ଗୋଟେ ଫୋନ୍ କଲ୍
ଗୋଟେ ଫୋନ୍ କଲ୍


ଫୋନ୍ କଲ୍ଟିଏ ଆସିଲା,ଅସମୟେ।
ରାତି ଗୁମେଇଁ ପଡିଛି।ଘଣ୍ଟା ବାରକୁ ଛୁଇଁବ ହେଉଛି।
ଚନ୍ଦ୍ର ଭୋଜି ଖାଇବାକୁ ଯାଇଥିଲେ।ଫେରି ନାହାନ୍ତି ଏ ଯାଏ।
ମୁଁ ଶୋଇ ପାରୁନି । କଲିଂ ବେଲ୍ ଟିପୁ ଟିପୁ କବାଟ ନ ଖୋଲିଲେ ଚନ୍ଦ୍ର ବିଗିଡି ଯାଆନ୍ତି।ଶୋଇବାକୁ ଇଚ୍ଛାଥିଲେ ବି ଚନ୍ଦ୍ର କାଳେ ବିରକ୍ତ ହେବେ ଭାବି ଚେଇଁଛି ମୁଁ ;ଜୁଲି।
ଖାଇନି ବି ଏଯାଏ।ଚନ୍ଦ୍ରଙ୍କ ଅଜବ ଅଭ୍ୟାସ।ଭୋଜି ଖାଇବାକୁ ଯାଇଥିବେ କିନ୍ତୁ ଦିନେ ଦିନେ ନ ଖାଇ ଫେରି ଆସି କହିବେ "ଖାଇ ସାରିଛ ?କଣ ଅଛି କି ଖାଇବାକୁ ,ଦେଲ?"
ଏଣୁ ବିବାହ,ବ୍ରତ କି ସାଙ୍ଗ ସାଥୀ ପାର୍ଟିକୁ ଚନ୍ଦ୍ର ଯାଇଥିଲେ ମୁଁ ଦୁଇ ଝିଅ ଓ ମାଙ୍କୁ ଖାଇବାକୁ ଦେଇ ଅପେକ୍ଷା କରେ ଚନ୍ଦ୍ର ଆସିବା ପର୍ଯ୍ୟନ୍ତ।ହୁଏତ ଆଜି ବି ଖାଇ ନଥିବେ।
ଆଉ ଗୋଟେ ବଦ ଅଭ୍ୟାସ ବି ହୋଇ ଯାଇଛି।ଚନ୍ଦ୍ର ପାଖରେ ନଥିଲେ ନିଦ ଲାଗେନି।ମା କୁ ଧରିଲା ପରି ଅଣେଇଁ ହୋଇ ଶୋଇ ଚନ୍ଦ୍ର ତାଙ୍କ ଡାହାଣ ହାତଟି ପକାନ୍ତି ମୋ ଦେହରେ।ସେଇ ହାତ ଭିତରେ ହଜି ସ୍ୱପ୍ନ ଦେଖିବାକୁ ପର୍ଯ୍ୟାପ୍ତ ସହର ଟିଏ ଗଢ଼ା ହୋଇ ଯାଏ ମୋ ପାଇଁ। ଟିକେ ନିଦ ଲାଗିଗଲେ ଚନ୍ଦ୍ର ଭିଡ଼ି ନିଅନ୍ତି ନିଜ ଆଡକୁ।ଲାଗେ ମା ଯେମିତି ମୋତେ ତା କୋଳରେ ପୁରାଇ ନେଉଛି। ଏଣୁ ଚନ୍ଦ୍ର ହାତ ନ ପକେଇଲେ ଶୋଇ ପାରନ୍ତି ନାହିଁ।ଆଉ ମୁଁ ସେ ହାତର ଅସ୍ତିତ୍ୱ ଅନୁଭବ ନ କରିବା ଯାଏ ଶୋଇ ପାରେନାହିଁ।ଅଖ ହୋଇ ଯାଇଛି ଆଜକୁ ନଅ ବର୍ଷ ହେଲା।
ଶରୀର ଭୋଗ ଅପେକ୍ଷା ଏଇ ଅଭ୍ୟାସର ଆନନ୍ଦଟି ଅପର୍ଯ୍ୟାପ୍ତ ଖୁସି ଦିଏ ଚନ୍ଦ୍ରକୁ ଓ ମୋତେ।
