Parameswar Ojha

Abstract Thriller

3  

Parameswar Ojha

Abstract Thriller

ଗରିବି

ଗରିବି

2 mins
539


ଏବେବି ରଘୁଆ ନିଜର ଦୂର୍ବଳ ଚେହେରାକୁ କାମରେ ଲଗାଏ ସପ୍ତାହରୁ ପାଞ୍ଚ ଦିନ । ଏବେବି ବିନୋବା ଆସେ ପ୍ରାୟ ପ୍ରତି ସକାଳ ସଂଧ୍ୟାରେ ତା ଦୁଆର ମୁହଁକୁ ତା ସୁଧ ଟଙ୍କା ନେବା ପାଇଁ । ଅଢେଇ ବର୍ଷ ହେଲାଣି ସେଇ ଫଟା ରିମ୍ ରେ ସାଇକେଲ ଚଢୁଛି ସେ । ଝିଅକୁ ପଚିସ ଡେଇଁ ଗଲାଣି ତା ଦେହରେ ଜାମା ଛୋଟ ହୋଇଗଲାଣି ଯାଗା ଯାଗା ସିଲେଇ ନିଜ ଛାତିକୁ ବାପାଙ୍କ ଗାମୁଛାରେ ଘୋଡେ଼ଇ ବାହାରକୁ ଯାଏ । ରମା ତେଜରାତି ଦୋକାନୀ ତା ହାତରେ ୨୦୦ ଗୁଞ୍ଜି ଦେଇ କହେ ଆସ୍ ଟିକିଏ । ସେ ପାଟି ଖୋଲି ପାରେନି କି ନିଜକୁ ବିକି ପାରେନି । ସବୁ ସହିଯାଏ ବାପାଙ୍କ ମୁହଁକୁ ଚାହିଁ, ସେ ଜାଣିଛି ବାପାଙ୍କ ଭଲରେ ମନ୍ଦରେ ପାଖରେ ଠିଆ ହେବାକୁ କେହି ନାହିଁ । ଖାଲି ତାକୁ ଲୋଲୁପ ଦୃଷ୍ଟି ପକାଇବାକୁ ଚାଲି ଆସନ୍ତି ଯାହା ।


ଏବେବି ରଘୁଆ ସାନ ପୁଅ ଇଟା ବୋହିବାକୁ ଚାଲିଯାଏ ସ୍କୁଲ ଛୁଟି କରି । ବାପା ତାଗିଦ୍ କରନ୍ତିନି କାରଣ ସେ କାମ ପରେ ଶହେ ଦେଢ଼ଶହ ବାପା ହାତରେ ଧରେଇ ଦିଏ ।

ଆଜିବି ରଘୁଆ ଦିଓଳି ଖାଇଲେ ଆଉ ଓଳିଏ ଓପାସ ରହିଯାଏ । ଭାରିଜାର ଅଣ୍ଟା ବେମାରି ହେଇଛି ଯେ ଭଲ ହେବାର ନାଁ ଧରୁନି । ପେଟରୁ କାଟି ଜାକିଜୁକି କିଛି ପଇସା ରଖିଥିଲା ଯେ କେବଳ ରକ୍ତ ପରୀକ୍ଷାରେ ହିଁ ଖର୍ଚ୍ଚ ହୋଇଗଲା ଅଧା, ବାକି ଅଧାରେ ପୁରା ଔଷଧ ହେଲାନି ଯେ ଅଧା ଧରି ଆସିଲା ।


ଔଷଧ ସରିଲାଣି ୪ ବର୍ଷ ହେଲାଣି ହେଲେ ଏ ପର୍ଯ୍ୟନ୍ତ ବି ରଘୁଆ ସେ ଡାକ୍ତରଖାନା ଦୁଆର ମୁହଁ ମାଡିନି । ଏବେ ମିନତୀର ଅଣ୍ଟା ବିନ୍ଧିଲେ ସେ ଗାଁ ଛକ ଭଗିଆ ଦୋକାନରୁ ବଟିକା ଆଣି ଦେଇଦିଏ ଖାଇବାକୁ । କିଛି କ୍ଷଣ ଭଲ ଲାଗେ ତାପରେ ଯେମିତିକୁ ସେମିତି । ବିଛଣାରେ ପଡିଛି ଭାରିଜା ଆଜିକୁ ତିନି ବର୍ଷ ହେଲାଣି, ଝାଡ଼ା ପରିଶ୍ରା ଯାଏ ବହୁ କଷ୍ଟରେ ।

ଆଜିବି ରଘୁଆ ଘର ଛପର ଉଡି ଯାଉଥିବା ଚାଉଳକୁ ଚାହେଁ ଆଉ ଆଖି ଭିଜେଇ ଭାବୁଥାଏ । ତା ଝିଅଟାକୁ କେହି ନେଇ ଯାଆନ୍ତା କି, ସେ ରାଜିରୁଜାରେ କାହା ସହ ପଳେଇ ଯାଆନ୍ତା କି କୁଆଡେ । କିଛି ଏମିତି


ଚମତ୍କାର ହୁଅନ୍ତାନି ରାତି ପାହିଲା ବେଳକୁ, ଭାରିଜା ବେମାର ଠିକ୍ ହୋଇ ଯାଆନ୍ତା । ଝିଅ ତା ଗେରସ୍ତ ସହ ଆସି ମୁଣ୍ଡ ତଳକୁ କରି ଛିଡା ହୋଇ କୁହନ୍ତାନି

-- " ବାପା ମୋତେ କ୍ଷମା କରିଦିଅ, ମୋର ଭୁଲ୍ ହୋଇ ଯାଇଛି ।"

କିନ୍ତୁ ସେମିତି ହୁଏନି କାହିଁ କାହିଁ ଦୂରକୁ ସେମିତି ହେବାର ସମ୍ଭାବନା ବି ନାହିଁ । କିଛି ଦୁଃଖକୁ ନଈରେ ଭସେଇ ଦେବାକୁ ଆଉ କିଛି ସୁଖକୁ ନିଜ ଅକ୍ତିଆରରେ ରଖିବାକୁ ପ୍ରୟୋଜନ ଥାଏ ଯଥେଷ୍ଟ ଅର୍ଥର ଯାହା କି ରଘୁଆ ପାଖରେ ନାହିଁ ।


ନିତି ମରି ମରି ବଞ୍ଚେ ବଞ୍ଚି ବଞ୍ଚି ମରେ । ହୁଗୁଳା ଯତ୍ନହୀନ ଦେହରେ ଚିରା ଲୁଙ୍ଗିଟେ ଗୁଡେ଼ଇ ଦେଇ ମନ ଭାରି ଭାରି କରି ଯେତେବେଳେ ସେ ବାଟରେ ଚାଲିଯାଏ । ଛକ ମୁଣ୍ଡରେ ବସି ବାପ ଅଜା ସଂପତ୍ତିରେ ପେଟ ଭର୍ତ୍ତି କରୁଥିବା ଦଳେ  ତାସ୍ ର ଗୋଟେ ପତାକୁ ତଳେ ଛାଟି ଦେଇ କହି ହୁଅନ୍ତି -

--" ଚୁ ଚୁ ବିଚରା.... (ଗରିବଟା) "

ଏ ଗରିବ ଶବ୍ଦଟା ମୁହଁକୁ ଆସେନି ଅବଶ୍ୟ ତାଙ୍କର ।


Rate this content
Log in

Similar oriya story from Abstract