STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଗୋମାତା

ଗୋମାତା

3 mins
172

ଏହି ବିଶ୍ଵାସ କରି ସମସ୍ତେ ଗୋମାତା ପାଳନ କରୁଥିବା ସମୟରେ ହଠାତ ସୁଶିଳା ଦେବୀଙ୍କ ଭାଗ୍ୟାକାଶରେ ଅମା ଅନ୍ଧକାର ଘୋଟି ଆସିଲା।

 ଯେଉଁଠି ସମୀରଣ ନୀରବ ହୋଇଗଲା, କବିର କଲମରୁ ଶବ୍ଦ ଉଭାନ୍ ହୋଇଗଲା, ନୀରବ ନିସ୍ତବ୍ଧ ନିଥର ପାଲଟି ଜଡ଼ସମ ପ୍ରତୀୟମାନ ହେଲା ଧରଣୀ।କଳକଳ ମୁଖରିତ ନଦୀ ମାନଙ୍କର ପ୍ରବହମାନ ସ୍ରୋତରେ ପ୍ରସ୍ତରବନ୍ଧ ସମ ଦଣ୍ଡାୟମାନ କି ସତେ ! ମାଟିର କାନ୍ଥରୁ ବି ଲୁହ ବହି ଆସିଲା ସେ ଦୃଶ୍ୟ ଦେଖି।ମାତ୍ର ୩୦ ବର୍ଷ ବୟସରେ Brain cancer ରେ ଦୀର୍ଘଦିନ ଧରି ପୀଡିତ ସନ୍ତୋଷ ବାବୁ କେତେବେଳେ ଯମରାଜ ତ କେତେବେଳେ ରୋଗ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ପରାଜିତ ନାୟକ ହୋଇ ନୀରବି ଯାଇଥିଲେ ଜ୍ଞାନୀ ଗୁଣୀ ବାଗ୍ମୀ ।


  ମନେ ପଡିଯାଏ ପିଲାବେଳର ସେ ସାହିତ୍ୟ ବହିର ଗଦ୍ୟବିଭାଗରେ ଥିବା *ଆଲୁଅ ଲିଭିଗଲା* ଶୀର୍ଷକ।ଚାରି ପୁଅଝିଅଙ୍କୁ ବାପଛେଉଣ୍ଡ କରି ସତେ ଯେମିତି ଦୁନିଆଁର ହିଂସ୍ରଜନ୍ତୁଙ୍କ ମେଳରେ ଲହଲହ ଜିହ୍ଵା ଲମ୍ବାଇ ଖାଦ୍ୟ ଖାଦକ ମେଳରେ ବନ୍ଦ ଲୌହ ଶୃଙ୍ଖଳ ଭିତରେ ଅସହାୟ ଅବସ୍ଥାରେ ଛାଡି ଚାଲିଗଲେ ସନ୍ତୋଷ ବାବୁ।ଶେଷ ମୁହୂର୍ତ୍ତରେ କହିଗଲେ ମଣିଷ କରିବ ଏମାନଙ୍କୁ।ଆଉ ତ ଲଢି ପାରୁନାହିଁ, ବୋଧହୁଏ ଅଦୃଶ୍ୟ ଶକ୍ତିଙ୍କର ଏହା ହିଁ ଇଚ୍ଛା।

 ଅନେକ ଦିନ ଧରି ନୀରବି ଗଲେ ସୁଶୀଳା ଦେବୀ।କିନ୍ତୁ ପେଟ ଅଛି ତ ଭୋକ ଅଛି, ନିଜ ପେଟ ନ ହେଲେ ବି ରକ୍ତର ଭୋକଜ୍ଵାଳାକୁ ଶାନ୍ତ କରିବାକୁ ତ ପଡିବ।ଜମିଦାର ଘରର ଝିଅକୁ ପୁଣି ବୋହୁ।କଣ୍ଟାର ଆଘାତ ପାଇ ନ ଥିବା ବେଳେ ଲୁହାର ବଜ୍ର ପାହାରକୁ ସାମନା କଲେ ପ୍ରତି ମୁହୂର୍ତ୍ତରେ।

 ସମାଜର ତଥାକଥିତ ଦୁଷ୍ଟଦାନବ ମାନଙ୍କ ଲୋଲୁପ ଦୃଷ୍ଟିରେ ବାରମ୍ବାର ନିଜକୁ ଆହୁରି ଆହୁରି ବଜ୍ର ପରି ଶକ୍ତ କରୁଥିଲେ ନିଜକୁ ଆଉ ଶାବକମାନଙ୍କୁ।ଗଡି ଚାଲିଲା ଦିନ,ପକ୍ଷ,ମାସ ଆଉ ବର୍ଷ।

  

ଜୀବନ ରହିଲେ ଜଞ୍ଜାଳ ରହିବ

  ସମସ୍ୟା ରହିବ କିଛି,

ସମାଧାନ ପାଇଁ ସଂଗ୍ରାମ କରିଲେ 

  ଅବଶ୍ୟ ପାରିବା ବଞ୍ଚି।

ଏହି ନ୍ୟାୟରେ ସୁଖ ଥିଲେ ଦୁଃଖ ଅଛି, ଦୁଃଖ ଥିଲେ ସୁଖ ରହିବ। ଚକ୍ରବତ୍ ପରିବର୍ତ୍ତ୍ୟନ୍ତେ ସୁଖାନି ଚ ଦୁଃଖାନି ଚ।


