STORYMIRROR

Padmalaya Mishra

Abstract Classics Others

4  

Padmalaya Mishra

Abstract Classics Others

ଗୃହିଣୀ

ଗୃହିଣୀ

3 mins
246


ଆଉ କିଛି ସମୟ ପରେ ଭୋଅର ହେବ । ଶୀତର ପ୍ରକୋପ ଚରମ ସୀମାରେ । ଆଉ ଟିକେ ଘୋଡେଇ ହୋଇ ଶୋଇବି । ଆଜି କଲେଜ ଯିବିନି । ଓହୋ ଏ ଶୀତରେ କିଏ କଣ ରେଜେଇ ଭିତରୁ ବାହାରେ ? ବୋଉ କେମିତି ଏତେ ସକାଳୁ ଉଠି ପଡୁଛି କେଜାଣି ? ଫୁଲ ତୋଳି, ବାଡ଼ି ଆଡ଼ ଦାଣ୍ଡ ଆଡ଼ ପହଁରା କରି, ପବିତ୍ର ପାଣି ସିଞ୍ଚି, ଗାଧେଇ ପାଧେଇ ଆସିଲା ବେଳକୁ ଭୋଅର ହେଇ ନଥାଏ । ତୁଳସୀ ଚଉରା ମୂଳେ ପାଣି ଦେଲା ବେଳକୁ ଭୋଅର ହୁଏ । 


    ପଦ୍ମିନୀ ଉଠ । ବୋଉ କେତେବେଳୁ ଉଠି ପଡିଲାଣି । ଆଜି ପୁଣି ଗୁରୁବାର । ବୋଉ ଏବେ ଗରଗର ହେବ । ଚାଉଁ କି ନିଦ ଭାଙ୍ଗିଗଲା ପଦ୍ମିନୀ ର । ସେ ଆଉ କଲେଜ ପଢା ଝିଅ ହେଇ ନାହିଁ । ବୋହୂ ହେଇ ସାରିଲାଣି । ଧେତ୍ ଏତେ ସବୁ ସ୍ଵପ୍ନ ଦେଖୁଥିଲି ତାହେଲେ । ଧଡ଼ପଡ଼ ହେଇ ବିଛଣା ଛାଡିଲା । 


    ତରତର ହେଇ ନିତ୍ୟକର୍ମ ସାରି ଶାଢୀ ପିନ୍ଧି ଦିଅଁ ଘରେ ପଶିଲା । ଶାଶୁ ସକାଳୁ ଉଠି ମଣ୍ଡାପିଠା, ଖିରି କରି ଲକ୍ଷ୍ମୀ ଠାକୁରାଣୀଙ୍କ ପାଖେ ଭୋଗ ବାଢିଲେଣି । ଟିକିଏ କଣେଇ ଚାହିଁ ପୂଜାରେ ବ୍ୟସ୍ତ ରହିଲେ । 


    ପୂଜା ସରିଲା । ପଚାରିଲେ ଶେଯ ଝାଡିଛୁ ? ରୁମ୍ ଝାଡୁ କରିଛୁ ? ଡରରେ ହଁ ଭରିଦେଲା ପଦ୍ମିନୀ । ପଙ୍କଜ ଗାଧେଇ ଲାଣି ନା ନାହିଁ ଦେଖ । ତରତର ହେଇ ରୁମ୍ କୁ ଗଲା । ଯାହେଉ ଗାଧେଇ ଯିବା ପୂର୍ବରୁ ପଙ୍କଜ ଶେଯ ଝାଡି ରୁମ୍ ପରିଷ୍କାର କରି ଦେଇଛନ୍ତି । ଗତ ଗୁରୁବାର ପୂଜା ପୂର୍ବରୁ ରୁମ୍ ଶେଯ ସେମିତି ପଡି ରହିଥିଲା ଯେ ଶାଶୁ ଅସନ୍ତୁଷ୍ଟ ହେଇଥିଲେ । ଗୁରୁବାର ପୁଣି ମାର୍ଗଶିର ମାସର । ସୂର୍ଯ୍ୟ ଉଇଁବା ଆଗରୁ ବାସି ଶେଯ ଝଡା ସରିଥିବ, ଆଉ ରୁମ୍ ପରିଷ୍କାର ହେଇଯିବା ଦରକାର । ସେଦିନ ଆଉ ମଞ୍ଜୁଳାକୁ ଅପେକ୍ଷା କରିବୁନି । 