ଏଣୁ ଚନ୍ଦ୍ର ନ ଆସିଲେ ନିଦ ହୁଏନି।ଯେତେ ରାତି ହେଉ ଡାଇନିଂ ଟେବୁଲ ପାଖରେ ରାତି ସହ ସାଙ୍ଗ ହୋଇ ଘୁମାଏଁ ପଛେ ବେଡ୍ କୁ ଯାଏନି ଚନ୍ଦ୍ର ନ ଆସିବା ପର୍ଯ୍ୟନ୍ତ।କାଳେ ନିଦ ଲାଗିଯିବା ଭୟରେ।
ସେଦିନ ମନଟି କାହିଁକି ଭଲ ଲାଗୁ ନଥାଏ।ଭିତରେ ଗୋଟେ ଛଟପଟ ଭାଵ ଜାବୁଡି ଧରିଥାଏ।ଖାଇନାହିଁ,ଏତେ ରାତି ହେଲାଣି ଶୋଇ ନାହିଁ ବୋଲି ବୋଧହୁଏ ଏମିତି ଲାଗୁଛି।ପାଣି ଗ୍ଲାସଟିଏ ଟିକେ ଟିକେ କରି ପିଉଥାଏ।ବହିଟିଏ ଆଣିଲି,ପଢିଲେ ହୁଏତ ଭଲ ଲାଗିବ।
କିନ୍ତୁ ନା ସବୁ ଚେଷ୍ଟା ମୋର ବିଫଳ ହେଉଥାଏ।କେଉଁଥିରେ ମନ ଲାଗୁ ନଥାଏ।
ଚନ୍ଦ୍ର ଯୁଆଡେ ଯାଆନ୍ତୁ ଏଗାରଟା ଭିତରେ ନିଶ୍ଚୟ ଫେରି ଆସନ୍ତି।
ଘଣ୍ଟାକୁ ବାରମ୍ବାର ଦେଖୁଥିଲି।ଘଣ୍ଟାଟି ଖରାପ ହୋଇ ଯାଇଛି କି?ଠିକ୍ ଟାଇମ୍ ଦେଖାଉ ନାହିଁ।ଫୋନ୍ ଦେଖିଲି ହଁ ତ ଏଗାର ବାଜି ଗଲାଣି କେତେବେଳୁ।
ହେଲେ ଚନ୍ଦ୍ର ଏଯାଏ ନ ଆସିବା ବ୍ୟତିକ୍ରମ କାହିଁକି?
ପିନ୍ଧା ଲୁଗା କାନି ଧରି ଘର ସାରା ଏପଟ ସେପଟ ହେଲି।ମା ଡକା ପାରୁଥିଲେ ଆଲୋ ଜୁଲି ଶୋଇବୁ ଯା।ଚନ୍ଦ୍ର ଆସିବା ଡେରି ହେବ।କାହିଁକି ରାତି ଅନିନ୍ଦ୍ରା ହେଉଛୁ?
ହଁ ମା ଯାଉଛି କହିଲା ବେଳକୁ "ଗୋଟେ ଫୋନ୍ କଲ୍ "
ଆସିଲା।ମୁଁ ଗାଈ ହମ୍ମଆ ରଡି ଶୁଣି ବାଛୁରୀ ପରି ଦଉଡ଼ି ଗଲି ଫୋନ୍ ପାଖକୁ।ଓଃ ଭଗବାନ!ଚନ୍ଦ୍ର ନାଁ ଫୋନ୍ ରେ ମୋତେ ଟିକେ ଉଶ୍ୱାସ ଲାଗିଲା।ମୁଁ ସେ ପଟ କଥାକୁ ଅପେକ୍ଷା ନ ରଖି କହିଲି ଜାଣିଛ ନା ତୁମ ବିନା ମୁଁ ଶୋଇ ପାରେନି।ଆଜି ଏତେ ଡେରି କଣ?ମୁଁ ଅନେଇଁ ବସିଛି।ଖାଇନି ଏ ଯାଏ,ବୁଝିଲ।ଶୀଘ୍ର ଆସ।
ସେପଟୁ ଶୁଭିଲା ଏ ଚନ୍ଦ୍ରଶେଖର ଙ୍କ ଘର ତ।
ହଁ,କିନ୍ତୁ ଚନ୍ଦ୍ର କାହାନ୍ତି?ଆପଣ କିଏ,କାହିଁକି ତାଙ୍କ ଫୋନ୍ ରୁ କଥା ହେଉଛନ୍ତି।
ମୁଁ ବାଲେଶ୍ଵର ପୋଲିସ୍ କହୁଛି।
ପୋ ଲି ସ୍!!କିନ୍ତୁ...
