ଗରୀବ ବାପା
ଗରୀବ ବାପା
ସକାଳ ସାଢ଼େ ଆଠଟା, ସୂର୍ଯ୍ୟର ଉଷୁମ ରଶ୍ମିରେ ଝାଉଁଳି ପଡୁଥିବା ଫୁଲମାନଙ୍କରେ ଭ୍ରମର ମାନେ ଭ୍ରମଣ କରୁ ନଥାନ୍ତି । ସେହି ଫୁଳମାନଙ୍କର ପ୍ରକୃତ ସୌନ୍ଦର୍ଯ୍ୟତା ପୁଣି ମନୋହରୀ ଲାବଣ୍ୟ ଫିକା ହେବାରେ ଲାଗିଥିଲା । ସେହି ମୂହୁର୍ତ୍ତରେ ସତେଜ ଫୁଳଗୁଡିକରେ ଭ୍ରମର ବସି ଆପଣା ଗୁଣୁଗୁଣୁ ଶବ୍ଦ କରୁଥିବାର ମନେ ହେଲା ।
ଝାଉଁଳି ପଡୁଥିବା ଫୁଲଗୁଡିକ ସ୍ପଷ୍ଟ ଭାବରେ ଅନୁଭୂତ ହେଉଥିଲା । କିଛି ସମୟ ନିଶ୍ଚିନ୍ତରେ ନିରୀକ୍ଷଣ କଲା ପରେ ଜୀବନ ଓ ଫୁଲମାନଙ୍କର ଜୀବନ ମଧ୍ୟରେ କ୍ବଚିତ୍ ସାମଞ୍ଜସ୍ୟ ଥିବାର ଜାଣି ହଠାତ୍ ଛେଲିଆ ବୁଢ଼ା ହତବମ୍ବ ହୋଇଗଲା ।
ବାପା....
ବାପା....
ଘର ଭିତରୁ ବିର୍ଜୁର ଡାକ ।
ବୁଢ଼ାର କାନରେ ଗୁଞ୍ଜରଣ ହେଲା । ପୁଅ ବିର୍ଜୁର ଡାକ ଛେଲିଆର ଗମ୍ଭୀର ଚିନ୍ତାଧାରାକୁ ଭାଙ୍ଗି ନୂଆ ଆଶା ସଞ୍ଚାରି ଦେଲା ସତ ହେଲେ ଦିନେ ଜୀବନ ଶେଷ ହେବ ନିଶ୍ଚିତ ଏକଥା ଛେଲିଆ ବୁଝି ସାରିଥିଲା ।
ଘର ବାରଣ୍ଡାର ପୁରୁଣା ମଇଲା କାଠ ଚୌକିରୁ ଉଠି ଠିଆ ହୋଇ ଅସ୍ଥାୟୀ କାଠ ବାଡ଼ ଆଡକୁ ନଜର ପକାଇଲା । କଲରା, ଜହ୍ନି ଲଟାରୁ ହଳଦିଆ ଫୁଲସବୁ ଆକାଶ ଆଡକୁ ମୁଣ୍ଡ ଗେଞ୍ଜି ଯେମିତି ଛେଲିଆ ବୁଢାକୁ ହିଁ ଉପହାସ କରୁଥିଲେ । ସେଇ କିଛି ଫୁଲରୁ ଫଳ ହେଉଥିଲା, ପୁଣି ସେ ଫଳରୁ ଫୁଲ ଝାଉଁଲି ପଡୁଥିଲା । ସୃଷ୍ଟି ଚକ୍ରରେ ଛେଲିଆ ଝାଉଁଳା ଫୁଲ ବୟସର, ପ୍ରତି କ୍ଷଣ ତା ପାଇଁ ଗୋଟିଏ ଦିନ । ଲିଭି ଯାଉଥିବା ପ୍ରେମ ତା ପାଇଁ ଜୀବନ୍ତ ଜବନିକା ସ୍ମୃତି, ମରୁଭୂମିରେ ବିନ୍ଦୁଏ ପାଣିର ସନ୍ଧାନ ଭଳି ସେ ତା ମୃତା ସ୍ତ୍ରୀକୁ ମନେ ମନେ ଖୋଜୁଥିଲା । କେବେ କେବେ ଭଗବାନଙ୍କୁ ପ୍ରଶ୍ନ କରେ_" ପ୍ରଭୁ ମରିଗଲା ପରେ ସ୍ବର୍ଗରେ ମୋ ସ୍ତ୍ରୀ ସହ ସାକ୍ଷାତ ହେବ ??"
"ବିର୍ଜୁ... ତୋ ପସନ୍ଦର ଝିଅ ଦେଖି ବାହା ହୋଇ ଯା ପୁଅ, ତୁ ବାହା ହୋଇଗଲେ ଶାନ୍ତିରେ ଟିକେ ନିଶ୍ବାସ ମାରିପାରିବି ।" _ଛେଲିଆ ଅବୁଝା ପରି ଧିର କଣ୍ଠରେ କହିଗଲା ।
"ନା ବାପା..." _ ବିର୍ଜୁ ରୋକଠୋକ୍ ମନା କରିଦେଲା
"ଚାକିରୀ ଖଣ୍ଡେ କଲେ ଯାଇ ବିବାହ କରିବି ନଚେତ୍ ମୋ ପରିଶ୍ରମ ବ୍ୟର୍ଥ ହୋଇଯିବ ।"
"ଦେଖ ପୁଅ ତୋ ବାହା ଦେଖିବାକୁ ବଞ୍ଚିଛି ନହେଲେ ତୋ ମାଆ ପାଖକୁ..." ଏତିକି କହି ଛେଲିଆ ହଠାତ୍ ଚୁପ ହୋଇଗଲା, ଆଖିରୁ ଲୁହ ଦୁଇ ଧାର ବହିଗଲା ।
"ବାପା....!!"
ଏତିକି କହି ବିର୍ଜୁ କିଛି କହି ପାରିଲା ନାହିଁ ।
କିଛି କ୍ଷଣ ପରିବେଶ ନିଶ୍ଚଳ ହୋଇଗଲା ପରେ ବିର୍ଜୁ ଶେଷରେ ବିବାହ ପାଇଁ ଚିନ୍ତା କରିବାକୁ ବାପାକୁ କଥା ଦେଲା । ହେଲେ ବିର୍ଜୁ ବୁଝି ସାରିଥିଲା ବିବାହ କୌଣସି ଖେଳ ଘର ନୁହେଁ ।
ଛେଳି ଚରାଲିରୁ ଛେଲିଆ ସାଜିଥିବା ଛେଲିଆ ବୁଢ଼ାର କ୍ରମେ ପାଦ ଥକି ଯିବାର ବେଳ । ନାନା ଚିନ୍ତା ବୃଦ୍ଧ ବୟସକୁ ଘନେଇ ଧରିଲା ପରେ ଘରେ ବସି ରହିଲା । ଦୁହେଁ ବସି କଂସା ବାସନରେ ପଖାଳ ଖାଉଥିବା ବେଳେ ଡାକବାଲା ଆସି ବିର୍ଜୁକୁ ଆପଏଣ୍ଟମେଣ୍ଟ୍ ଅଡ଼ର ଧରେଇ ଦେଇ ଚାଲିଗଲା । ଡାହାଣ ହାତରେ ଲେଟରକୁ ଚିରି ପଖାଳ ଖାଇ ଖାଇ ପଢିଲା, ପଢି଼ ସାରି ଅଇଁଠା ହାତରେ ବାପାକୁ ପଛପଟୁ କୁଣ୍ଡାଇ ଧରି କାନ୍ଦି ପକାଇଲା ବିର୍ଜୁ ।
"ବାପା.. ଚାକିରୀ ପାଇଯାଇଛି" _ଲୁହ ପୋଛି କହିଲା ବିର୍ଜୁ ।
"ଏଥର ତୋ ବାହା ପକ୍କା"
ଏତିକି କହି, ଛେଲିଆ ବୁଢ଼ା ତା ଆଖିର ଲୁହକୁ ପୋଛୁଥିଲା ।