   ଲକ୍ଷ୍ମୀ ପୁରାଣ ପଢିବାକୁ କହିଲେ ଶାଶୁ । ପଦ୍ମିନୀ କେବେ ପଢି ନଥିଲେ ବି ବୋଉ ପଢିଲା ବେଳେ ଶୁଣି ଥାଏ । ବୋଉ ବି ଗୁରୁବାର ଡେରି ଯାଏଁ ଶୋଇଲେ ପାଟି କରୁଥିଲା । ତେଣୁ ପଦ୍ମିନୀ ଉଠି ତଳେ ବସି ବସି ଶୋଇ ପଡୁଥିଲା । ଶୀତରେ ଗାଧେଇବା ତ ଦୂରର କଥା ମୁହଁ ବି ଧୋଉ ନଥିଲା । 


    ଲକ୍ଷ୍ମୀ ପୁରାଣ ପଢିବା ଆରମ୍ଭ କଲା ପଦ୍ମିନୀ । ନମସ୍ତେ କମଳା ମାଗୋ ସାଗର ଦୁଲଣୀ...... ଚାରିପୃଷ୍ଠା ପଢିଛି ଖାଲି ଘୁମେଇଲା । କଣ ପଢିଲା ଆଉ ଜାଣିନି । ଶାଶୁ ଯୋରରେ ହଲେଇ ଦେଲେ । ରାତି ଉଜାଗର ହେଇନୁ କି ରାତି ଅଧରୁ ଉଠି ମଣ୍ଡା ଗଢିନୁ । ତଥାପି ନିଦ । ଟିକିଏ ଲାଜ ଲାଗିଲା ପଦ୍ମିନୀକୁ । ପୁରା ବହି ପଢିବା ଭିତରେ ପ୍ରାୟ ଦଶଥର ଘୁମେଇ ଥିବ ଆଉ ଶାଶୁ ତା ହାତରୁ ବହି ନେଇ ନିଜେ ପଢିବାକୁ ବାହାରିଥିବେ । ଯେମିତି ସେମିତି ବହି ପଢା ସରିଲା । 


   ଯେତେ ଭାବୁଛି ଗୁରୁବାର ରାଗିବିନି । ତୁ ରଗେଇ ଦଉଚୁ । କହିଥିଲି ଗୁରୁବାର ଧଳା ନାଲି ଲୁଗା ପିନ୍ଧିବୁ । ପିନ୍ଧିଲୁନି । ମତେ ପିଠା ଗଢିବାରେ ସାହାଯ୍ୟ କରିବୁ । କଲୁନି । ଶେଷକୁ ବହିଟା ପଢିଲା ବେଳକୁ ଘୁମେଇଲୁ । ଘଣ୍ଟା ଘଣ୍ଟା ମୋବାଇଲ ଚଳେଇଲା ବେଳକୁ ଆଖିକୁ ନିଦ ଟୋପାଏ ତ ଆସୁନି । ଭଲରେ ବହି ପଢା ହେଲାନି । ଆର ପାଳି ମୁଁ ପଢିବି । ଭାବିଥିଲି ଘରର ବୋହୂ ଗୃହଲକ୍ଷ୍ମୀ ଭଲରେ ପୂଜା କରିବ । ହେଇପାରିଲାନି । ଶଶୁର ୟୁଟ୍ୟୁବରେ ଲକ୍ଷ୍ମୀ ପୁରାଣ ବଜେଇ ଦେଲେ । ଶାଶୁ ଚୁପ୍ ହେଇଗଲେ ।


