STORYMIRROR

Aravinda Das

Inspirational Others

3  

Aravinda Das

Inspirational Others

ଗ୍ରହ ଓ ନକ୍ଷତ୍ର

ଗ୍ରହ ଓ ନକ୍ଷତ୍ର

2 mins
14.5K


ବନ୍ଧୁ ଭେଙ୍କଟରାଓ'ର ବାହାଘରରେ ଯୋଗଦେଇ ତେଲୁଗୁ ବିବାହ ପରମ୍ପରାର ଗୋଟେ ନୂଆ ଦିଗ ଆବିଷ୍କାର କଲି ।

" ବାହାଘର ପରେ, ସନ୍ଧ୍ୟା ସମୟରେ ସ୍ଵାମୀ, ସ୍ତ୍ରୀକୁ ଆକାଶରେ ପବିତ୍ର ନକ୍ଷତ୍ର "ଅରୁନ୍ଧତୀକୁ ଦେଖାଇବାର ଆମର ଏକ ପରମ୍ପରା ଅଛି।"

ଭେଙ୍କଟର କଥା ଶୁଣି ପଚାରିଲି,"କିନ୍ତୁ କାହିଁକି ?"

ଟିକିଏ ଗମ୍ଭୀର ହୋଇ ଭେଙ୍କଟ କହିଲା, " ଅରୁନ୍ଧତୀ ହେଉଛନ୍ତି ପତିବ୍ରତା, ପବିତ୍ରତା ,ନିଷ୍ଠାର ପ୍ରତୀକ। ବିଦୁଷୀ ଅରୁନ୍ଧତୀ ଓ ବିଦ୍ୱାନ ମହର୍ଷି ବଶିଷ୍ଠ, ଦମ୍ପତିଙ୍କ ନାମରେ ନାମିତ ,ଏଇ ଦୁଇ ନକ୍ଷତ୍ର , ଅନ୍ୟ ନକ୍ଷତ୍ର ଯୁଗଳଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।ଅନ୍ୟସବୁ ଦ୍ଵେତ ନକ୍ଷତ୍ରଙ୍କ ମଧ୍ୟରେ ଜଣେ ସ୍ଥିର ଓ ଅନ୍ୟ ନକ୍ଷତ୍ରଟି ପ୍ରଥମ ନକ୍ଷତ୍ର ଚାରିପଟେ ଘୁରି ବୁଲୁଥିଲା ବେଳେ, ଅରୁନ୍ଧତୀ ଓ ବଶିଷ୍ଠ, ଉଭୟେ ଉଭୟଙ୍କ ଚାରିପଟେ ଘୁରନ୍ତି ।ସୁଖୀ ଦାମ୍ପତ୍ୟ ଜୀବନରେ ସ୍ୱାମୀ, ସ୍ତ୍ରୀ ମଧ୍ୟ ସେମାନଙ୍କ ଭଳି ଉଭୟ ଉଭୟଙ୍କୁ ଅନୁସରଣ କରିବା ଉଚିତ ବୋଲି ଆମକୁ କୁହାଯାଏ। ସମ୍ମାନ ସ୍ୱରୂପ ଅରୁନ୍ଧତୀଙ୍କ ନାମକୁ ପ୍ରଥମେ ନିଆଯାଏ, ପରେ ବଶିଷ୍ଠଙ୍କ ନାଁ।"

ଚକିତ ହୋଇ ଭାବିଲି ,କେତେ ନିଆରା ଏଇ ପରମ୍ପରା !

ଭେଙ୍କଟର ମାଙ୍କୁ ଏକୁଟିଆ ପାଇ ପଚାରିଲି, "ଆଣ୍ଟି, ଏଇ ନକ୍ଷତ୍ର କଥା କଣ ସତ ? ପ୍ରକୃତରେ କଣ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅରୁନ୍ଧତୀ, ବଶିଷ୍ଟ ଭଳି ଅନୁଭୂତି ଆସିଛି ? "

ଆଖିକୁ ବଡ଼ ବଡ଼ କରି ଲକ୍ଷ୍ମୀ ଆଣ୍ଟି କହିଲେ,"ନକ୍ଷତ୍ର କଥା ଜାଣିନି। ଥରେ ତୋ ଅଙ୍କଲ ଆକାଶରେ ଚନ୍ଦ୍ରକୁ ଦେଖାଇ ମୋତେ କହିଥିଲେ, ତୁ ମୋ ଜୀବନର ଚାନ୍ଦ ।ଭାରି ଖୁସି ହୋଇଯାଇଥିଲି ।ହେଲେ ପରେ ବୁଝିଲି ,ସିଏ ପୃଥିବୀ ଓ ମୁଁ ତାଙ୍କ ଉପଗ୍ରହ ଚନ୍ଦ୍ର ।ଜୀବନ ସାରା ତାଙ୍କ ଆଦେଶରେ ତାଙ୍କ ଚାରିପଟେ ବୁଲୁଛି।"

ରାତିରେ ଛାତ ଉପରେ ରାଓ ଅଙ୍କଲ ଚୁପଚାପ ସିଗାରେଟ ପିଉଥିବାର ଦେଖି ପାଖକୁ ଯାଇ କହିଲି, " ମୋତେ ଟିକେ ଅରୁନ୍ଧତୀ,ବଶିଷ୍ଠ ନକ୍ଷତ୍ର ଚିହ୍ନାଇ ଦେବେ ?ଆଛା ଅଙ୍କଲ,ସତରେ କଣ ଆପଣ ଏଇ ନକ୍ଷତ୍ର ପରମ୍ପରାକୁ ବିଶ୍ଵାସ କରନ୍ତି ?"

ଠୋ ଠୋ ହୋଇ ହସି ଅଙ୍କଲ କହିଲେ,"ପାଗଳ ହେଲୁକି ? ତୁ କଣ ସତରେ ଭାବୁଛୁ ବିବାହିତ ପୁରୁଷ କେବେ ନକ୍ଷତ୍ର ହୋଇପାରିବ ?ତୋ ଆଣ୍ଟି କହିବା ଅନୁଯାୟୀ ମୁଁ ଗୋଟେ ଗ୍ରହ,'ପୃଥିବୀ' ଭଳି ।ଆଉ ଆମ ଘର ଲୋକସବୁ ମଧ୍ୟ ଗୋଟେ ଗୋଟେ ଗ୍ରହ,ଗଳ ଗ୍ରହ ।ଯାହାଙ୍କ ପାଇଁ ସେ ସାରା ଜୀବନ ହନ୍ତସନ୍ତ ହେଉଛି ବୋଲି ଅଭିଯୋଗ କରେ ।ସତ କଥା ହେଲା,ଆମ ପରିବାର'ର ସୌରମଣ୍ଡଳରେ ତୋ ଆଣ୍ଟି ହେଉଛି ସୂର୍ଯ୍ୟ ଏବଂ ଆମେ ସବୁ ଗ୍ରହ ତା ଚାରିପଟେ ବୁଲୁଛୁ, ତା'ରି ନିର୍ଦେଶରେ ।ଦେଖୁନୁ, ସିଗାରେଟ ବି ଲୁଚାଇ ପିଇବାକୁ ପଡୁଛି। ତେଣୁ କିଏ ଅସଲ ନକ୍ଷତ୍ର ବିଚାର କର।"

ଦୀର୍ଘ ନିଶ୍ଵାସ ଛାଡି ଆକାଶକୁ ଅନାଇ ଭାବୁଥିଲି ,ବାହାଘର ପରେ ମୋ ଜୀବନକୁ , 'ଗ୍ରହ' ଅବା 'ନକ୍ଷତ୍ର' ,କିଏ ଆସିବ କେଜାଣି ??

(ଅରବିନ୍ଦ ଦାସ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational