ଗଜ ଉଦ୍ଧାରଣ
ଗଜ ଉଦ୍ଧାରଣ


କିଛି ବର୍ଷ ତଳର କଥା । ରଥଯାତ୍ରା ଚାଲିଥାଏ । ଚହଳ ପଡିଲା, ଲକ୍ଷ୍ମୀ ମରିଗଲା । ଏତେ ପୂଜା, ଏତେ ହୋମ, ଏତେ ଯଜ୍ଞ ସବୁ ବୃଥା ହେଲା । ଶେଷରେ ଜଗନ୍ନାଥ ଏୟା କଲେ ? ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । ଖବର କାଗଜ, ଟି.ଭି. ଚ୍ୟାନେଲ୍ ସବୁଆଡେ ସେଇ ଗୋଟେ ଖବର । ମୋ ପାଖେ ମୋର ଛୋଟ ଝିଅ ଠିଆ ହୋଇଥାଏ । ଆମମାନଙ୍କର ଏପରି ଅସହାୟ ଅବସ୍ଥା ଦେଖି, ଧିରେ ଧିରେ ମୋ କାନ ପାଖରେ ମୁହଁ ରଖି ପଚାରିଲା, ବାବା କିଏ ମରିଗଲା ?
: ଲକ୍ଷ୍ମୀ ।
: ସେ କିଏ ?
: ଗୋଟେ ହାତୀ । ଜଗନ୍ନାଥଙ୍କର ରଥ ଟାଣିବାକୁ ଉତ୍ତରପ୍ରଦେଶରୁ ଆସିଥିଲା । ତା’ ଦେହ ଭୀଷଣ ଖରାପ ହୋଇଗଲା । ବୟସ ଏତେ ହୋଇ ଯାଇଥିଲା ଯେ ଆଉ ଔଷଧ ବି କାମ କଲାନି । ଲୋକମାନେ ତା’ ପାଇଁ କେତେ ପୂଜା ପ୍ରାର୍ଥନା କଲେ । ହେଲେ ଜଗନ୍ନାଥ କାହା ଡାକ ଶୁଣିଲେନି ।
: ସେ ଭଲ ହୋଇ ଯାଇଥିଲେ କ’ଣ ହୋଇଥାନ୍ତା ?
: ଉତ୍ତର ପ୍ରଦେଶ ଫେରି ଯାଇଥାନ୍ତା ।
: କେତେ ବାଟ ?
: ହଜାରେ କିଲୋମିଟରରୁ ବେଶି ।
: କେମିତି ଯାଇଥାନ୍ତା ? ଟ୍ରେନରେ, ବସରେ ନା ଉଡାଜାହାଜରେ ?
: ଆରେ ନା । ସେ କ’ଣ ମଣିଷ ହେଇଛି ? ସେ ଚାଲି ଚାଲି ଯାଇଥାନ୍ତା ।
: ସେଠି ଯାଇ କ’ଣ କରିଥାନ୍ତା ?
: ତା’ ମାହୁନ୍ତ ତା’କୁ ଯେଉଁ କାମରେ ଲଗେଇବ, ସେଇ କାମ କରିଥାନ୍ତା । ଏଇ ଯେମିତି କାଠ ଟାଣିବା, ମାଲ ବୋହିବା, ରଥ ଟାଣିବା......
: ଏତେ କଷ୍ଟ କାମ । ପୁଣି ଏ ବୟସରେ ? ତା’ ହେଲେ ତ ଠାକୁର ତା’କୁ ଆଗରୁ ନେଇଗଲେ । ଏଣିକି ତା’କୁ ଆଉ ଏତେ କଷ୍ଟ କରିବାକୁ ପଡିବ ନାହିଁ ।
ଅବାକ୍ ହୋଇ ମୁଁ ମୋ ଝିଅର ମୁହଁକୁ ଚାହିଁ ରହିଲି । ଭାବିଲି ଯଦି ଏଇ ଛୋଟ ପିଲାଟା ବୁଝିଗଲା, ଆମେ କାହିଁକି ବୁଝି ପାରିଲୁ ନାହିଁ ?