Pradeep Kumar Panda

Inspirational

4.7  

Pradeep Kumar Panda

Inspirational

ଘର

ଘର

9 mins
409



କ୍ରମାଗତ ଭାବେ ନ ଦିନ ଧରି ଆରତୀଙ୍କ ର କୋମା ରେ ରହିବା ତାଙ୍କ ପୁଅ ଝିଅ ମାନଙ୍କୁ କିଛି ଫରକ ପଡି ନଥିଲା l ଖାଲି ଯାହା ହସ୍ପିଟାଲ ରେ ହାଜିରା ପକାଇ ଆସି ଚବିଶ ଘଣ୍ଟା କାମବାଲୀ କୁନି ହାତରୁ ଭଳିକି ଭଳି ଜିନିଷ ବରାଦ କରି ଖାଇ ସାରିବା ପରେ ବାକି ସମୟ ଯେମିତି ଯିବା କଥା ସେମିତି ଯାଉଥିଲା l ଧୀରେ ଧୀରେ ଆରତୀଙ୍କ ର ଚେତା ନ ଫେରିବାରୁ ସମସ୍ତେ ଚିନ୍ତା କରିବା ଆରମ୍ଭ କଲେ l 


କେତେ ଚିନ୍ତା କଲେ ବି ଚିନ୍ତା ସରିଥିଲା କୋଉଠି l ଆରତୀ ଉପର ମହଲା ରେ ରହୁଥିଲେ ଯାହାକୁ ତାଙ୍କ ସ୍ୱାମୀ ଅର୍ଥାତ ପିତାମ୍ବର ବାବୁ ବଂଚିଥିଲା ବେଳେ ତିଆରି କରିଥିଲେ l ଉପରେ ଥିବା ବିରାଟ ବାଲକୋନୀ ସହ ବଡ଼ ବଡ଼ ରୁମ ଗୁଡିକ ସମସ୍ତଙ୍କ ପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିଲା l ସେଇ ଘର ପ୍ରତି ସମସ୍ତଙ୍କ ଲୋଭ l ତଳେ ପିଲା ମାନେ ରହୁଥିଲେ l ଉପର ଘର କୁ ନେଇ ଦୁଇ ବୋହୂ ଙ୍କ ଭିତରେ କେଉଁ କାଳ ରୁ ଖୁମ୍ପା ଖୁମ୍ପି ଚାଲି ଥିଲା l


ଆରତୀ ଙ୍କ ଉପର ଘର ର ଫଇସଲା ନ କରି ଭାଗ ବଣ୍ଟା କେମିତି ବା ହେବ l ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଝିଅ ମାନେ ଅତି ସହଜ ରେ ଆରତୀଙ୍କ ଗହଣା ର ଭାଗ ବଣ୍ଟା କରି ଦେଇଥିଲେ l କାନ ରୁ ଦି କାନ ହୋଇ ନଥିଲା l ଅଥଚ ଏବେ ଏଇ ଉପର ମହଲା ର ଘର ଟା ହିଁ ସବୁ ସମସ୍ୟା ସୃଷ୍ଟି କରୁଛି l ସମସ୍ତେ ଚାହୁଁଛନ୍ତି ଉପର ଘର ଟି ତାଙ୍କୁ ହିଁ ମିଳୁ ବୋଲି l


ବଡ ବୋହୁ ଚନ୍ଦ୍ରିକା ବହୁତ ହିସାବୀ l ଅଳ୍ପ କଥାର ଲୋକ କିନ୍ତୁ ଫାଇଦା ଥିଲେ ଯାଇ ମୁହଁ ଖୋଲିବ l ସେ ଯାଇ ତା ସ୍ୱାମୀ ଅଜୟ କୁ କହିଲା l

--ଆର ଥର ଗହଣା କୁ ନେଇ ଯାହା ସବୁ ହୋଇଥିଲା ଏ ଥର ଘର ଭାଗ ବଣ୍ଟା କୁ ନେଇ ଯେମିତି ସେ ସବୁ ନ ହୁଏ l ସବୁ କାମ ସୁରୁଖୁରୁ ରେ କରିବ l ଆର ଥର ବୋଉ ଙ୍କ ବଡ ଲକେଟ ଟା ସାନ ବୋହୁ କୁ ମିଳିଲା l ତୁମ ଘରେ ବଡ଼ ବୋହୁ ର ମର୍ଯ୍ୟାଦା କିଛି ଥାଏ ନା ନାହିଁ l