    ପଦ୍ମିନୀକୁ କାନ୍ଦ ଲାଗୁଥିଲା । ବାହାଘର ପରେ ଜୀବନ ଏତେ କଷ୍ଟ ଜାଣିଥିଲେ ବାହା ହେଇ ନଥାନ୍ତା । ବୋଉ ସକାଳୁ ଡାକିଲେ କିଛି ଶୁଣୁ ନଥିଲା ଆଉ ଏବେ ଏତେ ସକାଳୁ ଉଠି ବି ଗାଳି ଖାଉଚି । 


    ସପ୍ତାହେ ବିତିଗଲା । ପୁଣି ଗୁରୁବାର ଆସିଲା । ଆଲାରାମ୍ ଦେଇ ରାତି ଚାରିରୁ ଉଠି ପଡିଲା ପଦ୍ମିନୀ । ପଙ୍କଜ ତ ଶୋଇଛନ୍ତି ତେଣୁ ଶେଯ ଝାଡି ହେବନି । ବାକି ଘର ଝାଡୁ କରିଦେଲା । ନିତ୍ୟକର୍ମ ସାରି ଗାଧେଇବାକୁ ଗଲା । ଆଜି ଧଳା ନାଲି ଲୁଗା ପିନ୍ଧିଲା । ରାତିରେ ତ ଘରସାରା ଝୋଟି ଦିଆ ସରିଥିଲା , ଦିଅଁଙ୍କ ଘରେ ଆଉ ଦାଣ୍ଡ ଦୁଆରେ ଝୋଟି ପକେଇ ଦେଲା । ଏଥର ରୋଷେଇ ଘରକୁ ଗଲା । ଶାଶୁଙ୍କ ସଙ୍ଗେ ମିଶି ପିଠା ଗଢିଲା । ସୂର୍ଯ୍ୟ କିରଣ ପଡିବା ପୂର୍ବରୁ ପୂଜା ଆରମ୍ଭ ହେଇଗଲା । ଶାଶୁ ଭାରି ଖୁସି ହେଇଗଲେ । ପଦ୍ମିନୀକୁ କହିଲେ ଯା ଟିକେ ଶୋଇ ପଡେ ଉଠିଲେ ଜଳଖିଆ ସାରି ଲକ୍ଷ୍ମୀ ପୁରାଣ ପଢିବୁ । ଆଜି କିନ୍ତୁ ଆଖିକୁ ନିଦ ଆସିଲାନି । ବସି ପୁରାଣ ପଢିଲା । ତା ପରେ ଜଳଖିଆ ସରିବା ପରେ ଦ୍ଵିପହର ପୂଜା ପାଇଁ ରାନ୍ଧିବାରେ ବ୍ୟସ୍ତ ରହିଲା ।


   ବୋଉ କଥା ଭାରି ମନେ ପଡୁଥିଲା । ଗିଜର ଲଗେଇ ଏବେ ମୁଁ ଗରମ ପାଣିରେ ଗୋଟିଏ ଗୁରୁବାର ଭୋଅର ହେବା ପୂର୍ବରୁ ଗାଧେଇଲି ଯେ ଥରିଗଲି । ହେଲେ ବୋଉ ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ କେତେ କାମ ସାରି ଥଣ୍ଡା ପାଣିରେ ଟ୍ୟୁବଲ୍ ମୂଳରେ ଗାଧୋଉଥିଲା । ଓଦା ଲୁଗା ପିନ୍ଧି ତୁଳସୀ ମୂଳେ ପାଣି ଦେଉଥିଲା । ଆଜି ବି ପଚାଶ ବର୍ଷ ବୟସରେ ଦିନେ ହେଲେ ତାର ବ୍ୟତିକ୍ରମ ହେଇନି । ସେ ବୋଉର ଅଂଶ । ବୋଉ ଭଳି ନକରି ପାରିଲେ ବି ସେ ଏମିତି କିଛି କରିବନି ଯୋଉଥିରେ ବୋଉର ସଂସ୍କାର ଉପରେ ପ୍ରଶ୍ନ ଉଠିବ । ପଦ୍ମିନୀର ମୁହଁ ଉଜ୍ଜ୍ୱଳ ଦେଖା ଯାଉଥିଲା । ସେ ତା ବୋଉର ଛାୟା ହେଇ ଯାଇଥିଲା ।।



Rate this content
Log in

Similar oriya story from Abstract