ଗୁଣ୍ଡୁଚି ଓ ରାବଣ
ଗୁଣ୍ଡୁଚି ଓ ରାବଣ


ବନ୍ଧୁଗଣ !
ସିଏ ନାହାନ୍ତି ବାହାରେ କିନ୍ତୁ ଅଛନ୍ତି ମୋ ଭିତରେ; ଆମ ଗାଁ ମଶାଣୀରେ ଯିଏ ଶୋଇଛନ୍ତି ମୋତେ ଖୁବ୍ କମ୍ ବୟସରେ ଛାଡି ଚାଲି ଯାଇଥିବା ମୋ ବାପା।ମୋ ଜୀବନର ଆଦର୍ଶ ମଣିଷ।ସେ ମୋତେ ଗପ ଆକାରରେ କହି କହି ରାମୟଣ ମହାଭାରତର ପ୍ରତିଟି ପୃଷ୍ଠା ସହ ପରିଚୟ କରେଇ ଦେଇଥିଲେ।ସେତେବେଳେ କଅଁଳ ମନକୁ କୋମଳ ଜିଜ୍ଞାସା ମୋର ବେଶ୍ ଛୁଇଁଥିଲା କେତୋଟି କଥା।ସେଇ ବାପାଙ୍କ ଗପରୁ ଆଜି ଏକୋଇଶି ଦିନ ପାଇଁ ଆପଣଙ୍କ ଆଗେ ଲେଖୁଛି ଗୁଣ୍ଡୁଚି ଉପାଖ୍ୟାନ।ସବୁବେଳେ ବାପା କହୁଥିଲେ ହାତୀ ନ ହଅ
ପଛେ ଗୁଣ୍ଡୁଚି ହେବାକୁ ଆବଶ୍ୟକ ସ୍ଥଳେ ଆଦୌ ଭୁଲିବୁ ନାହିଁ ଝିଅ।ସେଇ ଗୁଣ୍ଡୁଚି କଥା-
ଗୁଣ୍ଡିଚି ମୂଷା ରାମ ସେତୁ ପରେ ନିଜ ଦେହରେ କେତିକି ବାଲି ରହିବ ଯେ,ଆଣି ଝାଡୁଥିଲା?ସତରେ କଣ ତା ଦେହ ଝଡା ବାଲିରେ ବନ୍ଧଟିଏ ତିଆରି ହୋଇ ପାରିଥାନ୍ତା?କିନ୍ତୁ ସେ ପ୍ରୟାସ କରୁଥିଲା ବାର ବାର ପୁଣି ସ୍ୱଇଚ୍ଛାରେ ଆନନ୍ଦ ସହିତ।
ରାମାୟଣରେ ଏ କାହାଣୀ ମହା କବି,ଚିର ନମସ୍ୟ ବାଲ୍ମୀକି ଯୋଡି ନ ଥିଲେ ରାମାୟଣ ଅସମ୍ପୂର୍ଣ୍ଣ ଲାଗିଥାନ୍ତା କି?କିନ୍ତୁ ବାଲ୍ମୀକି କାହିଁକି ଏ ପ୍ରସଙ୍ଗଟିକୁ ରାମାୟଣରେ ସ୍ଥାନିତ କରିଛନ୍ତି?ଦେଖନ୍ତୁ ତ ସେ ମହାନ ଚିର ପୂଜ୍ୟ ବାଲ୍ମୀକିଙ୍କୁ।କି ସୁଦୂର ପ୍ରସାରି ଚିନ୍ତାଧାରା।କାହାଣୀ ଭିତରେ ଛୋଟ ଛୋଟ କାହାଣୀ ଯୋଡି କି ମହନୀୟ,ସୁ ସନ୍ଦେଶ ଦେଇଛନ୍ତି ମାନବ ସମାଜକୁ।
