ଗୁଡୁ ଆଉ ଆଙ୍ଗ୍ରି ବାର୍ଡ
ଗୁଡୁ ଆଉ ଆଙ୍ଗ୍ରି ବାର୍ଡ
ସବୁବେଳେ ଘରେ ଅଶାନ୍ତି ସୃଷ୍ଟି ହୁଏ ଗୁଡୁ ପାଇଁ । ବାପା ମାଆଙ୍କ ମଧ୍ୟରେ କଳି ଝଗଡା, ପାଟି ହୁଏ । କାରଣ ସବୁବେଳେ ଟିଭି ପାଖରେ ବହୁତ ସାଉଣ୍ଡ ଦେଇ ଦେଇ ଦେଖୁଥାଏ ରାତି ଦିନ ଆଙ୍ଗ୍ରି ବାର୍ଡ ଓ ପୋକୋମ୍ୟାନ ଭଳି ଭିଡିଓ । ଏତେ ମଜ୍ଜି ଯାଏ ଟିଭି ଦେଖାରେ ଯେ ସମୟ ତାକୁ ଜଣାପଡେ ନାହିଁ । ବର୍ତ୍ତମାନ ତ ସବୁଆଡେ ସ୍କୁଲ ବନ୍ଦ । ଗୁଡୁର ଖୁସି କହିଲେ ନ ସରେ । ଆଙ୍ଗ୍ରି ବାର୍ଡ କେମିତି ଅଣ୍ଡା ଦେଲା , କିଏ ତା ଅଣ୍ଡା ନେଲା ଇତ୍ୟାଦି ଇତ୍ୟାଦି ବିଷୟରେ ସବୁବେଳେ ଚର୍ଚ୍ଚା କରୁଥାଏ ବାପା ମାଆ ପାଖରେ ।
ବାପା ମାଆ ତା କଥା ଶୁଣୁଛନ୍ତି କି ନାହିଁ, ସେଆଡକୁ ଗୁଡୁର ନିଘା ନଥାଏ । କିନ୍ତୁ ଆଙ୍ଗ୍ରି ବାର୍ଡ କଥା କହିବ ହିଁ କହିବ । ଏଇ ଆର ବର୍ଷର କଥା ସବୁବେଳେ ପୋକୋମ୍ୟାନ ଦେଖେ । ପୋକୋମ୍ୟାନ ଭିଡିଓର ସବୁ କଥା ଗୁଡା ତା ମୁହଁରେ ମୁଖସ୍ଥ । କଥା କଥାକେ ପୋକୋମ୍ୟାନର ଦୁଇ ଚାରିଟା ସଂଳାପ ଝାଡିଦିଏ । ପାଞ୍ଚ ବର୍ଷର ଛୁଆଟିଏ ସତ ହେଲେ ସତେ ଯେମିତି ସେ ପୋକୋମ୍ୟାନ ତିଆରି କରିଛି । ସେହିଭଳି କଥା ଜଣାପଡେ । ସବୁବେଳେ ଏମିତି ଟିଭିରେ ଭିଡିଓ ଦେଖି ଦେଖି ପାଠଶାଠ ଭୁଲିଯାଏ ଗୁଡୁ । ମାଆ ଯେତେ ଗାଳି ମାଡ଼ ଦେଲେ ବି କିଛି ଫରକ୍ ପଡେ ନାହିଁ । ବାର୍ଷିକ ପରୀକ୍ଷା ସରିଲା ।
ରିଜଲ୍ଟ୍ ବି ବାହାରିଲା । ହେଲେ ପ୍ରତିବର୍ଷ ଶ୍ରେଣୀରେ ପ୍ରଥମ ହେଉଥିବା ଗୁଡୁ ଏଥର କିନ୍ତୁ ଏଗାର ନମ୍ବରରେ ଅଛି । ବାପା ମାଆ ପୁଅର ପ୍ରୋଗ୍ରେସ୍ ରିପୋର୍ଟ୍ ଦେଖି ବହୁତ ମନଦୁଃଖ କଲେ । କୁନିପିଲାଟା କଣ ବା ବୁଝିବ । ପରିବର୍ତ୍ତନ ପାଇଁ ଏକମାତ୍ର ରାସ୍ତା ଟିଭିରେ କେବୁଲ କାଟିବା । ସେୟା ବି କଲେ । ହେଲେ ଗୁଡୁ ଯେତେବେଳେ ପାରି ସେତେବେଳେ ବାପା ମାଆ ମୋବାଇଲ ନେଇ ଆଙ୍ଗ୍ରି ବାର୍ଡ, ପୋକୋମ୍ୟାନ ଭଳି ଭିଡିଓ ଦେଖି ବହୁତ ଖୁସି ହେଲା । ଯେତେବେଳେ କିଛି ନ ଦେଖେ ପାଠଶାଠ ଆଉ ଆଦୌ ପଢିଲା ନାହିଁ ।
ବାଧ୍ୟହୋଇ ଟିଭିରେ ପୁଣି କେବୁଲ ଲାଗିଲା । ସବୁବେଳେ କାନେ କାନେ ମାଆ ପୁଅକୁ ପାଠ ପଢିସାରି ଟିଭି ଦେଖିବାର ପ୍ରେରଣା ଦେଲେ ।
ସତକୁ ସତ ମାଆଙ୍କ କଥା ମାନି ଗୁଡୁ ପାଠପଢ଼ା ଶେଷ କରି ଟିଭି ଦେଖିଲା । ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଏଥର ପ୍ରଥମ ବି ହୋଇଛି । ଆଉ ସବୁବେଳେ ଆଙ୍ଗ୍ରି ବାର୍ଡ କାହାଣୀ କହୁନାହିଁ । ଏଥର ପାଠପଢ଼ା ରେ ବି ମନ ଦେଇ ଟିଭି ଦେଖୁଛି ।
