ଗୋଟିଏ ଇଛାର ପରିଣତି
ଗୋଟିଏ ଇଛାର ପରିଣତି
ଗୋଟିଏ ଛୋଟିଆ ସହରରେ ଜଣେ ଗରିବ ପରିବାର ବାସ କରିଥିଲେ, ଯିଏ କି ପ୍ରତେକ ଦିନ ବଜାରରୁ ପରିବା କିଣି ରାସ୍ତା କଡରେ ଠେଲା ଲଗାଇ ସେହି ପରିବାକୁ ବିକ୍ରି କରି ପରିବାର ପରିପୋଷଣ କରୁଥିଲେ।ମହେଶ ହେଉଛନ୍ତି ସେହି ପରିବାରର ମୁଖିଆ, ଆଉ ତାଙ୍କ ପତ୍ନୀ ସୁମିତ୍ରା ଆଉ ଗୋଟିଏ ବୋଲି ପୁଅ ରମେଶ। ମହେଶ ପ୍ରତେକ ଦିନ ବଜାରରୁ ଦୁଇ ଶହ ଟଙ୍କାର ପରିବା କିଣି ଆଣିବ ଆଉ ତାକୁ ଚାରି ଶହ ଟଙ୍କାରେ ବିକ୍ରି କରିବ। ସେହି ଚାରି ଶହ ଟଙ୍କାରୁ ଦୁଇ ଶହ ଟଙ୍କା ଆଗ କାଲି ପୁଣି ପରିବା କିଣିବାପାଇଁ ବାହାର କରି ରଖିବ, ଆଉ ବଳକା ଥିବା ଦୁଇ ଶହ ଟଙ୍କାରେ ତା ଘର ଚଳିବା ପାଇଁ ହେଇ ଯାଉଥାଏ।
ଏମିତିରେ ତା ପରିବାର ଯେନ କେନ ପ୍ରକାରେ ଚଳିଯାନ୍ତି। ତାକୁ କେବେ କେବେ ଭବିଷ୍ୟତ ପାଇଁ ମଧ୍ୟ ଭାବନା ଆସିଯାଏ, କେବେ କିଛି ଆକସ୍ମିକ ବା ଦୈବିଦୁର୍ବିପାକ ପାଇଁ ଖର୍ଚ୍ଚର ଆବଶ୍ୟକ ପଡିଲେ, ଅଥବା ବଜାର ଦର ବଢିଗଲେ ତାର ବ୍ୟବସ୍ତା କେମିତି କରିବ। ସେ କେବେ କିଛି ଯଦି ସଞ୍ଚୟ କରିଥିଲେ ତାହା କୋଉଠି କେମିତି ଜରୁରୀ ପଡି ଖର୍ଚ୍ଚ ହୋଇଯାଏ। ଭଗବାନଙ୍କ କୃପାରୁ ଏପର୍ଯ୍ୟନ୍ତ ସେମିତି କିଛି ବଡ଼ ସମସ୍ୟା ଆସିନାହିଁ। ଏଇମିତିରେ ସମୟ ଚାଲିଯାଏ।
ତାଙ୍କ ପୁଅ ରମେଶର ବିବାହ ହେଇଗଲା, ପରିବାରର ଖର୍ଚ୍ଚ ମଧ୍ୟ ବଡ଼ିଗଲା କିନ୍ତୁ ଆୟର ବ୍ୟବସ୍ତା ଯେମିତିକି ସେମିତି ରହିଥାଏ। ମହେଶ ଦିନେ ତାଙ୍କ ପୁଅ ରମେଶକୁ ଡାକି କହିଲେ
" ଆରେ ପୁଅ, ମୁଁ ଏବେ ବୁଢା ହେଇଗଲି। ତୁ ଯଦି ଚାହିଁବୁ ମୁଁ ଯେଉଁ କାମ କରୁଛି ସେଇ କାମ ତୁ ମଧ୍ୟ କରିପାରିବୁ, ନଚେତ ଆଉ କୋଉ ଧନ୍ଦା କରିକି ଜୀବନ ଚଳାଇ ପାରିବୁ। ମୋ କାମକୁ ଯଦି ଆପଣେଇ ନେବୁ ତାହେଲେ ଶୁଣି ରଖ, ପ୍ରତିଦିନ ଦୁଇ ଶହ ଟଙ୍କାର ପରିବା କିଣି ଆଣିବୁ ଆଉ ତାକୁ ଚାରି ଶହ ଟଙ୍କାରେ ବିକ୍ରି କରିବୁ। ଏଇ କଥାଟିକୁ ଟିକିଏ ଭଲରେ ମନେ ରଖିଥିବୁ, ପ୍ରଥମେ ଚାରି ଶହ ଟଙ୍କାରୁ ଦୁଇ ଶହ ଟଙ୍କା ବାହାର କରି କାଲିକି ପରିବା କିଣିବା ପାଇଁ ବାହାର କରି ରଖିବୁ। ଯାହା କିଛି ଖର୍ଚ୍ଚ କରିବାର ଅଛି ସେହି ଲାଭ ଟଙ୍କାରୁ ହିଁ ଖର୍ଚ୍ଚ କରିବୁ। ଭୁଲରେ ମଧ୍ୟ କାଲି ପାଇଁ ପରିବା କିଣିବାପାଇଁ ରଖିଥିବା ଟଙ୍କାରୁ କେବେ ଖର୍ଚ୍ଚ କରିବୁ ନାହିଁ। ଏହିଭଳି କରି ମୁଁ ଆଜିଯାଏ ପରିବାର ଚଳାଇ ଆସିଛି ତେଣୁ ଏହି କଥା ତୋତେ ଜଣାଇ ଦେଲି ଏବେ ମୁଁ ତୀର୍ଥ ଯାତ୍ରା ରେ ଯାଉଛି ସେଠାରୁ ମୁଁ ମୋ ଗୁରୁଙ୍କ ପାଖରେ ରହିବି। ଯଦି କେବେ କିଛି ବଡ଼ ଅସୁବିଧା ହେଲେ ଆଉ କିଛି ସମାଧାନର ରାସ୍ତା ନମିଳିଲେ ମୋ ପାଖକୁ ଆସିବୁ, ନଚେତ ଛୋଟିଆ ମୋଟିଆ କାମକୁ ନିଜେ ସମାଧାନ କରିଦେବୁ। "
ରମେଶ ବେପାରର ସୂତ୍ର ବୁଝିସାରି ବାପାଙ୍କୁ ପ୍ରତିଶୃତି ଦେଲା ଯେ ସେ ତାଙ୍କ କହିବା ପ୍ରକାରେ ପାଳଣ କରୁଥିବ। ତେଣୁ ମହେଶ ନିଶ୍ଚିନ୍ତ ହୋଇ ନିଜ ତୀର୍ଥ ଯାତ୍ରାରେ ବାହାରି ଗଲା।
ମହେଶ ଯେମିତି କିଣା ବିକା କରୁଥିଲା ଆଉ ବତାଇ ଥିଲା ଠିକ ସେମିତି ରମେଶ କରିଲା। ତା ସଂସାର ମଧ୍ୟ ଠିକରେ ଚାଲିଲା। ଦିନେ ରାତିରେ ରମେଶର ସ୍ତ୍ରୀର ଇଛା ହେଲା ମିଠା ଖାଇବା ପାଇଁ ତେଣୁ ସେ ରମେଶକୁ କହିଲା ତାର ମନର କଥା ଆଉ ଆଣି ଦେବାପାଇଁ କହିଲା। ରମେଶ ଚିନ୍ତା କଲା ଆଜିର ଯାହା ଲାଭ ଟଙ୍କା ଘର ଖର୍ଚ୍ଚରେ ସରିଯାଇଛି। ଏପଟେ ସ୍ତ୍ରୀ ମିଠା ଖାଇବାକୁ କହୁଛି ମାନେ ତା କଥା ମଧ୍ୟ ରଖିବା ଦାୟିତ୍ୱ କେବଳ ତାର। ଯଦି ମିଠା କିଣିବି ତା ହେଲେ କାଲି ପରିବା କିଣିବା ପାଇଁ ଯାହା ଅଛି ସେଥିରୁ ହିଁ ଆଣିବାକୁ ପଡିବ। ସେ ଭାବିଲା କୋଡିଏ ଟଙ୍କାର ଆଣିଲେ କିଛି ଫରକ ପଡିବ ନାହିଁ ଏହା ଭାବି ସେଥିରୁ କୋଡିଏ ଟଙ୍କାର ମିଠା ନେଇ ଆସିଲା। ତା ସ୍ତ୍ରୀ ବହୁତ ଖୁସି ହେଇଗଲା।