"ବାପା କାଲି ମୁଁ ସହରକୁ ଯିବି, ଫେରିବା ଯାଏଁ ନିଜ ଦେହର ଯତ୍ନ ନେଉଥିବୁ, ଚାକିରୀ କଥା କାହାରିକୁ ଜଣାଇବୁ ନାହିଁ । ଆସିଲେ ଦୁହେଁ ମିଶି ଜଣେଇବୁ "_ ବିର୍ଜୁ ବାପା ପାଖରେ ବସି ହସି ହସି ଧିର କଣ୍ଠରେ କହିଲା ।
ଅଜୁର ବାପା ମାଆଙ୍କୁ ଦେଖାରେଖାର ଦାୟିତ୍ବ ଦେଇ ବିର୍ଜୁ ସହରକୁ ଚାଲିଗଲା ।
ଏକାନ୍ତ ସମୟ, ବିର୍ଜୁର ଅନୁପସ୍ଥିତି ଖାଁ ଖାଁ ଲାଗୁଥିଲା ସତ କିନ୍ତୁ ଛେଲିଆ ବୁଢ଼ା ପୁରୁଣା ସ୍ମୃତି ସବୁକୁ ମନେ ପକାଇ ଟିକେ ଆଶ୍ବସ୍ତ ହେଲା । ସେ ସ୍ମୃତିରେ ତା ସ୍ତ୍ରୀ ରେବତୀ ଆଜି ବି ଯୁବତୀଟିଏ ।
ନିପଟ ରାତିରେ ଖଟରୁ ଉଠି ପଡ଼ିଲା । ସମୟ ଜଣା ନାହିଁ । ପୁରୁଣା ଅଧା ଭଙ୍ଗା ବାକ୍ସକୁ ଖୋଲିଲା । ବାକ୍ସରେ ଥିବା ପୁରୁଣା ବଇଁଶୀକୁ କିଛି ସମୟ ଅନାଇଲା...ପରେ ଧୂଳି ଧୂଆଁକୁ ସଫା କଲା । ସେ ବଇଁଶୀ ସହ ଜଡ଼ିତ ରେବତୀକୁ ଖୁବ ମନେ ପକାଇଲା । ବଇଁଶୀରେ ଏତେ ମଧୁର ସ୍ବର ଭରି ରହି ଥିଲା ଯେ ରେବତୀ ତା ପ୍ରେମରେ ଅନ୍ଧୁଣୀ ହୋଇ ଯାଇଥିଲା । ଘର..ଦ୍ବାର..ପରିବାର..ସଂସାରକୁ ଖାତିର ନକରି
ଖାଲି ହାତରେ ଚାଲି ଆସିଥିଲା ଛେଲିଆ ପାଖକୁ ।
"ବିର୍ଜୁର ଚାକିରୀ କଥା ଜାଣି ରେବତୀ ବି ଖୁସିରେ ପାଗିଲିଟିଏ ହୋଇଯାଇଥାନ୍ତା ।" _ ମନେ ମନେ ଗୁଣୁଗୁଣୁ ହେଲା ।
ଶାରୀରିକ ବାଡ଼ ଭାଙ୍ଗି ଗଭିରରୁ ଗଭୀରତା ଆଡକୁ ଆଗେଇ ଯାଇଥିଲା ପ୍ରେମ, ସେ ପ୍ରେମ ଭିତରେ ରେବତୀ ଗର୍ଭବତୀ ହୋଇସାରିଥିଲା । ଗର୍ଭବତୀ ରେବତୀ ଛେଲିଆର ଜୀବନକୁ ସମସ୍ୟାର ଭିଡ଼ ଭିତରକୁ ଟାଣି ନେଇ ସାରିଥିଲା ସତ ହେଲେ ରେବତୀ ବିନା ଛେଲିଆ ବଞ୍ଚିବ କେମିତି ? ଗର୍ଭର କିଛି ମାସ ପରେ ସେ ତାକୁ ଜୀବନ ସାଥୀ ରୂପେ ବାଛି ନେଲା । ବିର୍ଜୁ ମଧ୍ୟ ସେ ପ୍ରେମର ପ୍ରକୃତ ପରିଚାୟକ ଅଥଚ ସେ ଏତେ କଥା ଜାଣିନି, ଜାଣିବ ବା କେମିତି ?