ହଁ ପୋଲିସ୍।ଆପଣ କିଏ କହୁଛନ୍ତି?ଚନ୍ଦ୍ର ବାବୁଙ୍କ ଆକ୍ସିଡେଣ୍ଟ ହୋଇଛି।
ମୋତେ ଆଉ କିଛି ଶୁଭୁ ନଥିଲା।ଆକ୍ସିଡେଣ୍ଟ?ମୁଁ କେମିତି,କାହାକୁ ନେଇ ବାଲେଶ୍ଵର ହସ୍ପିଟାଲରେ ପହଞ୍ଚିଛି ଆଦୌ ଜାଣିନି।ହସ୍ପିଟାଲରେ କିନ୍ତୁ ଚନ୍ଦ୍ର ଚିତ୍ ହୋଇ ଶୋଇଥାନ୍ତି।ଯେତେ ହଲେଇଲେ କି ଡାକିଲେ ଶୁଣୁ ନ ଥାନ୍ତି।ହେଲେ ସାରା ଶରୀରେରେ କେଉଁଠି ଟିକିଏ ଖଣ୍ଡିଆ ଖାବରା କି ରକ୍ତ ଲାଗି ନଥାଏ।କେବଳ କାନ ଓ ନା
କ ପଟେ ରକ୍ତ ବାହାରିବା ଜଣା ଯାଉଥାଏ।
କଣ ହୋଇଛି ମୋ ଚନ୍ଦ୍ରର ଡାକ୍ଟରବାବୁ?
ହେଭି ଇଣ୍ଟରନାଲ୍ ଇଂଞ୍ଜୁରୀ ହୋଇ ଅତ୍ୟଧିକ ବ୍ଲଡ୍ ବୋହିଛି।କିନ୍ତୁ ଜଣା ଯାଉନି କେଉଁଠି ଇଂଞ୍ଜୁରୀ ହୋଇଛି।ଏବେ ସେ କୋମାକୁ ଚାଲି ଯାଇଛନ୍ତି।ଆପଣ ତୁରନ୍ତ କଟକ ନତୁବା ଭୁବନେଶ୍ୱର ଯେତେ ଶୀଘ୍ର ନେଇଯିବେ ମଙ୍ଗଳ।
ଚାରିଆଡ଼ ମୋତେ ଅନ୍ଧାର ଦିଶିଲା।କାହାକୁ ଫୋନ୍ କରିଛି,କେମିଟି କରିଛି ମନେ ନାହିଁ।କିନ୍ତୁ ଆମେ ଦୁଇ ତିନି ଘଣ୍ଟା ପରେ କଟକରେ ପହଞ୍ଚି ଯାଇଥିଲୁ।
ଚନ୍ଦ୍ର ସେମିତି ଶୋଇଥିଲେ।ସେ ଦେଖିବାକୁ ଠିକ୍ ପୁର୍ଣ୍ଣମୀ ଚନ୍ଦ୍ର ପରି।ଅନ୍ଧାର ଘରେ ଦାଉ ଦାଉ ଜଳନ୍ତି ।ଏତେ ଗୋରା ସାଙ୍ଗକୁ କୁଞ୍ଚ କୁଞ୍ଚିଆ ଚୁଟି ଖୁବ୍ ମାନେ ତାଙ୍କୁ।ହସ୍ପିଟାଲରେ ଯେ କେହି ତାଙ୍କୁ ବେଡ୍ ରେ ଦେଖିବ ଭାବିବ ଭଲ ମଣିଷ ଟି ନିଶା ଇଂଜେକସନ୍ ନେଇ ଶୋଇଛନ୍ତି ବୋଧହୁଏ।ହୁଏତ ଆଉ ଟିକକ ପରେ ଉଠିବେ।
କିନ୍ତୁ ଚନ୍ଦ୍ର ଉଠୁ ନଥିଲେ।
