ଗ୍ରୀଟିଂକାର୍ଡ ଓ ହ୍ଵାଟ୍ସଆପ
ଗ୍ରୀଟିଂକାର୍ଡ ଓ ହ୍ଵାଟ୍ସଆପ


ଗଳ୍ପ -
ଗ୍ରୀଟିଂକାର୍ଡ଼ ଓ ହ୍ୱାଟ୍ସଆପ
୪ବର୍ଷର ଛୁଆ ମଣ୍ଟି ଘରସାରା ଖୁସି ରେ ଡ଼େଉଁଛି। ହାପି ନିଉ ଇଅର ଉଇଶ କରି କରି ଥକି ଗଲାଣି। ସଭିଏଁ ଉତ୍ସବ ମୁଖର। କିଏ ସକାଳୁ ସକାଳୁ ସଜ ହେଇ ମନ୍ଦିର ଦର୍ଶନ ରେ ବାହାରି ଗଲାଣି ତ କିଏ ଭୋଜି କରିବା ପାଇଁ । ଆଜି କାହା ପାଖେ ଫୁରସତ ନାହିଁ। ମୋବାଇଲ ଘଣ୍ଟି କାଲି ରାତି ବାରଟା ରୁ ଟିଂ ଟିଂ କରୁଛି। ମିଶ୍ର ବାବୁଙ୍କର ସେଥିପ୍ରତି ନିଘା ନାହିଁ। ସେ ବ୍ୟସ୍ତ ହୋଇ ବହିଥାକ ରୁ କଣ ଖୋଜିବାରେ ଲାଗିଛନ୍ତି।
- ଜେଜେବାପା ଜେଜେବାପା ତୁମ ହ୍ୱାଟ୍ସଆପ୍ପ ଖୋଲ। ମେସେଜ୍ ରେ ପୁରା ଭର୍ତ୍ତି ହେଇ ଗଲାଣି। ଦେଖୁନ କିଏ କିଏ ମେସେଜ୍ ଦେଇଛନ୍ତି।
ମଣ୍ଟିର କନକନିଆ କଥାରେ ମିଶ୍ରବାବୁ ସ୍ଥିର ହୋଇ ଉଠିଲେ।
- ନା ସେ ମେସେଜ୍ ଗୁଡାକ ମୋତେ ଭଲ ଲାଗେନା।
- ତେବେ କଣ ପାଇଁ ହ୍ୱାଟ୍ସଆପ୍ପ ରଖିଛ ଯେ ? ଦେଖୁନ କେତେ ସୁନ୍ଦର ମେସେଜ୍ ସବୁ ଆସିଛି।
ହଠାତ୍ ମିଶ୍ରବାବୁ ଖୁସି ରେ ନାଚି ଉଠିଲେ।
- ଦେଖିଲୁ ମଣ୍ଟି ୟା ଠୁ ବି ସୁନ୍ଦର ମେସେଜ୍ ତୋ ହ୍ୱାଟ୍ସଆପ୍ପରେ ଅଛି।
- ଜେଜେବାପା ଏ ସବୁ କଣ?
- ଆରେ ଏ ସବୁ ପରା ଗ୍ରୀଟିଂକାର୍ଡ଼। ତୋ ବାପା ଯେତେବେଳେ ନୂଆକରି ଚାକିରି କରିଥିଲା , ବାଙ୍ଗାଲୋର ରେ ରହୁଥିଲା ଏଇଟା ସେଇଠୁ ପଠେଇ ଥିଲା। ଦେଖ ଦେଖ କଣ ଲେଖିଛି।
ନୂତନ ବର୍ଷର ଅଭିନନ୍ଦନ
ବଢ଼ାଇବି ତୁମ ମାନ ସମ୍ମାନ
ତୁମକୁ ମୋର କୋଟି କୋଟି ନମନ
ସାହାରା ହୁଅନ୍ତୁ ସଦା ଚକାନୟନ
ଆଉ ଦେଖ ତୋ ଜେଜେମା ଯେତେବେଳେ ନୂଆବର୍ଷ ରେ ତା ବାପାଘରେ ଥିଲା ଏଇଟା ଲେଖିଥିଲା
ଉଡ଼ିଗଲା ଉଡାଜାହାଜ
ତଳେ ପଡ଼ିଲା ଛାଇ
ମୋ ରାଣ ତୁମେ ମୋତେ
ନୂଆ ବରଷ ରେ ଭୁଲିବ ନାହିଁ
ଆଉ ଏଇଟା ଦେଖ ତୋ ଅପା ହଷ୍ଟେଲ ରୁ ଲେଖିଥିଲା
ରୋଜ ଇଜ୍ ରେଡ୍
ଇଂକ୍ ଇଜ୍ ବ୍ଲୁ
ବାପା ଆଇ ଲଭ୍ ୟୁ
-ଜେଜେବାପା ତୁମେ କଣ ପାଇଁ ମନ ଦୁଃଖ କରୁଛ ଯେ। ସମସ୍ତେ ତମକୁ ହ୍ୱାଟ୍ସଆପ୍ପ ରେ ପରା ଉଇଶ୍ କରିଛନ୍ତି।
-କଣ ଲେଖିଛନ୍ତି ପଢିଲୁ
- wishing you a happy and prosperous new year
_ବାସ୍ ସେତିକି ନା। ଏସବୁ ମେସେଜ୍ କଣ ମୁଁ ସାରା ଜୀଵନ ସାଇତି କି ରଖି ପାରିବି। ଯେମିତି ଏ ଗ୍ରୀଟିଂକାର୍ଡ଼ ଗୁଡିକୁ ମୁଁ ପଢ଼ି ପାରୁଛି।
ମଣ୍ଟି ଭାବୁଥିଲା ଏଇ ମୋବାଇଲ ଦୁନିଆଁ ରେ ସତରେ କଣ ଗ୍ରୀଟିଂକାର୍ଡ଼ର ମହତ୍ତ୍ୱ ଅଛି? ଆଉ ମିଶ୍ରବାବୁ ବହିଥାକକୁ ଘାଣ୍ଟି ଚାଲିଥିଲେ । କାଳେ ସ୍ମୃତି ଫରୁଆ ଭିତରୁ ଆଉ କିଛି ସ୍ମୃତି ବାହାରି ଆସିବ
ପ୍ରିୟ ପାଠକ ନିଜ ନିଜର ମତାମତ ଦେବାକୁ ଭୁଲିବେନି