--ତୁମେ ଆଉ ବେଶି କିଛି ନ କହିବା ଭଲ ଚନ୍ଦ୍ରିକା ! ମନେ ରଖିଛ ଗତ ବର୍ଷ ଯେତେବେଳେ ବୋଉ କୁ ପ୍ରବଳ ଝାଡା ବାନ୍ତି ହେଉଥିଲା ? ସେଦିନ ମାଣ ବସା ଗୁରୁବାର ଥିଲା l ବୋଉ ର ଶେଯ ରେ ଝାଡା ହୋଇ ଯାଉଥିଲା l ତୁମେ କଣ କହିଥିଲ ?


--ହଁ କଣ ହେଲା ସେଠୁ ? ଧର୍ମ କର୍ମ କରିବା କଣ ଖରାପ କଥା ?


--ତୁମେ କହିଥିଲ ଯେ ବୋଉକୁ ଶୀଘ୍ର ନେଇ ଗାଁ ଘରେ ଛାଡି ଆସିବା ପାଇଁ l କାରଣ ମାଣବସା ପ୍ରଥମ ପାଳି ତ ଘରେ ଝାଡା ପଡିବାରୁ ଛୁଆଁ ହେଇଗଲା ଆଗାମୀ ପାଳି ଗୁଡିକ ଯେମିତି ନ ହେଉ l ବୋଉ କୁ ନେଇ ପୁଣି କୁନି ସହିତ ଗାଁ ରେ ଛାଡିବାକୁ ପଡିଥିଲା l ଆମ ଘର କଣ ଛୋଟ ଥିଲା ନା ବୋଉ ପାଇଁ ରୁମ ନଥିଲା ? ନା ବୋଉ ତୁମ ପୂଜା ଘର ଛୁଆଁ କରି ଦେଇଥିଲା ?


--ହଉ ମୁଁ ଯଦି ଖରାପ ଏବଂ ତୁମେ ଭଲ ହେବାକୁ ଚାହୁଁଛ ତେବେ ସବୁ ପୈତୃକ ସମ୍ପତି ତୁମେ ଛାଡି ଦିଅ l ମୋର କଣ ଅଛି l ସବୁ ତୁମ ପିଲା ହିଁ ଭୋଗ କରିବେ l ମୁଁ କଣ ସାଙ୍ଗରେ ନେଇକି ଯିବି କି ?


--ଆଜି ପର୍ଯ୍ୟନ୍ତ ତୁମ ନିରୀହ ସ୍ୱାମୀଟିକୁ ବୁଝି ପାରିଲ ନାହିଁ ଚାନ୍ଦ ! ଆରେ ମୁଁ କହୁଛି ତୁମେ ଏ ସମୟ ରେ ପଦାରେ ପଡନା l ତୁମେ କିଛି କହିବା ଖରାପ l ଯାହା କରିବା କଥା ମୁଁ କରିବି l ତୁମେ ଖାଲି ଦେଖୁଥାଅ l ମୁଁ ତ ହେଲେ ପ୍ରଥମ ଚାକିରୀ ରେ ଦୁଇ ମାସର ଦରମା ବାପାଙ୍କୁ ଦେଇଛି l ହେଲେ ସାନ କଣ କରିଛି ? ତା ର କି ଅଧିକାର ଅଛି ?


ସାନବୋହୁ ମାଳିନୀ ଏଣେ ତା ସ୍ୱାମୀ ବିଜୟ କୁ ଘେରିଲାଣି l

--ତୁମ ବଡ ଭାଇ ଦୁଇ ମାସ ର ଦରମା ମିଶାଇ ସୁଧ ମୂଳ କଳନ୍ତର ହିସାବ କରୁଥିବେ l ତୁମେ ପୁଣି ସାନ ବୋଲି ବୋଉ ଙ୍କ ର ସବୁଠୁ ଗେଲବସର ଥିଲ ପରା ? ଏବେ ତୁମ କୁ ଗୋଟେ ବଡ ଶୂନ ମିଳିବ ଦେଖିବ ରୁହ l