କେତେ ସାମାଜିକ ବାଦବିବାଦ ପରେ ବୈବାହିକ ଜୀବନ ଓ ପରିବାରଟିଏ ଗଢି ପାରିଥିଲା ଛେଲିଆ । କେତେ ଲୋକଙ୍କଠୁ ଅଶ୍ଲୀଳ କଥା ଗାଳି ଶୁଣିଥିଲେ । ଭୋକ ଉପାସରେ ଦିନ ବିତିଯାଉଥିଲେ ସୁଧା ଦୁହେଁ ମିଶି ହସ ଖୁସିରେ ଚଲିଯାଉଥିଲେ ।
ବଇଁଶୀକୁ ବଜାଇବାକୁ ଚେଷ୍ଟା କଲା...ହେଲେ ନା...ସେ ଆଉ ବଜାଇ ପାରୁନି । ମୁକୁଳା ପାଟିରେ ଫୁଙ୍କି ପାରୁନି, ହାତ ଥରୁଛି... ବଇଁଶୀର ଛେଦରେ ଆଙ୍ଗୁଠି ଠିକରେ ପଡୁନାହିଁ ବୋଲି ନିଜକୁ ବିଚଳିତ ମନେକଲା । ଅସହାୟ ଅବସ୍ଥାରେ ଖଟରେ ବସିପଡିଲା ।
ଦୁଇ ଦିନ ହେଲା ବିର୍ଜୁ ଘରକୁ ଫେରି ନାହିଁ, ଏପଟେ ଛେଲିଆ ବୁଢ଼ାର ଦେହ ଅସୁସ୍ଥ ହେବାରେ ଲାଗିଥିଲା । ଅଜୁର ମାଆ ବାପା ମଝିରେ ମଝିରେ ଦେଖା ସାକ୍ଷାତ କରୁଥିଲେ । ଔଷଧ ଆଣି ଦେଲେ, ହେଲେ ବୁଢ଼ା ବୟସ ଦେହରେ ଲାଗିଲା ନାହିଁ । ବୃଦ୍ଧା ରୋଗ ତା' ଅବୟବକୁ ଆବରଣ କରିବାରେ ଲାଗିଲା । ଏ ମଧ୍ୟରେ ମୃତ ସ୍ତ୍ରୀର ବିରହ ସୃତି ମଧ୍ୟ ଅନେକ ଯନ୍ତ୍ରଣା ଭରିଦେଲା । ଇତି ମଧ୍ୟରେ ସେ ମୃତ୍ୟୁ ସହ ସାରାରାତି ଲଢେଇ କଲା, ଶେଷରେ ଆଜିଯାଏଁ ମୃତ୍ୟୁ ଠାରୁ କିଏ ଜିତିଛି ?
ସକାଳ ନିତି ଯା ଆସ କଲେ ବି ଏ ସକାଳ ଅଲଗା । ବୁଢ଼ା ସକାଳୁ ଉଠି ବାରଣ୍ଡାର ଭଙ୍ଗା ଚୌକି ଉପରେ ବସିଥିବାର ନିତି ଦେଖା ଯାଉଥିଲା ହେଲେ ଆଜି ଏତେ ବିଳମ୍ବ କାହିଁକି ? ଅଜୁର ବାପାକୁ ଏ ପ୍ରଶ୍ନରୁ ଅନେକ ଉତ୍ତର ସାଉଟିବାକୁ ପଡ଼ିଲା । ଶେଷରେ ଛେଲିଆ ଘର ଦ୍ବାର ମୁହଁକୁ ଆସିଲା । କବାଟ ବନ୍ଦ ! ଡାକ ଦେଲା । କବାଟକୁ ଠକ୍ ଠକ୍ କଲା । ଅତି ଜୋରରେ ଡାକିଲା । ଭିତରୁ କୌଣସି ଶବ୍ଦଟାଏ ବି ଆସିଲା ନାହିଁ । ଏ ଭିତରେ ଅନେକ ଲୋକ ରୁଣ୍ଡ ହୋଇ ସାରିଥିଲେ । ଶେଷରେ କବାଟକୁ ଭଙ୍ଗା ଗଲା । ଛେଲିଆ ବୁଢ଼ା ବଇଁଶୀଟିକୁ ଧରି ଖଟରେ ପଡ଼ିରହିଛି, ଛାତିରେ ସ୍ପନ୍ଦନ ନାହିଁ ! ନାକରେ ନିଶ୍ବାସ ନାହିଁ ! କେତେବେଳୁ କରାଳ ମୃତ୍ୟୁ ଗ୍ରାସ କରି ସାରିଥିଲା !! କିଛି ବିଜ୍ଞ ବ୍ୟକ୍ତି କହୁଥିଲେ_ "ଅନାହାର ମୃତ୍ୟୁ !!"
