ଘୋଡା
ଘୋଡା
ଜିତି ଗଲେ ରୋଳ ହୁଏ. ଜିତାପଟ ପରେ ବିଜୟବାନା ଉଡେ. ବିଜେତା ପାଇଁ ମେଳି,କରତାଳି, ଶୋଭାଯାତ୍ରା, ପଟୁଆର ବାହାରେ. ଜୟଜୟକାର ଧ୍ଵନି ଶୁଭୁଥାଏ ଗଗନ ପବନ ମୁଖରିତ କରି. ସେଦିନ ବାପା ଗାଁ ସରପଞ୍ଚ ରୂପେ ଜିତିଲା ପରେ ବିଜେତାର ଚିତ୍ର ଓ ଚିତ୍ରହାର ସମଷ୍ଟିରେ ଶୋଭାଯାତ୍ରାରେ ଘୋଡା ଉପରେ ବସାଇ ଗାଁ ପରିକ୍ରମା କଲାବେଳେ ପୁଅ ରାଜୁ ଦଉଡି ଯାଇଥିଲା କହିବାକୁ କାହାରି କାନେ କାନେ ଯେ ପଟୁଆର ଶୋଭାଯାତ୍ରା ରଖିବାକୁ ହେବ. ଘୋଡ଼ାକୁ ଖାଇବାକୁ ପିଇବାକୁ ଦେଇ ସୁସ୍ଥ କରିବାକୁ ହେବ. ତା ଦେହ ଥରୁଛି. କିନ୍ତୁ କହିବ କାହାକୁ? ସମସ୍ତେ ମସଗୁଲ ଶୋଭାଯାତ୍ରା ପଟୁଆରରେ. ଡ୍ରମ ବାଜା ବଦଳରେ ଡିଜେ ବାଜା ଶବ୍ଦରେ କାହାକୁ କହିବ କିଏ ଶୁଣିବା ଅବସ୍ଥାରେ ଅଛି!ଘୋଡ଼ାର ମାଲିକଙ୍କ ଛୋଟ ପୁଅକୁ ପଚାରି ବୁଝିଛି ରାଜୁ. ଘୋଡାକୁ ଦାନା ଦେଇନପାରିବା ପୂର୍ବରୁ ବହିନା ପାଇ ବାପା ପୁଅ ଭୁଲିଯାଇଛନ୍ତି ଘୋଡା ପେଟର ଭୋକ. ଭୋକ ବିକଳରେ ସେ ଏପଟ ସେପଟ ହେଉଛି ତ ନୂଆ ସରପଞ୍ଚ ଦୋହଲି ଯାଉଛନ୍ତି. ଘୋଡା ମାଲିକ ଚାବୁକ କଷି ନେଉଛି ତ ବିଚରା ଘୋଡ଼ାର ଟାପୁ ଟାପୁ ଶବ୍ଦ ଅସ୍ଥିର ହୋଇଉଠୁଛି. କାତର ଆଖିରେ ସେ ଆକାଶକୁ ଚାହୁଁଛି ଥରକୁ ଥର.ବାରିଦ ଟୋପେ ଟୋପା ଟୋପା ହୋଇ ବରଷି ଯାଆନ୍ତା କି ଥଣ୍ଡାରେ ଅନ୍ତତଃ ତା ଖୁରାରେ ବଳ ପଶିଯାଆନ୍ତା. ତାର ଉପରକୁ ଚାହିଁବା କାରଣରୁ ରାଜୁର ବାପା ନୂଆ ସରପଞ୍ଚ ଜଗଦୀଶ ବାବୁ ମଧ୍ୟ ଓହଳି ପଡୁଛନ୍ତି ତଳକୁ ତ ଘୋଡା ଖାଉଛି ଥରକୁ ଥର ଚାବୁକ ପ୍ରହାର. ସେ ପ୍ରହାର ଘୋଡ଼ାକୁ ନୁହେଁ ବରଂ ରାଜୁ ଦେହକୁ ବାଜୁଛି. ରାଜୁ ଦୌଡୁଛି ପ୍ରାଣାପଣେ. ଶୁଣିବା