କିନ୍ତୁ ସେହି ଦିନ ପରିବା କିଣିବା ପାଇଁ ରଖିଥିବା ଟଙ୍କାରୁ କୋଡିଏ ଟଙ୍କା ଖର୍ଚ୍ଚ ହୋଇଯାଇଛି କେବଳ ଅଛି ଏକଶହ ଅଶି ଟଙ୍କା। ସେହି ଟଙ୍କାରେ ହିଁ ଆଜି ପରିବା କିଣିଲା ଆଉ ତିନିଶହ ଷାଠିଏ ଟଙ୍କାରେ ବିକ୍ରି କଲା। ଦୁଇଶହ ଟଙ୍କା ତା ଘର ଖର୍ଚ୍ଚ କୁ ବାହାର କରିଦେଲା। ଆସନ୍ତା କାଲି ପାଇଁ କେବଳ ଶହେ ଷାଠିଏ ଟଙ୍କା ରହିଲା। ତାପର ଦିନ ରମେଶ ଶହେ ଷାଠିଏ ଟଙ୍କାର ପରିବା କିଣିଲା ତାକୁ ପୁଣି ତିନିଶହ କୋଡିଏ ଟଙ୍କାରେ ବିକ୍ରିକଲା ସେଥିରୁ ଦୁଇଶହ ଟଙ୍କା ଘର ଖର୍ଚ୍ଚ ବାବଦକୁ ବାହାର କରିଦେଲା
ପରେ ଆଉ ମାତ୍ର ଶହେ କୋଡିଏ ଟଙ୍କା ରହିଲା। ଏତିକି ଟଙ୍କା ଦେଖି ରମେଶ ବଡ଼ ଚିନ୍ତାରେ ପଡିଗଲା କାଲିକି ପୁଣି ଶହେକୋଡିଏ ଟଙ୍କାର ପରିବା କିଣି ଦୁଇଶହ ଚାଳସି ଟଙ୍କାରେ ବିକିବ ସେଥିରୁ ଦୁଇଶହ ବାହାର କଲେ ଆଉ ମାତ୍ର ଚାଳସି ଟଙ୍କା ବଞ୍ଚିବ।
ଏବେ ତାର ସ୍ତ୍ରୀ ପାଇଁ ମିଠା କିଣିବାଟା ମହଙ୍ଗା ପଡିଲା। ନିଜ ମୂଳଧନରୁ ଖର୍ଚ୍ଚ କରିବା ପାଇଁ ନିର୍ଣୟ ନେବାଟା ଭୂଲ ହେଇଗଲା। ସେ ପ୍ରଥମରୁ କେବେ ଭାବିନଥିଲା ଯେ ଗୋଟିଏ କୋଡିଏ ଟଙ୍କାରେ ମିଠା କିଣି ଏତେ ବଡ ଅସୁବିଧାର ସମୁଖୀନ ହେବ ବୋଲି। ତାକୁ ଏବେ ମନେ ପଡିଲା ତା ବାପାଙ୍କ କଥା ତାକୁ ତାବାପା କହିଥିଲେ ପ୍ରଥମେ ପରିବା କିଣିବା ପାଇଁ ଟଙ୍କା ଆଗରୁ ବାହାର କରି ରଖିବା କଥା। କିନ୍ତୁ ସେ ସେଥିରୁ କୋଡିଏ ଖର୍ଚ୍ଚ କରି ଭୂଲ କରିଦେଇଛି। ଏବେ ଆସନ୍ତା କାଲି ପାଇଁ ଚିନ୍ତା କରି ରମେଶକୁ ନିଦ ଆଉ ହେଲା ନାହିଁ। ଆଉ କିଛି ଉପାୟ ନପାଇ ତାକୁ ପୁଣି ତା ବାପାଙ୍କ କହିବା କଥା ମନେ ପଡିଲା। ଯେତେବେଳେ ବହୁତ ଅସୁବିଧା ହେଲେ ମୋ ପାଖକୁ ଆସିବୁ। ସେ କଥା ମନେ ମନେ ଭାବି ସେହି ରାତିରେ ହିଁ ତାଙ୍କ ବାପାଙ୍କ ପାଖକୁ ଚାଲିଲା। ସବୁ କଥା ସେ ବାପାଙ୍କୁ କହିଲା।