--ତୁମ ପାଟି ବନ୍ଦ ହେଲେ ତ ମୁଁ କଣ ଭାବିବି ନା l ତୁମେ ତ ଚବର ଚବର କରି ସବୁ ବିଗାଡି ଦେଉଛ l


ଏଣେ ଝିଅ ଜଲୀ ଭାବି ପାରୁନି ସେ କେଉଁ ଯୁକ୍ତି ଦର୍ଶାଇ ଉପର ମହଲା ଟି କୁ ହାତେଇବ l ଭାଇ ମାନ ଙ୍କ ର ନିଜ ଘର ସବୁ ଭଡାରେ

ଲାଗିଛି l ବାପା କରିଥିବା ଘରେ ଦୁଇ ଭାଇ ରହୁଛନ୍ତି l ବାପା ଙ୍କ ପେନଶନ ବି ଘର ଖର୍ଚ୍ଚ ରେ ଲାଗେ l ଭାଗ ହେଲେ ଦୁଇ ଭାଗ ହେବା ନିଶ୍ଚିତ l ଆଜି କାଲି କିନ୍ତୁ ଝିଅ କୁ ବି ମିଳିବ ବୋଲି କୁଆଡେ ନିୟମ ହେଲାଣି l


ସୁନା ପରି ସୁଧାର ଜୋଇଁ ସୁଧୀର ବି ଏହି ଦୌଡ ରେ ସାମିଲ

ହୋଇଛି l କେତେ ଥର ଭାବିଛି ଆରତୀ ଙ୍କ ଟିପ ଚି଼ହ୍ନ ନେଇ ଦୁଇ ମହଲା ଯାକ ହଡପ କରିଦେବ କିନ୍ତୁ ଆଇ ସି ୟୁ ଭିତରକୁ କାହାରିକୁ ଯିବାକୁ ଅନୁମତି ନାହିଁ l କେବଳ ଗୋଟିଏ ଟିପଚିହ୍ନ ମିଳିଗଲେ ବାକି କାଗଜ ପତ୍ର ସବୁ ଯୋଗାଡ଼ କରିବା ଟା ସୁଧୀର ର ବାଏଁ ହାତ କା କାମ ! ମୟୁର କୁ ଦେଖିଲେ କିଏ କହିବ ସେ ସାପ ଖାଏ ବୋଲି ? ସୁଧୀର କୁ ଦେଖିଲେ ଜଣା ପଡ଼େନି ସେ ଏମିତି ବିଚକ୍ଷଣ ବୁଦ୍ଧି ର ଅଧିକାରୀ ବୋଲି l


ଖାଲି ଏ ସବୁ ଭିତରେ ନୀରବ ଦର୍ଶକ ସାଜି ବସିଛି କାମବାଲୀ କୁନି l ଲୋକ ଗୋଟାକ କୁ ପ୍ରକୃତି ଗୋଟାଏ l ସେମାନେ ତିନି ଭଉଣୀ ଦୁଇ ଭାଇ l ଦୁଇ ବେଳା ଖାଇବା ବି ତାଙ୍କ ପାଇଁ ସ୍ବପ୍ନ l କିନ୍ତୁ ସେମାନେ ଏମିତି କେହି ହେଉ ନାହାନ୍ତି ତ ? ସେଦିନ ବାପା ତାର ପଡିଥିଲା ହସ୍ପିଟାଲ ରେ l ବାପା ର ଜୀବନ ଯାକର ସଞ୍ଚୟ ସାରି ସେମାନେ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ l ବାପା ବଞ୍ଚି ନଥିଲା ଏବଂ ସଞ୍ଚୟ ବି ସବୁ ଶେଷ ହୋଇ ଯାଇଥିଲା l


ବାପା ତାର ଗୋଟିଏ ହୋଟେଲ ରେ ବାସନ ସଫା କରି ଦିନ କୁ ଦୁଇ ବେଳା ପୁଣି ଆପାର୍ଟମେଣ୍ଟ ରେ ଝାଡୁ ମାରି ନାନି ବାହାଘର ପାଇଁ ଯାହା ରଖିଥିଲା ସବୁ ତା ଚିକିତ୍ସା ରେ ପିଲା ମାନେ ସାରିଦେଲେ l କିନ୍ତୁ ପଇସା ପାଇଁ କାହାରି ଦୁଃଖ ନାହିଁ l ବାପା ଚାଲି ଗଲା ବୋଲି ମୁଣ୍ଡ ଉପରୁ ହାତ ଉଠି ଗଲା l ସେଥିପାଇଁ ପାଇଁ ଯାହା ଦୁଃଖ ସିନା l ସେଇ ପଇସାରେ ନାନି ବାହା ହୋଇଥାନ୍ତା, ଟୁଲୁ ର ସାଇକେଲ ଆସିଥାନ୍ତା ଓ କୁନି ର ସ୍କୁଲ ଫିସ ବି ସେଇଥିରୁ ହିଁ ଯାଇ ଥାନ୍ତା l