ଅବସ୍ଥାରେ କେହି ନାହିଁ. ଘୋଡା ଛାଟି ହୋଇ ପଡିଲା. ଆଉ ନୂଆ ସରପଞ୍ଚ କଚାଡି ହୋଇ ଛିଟିକି ପଡ଼ିଥିଲେ କିଛି ଦୂର. ଘୋଡାଟାକୁ ଯେତେ ଚେଷ୍ଟା କଲେ ମଧ୍ୟ ତଳୁ ଉଠାଇ ପାରୁନଥିଲା ଘୋଡା ସଇସ କି ନୂଆ ସରପଞ୍ଚଙ୍କ କଣ ହେଲା ବୋଲି କେହି କହିପାରୁନଥିଲେ. ଦଳାଚାକଟା ଭିଡ଼ ଠେଲି ରାଜୁ ବପାଙ୍କ ପାଖରେ ପହଞ୍ଚି ପାରୁନଥିଲା. ଆମ୍ବୁଲାନ୍ସ ଆସି କାହାକୁ କୁଆଡେ ନେଲା ବୁଝିବା ପୂର୍ବରୁ ଭିଡ଼ କମୁଥିଲା. କେହି କେହି କହୁଥିଲେ ଘୋଡା ବେପାର କରି ଜିତିଥିଲା ଯେ ଘୋଡା ହିଁ ଜୀଵନ ନେଲା. ଏଯାଏଁ ଘୋଡା ଜୀବନ ବଞ୍ଚେଇବାକୁ ଦୌଡୁଥିବା ରାଜୁ ଏବେ ଦୌଡୁଥିଲା ହସ୍ପିଟାଲ କିନ୍ତୁ ସେତେବେଳକୁ ସେ ବାପା ଛେଉଣ୍ଡ ହୋଇ ସାରିଥିଲା.
ବାପାଙ୍କ ଜିତାପଟ ବିଜୟ ବିଜେତାର ଚିତ୍ର ଓ ଚୈତ୍ରର ଅବସାନ ଦୁଃଖଦ ଥିଲାବେଳେ ତାଙ୍କ ଘରକୁ ବହୁ ଲୋକ ଆସୁଥିଲେ. ତା କାନେ କାନେ ପଚାରୁଥିଲେ ତୁମକୁ ଅଠର ହେଲାଣି ତ ଆଜ୍ଞା ପୁଅ? ମାଆ ସହ କଣ ସବୁ ଆଲୋଚନା ପର୍ଯ୍ୟାଲୋଚନା କରି ଫେରୁଥିଲେ ତ ମାଆ କହୁଥିଲା ତୁ ପାରିବୁ ପୁଅ. ତୁ ହିଁ ତୋ ବାପାଙ୍କର ଏକମାତ୍ର ଦାୟାଦ ସୁପୁତ୍ର. ସତକୁ ସତ ରାଜୁ କିଛି ବୁଝିବା ପୂର୍ବରୁ ତା ଫଟୋ ପୋଷ୍ଟର ସବୁ କାନ୍ଥ ବାଡ଼ରେ ଲାଗିସାରିଥିଲା. ତୃତୀୟ ବର୍ଷ କଲେଜ ଯାଉଥିବା ରାଜୁ ଏବେ କଲେଜ ପରିବର୍ତ୍ତେ ବିଜେତା ହେବା ପାଟୁଆର ପାଇଁ କେବେ ଜିପରେ ତ କେବେ ପଦଚଲା ରାସ୍ତାରେ ଯାଇ ଘରେ ଘରେ ଭୋଟ ମାଗୁଥିଲା. ଶେଷରେ ଯାହାକୁ ଭେଟିଥିଲା ସେ ସେହି ଘୋଡାମାଲିକ ହିଁ ଥିଲା. ଘୋଡ଼ାକୁ ଦେଖିବାକୁ ନୂଆ ସରପଞ୍ଚ ପାର୍ଥୀ ମନକରିଛନ୍ତି ଶୁଣି ଘୋଡା ଏମିତି ସଜବାଜ ହୋଇ ଉପସ୍ଥିତ ହେଲା ଯେ ରାଜୁ ପଚାରୁଥିଲା ସେ ଖାଇଛି ନା ନାହିଁ?