ସାର୍ଵଜନିନ ହିତ ସାଧନ ନିମନ୍ତେ ବରଣର କି ସାହାଯ୍ୟ ପ୍ରାର୍ଥନାର ଆବଶ୍ୟକ ପଡେ ନାହିଁ।ସେ ମୋତେ କହି ନାହିଁ ମୁଁ କାହିଁକି ଉପରେ ପଡି କଖାରୁ ବଡି ହେବି।ଯଦି ସେ ମୋ ସାହାଯ୍ୟ କୁ ଅନାଗ୍ରହ ଦେଖାନ୍ତି?ଯଦି ମୋତେ ଦୂର୍ ଦୂର୍ ମାର୍ ମାର୍ କରି ଘଉଡ଼ାଇ ଦିଅନ୍ତି?ଯଦି ମୋତେ ଅସମ୍ମାନ କରନ୍ତି।ଆବେ ହେ ତୋତେ କିଏ ଡାକିଥିଲା କୁହନ୍ତି।ହୁଁ ଆସିଲା ତ ଗୋଟେ ସମାଜସେବୀ କହି ତାଛଲ୍ୟ କରନ୍ତି।ଯଦି...ଯଦି...ଯଦି।ଏପରି କେତେ ଯଦି ଆଶଙ୍କା,ହିସାବ ଅନ୍ଧ ମୁହାଣରେ ପଡି ଗଲେ ତ କାମ ଶେଷ....।କୌଣସି ସମୟରେ ଯଦିକୁ ମନ ଭିତରକୁ ନ ଆଣି ବୃହତ୍ତର ସ୍ୱାର୍ଥ ଯଜ୍ଞରେ ସୁନ୍ଦର,ସଫା ହୃଦୟର ପଚାଶ ଗ୍ରାମ ଘିଅ ହେଉ ପଛେ; ଯଥେଷ୍ଟ ହୁଏ ପୂର୍ଣ୍ଣାହୁତି ଦେବାରେ ବିଶ୍ୱ ମଙ୍ଗଳ ପାଇଁ।
ଏଇଠି କେତେ ଘିଅ ଜଣେ ପୂର୍ଣ୍ଣାହୁତି ପାଇଁ ଦେଇଛି ପରିମାଣ ନ ଦେଖି ଦେଖା ଯାଏ ତାର ମନୋବୃତ୍ତୀ।ସେଇ ପାଇଁ ତ ଅତି ଛୋଟ ଜୀବ ଗୁଣ୍ଡିଚିର ଦୃଷ୍ଟାନ୍ତ ମହା କବି ବାଲ୍ମୀକି ଅତି ସୁନ୍ଦର ଭାବେ ଅବତାରଣା କରିଛନ୍ତି।
ରାବଣର ପାପ ଭାର ଚରମ ସୀମାକୁ ଛୁଇଁଲା।ଅତିଷ୍ଠ ମୁନୀ ଋଷିଠାରୁ ଆରମ୍ଭ କରି ସସାଗରା ଧରା ଦେବ ମାନବ ଓ ସମସ୍ତ ଜୀଵ ଜଗତ।ଅତ୍ୟାଚାର ରାବଣର କୁଳ ଲଙ୍ଘିଲା।ସବୁ ଅତିର ଇତି ଥାଏ।ରାବଣର ବି ସେ ଦିନ ଆସିଲା;ଯେବେ ସେ ପଞ୍ଚବଟୀରୁ ସୀତାଙ୍କୁ ହରଣ କଲେ।ସ୍ୱୟଂ ଜଗଦମ୍ବା ସେ।ଖାସ୍ ରାବଣ ନିଧନ ପାଇଁ ତାଙ୍କର ଜନ୍ମ।ଆଉ ଜଗତ କର୍ତ୍ତା ନାରାୟଣ ରାମ;ନର ରୂପରେ ପୃଥିବୀକୁ ଆସିଛନ୍ତି।ପିତୃ ଭକ୍ତିର ପରାକାଷ୍ଠା ଦେଖାଇ ସେ ପିତୃ ସତ୍ୟ ପାଳନ ନିମନ୍ତେ ବନବାସୀ।
ରାବଣ ରାମଙ୍କୁ ମାୟା ମୃଗ ଭ୍ରମ ଦେଖାଇ ସୀତାଙ୍କୁ ଚୋରାଇ ନେଲା।
ରାବଣ ଜାଣିଥିଲା ସୀତା ହରଣ, ରାବଣ ମରଣ।କାଳେ ଭୁଲିଯିବ ଏକଥା ବୋଲି ତା ରାଜ ଦରବାର ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ଲେଖି ଟାଙ୍ଗିଥିଲା ସୀତା ହରଣ,ରାବଣ ମରଣ।ତଥାପି କେମିତି ଭୁଲି ଗଲା ତା ମରଣ ରହସ୍ୟ!ପତଙ୍ଗ ସଦୃଶ୍ୟ ଝାସ ଦେଲା ଓ ଶେଷରେ ମରଣ ପ୍ରାପ୍ତି ହେଲା।
ଏହିଠାରେ ଦୁଇଟି କଥା ପ୍ରଥମଟି ଗୁଣ୍ଡୁଚି ରାମ ସେତୁ ପାଇଁ ବାଲି ଝଡା ଓ ଦ୍ୱିତୀୟଟି ସୀତା ହରଣ ରାବଣ ମରଣ ଜାଣି ବି ରାବଣର ପାପ କର୍ମ।ଶେଷରେ ମୃତ୍ୟୁକୁ ପ୍ରାପ୍ତ ପ୍ରବଳ,ପ୍ରତାପୀ ଜ୍ଞାନୀ ଦଶାନନର।
ଏବେ ଆମେ ଏ ଦୁଇଟିରେ ଥିବା ନୀତିଶିକ୍ଷାକୁ ନିଜ ଜୀବନର ପ୍ରୟୋଗ କରିବା ସମୟ ଆସି ଯାଇଛି।
ବନ୍ଧୁଗଣ !ଏ ଆମ ସମସ୍ତଙ୍କ ଜୀବନର ଘଡିସନ୍ଧି କ୍ଷଣ।ଜୀବନ ମରଣର ସ୍ଥିତି। ଭୟଙ୍କର ଆମ ଚାରିପାଖ।ଖୋଲା ପବନ,ମୁକୁଳା ଜୀବନ କୁ ପାବନ୍ଧି।ଏ ପାବନ୍ଧି ନକାରାତ୍ମକ ନୁହେଁ ସକାରାତ୍ମକ।କଣ କରିବା-ଗୁଣ୍ଡୁଚି ହେବା।ଯିଏ ଯେଉଁ ସ୍ପିଅରର ଅଛନ୍ତି ପ୍ରତି ମଣିଷ ପ୍ରାଣରେ ଏବେ ଯେଉଁ 'କରୋନା'ର ଭୟ ସୃଷ୍ଟି ହୋଇଛି
ନିଜ ସାମର୍ଥ୍ୟ ଅନୁଯାୟୀ ଗୁଣ୍ଡୁଚି ହୋଇ ଦୂର୍ କରିବାରେ ସହାୟକ ହେବା।
ଦ୍ଵିତୀୟଟି ରାବଣ ପରି ସୀତା ହରଣ ରାବଣ ମରଣ ଜାଣିବି ଅଣ ଦେଖା କରିବା ନାହିଁ ଲକ୍ ଡାଉନ୍ ନିୟମକୁ।କିମ୍ବା କୌଣସି ପରିସ୍ଥିତିରେ ବି ଭୁଲିବା ନାହିଁ ଆମେ କଣ କରିବା ଏ ବିଷମ ପରିସ୍ଥିତିର ମୁକାବିଲା ପାଇଁ।ଏତିକି କରିବା-
ଆସ ଶପଥ ନେବା
ନିଜକୁ ନିଜେ ତାଲା ବନ୍ଦ କରି
ଘରେ ରହିବା,
ନିଜ ବାପା ମା,
ପିଲା ଛୁଆଙ୍କ ସୁରକ୍ଷା ନିଜେ କରିବା
ଜରୁରୀ ପଡିଲେ ଯଦି ବା ବାହାରକୁ ଯିବା
ମାସ୍କ ପିନ୍ଧିବା
ଫେରି ଆସିଲା ପରେ କୋଡିଏ ସେକେଣ୍ଡ ପର୍ଯ୍ୟନ୍ତ
ହାତ ଧୋଇବା
କ ରୋ ନା କବଳୁ ମୁକ୍ତି ପାଇବା।
ନଚେତ ଅପରିଣାମଦର୍ଶୀ
ରାବଣ ପରି
ନିଜ ସହ ନିଜ ଦେଶ ଧ୍ୱଂସର କାରଣ ହେବା।