ସବୁ ସରିଗଲା ମାତ୍ର ସେ କିମ୍ବା ତାର ଭାଇ ଭଉଣୀ ଗୋଟେ ସେକେଣ୍ଡ ପାଇଁ ବି ଟଙ୍କା କଥା ଭାବି ନଥିଲେ l ଅଥଚ ସବୁ ଥାଇ ଏମାନେ ଏମିତି ହେଉଛନ୍ତି ଓ ପଦାରେ ପଡି ଯାଉଛନ୍ତି ଦେଖି କୁନି ଛାନିଆ l ଯାହା ହେଲା ହେଲା କୁନି ଭଳିଆ ଗୋଟେ ବାହାର ଲୋକ ଆଗରେ ଏମିତି ନ ହେଲେ ହୁଅନ୍ତା ନାହିଁ ? କୁନି କିଛି ବୁଝି ପାରେନି ବଡ ବଡ ଲୋକ ଗୁଡାକ ଏମିତି ଛୋଟ ଛୋଟ କାମ କାହିଁକି କରନ୍ତି କେଜାଣି l


ନ ଦିନ କୋମା ରେ ରହିବା ପରେ ଦଶମ ଦିନ ସକାଳେ ଆରତୀ ଙ୍କୁ ହୋସ ଆସିଲା l ହୋସ ଆସିଲା ପରେ ଆଇ ସି ୟୁ ରୁ ଯେତେବେଳ ତାଙ୍କ ରୁମ କୁ ଅଣାଗଲା ସେତେବେଳେ ଚାରି ଆଡେ ଆଖି ବୁଲାଇ ଦେଖନ୍ତି ତ ଦୁଇଟି ନର୍ସ ଓ ଗୋଟିଏ ଡାକ୍ତର ଛଡା ଆଉ ନିଜର କେହି ନାହାନ୍ତି l ସେତେବେଳ କୁ ରକ୍ତ ର ସମ୍ପର୍କ ମାନେ ଆରତୀଙ୍କ ମୃତ୍ୟୁ ସୁନିଶ୍ଚିତ ଭାବି ଘର ଭାଗ ବଣ୍ଟା ଉପରେ ଗଭୀର ଆଲୋଚନା ଚଲାଇ ଥିଲେ l


ଉପର ମହଲା ରୁ ଆରତୀ ଙ୍କ ଜିନିଷ ପତ୍ର ସବୁ ବାହାର କରିବା ପାଇଁ ସୁଧୀର ଓ ଅଜୟ ମିଶି ମୁଲିଆ ଦୁଇ ଜଣଙ୍କୁ ବି ଠିକ କରିସାରି ଥିଲେ l ହଠାତ ଡାକ୍ତରଙ୍କ ଠୁ ଫୋନ ପାଇ ଉପର ମହଲାକୁ ଯିବେ କଣ ସିଧା ଉପରୁ ତଳକୁ ଖସି ପଡିଲା ଭଳି ଅବସ୍ଥା ହେଲା ସମସ୍ତଙ୍କ ର  l ତେବେ ସେ ଯାହା ହେଉ ଆରତୀ ଘରକୁ ଫେରିବେ l ଆଉରି ତିନି ଦିନ ହସ୍ପିଟାଲ ରେ ରହିବା ପରେ ସେ ଘରକୁ

