେଇ ବିଦା କରିଦେଇଥିଲେ ତାକୁ l ତା'ପରେ କଣ ହେଲା ପ୍ରଫୁଲ୍ଲର, ଆଉ କେଉଁ ସ୍କୁଲରେ ପାଠ ପଢିଲା କି ନାହିଁ? ଏବାବଦରେ କେବେ ବି ଖୋଜଖବର ରଖି ନାହାନ୍ତି ସେ l ଆଜି ଅଚାନକ ଏତେ ଦିନ ପରେ ସେଇ ବାଳୁଙ୍ଗା ପିଲାଟା ସହିତ ରାଜଧାନୀର ମଣିଷ ହାଟରେ ଭେଟ l କହୁଛି କଣ ନାଁ ପେନସନ୍ ଫାଇଲ୍ କାମ କରି ଦେବ! ବଡ଼ କରିତକର୍ମା ବୋଲି ନିଜକୁ ଭାବୁଛି! 


ଏହା ପରେ ବିତି ଯାଇଛି ଦୁଇ ସପ୍ତାହ l ସକାଳୁ ସକାଳୁ ଦାଣ୍ଡରେ ବସି ଖବରକାଗଜ ପଢୁଥିବା ବେଳେ ବୁଲେଟ୍ ମଟରସାଇକେଲର କାନ ଅତଡା ଶବ୍ଦରେ ଧ୍ୟାନ ଭଗ୍ନ ହେଲା ସତ୍ୟାନନ୍ଦ ବାବୁଙ୍କର l ଖବରକାଗଜରୁ ମଥା ଟେକି ରାସ୍ତାକୁ ଚାହିଁଲା ବେଳକୁ କଣ୍ଟ୍ରାକ୍ଟର୍ ପ୍ରଫୁଲ୍ଲ ପରିଜା ଆସି ହାଜର l ହାତରେ ଧରିଥାଏ ମିଠା ପ୍ୟାକେଟ୍ ଆଉ ମାଟିଆ ରଙ୍ଗର ଲଫାପାଟିଏ l କିଛି କହିବା ପୂର୍ବରୁ ପ୍ରଫୁଲ୍ଲ ତାଙ୍କ ପାଖକୁ ଆସି ଜୁହାର ହେଇ କହିଲା, "ସାର୍! ନିଅନ୍ତୁ ଆପଣଙ୍କ ପେନସନ୍ ଅର୍ଡ଼ର୍!" 


ସତ୍ୟାନନ୍ଦ ବାବୁ ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲେ l ଖୁସିରେ ଆତ୍ମହରା ହୋଇ କୁଣ୍ଢାଇ ପକାଇଲେ ପ୍ରଫୁଲ୍ଲକୁ l ପାଖରେ ବସାଇ ତା'ର ହାନିଲାଭ ପଚାରି ବୁଝିଲେ l ନିଜର କୃତ ବ୍ୟବହାର ପାଇଁ ତାକୁ କ୍ଷମା ପ୍ରାର୍ଥନା କରିବାରୁ ଏଥିରେ ବାଧା ଦେଇ ପ୍ରଫୁଲ୍ଲ କହିଲା, "ସାର୍! ଆପଣ ମୋତେ ଟି.ସି. ଦେଇ ସ୍କୁଲରୁ ବିଦା କରିଦେବା ପରେ ମୋର ଆଉ ପାଠପଢ଼ିବାକୁ ଆଗ୍ରହ ନଥିଲା l ଆଉ କୋଉ ସ୍କୁଲକୁ ଯାଇନି ମୁଁ ନାଁ ଲେଖେଇବାକୁ l ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କଲି l ରାଜନୀତିରେ ମାତିଲି l ନେତା ମନ୍ତ୍ରୀଙ୍କ ସାଙ୍ଗରେ ବୁଲିଲି l ସେମାନଙ୍କର ଖାସ୍ ଲୋକ ଏବେ ମୁଁ l ଯେତେବେଳେ ଯାହାର ଯାହା ଦରକାର ସେସବୁ କାମ କଲି l କଣ୍ଟ୍ରାକ୍ଟରୀରୁ ଭଲ ଦି ପଇସା ରୋଜଗାର ବି ହେଉଛି l ଭୋଟ୍ ପାଇଁ ଏତିକି ତ ଦରକାର ନା? ପାଠ ପଢିକି ବା ଆଉ କଣ କରିଥାନ୍ତି? ଆପଣଙ୍କ କାମଟା ବି ମନ୍ତ୍ରୀଙ୍କୁ କୁହାଇ କରାଇଦେଇଛି l ମନ୍ତ୍ରୀବର ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି ବୋଲି କହୁଥିଲେ..."


ଅନର୍ଗଳ ଭାବେ କହି ଚାଲିଥିଲା ପ୍ରଫୁଲ୍ଲ ପରିଜା l ତା' କଥାକୁ ଅତ୍ୟନ୍ତ ଧ୍ୟାନ ଦେଇ ଶୁଣୁଥିଲେ ସତ୍ୟାନନ୍ଦ ବାବୁ ଓ ଅନ୍ତରରୁ ଶୁଭାଶୀର୍ବାଦ ଢାଳି ଦେଉଥିଲେ ତାହାରି ମଥାରେ... 



Rate this content
Log in

Similar oriya story from Inspirational