କଟକରେ ତିନି ମାସ ତାପରେ ଭୁବନେଶ୍ୱରରେ ତିନି ମାସ ସେ ସେମିତି ପଡି ରହିଲେ ଆଖି ବୁଜି।ଆଉ ମୁଁ ଛଅ ମାସ ସେମିତି ବସି ରହିଥିଲି ତାଙ୍କ ବେଡ୍ କୁ ଲାଗି।
ମୋ ଭୋକ,ଶୋଷ,ନିଦ କିଏ ନେଇଯାଇଥିଲା ଯେମିତି।ଗୋଟିଏ ଜୀବନ୍ତ କଣ୍ଢେଇ ପରି ଯନ୍ତ୍ରବତ କଣ କରୁଥିଲି ବୋଧହୁଏ।
ଚନ୍ଦ୍ର ଧକ୍କା ହୋଇ ବେହୋସ୍।କ୍ରିୟାହିନ କାଠ ଗଣ୍ଡି।
ମୁଁ ଚନ୍ଦ୍ର ବେହୋସ୍ କୁ ଦେଖି ବେହୋସ୍ କ୍ରିୟାଶୀଳ ଜୀଅନ୍ତା ଶବ।
ଅହରହ ସେବା।କିନ୍ତୁ କିଛି ଉନ୍ନତି ପରିଲକ୍ଷିତ ହେଉ ନଥିଲା।କଣ କରିବି?କୋଳରେ କ୍ଷୀର ଛାଡି ନଥିବା ଛୁଆ,ସାନ ଝିଅ।ବାପା ମା ପାଖେ।
ସମସ୍ତେ ନିରାଶ ହେଉଥିଲେ ବି ମୁଁ ହେଇନଥିଲି।
ମୋ ଭିତରୁ ଧୈର୍ଯ୍ୟ ଓ ଆଶା ଟିକେ ବି ମରି ନଥିଲେ।
ଛଅ ମାସ ପରେ ଚନ୍ଦ୍ର ଆଖି ଖୋଲିଲେ କିନ୍ତୁ ଆଉ ପଲକ ପକାଇଲେ ନାହିଁ।ଡାକ୍ତର ବାବୁ କହିଲେ ଘରକୁ ନେଇ ଯାଆନ୍ତୁ।କେତେ ପଡି ରହିବେ,କେଉଁଠୁ ଏତେ ଖର୍ଚ୍ଚ ଭରିବେ?ବରଂ ନେଇ ଯାଅ।ପନ୍ଦର ଦିନକୁ ଥରେ ଚେକ୍ ଅପ୍ ପାଇଁ ଆଣିବେ।
ମୋତେ ଶିଖାଇ ଦେଲେ କେମିତି ନଳୀବାଟେ ଖୁଆ ଯିବ।କେମିତି ବେଡ୍ ସିଟ୍ ଚେଞ୍ଚ୍ କରାଯିବ।ଝାଡା ପରିସ୍ରା ସମସ୍ତ ଦୈନ୍ୟ ଦିନ କାର୍ଯ୍ୟ ହେବ।ପୁଣି କେମିତି ଏକ୍ସରରସାଇଜ୍ କରାଯିବ।
ସତ କଥା ଛଅ ସାତ ମାସ ଭିତରେ ବହୁତି ଖର୍ଚ୍ଚ ହୋଇ ଯାଇଥିଲା।ଆଉ ଆଖ ଲୋକଙ୍କ ପାଖରେ ସମ୍ବଳ ନଥିଲା ଖର୍ଚ୍ଚ କରିବାକୁ।ବରଂ ଭଲ ଘରକୁ ନେଇଯିବି।ଚନ୍ଦ୍ର ଦେଖା ଶୁଣା କରିବା ସହ ମୋ କ୍ଷୀର ଖୁଆ ଛୁଆଟି ବି ବଞ୍ଚିଯିବ।