ଫେରିଲେ l


ଡାକ୍ତର କହିଛନ୍ତି ଏଥରକ ସିନା କଟିଗଲା ଆର ଥରକୁ ଯଦି କିଛି ହୁଏ ତେବେ ବଂଚିବା ର ଆଶା ନାହିଁ l ସୁତରାଂ ବହୁତ ସତର୍କ ହୋଇ ଚଳିବାକୁ ହେବ l ଏ କଥା ଶୁଣିଲା ପରେ ଘର ଲୋକ ଙ୍କ ମଧ୍ୟରେ ଆତଙ୍କ ବାତାବରଣ ଖେଳି ଯାଇ ଥିଲା l ଯଦି ହଠାତ କିଛି ହେଇ ଯାଏ ତେବେ ସିନା ଝମେଲା ଅଳ୍ପ ରେ ସରିଯିବ କିନ୍ତୁ ପୁଣି ହସ୍ପିଟାଲ ରେ ଦିନ ଦିନ ଧରି ପଡିଲେ କାହାର କାମ ନାହିଁ ଯେ ଦୌଡୁ ଥିବ ! ତେଣୁ ସେ ବଂଚିଥିଲା ବେଳେ ହିଁ ଭାଗ ବଣ୍ଟା ସାରି ଦେବାକୁ ହେବ l ଥରେ ଭାଗ ବଣ୍ଟା ସରିଗଲେ ତେଣିକି ଆଉ ଚିନ୍ତା ନାହିଁ l ବୋଉ ହସ୍ପିଟାଲ ଯାଉ କି ଆଉ କୋଉଠି କି ଯାଉ !


ପ୍ରଥମେ ପୁଅ ଦୁଇ ଜଣ ଯାଇ ଆରତୀ ଙ୍କ ସାଙ୍ଗେ କଥା ବାର୍ତ୍ତା ଆରମ୍ଭ କରୁ କରୁ ସୁଧୀର କୁ ବାସ୍ନା ବାଜିଗଲା ଓ ତା ସ୍ତ୍ରୀ ଜଲୀ କୁ ସପିଙ୍ଗ ଅଧା ରଖି ଶୀଘ୍ର ଫେରି ଆସିବାକୁ ଫୋନ କଲା l ଆରତୀ ହସ୍ପିଟାଲ ରୁ ଘରକୁ ଫେରି ମାତ୍ର ଦୁଇ ଘଣ୍ଟା ହୋଇଛି l ସମସ୍ତଙ୍କୁ ଏକତ୍ରିତ ଦେଖି ନିଜେ ମଧ୍ୟ ଚକିତ ହେଲେଣି l ବଡ ପୁଅ କହିଲା


-- ବୋଉ କିଛି ଭାବିବୁନି l ଯାହା ଦୁନିଆ ର ନିୟମ ତାହାହିଁ କହୁଛି l ତୋର ତ ବୟସ ହେଲାଣି କେତେବେଳ କୋଉ କଥା l ତେଣୁ ତୁ ଥାଉ ଥାଉ ସବୁ ଫଇସଲା ହେଇ ଗଲେ ଭଲ l ଆଉ ତୁ ତ ଜାଣୁ ବଡ ପୁଅ ଭାବେ ମୁଁ ତୋ ପାଇଁ ଓ ବାପାଙ୍କ ପାଇଁ ଅନ୍ୟ ମାନଙ୍କ ଠାରୁ ଅଧିକା ଚିନ୍ତିତ l ମୋର ଚାକିରୀ ର ପ୍ରଥମ ଦରମା…….


--ଭାଇ ତୁମର ସେ ଶୁଆ ଭଳି ରଟ ଲଗାଇବା ଅଭ୍ୟାସ ଆଉ ଗଲାନି l ପ୍ରଥମ ଦରମା ପ୍ରଥମ ଦରମା ଖାଲି ହେଉଛ l ତୁମେ କଣ ଜଣେ ହିଁ ବୋଉ କୁ ସ୍ନେହ କରୁଛ ଆଉ ଆମେ ? ସାନ ପୁଅ ବୋଲି ବୋଉ ମୋତେ ଦଣ୍ଡେ ନ ଦେଖିଲେ ରହି ପାରେନି l ଜାଣିଛ ନା ନାହିଁ l କାଶ୍ମୀର ଟୁର ରେ ଯାଇଥିଲି ଯେ ଖାଲି ବୋଉ ର ମୁହଁ ଟା ଆଖି ଆଗରେ ନାଚିଲା l ସେ ଯେଉଁ କାଶ୍ମୀର ସାଲ ଟା କେତେ ଜାଣିଛ ? ପୁରା ଛ ହଜାର ପାଞ୍ଚ ଶହ l ବୋଉ ପାଇଁ ଆଣୁଛି ତେଣୁ ମୁଲଚାଲ ମୋଟେ ହେବ ନାହିଁ l ଯାହା କହିଲା ନେଇ ଆସିଥିଲି l


--ନାହିଁ ନାହିଁ ! ମୋ ବୋଉ ଖାଲି ମୋ… ଅ… ର… l ହଁ ନା ବୋଉ ? ତୁ ଏମାନଙ୍କୁ କହିଦେ l ତୁ ଖାଲି ମୋର l ଜଲୀ ର କଥା ଶୁଣି ବୋହୁ ଦି ଜଣ ରକ୍ତ ଚାଉଳ ଚୋବାଇଲେଣି l ଏଥର ସୁଧୀର ପାଟି

ଖୋଲିଲା l


--ବୋଉ ମୁଁ ସିଧା କଥା କହେ ବୋଲି ଆପଣଙ୍କ ର ସବୁଠୁ ପ୍ରିୟ ! ତେଣୁ ସିଧା ସଳଖ କହି ଦେଉଛି l ଆପଣ ବଞ୍ଚି ଥାଉ ଥାଉ ଏଇ ଘର ଟି ଯେମିତି ହେଲେ ବାଣ୍ଟି ଦିଅନ୍ତୁ l ଆମେ ଭାବିଛୁ ତାକୁ ଆମେ କେହି ବିକ୍ରି କରିବୁନି l ଯେତେହେଲେ ଆପଣଙ୍କ ସ୍ମୃତି ନା ! ସୁତରାଂ ଘର ଟି ତିନିଭାଗ ହେବ ଏବଂ ଆପଣ ଆଦେଶ ଦେଲେ ଉପର ଘର ଟା ଆପଣଙ୍କ ଝିଅ କୁ ମିଳିବ l ଜଲୀ କୁ ତ ଆପଣ କେତେ ଗେଲବସର କରି ବଢ଼ାଇଛନ୍ତି l ତାକୁ ଏ ସି ରେ ବି ଭଲ ନିଦ ହୁଏନି l ତାର ଖୋଲା ପବନ ନିହାତି ଦରକାର l


--ସୁଧୀର ବାବୁ ! ବାହା ହେବା ଆଗରୁ ଜଲୀ ମା ଙ୍କ ଗେଲବସର ଥିଲେ l ଏବେ ଆପଣ ଙ୍କ ଗେଲବସର ହେଲେ l ବାହା ହେଲା ପରେ ଝିଅ ବାପ ଘରେ କୁଣିଆ l ତେଣୁ ଯେମିତି ଭାଗବଣ୍ଟା ହେବ ସୁଧାର ପିଲା ଭଳି ଶୁଣି ଯାଆନ୍ତୁ l ମାଳିନୀ କହି ଚାଲିଥିଲା l


--ଏ ଘରେ ଝିଅ ର କଥା ହିଁ ଚାଲେ l ଏଠିକି ବୋହୁ ହୋଇ ଆସିଲାଠୁ ଖାଲି ଘାଣ୍ଟି ହେଉଛି l ବୋହୁ କୁ କିଏ ପଚାରେ ଏଠି ? ଆର ବର୍ଷ ମାଣବସା ଗୁରୁବାର ଦିନ ବୋଉ ଙ୍କୁ ଷ୍ଟ୍ରୋକ ହେଇଥିଲା ଯେ କାନ୍ଦି କାନ୍ଦି ମା ଲକ୍ଷ୍ମୀ ଙ୍କୁ ମୋର ଅଶ୍ରୁ ରେ ତର୍ପଣ କରି କେତେ ପ୍ରାର୍ଥନା କରି ବୋଉ ଙ୍କୁ ବଞ୍ଚାଇଲି l ଏକ ନିଶ୍ୱାସ ରେ ଏତକ କହି ବଡ ବୋହୁ ଚନ୍ଦ୍ରିକା ବିଶ୍ରାମ ନେଲା l 


ଆରତୀ ମୁହଁ ଖୋଲି ଖାଲି ଏତିକି କହିଥିଲେ

--ଓକିଲ ଡାକ l

ଆରତୀଙ୍କ ମୁହଁ ରୁ କଥା ବାହାରୁ ବାହାରୁ ସାନ ପୁଅ ତାଙ୍କ ଘରୋଇ ଓକିଲ ତ୍ରିପାଠୀ ବାବୁଙ୍କୁ ଡାକିଦେଲା l ସେ ମଧ୍ୟ ଆଶା କରୁଥିଲେ ଯେ ଦିନେ ଦୁଇ ଦିନ ଭିତରେ ତାଙ୍କୁ ଡାକରା ପଡି ପାରେ l ତେଣୁ ସେ ପ୍ରସ୍ତୁତ ଥିଲେ l ସେ ଆସୁ ଆସୁ ମାଳିନୀ ଯେ କି ନିଜ ସ୍ୱାମୀ କୁ ପାଣି ଗ୍ଲାସ ଟି ଏ ବି ଦିନେ ଦେଇ ନଥିଲା ସାଙ୍ଗେ ସାଙ୍ଗେ କଫି କରିବା ପାଇଁ ଦୌଡ଼ି ଗଲା l ତ୍ରିପାଠୀ ବାବୁ ଏଥର ଆରମ୍ଭ କଲେ l


--ଆପଣ ମାନଙ୍କୁ ଏଥର ଆରତୀ ମହାପାତ୍ର ଙ୍କ ଉଇଲ ଟି ପଢି ଶୁଣାଇ ଦେଉଛି l ଏକ ସାଙ୍ଗରେ ସମସ୍ତଙ୍କୁ ହୃତଘାତ ଆସିଲା ଭଳି ଲାଗିଥିଲା l ବୋଉ ଉଇଲ କରି ସlରିଛି ? ହେଲେ କାହିଁକି ଓ କାହା ନାଁ ରେ l ତ୍ରିପାଠୀ ବାବୁ ପୁଣି ଆରମ୍ଭ କଲେ l

--ଆରତୀ ମାଡାମ ବଞ୍ଚି ଥାଉ ଥାଉ ଏ ଘର ନା ବିକ୍ରି ହେଇ ପାରିବ ନା ଭାଗ ବଣ୍ଟା ହେଇ ପାରିବ l ତାଙ୍କ ପରେ ସମୁଦାୟ ଘର ଟି ତାଙ୍କ ଘରେ କାମ କରୁଥିବା ସହାୟିକା କୁମାରୀ କୁନି ରାଣୀ ବେହେରା

ପାଇବେ l ଘରେ ଏବେ ସମସ୍ତଙ୍କ ଚେତା ଶୂନ୍ୟ ଅବସ୍ଥା l କାହାରି ମୁହଁରେ ଭାଷା ନାହିଁ ଆଉ l ବାପା ବୋଉ ଙ୍କ ସମ୍ପତ୍ତି କୁନି ପାଇବ ?


ଆରତୀ ହସ୍ପିଟାଲ ରୁ ଆସି ମାତ୍ର କିଛି ଘଣ୍ଟା ହୋଇଛି l ଗୋଟେ ମିନିଟ ବି ବିଶ୍ରାମ ନେବାକୁ ସମୟ ମିଳି ନାହିଁ l ଖାଲି ସ୍ୱାର୍ଥ ହିଁ ସ୍ୱାର୍ଥ l ଭଗବାନ ବୋଧେ ତାଙ୍କୁ ବଞ୍ଚାଇ ଭୁଲ କଲେ l ସମସ୍ତେ ତାଙ୍କ ମୃତ ଦେହ ଦେଖିବାକୁ ପ୍ରସ୍ତୁତ ଥିବା ବେଳେ ତାଙ୍କୁ ଜୀବନ୍ତ ଅବସ୍ଥା ରେ ଦେଖି ଘାଣ୍ଟି ହୋଇ ଗଲେଣି l ବହୁତ କଷ୍ଟରେ ସେ ଏଥର ମୁହଁ ଖୋଲିଲେ l


--ମୋତେ ଯେତେବେଳେ ଗତ ବର୍ଷ ଝାଡା ବାନ୍ତି ହୋଇଥିଲା ତୁମେ ମାନେ କେତୋଟି ଓଷଦ ବଟିକା ଦେଇ ମୋତେ ଗାଁ କୁ ପଠାଇ ଦେଇଥିଲ l ଯେଉଁ ବଡ଼ ବୋହୂ ପାଦରେ ଚପଲ ପିନ୍ଧି ଠାକୁରଙ୍କ ଘରେ ପଶୁଥିଲା ଏବଂ ଯାହାକୁ ମୁଁ ହିଁ ଗୁରୁବାର ପୂଜା ଶିଖାଇଥିଲି ସେ ମୋଠୁ ଅଧିକା ଜ୍ଞାନୀ ହୋଇ ଛୁଆଁ ଛୁତି ଆଳରେ ମୋତେ ମୋର ହିଁ ଘରୁ ତଡି ଦେଇ ଗାଁ କୁ ପଠାଇ ଦେଲା l ବଳ ନାହିଁ ବୟସ ନାହିଁ ସ୍ୱାମୀ ନାହାନ୍ତି l ଯିଏ ଯୁଆଡେ ଫୁଟବଲ ଭଳି ଗଡ଼ାଇଲେ ଯାଉଛି l ଏଇ କୁନି ର ସେବା ଯତ୍ନ ରେ ହିଁ ମୁଁ ଭଲ ହୋଇ ଫେରିଥିଲି  l


