ଗାଁ ବାଇଗଣ
ଗାଁ ବାଇଗଣ
ମାସକ ତଳେ ଗାଁକୁ ଯାଇଥିଲି। ଆଗ ଅପେକ୍ଷା ଗାଁର ଏବେ ପରିସ୍ଥିତି ବଦଳି ଯାଇଛି। ମୁଁ ପହଞ୍ଚିବା ମାତ୍ରେ ସବୁ ଗାଁ ପିଲା ଆସି ମୋ ଚାରିପଟେ ରୁଣ୍ଡ ହୋଇ ଯାଆନ୍ତି।
ପିଲା ମାନଙ୍କୁ ବିସ୍କୁଟ ବାଣ୍ଟି ଦେଇ ମୁଁ କ୍ଷେତ ଆଡେ ବୁଲିବାକୁ ବାହାରି ପଡିଲି।
ଗାଁ ତଳ ନଳକୂପକୁ ଲାଗି ବିରାଟ ବାଇଗଣ ବଗିଚା ଦେଖିଲି। ପାଖକୁ ଯାଇ ଦେଖେ ସୁନ୍ଦର ହୋଇ ବାଇଗଣ ପଡିଛି। ବାଡ ଦେଖି ଜାଣିଲି ଏଇଟା ଆମ ଘର ପଡ଼ୋଶୀ ଗୋପି ଭାଇନାର କାମ। ଏତେ ବଢିଆ ଚାଷ କରୁଥିବା ମୋତେ ଖୁସି ଲାଗିଲା।
ସେ ଦିନ ସେଇ ବାଇଗଣ ବାଡିରେ ହିଁ ମୋ ମନଟି ରହିଗଲା। ସନ୍ଧ୍ୟାରେ ବୋଉ ତାଙ୍କ ଘରୁ ବାଇଗଣ ଦୁଇଟା ଧରି ଆସିଥିଲା। ରାତିରେ ବାଇଗଣ ତରକାରୀ ଖାଇବା ବେଳେ ବହୁତ ସ୍ବାଦ ଲାଗିଥିଲା। ସହରର ବଜାରରେ ମିଳୁଥିବା ପରିବା ସହିତ ଗାଁ ପରିବା ଭିନ୍ନ ପ୍ରକାରର ଲାଗିଲା।
ତା ପରଦିନ ସକାଳୁ ଗୋପି ଭାଇନାକୁ ଭେଟିଲି। ପ୍ରଥମେ ଏ ବାଇଗଣ ଚାଷ କାର୍ଯ୍ୟ ବିଷୟରେ ପଚାରିଲି। ସେ ଗୋଟି ଗୋଟି କରି ସବୁ କଥା କହିଗଲା।
ସିଧା ବାଇଗଣ ବାଡିକୁ ଚାଲିଲୁ,ମୋର ବି ଆଉ ଥରେ ଦେଖିବା ପାଇଁ ଇଚ୍ଛା ହେଉଥିଲା। ମୋ ମୋବାଇଲରେ ଫଟୋ କିଛି ଉଠାଇଲି।
ମୁଁ ପଚାରିଲି -ବିହନ, ସାର କୋଉଠୁ ପାଇଲ ?
ସେ କହିଲା -ଓପିଲିପି ନାମକ ସଂସ୍ଥା ପକ୍ଷରୁ ବିହନ ଯୋଗାଇ ଦିଆଯାଇଛି।
ତାପରେ ସେ କେମିତି ମୋଟର ଲଗାଇ ପାଣି ଦେଇ ଗଛ ଗୁଡିକ ବଡ କରିଥିଲା ଏବଂ ଚାରିପଟକୁ ବାଉଁଶ ବାଡରେ ସୁରକ୍ଷା ଦେବାର ବ୍ୟବସ୍ଥା କଥା କହିଥିଲା।
ସରକାରଙ୍କ ପକ୍ଷରୁ କାଳିଆ ଟଙ୍କା ପାଇଲ କି ନାହିଁ ପଚାରିଦେଲି। କାହିଁ ମିଳିବ ବୋଲି କହୁଛନ୍ତି କିନ୍ତୁ ମୋତେ ମିଳିନାହିଁ। ଧୈର୍ଯ୍ୟ ଧରନ୍ତୁ ଟଙ୍କା ନିଶ୍ଚିତ ମିଳିବ କହି ଭରସା ଦେଲି।
କିଛି ସମୟ ପରେ ପାଖ ଗାଁରୁ ବାଇଗଣ ନେବା ପାଇଁ ଲୋକମାନେ ପହଞ୍ଚି ଗଲେ। ବାଡିରୁ ତୋଳା ହେଲା ଏବଂ ଓଜନ କରି କୋଡିଏ କେଜି ବାଇଗଣ ନେଲେ।
ମୁଁ ପଚାରିଲି -ଭାଇନା, କେତେ ଟଙ୍କା ହିସାବରେ ଦେଉଛ?
ସେ କହିଲା -ରେଟ୍ ନାହିଁରେ, କୋଡିଏ ଟଙ୍କା ଲେଖାଏଁ ଦେଉଛି।
ମୁଁ କହିଲି -ବାୟା ଲୋକ ବା ତମେ, ବଜାରରେ ପରା ପଚାଶ ଟଙ୍କା ଦେଇ ମୁଁ ବାଇଗଣ କିଣି ଖାଉଛି। ଏଠି ଏତେ ଶସ୍ତାରେ ବିକି ଦେଉଛ!
ସେ କହିଲା - ମୁଁ ଜାଣିଛି ହେଲେ,ନେବା ପାଇଁ ମୂଲିଆ ଦରକାର ତା ବାଦେ ଗାଡିଭଡା ଖର୍ଛ ହେବ। ଏତେ ସବୁ କଲା ବେଳକୁ ସେ ଏକା କଥାହିଁ ବୋଲି କହିଲା।
ଆଉ କିଛି କହିବାକୁ ଇଛା ହେଉନଥିଲା, ବାଇଗଣ କେଜି କୋଡିଏ ଟଙ୍କା ବେପାର କରାଯିବାର କଥାଟା ମୋ ଦେହକୁ ସହଜରେ ହଜମ ହେଉନଥିଲା।