ଅନାହାର ମୃତ୍ୟୁର ସହାୟତା ପାଇଁ ଗାଁ ଲୋକେ ଅଣ୍ଟା ଭିଡିଲେ । ରାଜରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରାଗଲା । ପୋଲିସ, ମେଡିଆ ଓ ପ୍ରଶାସନ ପହଞ୍ଚିଗଲେ । ଲାଇବ୍ ଟି.ଭି ରେ ଅନାହାର ମୃତ୍ୟୁର ଘୋଷଣା କରାଗଲା । ପ୍ରଶାସନ ତା ପୁଅକୁ ପ୍ରଶାସନିକ ସହାୟତା ଦେବାକୁ ସୁପାରିସ କରିଦେଲେ।
ଶବକୁ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ନ ହେଉଣୁ ଶବ ଗ୍ରାମରେ ପହଞ୍ଚିଗଲା ତଥାପି ବିର୍ଜୁ ସହ ଯୋଗାଯୋଗ ହେଇ ପାରିଲା ନାହିଁ । ପୋଲିସର ଉପସ୍ଥିତି କ୍ରମେ ଗ୍ରାମର ଭଦ୍ରବ୍ୟକ୍ତି କେତେଜଣ ମିଶି ଶବକୁ ଚିତାଗ୍ନି ଦେଇଦେଲେ ।
ସୂର୍ଯ୍ୟସ୍ଥ ବେଲକୁ ଏକମୁହାଁ ହୋଇ ବିର୍ଜୁ ଖୁସିରେ ଗାଁ ଅଭିମୁଖେ ଫେରିଲା । ତା ପିଠିର ଶସ୍ତା ନୁଆ ବ୍ୟାଗ କେତେ କଥା କହି ଯାଉଥିଲା ହେଲେ ଗାଁ ରାସ୍ତାରେ କେହିଜଣେ ବି ନାହିଁ । ବାପାକୁ ଭେଟିବାର ଅଭିପ୍ସା ଆଗରେ ସେସବୁ ତୁଚ୍ଛ ମନେ ହେଉଥିଲା । ତରବର ହୋଇ ଘରେ ପହଞ୍ଚି ଦେଖିଲା କବାଟ ଭାଙ୍ଗା ହୋଇଛି, ବାପା ଘରେ ନାହାନ୍ତି ! ଭିତରକୁ ଗଲା ପୁଣି ଭିତରୁ ବାହାରକୁ, ବାହାରୁ ପୁଣି ଭିତରକୁ, ଚିତ୍କାର କରି ଡାକଦେଲା କେହି ଶୁଣିଲେ ନାହିଁ । ଅଜୁ ଘରକୁ ଦୌଡ଼ି ଦୌଡ଼ି ଗଲା ବେଳେ ରାସ୍ତାରେ ବୃଦ୍ଧବ୍ୟକ୍ତି ଜଣେ ତା ବାପାର ମୃତ୍ୟୁ ଖବର ଦେଲେ ।
ଶୁଣିବା ମାତ୍ରେ ହିଁ ମଶାଣି ଆଡକୁ ଏକ ନିଶ୍ବାସରେ ଧାଇଁଲା,
ବାପାର ଶେଷ ଦର୍ଶନ ପାଇଁ ହେଲେ ଦୂରରୁ ଆଣ୍ଠୁମାଡ଼ି ଠିଆ ହୋଇ ପଡିଲା । ବାପାର ଶବକାଠ ଦୁକଦୁକ ହୋଇ ଆହୁରି ଆହୁରି ଉପରକୁ ଉଠୁଛି । ଗ୍ରାମର ମେଞ୍ଛାଏ ଭଦ୍ରବ୍ୟକ୍ତି, ପୋଲିସ ଚିତାଗ୍ନି ପାଖରେ ଠିଆ ହୋଇଛନ୍ତି । ତା ଆଖିର ଲୁହ ମେଘମାଳାରୁ ଝରି ପଡୁଥିବା ଝଡ଼ି ବର୍ଷା ପରି ଘନେଇ ଗଲା ବେଳେ ଅନ୍ଧାର ଭିତରେ ବିଜୁଳି ଆଲୁଅ ପରି ଚମକୁଥିଲା ଛେଲିଆ ବୁଢ଼ାର ଚିତାଗ୍ନି ।
ଗରିବ ବାପାର ଶବ ଚେତେଇ ଦେଇ ଯାଉଥିଲା ଯେ "ଶବ କେବେ ବି ଗରୀବ କି ଧନୀ ହୋଇ ମଶାଣିକୁ ଯାଏ ନାହିଁ ମଶାଣିରେ ସମସ୍ତେ ସମାନ ।"