କହିବା ଆଉ କରିବା ମଧ୍ୟରେ ଥାଏ ଆକାଶ ପାତାଳ ତଫାତ।ଭୁକ୍ତଭୋଗୀ ହିଁ ବର୍ଣ୍ଣନା କରିପାରେ ଏପାଖରେ ମୃତ୍ୟୁ ହାତ ଠାରୁଛି,ସେପାଖରେ ଭୋକ ଜ୍ଵାଳା ଅସହ୍ୟର ମର୍ମନ୍ତୁଦ ବେଦନା।ନିଃସହାୟ ବେଦା ପୀଡା କେତେ ଦିନ ସହି ହେବ।ବିଲବାଡିରୁ ଯାହା ରବି ଫସଲ କି ଖରିଫ୍ ଫସଲ ହୁଏ ଡାହାଳ କୁକୁରମାନେ ସବୁ ଝାମ୍ପି ଖାଇଯାଆନ୍ତି।

ସୂର୍ଯ୍ୟ ଦେବଙ୍କୁ ଜଳଦାନ କରି ମୋ ଶାବକମାନଙ୍କୁ ରକ୍ଷାକର ନାରାୟଣ ବୋଲି ଲୁହ ନିଗାଡି, ଆଖି ଚିପୁଡି,ମଥାକୋଡି ଆର୍ତ୍ତନାଦ କରନ୍ତି ସୁଶୀଳା ଦେବୀ। ଆଶା ଆଶ୍ଵାସନା କିଛି ହିଁ ନଥାଏ।କେବଳ ବିଶ୍ଵାସ ସର୍ବ ମଙ୍ଗଳ ଜଗନ୍ନାଥ। ଟିକେ ପଛକୁ ଯିବେ... ଏଭଳି ସମୟରେ ସ୍ୱାମୀ ଚାଲିଗଲେ ଯେ,ଲୋକକଥା ଅନୁସାରେ ଶନି,ରାହୁ ,କେତୁ ଭଳି ମହା ମାର୍କଦଶା ଯୋଗୁଁ ଗୁହାଳରୁ ସବୁ ଗାଈଗୋରୁ ଚାଲି ଯାଇଥିଲେ।


 ହଠାତ ଜଣେ ସମ୍ପର୍କୀୟ ଖବର ଦେଲେ, ପାଖ ଗାଆଁରେ ଜଣେ ଦୁଇଟି ଗାଈ ବିକ୍ରି କରୁଛନ୍ତି।ଗୋଟିଏ ବାଛୁରୀ ପରେ ଅଛି ଗୋଟିଏ ଗାଈ ବାଛୁରୀ ନ ଥିବା ଗୋଟିଏ।ତେଣୁ ସମ୍ପର୍କୀୟ ବଡ଼ ଚାଲାଖ୍।ନିଜେ ପିଲା ଜନ୍ମ ଦେଇ ନ ଥିବା ଗୋମାତାକୁ ନେଇ ମାତ୍ର୧୨୦ ଟଙ୍କା ମୂଲ୍ୟର ଗୋମାତାଙ୍କୁ ସୁଶିଳା ଦେବୀଙ୍କୁ ଦେଲେ।


 ପଶୁପକ୍ଷୀ ପ୍ରେମୀ ସୁଶୀଳା ଦେବୀ ସେହି ଗୋମାତାଙ୍କୁ ସ୍ଵାଗତ କରିବା ପାଇଁ ସୁନାପାଣି ଟିକେ ପଡିଶାଘରୁ ଆଣି ତାଙ୍କ ଉପରେ ପକେଇ ସ୍ଵାଗତ କରିଥିଲେ।ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ ଠାକୁରଙ୍କୁ ପୂଜା କରିବା ଭଳି ଗୋମାତାଙ୍କ ପାଦଧୂଳି ମଥାରେ ମାରି ଜୀବନର ସମସ୍ତ ଦୁଃଖ ଯନ୍ତ୍ରଣାକୁ ଚୁପିଚୁପି କହି ଚାଲୁଥିଲେ।ଅତି ଦୁଃଖ ପଡିଲେ ଏକାଏକା ନୀରବରେ ଲୁଚି ଲୁଚି କାନ୍ଦୁଥିଲେ।ମାତ୍ର ୯ମାସ ପରେ ସେହି ଗାଈଟି କାଳୀ ବାଛୁରୀଟିଏ ପ୍ରସବ କଲା। ନନ୍ଦଘରେ ଆନନ୍ଦ ଭଳି, ଅପୁଆ ଘରେ ପୁଅ ପରି ପିଲାମାନଙ୍କ ସମେତ ମା ମଧ୍ୟ ବହୁତ ଖୁସି ହେଲେ।

 ଏମିତି ଏମିତି ୧୨ଟି ପିଲା ସେ ଗାଈଟି ସୁଶୀଳା ଦେବୀଙ୍କୁ ଦେଲେ।ସୁଶୀଳା ଦେବୀ ମଧ୍ୟ କୋଟି ପୂଣ୍ୟର ଫଳ ପାଇ ବେଶ୍ ଖୁସି।ଗୋମାତା ଙ୍କ ଆଶୀର୍ବାଦ ରେ ଘରେ ଖାଦ୍ୟ, ପାନୀୟ, ଟଙ୍କା, ପଇସାରେ ଆଉ ଅଭାବ ରହିଲା ନାହିଁ।


 ପିଲାମାନେ ଚାକିରୀ ବାକିରୀ କରି ଆନନ୍ଦରେ ରହିଲେ ସିନା ସମ୍ପର୍କୀୟ ନେଇଥିବା ଗାଈଟି ଆଦୌ ପ୍ରସବ କଲା ନାହିଁ।

 ମନ ଘେନି ଫଳ

ତୀର୍ଥ ଘେନି ଜଳ।


ଗୋମାତା ସେବା ପୂଜାର ପୂଣ୍ୟଫଳ ଅଙ୍ଗେ ଅଙ୍ଗେ ଅନୁଭବ ସହ ଉପଲବ୍ଧି କଲେ ମାଆ ସୁଶୀଳା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational