ଘର ବାହୁଡା
ଘର ବାହୁଡା


ମୁଣ୍ଡରେ ବୋକଚା ଲଦି ରୂପା ବାହାରିଲା ଷ୍ଟେସନ ଆଡେ ଚାରିବର୍ଷର ପୁଅ ଜଗାର ହାତକୁ ଧରି। ଷ୍ଟେସନରେ ପହଞ୍ଚି ତାକୁ ଟ୍ରେନ ଧରିବାକୁ ପଡିବ ଅନ୍ୟ ପ୍ରବାସୀ ମାନଙ୍କ ପରି। ଆଉ ଏଠି ରହି ହେବନି। ଏବେ ଘର ବାହୁଡ଼ାର ବେଳ। ଷ୍ଟେସନ ଏଠାରୁ ଗୁଡ଼ାଏ ବାଟ। ଚାଲି ଚାଲି ଯିବାକୁ ପଡ଼ିବ। ମଝିରେ ମଝିରେ ପୁଣି ଛୁଆଟାକୁ ବି କାଖେଇ ଚାଲିବାକୁ ପଡୁଛି। ଭୋକ ଦାଉରେ ସେ ବି ଦୁର୍ବଳ ହୋଇ ଗଲାଣି।
ରାତି ପାହିବା ଠାରୁ ସେ ଚାଲୁଛି ଯେ ଚାଲୁଛି।ଦେହ ହାତ ଝୋଲା ମାରିଗଲାଣି ତାର।ଦୂରରୁ ଟ୍ରେନ୍ ର ହର୍ଣ୍ଣ ଶୁଭିଲା ରୂପା କାନକୁ।ଷ୍ଟେସନ ପାଖେଇ ପାଖେଇ ଆସିଲାଣି । ରୂପା ଭାବିଲା ଟ୍ରେନ୍ ଏବେ ଛାଡ଼ିଦେଵ ବୋଧେ। ସେ ଆଉ ଗାଁ କୁ ଯାଇ ପାରିବନି ବେଶି ଡେରି କଲେ।ପ୍ରାଣ ବିକଳରେ ସେ ଜଗାକୁ କାଖେଇ ଧାଇଁବାକୁ ଲାଗିଲା। ମୁଣ୍ଡରେ ଲୁଗାପଟା ବ୍ୟାଗ, କାଖରେ ଚାରି ବର୍ଷର ଜଗା ଆଉ ପେଟରେ ପାଞ୍ଚ ମାସର ପିଲା। ସେଥିରେ ପୁଣି ଦାଉ ସାଧୁଛି ମୁଣ୍ଡ ଉପରେ ଟାଇଁ ଟାଇଁ ଖରା।ତଣ୍ଟି ଶୁଖିଗଲାଣି ରୂପାର। ଗୋଡ଼ ହାତ ବଙ୍କା ହୋଇଗଲା ପରି ଲାଗୁଛି ତାକୁ।ଭୋକରେ ପେଟ ମୋଡ଼ି ହୋଇଗଲାଣି।
ଧାଇଁ ଧାଇଁ ସେ ଯାଇ ପହଞ୍ଚିଗଲା ଷ୍ଟେସନରେ। ଦେଖିଲା ଟ୍ରେନ୍ ଛାଡିନି। ବୁଝିକି ଜାଣିଲା ଆହୁରି ଅଧ ଘଣ୍ଟାଏ ସମୟ ଅଛି ଟ୍ରେନ୍ ଛାଡିବା ପାଇଁ। ଲଥକିନା ସେ ବସି ପଡ଼ିଲା ଷ୍ଟେସନର ଗୋଟାଏ କଣକୁ।ଆଖିକୁ ସବୁ ଚାରି ଚାରିଟା ଦିଶୁଛି ତାର।ଜିଭଟା ଭିତରକୁ ଓଟାରି ହୋଇଗଲା ପରି ଲାଗୁଛି। ଛାତି ଭିତରୁ କେହି ହାତୁଡିରେ ପିଟିଲା ପରି ଦାଉଁ ଦାଉଁ ଶବ୍ଦ ବାହାରୁଛି।ସେଇଠି କାନି ପାରି ଗଡି ପଡିଲା ସେ। ଜଗାକୁ କହିଲା ବୋତଲରେ ପାଣି ଭରି ଆଣିବା ପାଇଁ। ଜଗା ପାଣି ଆଣିସାରି ମା' କୁ ତାର ହଲେଇଲା। ରୁପା ଶୁଣିଲାଣି କିଛି। ଜଗା ମା' ପାଖରେ ବସି ଦି ଚାରି ଢ଼ୋକ ପାଣି ପିଇଲା ବୋତଲରୁ। ତା ପରେ ମା' କାନିରେ ଝାଳ ପୋଛି ହୋଇ ପୁଣି ଡାକିଲା ମା' କୁ। ଟ୍ରେନ୍ ହର୍ଣ୍ଣ ଦେଲା। ସବୁଲୋକ ନିଜ ନିଜ ଜିନିଷ ଧରି ଧାଇଁବାକୁ ଲାଗିଲେ। ଜଗା ବିକଳରେ ମା' କୁ ହଲାଉଥିଲା। ଏ .. ମା' ..... ଉଠୁ ....ଟ୍ରେନ୍ ଛାଡ଼ିଦେଵ ଏବେ। ଉଠୁ ମା'....ସମସ୍ତେ ଚାଲି ଗଲେଣି। ଏ ମାଆଆଆଆ ...... ଉଠୁ ......। ରୂପା କିନ୍ତୁ ଶୋଇଥିଲା ସେମିତି ଉପରକୁ ଚାହିଁ ବଡ଼ ବଡ଼ ଆଖିରେ। ମୁଁହ ପାଖରେ ତାର ବୁଲୁଥିଲେ କେତୋଟି ଗଣଗଣିଆ ମାଛି। ଆଉ ଜଗା ପ୍ରାଣପଣେ ମା' ର କାନି ଧରି ଟାଣୁଥିଲା ତାକୁ ଉଠେଇବା ପାଇଁ।