ବାସ୍!ଦୀର୍ଘ ତିନି ବର୍ଷ ସେବା ଯତ୍ନ ଫଳରେ ଚନ୍ଦ୍ର ଟିକେ ଟିକେ ରେସ୍ ପଣ୍ଡ୍ କଲେ।ମୋ ଭାଗ୍ୟ ଆକାଶରେ ଜହ୍ନ ଚନ୍ଦ୍ର କଳା ହୋଇ ଟିକେ ଦେଖା ଦେଲା।ଚାରି ବର୍ଷ ପୁରିଲା ବେଳକୁ କିଛି କହିଲେ ମୁଣ୍ଡ ବୁଲାଇ ଚାହିଁଲେ ସେ।ଏତେ ସ୍ଲୋ ପ୍ରୋଗ୍ରେସ୍ ହେଉଥିଲା ଯେ ଧୈର୍ଯ୍ୟଚ୍ୟୁତି ମୋ ଘର ଲୋକଙ୍କ ଘଟୁଥିଲା।
କିନ୍ତୁ ମୋର ଧୈର୍ଯ୍ୟ ବଳବତ୍ତର ଥିଲା।
ଚାରି ବର୍ଷ ପରେ ତାଙ୍କୁ ହ୍ବିଲ ଚେୟାର ରେ ବସାଇ ତାଙ୍କ ଅଫି ଜଏନ୍ କରିବାକୁ ନେଲି।କାରଣ ଏହା ପରେ ଚାକିରୀଟି ତାଙ୍କ ହାତରୁ ଚାଲିଯିବ।ପୁଣି ଅର୍ଥ ନିହାତି ଆବଶ୍ୟକ ଥିଲା।ଚଳିବା କି ତାଙ୍କ ଟ୍ରିଟେମେଣ୍ଟ ପାଇଁ ବିପୁଳ ଟଙ୍କାର ଲୋଡ଼ା ପଡିଲା।ଅଫିସର ଜଏନ୍ କରେଇ ଦେବାକୁ ଅମଙ୍ଗ ହେଲେ ତାଙ୍କ କଣ୍ଡିସନ୍ ଦେଖି।କିନ୍ତୁ କଥା ଦେଲି,ଚନ୍ଦ୍ରଙ୍କ ପୁରା ଠିକ୍ ହେବା ଯାଏ ସମସ୍ତ କାମ ମୁଁ କରିବି।
ଚନ୍ଦ୍ରଙ୍କୁ ମିଶେଇ ମୋର ତିନୋଟି ପିଲା ହୋଇଗଲେ।ଚନ୍ଦ୍ର ସବୁଠାରୁ ଅବୋଧ ଶିଶୁ ,ପାଞ୍ଚ ବର୍ଷର ବଡ଼ ଝିଅ ଓ ଛଅ ମାସର ସାନ ଝିଅ ଙ୍କ ଦେଖା ରଖା ସହ ଅଫିସ୍ ଯିବା ମୋ ପାଇଁ ସହଜ ନଥିଲା।ଥିଲା କିନ୍ତୁ ଗୋଟେ ଚ୍ୟାଲେଞ୍ଜ, ହଁ ମୁଁ ପାରିବି।
ଏବଂ ସେଇ ଦିନଠାରୁ ଆଠ ବର୍ଷ ହେଲାଣି ମୁଁ ଚନ୍ଦ୍ରଙ୍କୁ ନେଇ ଅଫିସ୍ ଯାଉଛି ଏଇ ଆଶାରେ ହୁଏତ ଦିନେ ମନକୁ ମନ ହଠାତ୍ ଚନ୍ଦ୍ର ହ୍ବିଲ ହେୟାର ରୁ ଉଠି ମୋ ନାଁ ଧରି ଡାକିବେ ଜୁଲି ...