-- ଦ୍ଵିତୀୟ ଥର ଷ୍ଟ୍ରୋକ ଯୋଗୁଁ ମୁଁ ସୋଫା ପାଖରେ ପଡିଗଲା ପରେ ତୁମେ ମାନେ ହସ୍ପିଟାଲ ନ ନେଇ ଜଣେ ଜଣେ ଆସି ମୋର ନିଶ୍ୱାସ ପ୍ରଶ୍ୱାସ ପରୀକ୍ଷା କରୁଥିଲ l ମୁଁ ପୁରାପୁରି ଅଚେତ ହେବା ଆଗରୁ ସବୁ ଜାଣି ପାରୁଥିଲି l ଏଇ କୁନି ହିଁ ହାଉଳି ଖାଇ ଆମ୍ବୁଲାନ୍ସ କୁ ଫୋନ କରିବା ପାଇଁ ବାହାରି ଯାଇଥିଲା l ତା ପରେ କଣ ହେଲା ମୁଁ ଆଉ ଜାଣିନି l


--ଆଉ ଜଲୀ ! ତୁ ତ ମୋ ନିଜ ରକ୍ତ ନା ! ତୋର ଦି ଭାଇଙ୍କ ଠାରୁ ଏଇ ସୁଧୀର ର ମାସିକ ଆୟ କାହିଁ କେତେ ଗୁଣା ଅଧିକା l ତୋତେ ବି ମୁଁ ଚେଷ୍ଟା କରିଥିଲି ନିଜ ଗୋଡ଼ରେ ଠିଆ କରାଇ ସାରି ବିବାହ ଦେବାକୁ l କିନ୍ତୁ ତୁ ହିଁ କହିଥିଲୁ "ମା ! ମୋ ଦ୍ୱାରା ଏ ପାଠ ଗୁଡାକ ହେବନି l ମୁଁ ମୋ ସାଙ୍ଗ ମାନଙ୍କ ଭଳି ଘର ସଂସାର କରିବାକୁ

ଚାହୁଁଛି " l ଆଉ ଏବେ ସେମାନଙ୍କ ସାଙ୍ଗରେ ତୁ ବି ମିଶିଗଲୁ ?


--ତୁମ ସମସ୍ତଙ୍କୁ ମୁଁ ଗୋଟିଏ କଥା କହୁଛି l ବହୁତ ଆଗରୁ ମୁଁ ତୁମ ମାନଙ୍କୁ ଜାଣି ସାରିଥିଲି l ତେଣୁ କୋମା ରୁ ବାହାରି ଯେଉଁ କେତେ ଦିନ ହସ୍ପିଟାଲ ରେ ଥିଲି ଏଇ ତ୍ରିପାଠୀ ବାବୁ ମୋତେ ଦେଖା କରିବାକୁ ହସ୍ପିଟାଲ ଆସିଥିଲେ ଓ ସେତେବେଳେ ଏ ସବୁ ଆଲୋଚନା କରି ମୁଁ ସୁସ୍ଥ ମନ ରେ ସବୁ ନିର୍ଣ୍ଣୟ ନେଇଥିଲି l ତୁମେମାନେ ଏବେ ଚାଲି ଯାଇ ପାର l ମୋର ବି ଆଉ କାହା ପ୍ରତି ମାୟା ମୋହ ନାହିଁ l ହଉ ତ୍ରିପାଠୀ ବାବୁ ଆପଣ ଏଥର ଆସନ୍ତୁ l ମୋ ପରେ ଯାହା ଯେମିତି ଲେଖା ହୋଇଛି ସେମିତି ବନ୍ଦୋବସ୍ତ କରିବେ l 


ଲୋହିତ ସୂର୍ଯ୍ୟଙ୍କ କିରଣ ପଡି ସମଗ୍ର ଘର ଟି ଯେପରି ସତ୍ୟ ର ଜୟଗାନ କରୁଥିଲା l


   


Rate this content
Log in

Similar oriya story from Inspirational