ପୁଅର କଥା ଶୁଣି ସାରିଲା ପରେ ମହେଶ ପ୍ରଥମରେ ଟିକିଏ ବିରକ୍ତ ହେଲେ ରମେଶ ଉପରେ
ଆଉ କହିଲେ " ହେଉ ଯାହାତ ହେଇଗଲା ସେ କଥା ଏବେ ଛାଡ଼, ତୁ ଏବେ ଗୋଟିଏ କାମ କର. ପୁଣି ଘରକୁ ଯାଇ ସମସ୍ତଙ୍କୁ କହବୁ ଆଜି ସମସ୍ତେ ମିଶି ଘରେ ଲଷ୍ମୀ ମାତାଙ୍କ ଗୋଟିଏ ନିରାହାର ବ୍ରତ ରଖିବ, ଯୋଉଥିରେ ମାତା ଲକ୍ଷ୍ମୀଙ୍କ କୃପା ହେବ।"
ରମେଶ ତା ବାପାଙ୍କ କଥା ପ୍ରକାରେ ସେମିତି ହିଁ କଲା ଘରେ ସମସ୍ତେ ନିରାହାର ବ୍ରତ ରଖିଲେ। ସେଦିନ ରମେଶ ଶହେକୋଡିଏ ଟଙ୍କାର ପରିବା କିଣିଲା ଆଉ ଦୁଇଶହ ଚାଳସି ଟଙ୍କାରେ ବିକ୍ରି କରିଲା। ଘରେ ସମସ୍ତଙ୍କ ବ୍ରତ ହୋଇଥିବାରୁ। ଘର ଖର୍ଚ୍ଚ କିଛି ହେଲାନି। ତାପର ଦିନ ସେ ପୁରା ଦୁଇଶହ ଚାଲସି ଟଙ୍କାର ପରିବା କିଣିଲା ତାକୁ ପୁଣି ଚାରିଶହ ଅଶୀ ଟଙ୍କାରେ ବିକ୍ରି କଲା। ଏବେ ସେଥିରୁ ରମେଶ ଘର ଖର୍ଚ୍ଚ ପାଇଁ ସେଥିରୁ ଦୁଇଶହ ବାହାର କରିବା ପରେ ଆଉ ବଳକା ତାପାଖରେ ଦୁଇଶହ ଅଶୀ ଟଙ୍କା କାଲିକୁ ପରିବା କିଣିବା ପାଇଁ ରହିଲା। ଦୁଇଶହ ଅଶୀ ଟଙ୍କାର ପରିବା କିଣି ପୁଣି ପାଞ୍ଚଶହ ଷାଠିଏ ଟଙ୍କାରେ ବିକ୍ରି କରିଲା। ସେଥିରୁ ସେ ଦୁଇଶହ ଟଙ୍କା ବାହାର କରିଲେ ମଧ୍ୟ ତାପାଖରେ ଆଉରି ତିନିଶହ ଷାଠିଏ ଟଙ୍କା ବଳକା ରହିଲା। ଏବେ ରମେଶର ଆମଦାନୀ ବଢିଗଲା। ସେ ମିଠା ମଧ୍ୟ ଆରାମରେ କିଣି ପାରିବ। ଧିରେ ଧିରେ ରମେଶର ଜୀବନ ଭଲରେ ଚାଲିବାକୁ ଲାଗିଲା।
ଏହିଭଳି ନିଜ ବାପାଙ୍କ ବିଚାର ଧାରାରେ ରମେଶର ଜୀବନ ଶୈଳୀ ପୁରା ବଦଳିଗଲା।ନିଜର ଇଛାକୁ ମାରିବାଟା ହେଉଛି ପ୍ରକୃତ ବ୍ରତ। ଲୋକଙ୍କୁ ଏମିତି ମିଠା ଖାଇବାକୁ ମନ ହେବାଟା ସ୍ୱଭାବିକ ଏମିତିକି ଆଦାୟକୁ ନଦେଖି ନିଜର ବିଳାସ ବ୍ୟସନ କରିବାକୁ ଭୋଗ କରିବାକୁ ଚାହୁଁ ଥିବା ଲୋକେ ଟିକିଏ ଚିନ୍ତା କରନ୍ତୁ ଆଦାୟ ଠାରୁ ଅଧିକ ଖର୍ଚ୍ଚ କରିଲେ ସୁନ୍ଦର ଜୀବନଟା ସେଇଠି ହିଁ ଅଟକି ଯାଏ।