ପ୍ରଚାରରେ ଘୋଡାଟି ସାମିଲ ହୋଇଯାଇଥିଲା ଓ ରାଜୁର ସେଇ ପଚାରିଥିବା ପ୍ରଶ୍ନ ତାର ଇସ୍ତାହାର ବିନିଯାଇଥିଲା.ଭୋଟ ଦିନ ଘୋଡ଼ାକୁ ଧରି ଖୁବ କାନ୍ଦୁଥିଲା ବେଳେ ରାଜୁ ଶୁଣିଥିଲା ସେ ବିଜୟ ଲାଭ କରିଛି. ଘୋଡାରେ ଚଢିବାକୁ ମନା କରିବା ପୂର୍ବରୁ ତାକୁ ଘୋଡା ପିଠିରେ ବସେଇ ଦିଆ ଯାଇଥିଲା. ଘୋଡା ଖାଇ ପିଇ ସୁସ୍ଥ ଥିଲା ବେଳେ ରାଜୁ ପେଟରେ ମାଆ ହାତର ଦୁଇ ଚାମଚ ମିଠା ଦହି ବିଜେତାର ଚିତ୍ର ହୋଇ ତା ପେଟକୁ ଉଶ୍ୱାସ ଦେଉଥିଲା ତ ସେ ନିଶ୍ଵାସ ନେଇ ପାରୁଛି କି ନାହିଁ ନିଜେ ପରୀକ୍ଷା କରୁ କରୁ ତା ନାମର ବିଜୟ ଚିତ୍ର ଓ ଚୈତ୍ର ଉଡୁଥିଲା ବେଳେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲା. ଅନୁକମ୍ପା ମୂଳକ ଭୋଟରେ ଜିତିବା କଥା ବିରୋଧୀ ଦଳ ଵାଲା ଟୁପୁରୁ ଟାପୁରୁ ହେଉଥିଲେ ତ ସେ କାହିଁକି କେଜାଣି ଖୁବ କାନ୍ଦିଥିଲା. ସମସ୍ତେ ବାପାଙ୍କ ପାଇଁ ନୂଆ ସରପଞ୍ଚ କାନ୍ଦୁଛନ୍ତି ଭାବିଲା ବେଳେ ରାଜୁର ଅବସ୍ଥା କିନ୍ତୁ ସେଦିନର ସେହି ଘୋଡା ପରି ଥିଲା. ବିଜୟର ପାଟୁଆରରେ ବାପା ଘୋଡା ପିଠିରେ ବସିଥିବା ଘୋଡାଟି ଅବସ୍ଥା ଭଳି ରାଜୁର ଅବସ୍ଥା ଥିଲା ବୋଲି ସମସ୍ତଙ୍କୁ ଅଜଣା ଥିଲା ବେଳେ ମାଆ ଆଶ୍ୱାସନା ଦେଇଚାଲିଥିଲେ ଯେ ଯିଏ ପଶୁ ପେଟର ଭୋକ ବୁଝିଛି ସେ କେବେ ହାରେନା ପୁଅ କହିବା ବେଳେ ରାଜୁ କେବଳ ଏତିକି କହିଥିଲା କି ବାପା ଥିଲା ପୁଅ ସଭାରେ ହାରେନା ଆଉ ମୁଁ ତ ଅଭାଗାଟିଏ ମାତ୍ର. ମାଆ ଆଖିକୁ ଲୁହ ସଂକ୍ରମିତ ହୋଇସାରିଥିଲା.ଲାଗୁଥିଲା ମୌସୁମୀ ଝରିଯାଉଛି ଓଦା କରି ଆଦ୍ର କରିଦେବ ପରିବାରକୁ.।
